ପଞ୍ଚାନନ କାନୁନଗୋ
ସାମନ୍ତବାଦୀ ଶାସନ କାଳରେ ରାଜା, ମହାରାଜାମାନେ ମୁଖ୍ୟତଃ ତିନୋଟି କାର୍ଯ୍ୟ ଉପରେ ଅଧିକ ଦୃଷ୍ଟି ରଖୁଥିଲେ। ସେଥିପାଇଁ ବିଭିନ୍ନ ନୀତିଶାସ୍ତ୍ରର ସାହାଯ୍ୟ ନେଉଥିଲେ। ଏହି ନୀତିଶାସ୍ତ୍ରଗୁଡ଼ିକ ଲୋକଙ୍କୁ ପ୍ରଭାବିତ କରିବା ଓ ପ୍ରଜାଙ୍କୁ ରାଜାର ଅନୁଗତ କରି ରଖିବା, ବିଦ୍ରୋହ ବା ପ୍ରତିବାଦ ନକରିବା ପାଇଁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ପ୍ରଣୀତ ହୋଇଥିଲା। ସେହିପରି ଏକ ନୀତିଶାସ୍ତ୍ର କୌଟିଲ୍ୟ, ଚାଣକ୍ୟ, ବିଷ୍ଣୁଗୁପ୍ତ ନାମଧାରୀ ଜଣେ ବ୍ୟକ୍ତି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ଓ ଅନେକଙ୍କ ମତରେ ଖ୍ରୀଷ୍ଟ ପର ତୃତୀୟ ଶତାବ୍ଦୀରେ ପ୍ରଣୟନ କରିଥିଲେ। ଏହି ନୀତିଶାସ୍ତ୍ରରେ ରାଜା ଯେଉଁ ଯେଉଁ ପ୍ରକ୍ରିୟାରେ ପ୍ରଜାମାନଙ୍କୁ ପ୍ରଭାବିତ କରି ରଖିବେ ଏବଂ ସେମାନଙ୍କ ସମସ୍ୟା ଠାରୁ ଦୂରେଇ ରଖିବେ ସେ ସଂପର୍କରେ ସୂଚନା ରହିଛି।
କୌଟିଲ୍ୟ ଅସ୍ତ୍ରଶାସ୍ତ୍ରମ୍ର ଦ୍ୱିତୀୟ ଅଧ୍ୟାୟରେ ସୂଚନା ଅଛି ଯେ ସମାଜରେ ଲୋକଙ୍କୁ ଭୁଲାଇ ରଖିବା ପାଇଁ ରାତିରେ ଗୋଟିଏ ଚୈତ୍ୟ (ଦେବତା ରହିବା ବେଦୀ) ନିର୍ମାଣ କରାଇ ସେଥିରେ ଗୋଟିଏ ଶିବଲିଙ୍ଗ ବା ଅନ୍ୟ କୌଣସି ଦେବାଦେବୀଙ୍କ ପ୍ରତିମା ସ୍ଥାପନ କରାଯିବ। ପରେ ଏହା ଗୋଟିଏ ପ୍ରସିଦ୍ଧ ପୂଣ୍ୟସ୍ଥାନ ଓ ଏଠାରେ ଦେବତା ଫୁଟି ବାହାରିଛନ୍ତି ଇତ୍ୟାଦି ପ୍ରଚାର କରାଇ ସ୍ଥାନର ମହାତ୍ମ୍ୟ ବଢ଼ାଯିବ। ଯାହାଫଳରେ ପରବର୍ତ୍ତୀ କାଳରେ ସେଠାରେ ଯାତ୍ରା, ଉତ୍ସବ ଆଦି ମେଳାର ଆୟୋଜନ କରାଯାଇ ଦେବତାଙ୍କ ପାଇଁ ଭେଟି, ଦର୍ଶନୀ ଇତ୍ୟାଦି ଆକାରରେ ଧନ ସଂଗ୍ରହ କରାଯିବ। ଏହି ଚୈତ୍ୟ ଯେଉଁ ଉପବନ ବା ବଗିଚାରେ ଥିବ ସେହି ବଗିଚାର କୌଣସି ଗୋଟିଏ ଗଛରେ ଅନ୍ୟସ୍ଥାନରୁ ଫଳଫୁଲ ଆଣି ଖଞ୍ଜିଦେଇ ଲୋକଙ୍କୁ କୁହାଯାଏ ଯେ ଦେବତାଙ୍କ ମହିମାରୁ ଏପରି ଅକାଳରେ ଫୁଲଫଳ ହୋଇଛି।
