(ଶ୍ରୀକାନ୍ତ ସାହୁ, ଓଡ଼ିଶା ରିପୋର୍ଟର): ଖେଳନା....ଖେଳନା...ମୁଁ ନୁହେଁ ଖେଳଣା, ଆଖି ପଲକରେ ତୁ, ଆଗରୁ ପ୍ରେମରେ କେବେ ପଡି ନ ଥିଲି, ପାଗଳ ପ୍ରେମୀ, ବନ୍ଧୁତାକୁ ଡାକି ଦିନ ପଚାରିଲି, ମତେ ତ ଲଭ ହେଲାରେ.....ଏମିତି ଶତାଧିକ ସ୍ୟାଡ୍ ସଙ୍ଗ୍ ଓ ରୋମାଣ୍ଟିକ୍ ଗୀତକୁ ପ୍ରାୟ ସବୁ ଓଡ଼ିଆ ଗୁଣୁଗୁଣେଇ ଥାଆନ୍ତି। ଆଉ ଏସବୁ ଗୀତକୁ ସ୍ୱରରେ ସଜାଇଛନ୍ତି ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି। ଖାଲି ସ୍ୟାଡ୍ ସଙ୍ଗ୍ କି ରୋମାଣ୍ଟିକ ଗୀତ ନୁହେଁ, ସେ ବହୁ ଭଜନରେ ବି କଣ୍ଠଦାନ କରିଛନ୍ତି। ଜଗନ୍ନାଥଙ୍କର ହେଉ ଅବା ମା’ ତାରିଣୀଙ୍କର, ସବୁ ଭଜନକୁ ସେ ଅନ୍ତରରୁ କଣ୍ଠଦାନ କରିଥା’ନ୍ତି। ତାଙ୍କ କଣ୍ଠରୁ ହିଁ ଜଣାପଡେ ତାଙ୍କର ପରିଚୟ। ତାଙ୍କ ଗୀତରେ ଅଛି ଆନ୍ତରିକତା, ଭଲ ପାଇବା, ହୃଦୟର ଯନ୍ତ୍ରଣା ଆଉ ଭକ୍ତି। ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଭୋଗରାଇ ଗାଁରେ କୁମାର ବାପିଙ୍କ ଘର । ବାପା ନାରାୟଣଚନ୍ଦ୍ର ନାୟକ ଏବଂ ମାଆ ଶାନ୍ତିଲତା ନାୟକଙ୍କ ସନ୍ତାନ କୁମାର ବାପି ଜଣେ ଗ୍ରାଜୁଏଟ୍। ‘ତରଙ୍ଗ ମ୍ୟୁଜିକ’ ପକ୍ଷରୁ ଆୟୋଜିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ମ୍ୟୁଜିକ୍ ପ୍ରିମିୟର ଲିଗ୍’ (ଏମପିଏଲ୍)ରେ ତାଙ୍କ ସହ ଆମର ସାକ୍ଷାତ ହୋଇଥିଲା। ସେହି ସମୟରେ ତାଙ୍କ ସହ ହୋଇଥିବା କିଛି ବାର୍ତ୍ତଳାପଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
ପ୍ର: ସଙ୍ଗୀତ ଦୁନିଆକୁ କିପରି ଆସିଲେ?
ଉ. ସଙ୍ଗୀତ ମୋ ପ୍ରାଣ । ତା’ ବିନା ମୁଁ ବଞ୍ଚି ପାରିବିନି। ମୋର ପ୍ରତିଟି ମୁହୂର୍ତ୍ତ ସଙ୍ଗୀତରୁ ହିଁ ଆରମ୍ଭ ହୁଏ। ଏହି ନିଶା କେମିତି ପେଶା ବନି ଗଲା ମୁଁ ଜାଣି ପାରିଲିନି। ତେବେ ମୁଁ ୨୦୦୧ରେ ସଙ୍ଗୀତ ଦୁନିଆକୁ ଆସିଲି।
ପ୍ର:- ପ୍ରଥମେ କାହା ହାତ ଧରି ସଙ୍ଗୀତ ଦୁନିଆକୁ ଆସିଲେ ?
