ମୁମ୍ବାଇ: ଭେଟେରାନ୍ ଆକ୍ଟର୍ ନାନା ପାଟେକର୍ଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଏବେ ଟ୍ୱିଟର୍ରେ #Metoo ଅଭିଯାନ ଜୋର୍ ଧରିଛି। ଭାରତୀୟ ସମାଜର ବିଭିନ୍ନ ବର୍ଗର ମହିଳାମାନେ ଯୌନ ହିଂସା ଉପରେ ଖୋଲାଖୋଲି ନିଜ ମତ ରଖୁଛନ୍ତି। ବି-ଟାଉନ୍ର ବହୁ ନାମୀ ଷ୍ଟାର୍ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ସାରିଛନ୍ତି।
ଏବେ ବଲିଉଡ୍ର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ୍ ଓ ରଣବୀର୍ ସିଂହ ମଧ୍ୟ ଏସମ୍ପର୍କରେ ନିଜ ମତ ରଖିଛନ୍ତି। ଦୀପିକା କହିଛନ୍ତି, #Metoo ଅଭିଯାନ ସ୍ତ୍ରୀ ଓ ପୁରୁଷଙ୍କ ଭିତରେ ଏକ ଯୁଦ୍ଧ ନୁହେଁ। ଏହାକୁ ଲିଙ୍ଗଗତ ପ୍ରଭେଦ ଦୃଷ୍ଟିରେ ଦେଖିବା ମଧ୍ୟ ଠିକ୍ ନୁହେଁ। ଦୀପିକା ଓ ରଣବୀର୍ ଗତ ଶୁକ୍ରବାର ଏକ ଇଭେଣ୍ଟରେ ଯୋଗ ଦେବାକୁ ଆସିଥିବାବେଳେ ସେଠାରେ ଉଭୟଙ୍କୁ #Metoo ଉପରେ ଟିପ୍ପଣୀ ଦେବାକୁ କୁହାଯାଇଥିଲା।
ନାନାଙ୍କ ବିରୋଧରେ ତନୁଶ୍ରୀଙ୍କ ଅଭିଯୋଗ ନେଇ ରଣବୀର୍ କହିଛନ୍ତି, ସେ କୌଣସି ବି ପ୍ରକାର ଉତ୍ପୀଡ଼ନକୁ କଡ଼ା ନିନ୍ଦା କରନ୍ତି। ସେ କହିଛନ୍ତି, ‘କର୍ମକ୍ଷେତ୍ରରେ ହେଉ ଅବା ରାସ୍ତାରେ, ଉତ୍ପୀଡ଼ନ ହିଁ ଭୁଲ୍।’