ପରଲୋକରେ ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା
ମୁମ୍ବାଇ: ଆଉ ନାହାନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ତଥା ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା। ନିରବୀ ଗଲେ ସନ୍ତୁରକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବା ମହାନ ସାଧକ। ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କ ଦେହାନ୍ତ ହୋଇଛି। କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ ୬ ମାସ ହେଲା ଅସୁସ୍ଥ ଥିଲେ। ତାଙ୍କର ନିୟମିତ ଡାଏଲିସିସ୍ ଚାଲିଥିଲା।
ଜମ୍ମୁ-କଶ୍ମୀରରେ ଖୁବ୍ ସ୍ୱଳ୍ପ ଜଣାଶୁଣା ବାଦ୍ୟ ସନ୍ତୁରକୁ ଶସ୍ତ୍ରୀୟ ସଙ୍ଗୀତ ସହ ଯୋଡ଼ିବାରେ ଶିବକୁମାରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକଦା କଶ୍ମୀରର ଏକ ସ୍ଥାନୀୟ ବାଦ୍ୟଯନ୍ତ୍ର ଭାବେ ପରିଚିତ ସନ୍ତୁରକୁ ସେ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ ତଥା ସିନେ ସଙ୍ଗୀତ, ସବୁ କ୍ଷେତ୍ରରେ ସେ ଛାଡ଼ି ଯାଇଛନ୍ତି ତାଙ୍କର ପଦଚିହ୍ନ।
କେବଳ ଶସ୍ତ୍ରୀୟ ସଙ୍ଗୀତ ନୁହେଁ, ସିନେ ଜଗତରେ ମଧ୍ୟ ନିଜର ଛାପ ଛାଡ଼ି ଯାଇଛନ୍ତି ସେ। ବନ୍ଧୁ ତଥା ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ‘ଶିବ-ହରି’ ନାମରେ ସେ ପରିଚିତ ଥିଲେ। ଏହି ଯୋଡି ‘ସିଲ୍ସିଲା’, ‘ଲମ୍ହେ’, ‘ଚାନ୍ଦିନୀ’ ଓ ‘ଡର୍’ ପରି ବହୁ ଲୋକପ୍ରିୟ ଫିଲ୍ମରେ ଚମତ୍କାର ସଙ୍ଗୀତ ପ୍ରସ୍ତୁତ କରି ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ।
ଆସନ୍ତା ୧୫ ତାରିଖରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଭୋପାଳର ଏକ ଲାଇଭ୍ କନ୍ସର୍ଟରେ ଦର୍ଶକଙ୍କୁ ଯୁଗଳବନ୍ଦୀ ଭେଟି ଦେଇଥାନ୍ତେ ଶିବକୁମାର। ତେବେ ଏହି କନ୍ସର୍ଟ ପୂର୍ବରୁ ତାଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଫିଲ୍ମ ଏବଂ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
ପଣ୍ଡିତ ଶର୍ମାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସଙ୍ଗୀତ ଆଗାମୀ ପିଢ଼ିକୁ ମଧ୍ୟ ମନ୍ତ୍ରମୁଗ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି। ଏଥିସହ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ସମବେଦନ ଜଣାଇଛନ୍ତି ମୋଦି।
Our cultural world is poorer with the demise of Pandit Shivkumar Sharma Ji. He popularised the Santoor at a global level. His music will continue to enthral the coming generations. I fondly remember my interactions with him. Condolences to his family and admirers. Om Shanti.
— Narendra Modi (@narendramodi) May 10, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।