ଉ:- ମୋ ପରିବାର ଗୋଟିଏ ସଙ୍ଗୀତକୁ ଭଲ ପାଉଥିବା ପରିବାର। ମୋ ମା’ଙ୍କ ଯୋଗୁଁ ହିଁ ମୁଁ ସଙ୍ଗୀତ ଦୁନିଆକୁ ଆସିଲି। ତାଙ୍କ ପ୍ରେରଣା ହିଁ ମତେ ସଫଳତା ଆଣି ଦେଇଛି ।
ପ୍ର:- ଆପଣ ‘ଗଡ୍ ଫାଦର୍’ଙ୍କ ଉପରେ ବିଶ୍ୱାସ କରନ୍ତି କି ?
ଉ:- ମୁଁ ଗୁରୁଙ୍କ ଉପରେ ବିଶ୍ୱାସ କରେ । ପ୍ରଥମେ ମତେ ଯିଏ ସଙ୍ଗୀତର ପାଠ ପଢାଇ ଥିଲେ । ହାତ ଧରି ‘ଅ’,‘ଆ’,‘କ’,‘ଖ’ ଶିଖେଇ ଥିଲେ। ସେ ହେଉଛନ୍ତି ସ୍ୱରୂପ ନାୟକ। ସେହିଭଳି ସଂଗୀତ ନିର୍ଦ୍ଦେଶକ ବିଜୁ ସ୍ୱାଇଁ ବି ମୋ ଗୁରୁ। ନାରୀ ନୁହେଁ ତୁ ନରାୟଣୀ ଚଳଚ୍ଚିତ୍ରର ‘ଆଖି ତୋର ନୀଳ ନୟନା... ଗୀତ ବୋଲିବାକୁ ସୁଯୋଗ ଦେଇଥିଲେ ସ୍ୱରୂପ ନାୟକ। ମା’ ମଙ୍ଗଳା ଚଳଚିତ୍ରର ‘ମନ ମୋର.... ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ବିଜୁ ସ୍ୱାଇଁ। ଏହି ଦୁଇ ମହାନାୟକଙ୍କ ହାତ ଧରି ପ୍ରଥମେ ବିଦ୍ଧିବଧ ଭାବେ ସଙ୍ଗୀତକୁ ଆସିଲି।
ପ୍ର:- ଦ୍ୱିଅର୍ଥବୋଧକ ସଙ୍ଗୀତ ଉପରେ କ’ଣ କହିବେ?
ଉ:- ଶ୍ରୋତାମାନେ ଏଥିରୁ ଦୂରେଇ ରୁହନ୍ତୁ। ଓଡ଼ିଶାର ମହାନ ପରମ୍ପରାକୁ ପ୍ରଦୂଷଣ କରୁଥିବା ଦ୍ୱିଅର୍ଥବୋଧକ ସଙ୍ଗୀତ ଓ ନିର୍ଦ୍ଦେଶକଙ୍କୁ ନା’ କରନ୍ତୁ। ଏହି ସଙ୍ଗୀତ ଓଡ଼ିଆ ସଙ୍ଗୀତର ଶାସ୍ତ୍ରୀୟତା ଓ ମାନକୁ କୁଠାରଘାତ କରୁଛି। ବ୍ୟବସାୟ ଆଶାରେ ନିର୍ଦ୍ଦେଶକମାନେ ଯୁବପୀଢିଙ୍କୁ ଖରାପ ଦିଗକୁ ଠେଲି ଦେଉଛନ୍ତି। ଶ୍ରୋତା ହିଁ ଚାହିଁଲେ ଆମ ରାଜ୍ୟର ସଂସ୍କୃତି ଓ ପରଂପରାକୁ ରକ୍ଷା କରିପାରିବେ।
ପ୍ର:- ଅଡିଓ କ୍ୟାସେଟର ଯୁଗ ଶେଷକୁ ନେଇ କ’ଣ କହିବେ ?
ଉ:- ଆମ ପରି କଳାକାରଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଖବର। ଅଡିଓ କ୍ୟାସେଟକୁ ଭିତ୍ତି କରି ଗଢ଼ି ଉଠିଥିଲା ବଡ଼ ବଡ଼ ଅଡିଓ କ୍ୟାସେଟ୍ କମ୍ପାନୀ । ସେମାନେ ପ୍ରତି ମାସରେ ଆମ ପରି କଳାକାରଙ୍କୁ କାମ ଦେଉଥିଲେ। ବିଭିନ୍ନ କାରଣରୁ ଏହା ବନ୍ଦ ହେବା ପରେ ଆମ ସଙ୍ଗୀତ ଜୀବନରେ ଟିକେ ପ୍ରଭାବିତ ହୋଇଛି। ଏବେ ରିୟଲିଟି ଶୋ’ ଓ ଚଳଚିତ୍ର ହିଁ ଆମ କଳାକାରଙ୍କ କଳା ନିଦର୍ଶନର ପ୍ରକୃଷ୍ଟ ସ୍ଥାନ।
ପ୍ର:-ଏମପିଏଲ୍ ବିଷୟରେ କ’ଣ କହିବେ ?
ଉ:-ଏମପିଏଲ୍ ବା ତରଙ୍ଗ ମ୍ୟୁଜିକର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ମ୍ୟୁଜିକ୍ ପ୍ରିମିୟର ଲିଗ୍’। ଏଥିରେ ସୁନାମଧନ୍ୟ କଣ୍ଠଶୀଳ୍ପୀ, ନିର୍ଦ୍ଦେଶକ ଓ ଲେଖକଙ୍କୁ ନେଇ ଏହା ଆରମ୍ଭ ହୋଇଛି। ଏହା ପ୍ରତି ରବିବାର ରାତି ୯ଟା ୩୦ରେ ପ୍ରସାରିତ ହେଉଛି। ଏଥିରେ ମୁଁ ଏକ ଅଂଶ।
ପ୍ର:- ଅଭିଯୋଗ ହୁଏ ଓଡ଼ିଆ ସଙ୍ଗୀତରେ ଅଣଓଡ଼ିଆଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏ ନେଇ ଆପଣ କ’ଣ କହିବେ ?
ଉ:- ଏହି ପ୍ରଶ୍ନ ଆମକୁ କହିଁକି ପଚାରୁଛନ୍ତି? ଏହି କଥା ସେହି ମୁମ୍ବାଇ ପ୍ରୀତି ଥିବା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ପଚାରନ୍ତୁ। ସେମାନେ ଏହି ପ୍ରଶ୍ନର ଉତ୍ତର ଦେବେ। ଆମେ ଗାଇଲେ ତାଙ୍କର କ୍ଷତି ହେବ କି ଆମ ପାଖରେ ଦକ୍ଷତାର ଅଭାବ ରହିଛି- ସେ କଥା ମୁଁ ଜାଣି ପାରୁନାହିଁ।
ପ୍ର:- ‘ଡମ୍ମି ସିଙ୍ଗର’ କ’ଣ?
ଉ:-ଆଜ୍ଞା ଏହି ପରିଚୟ ନେଇ ଯୁକ୍ତ ଦୁଇରୁ ଦୀର୍ଘ ୫ ବର୍ଷ ଧରି ସଂଘର୍ଷ କରିଛି। ସଙ୍ଗୀତ ନିର୍ଦ୍ଦେଶକମାନେ ଗୀତ ଲେଖିବା ପରେ ଅଭ୍ୟାସ କରନ୍ତି। ଗୀତକୁ ସ୍ୱର ଦିଅନ୍ତି। ଗୀତ ସ୍ୱର ହେବା ପରେ ଏହାକୁ ବଡ କଳାକାର ମାନେ ଗାଇବେ। ଏହା ପ୍ରକ୍ରିୟାକୁ କୁହନ୍ତି ଡମି। ଏଥିପାଇଁ ମତେ ପ୍ରତି ୮ଟି ଗୀତକୁ ପାରିଶ୍ରମିକ ଭାବେ ମିଳୁଥିଲା ମାତ୍ର ୪୦୦ ଟଙ୍କା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।