ଅଥବା ସିଦ୍ଧ ବ୍ୟଞ୍ଜନ ଗୂଢ଼ ପୁରୁଷ ଶ୍ମଶାନସ୍ଥ ବନର କୌଣସି ଗୋଟିଏ ଘଞ୍ଚବୃକ୍ଷ ଉପରେ କୃତ୍ରିମ ରାକ୍ଷସ ବେଶରେ ନାନାବିଧ ବିକୃତ ଚିତ୍କାର କରି ‘ମତେ ପ୍ରତିଦିନ ଗୋଟିଏ ଗୋଟିଏ ମଣିଷ ଖାଇବାକୁ ଦେବାକୁ ହେବ, ନଚେତ ମୁଁ ଏକାବେଳକେ ସମସ୍ତଙ୍କୁ ଖାଇଦେବି’ ବୋଲି ଶୁଣାଇ ସମାଜର ଲୋକଙ୍କ ମନରେ ଭୟ ଜାତ କରାଇବେ ଏବଂ ଏହି ରାକ୍ଷସ ଭୟର ପ୍ରତିକାର ସକାଶେ ରାଜା ସମସ୍ତ ପ୍ରତିକାରମୂଳକ ବ୍ୟବସ୍ଥା କରିବେ। ଅଥବା ଭୂମିରେ ବିବର ଥିବା କୂପରେ ତିନିମୁଣ୍ଡିଆ, ଚାରିମୁଣ୍ଡିଆ ବା ପାଞ୍ଚ ମୁଣ୍ଡିମା କୃତ୍ରିମ ସର୍ପ ପ୍ରତିମା କୌଶଳ ପୂର୍ବକ ରଖାଇ ଅଦ୍ଭୂତ ସର୍ପର ମହିମା ପ୍ରଚାର ଦ୍ୱାରା ଲୋକଙ୍କ ଭିତରେ ରାଜଭକ୍ତି ସୃଷ୍ଟି କରାଇବେ ଏବଂ ଏଥିପାଇଁ ଲୋକଙ୍କଠାରୁ ପ୍ରଚୁର ଅର୍ଥ ଭେଟି ବା ଦର୍ଶନୀ ଆକାରରେ ନିଆଯିବ। ଗୋଟିଏ ଉଇ ହୁଙ୍କାରେ ହଠାତ୍ ଗୋଟିଏ ସର୍ପ ଦେଖାଦେଲେ ସେହି ସର୍ପକୁ ମନ୍ତ୍ର ଓ ଔଷଧ ଦ୍ୱାରା ବନ୍ଦୀ କରି ସର୍ପ ଦେଖିବାକୁ ଶ୍ରଦ୍ଧା ରଖିଥିବା ଲୋକଙ୍କୁ ଦେଖାଇ କୁହାଯିବ ଯେ ଦେବତାଙ୍କ ପ୍ରଭାବରେ ଏହି ସର୍ପର ଗତିରୁଦ୍ଧ ହୋଇଯାଇଛି। ଯେଉଁମାନେ ଏଥିରେ ଶ୍ରଦ୍ଧା କରୁନାହାନ୍ତି ସେମାନଙ୍କ ସ୍ନାନ ଓ ଭୋଜନରେ ଯେତିକି ମାତ୍ରାରେ ତାଙ୍କର ମୋହ ଉତ୍ପନ୍ନ ହେବ ସେତିକି ମାତ୍ରାରେ କୌଣସି ସମ୍ମୋହକ ବିଷ ଉପଯୋଗ କରି ନାଗ ଦେବତାଙ୍କ କୋପରୁ ଏପରି ତାଙ୍କର ମୋହ ଉପସ୍ଥିତ ହେଲା ବୋଲି ପ୍ରଚାର କରି ଲୋକଙ୍କୁ ଭୟଭୀତ କରାଯିବ ଓ ଲୋକଙ୍କ ଭିତରେ ବିଶ୍ୱାସ ଜନ୍ମାଯିବ। ସମୟ ସମୟରେ ଦେବ ନିନ୍ଦୁକ ବ୍ୟକ୍ତିଙ୍କୁ ରାତ୍ରରେ ସର୍ପଦ୍ୱାରା ଦଂଶନ କରାଇ ବିଷ ଚିକିତ୍ସଙ୍କ ଦ୍ୱାରା ତାହାର ଉପଶମ କରାଯାଇଥାଏ। ଏହିସବୁ କାର୍ଯ୍ୟ ଅତୀତରେ ରାଜା-ମହାରାଜାମାନେ କରୁଥିଲେ।
ବିଚିତ୍ର କଥା ବର୍ତ୍ତମାନର ଗଣତନ୍ତ୍ର ଶାସନ ବ୍ୟବସ୍ଥା ଭିତରେ ସେହିସବୁ କୁ-ଲକ୍ଷଣ କୁଟିଳତା ଓ ଶଠତା ଦେଇ ଆମ ସମାଜ ଭିତରକୁ ପ୍ରବେଶ କରୁଅଛି। ଲୋକମାନଙ୍କୁ ବିଭିନ୍ନ ଦେବାଦେବୀଙ୍କ ଉପାସନା ସ୍ଥଳୀ ଓ ସେଥିରେ ପ୍ରଚୁର ଅର୍ଥ ବ୍ୟୟ କରାଯାଇ ସୁନ୍ଦର ମୂର୍ତ୍ତି ସ୍ଥାପନ କରିବା ଓ ମନ୍ଦିର ନିର୍ମାଣ କରିବା ସରକାରୀ ବ୍ୟବସ୍ଥା ଭିତରେ ପ୍ରାଧାନ୍ୟ ନେଇଛି। ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦରଦାମ ବଢ଼ୁଛି, ଲୋକଙ୍କ ଆୟ କମୁଛି, ବ୍ୟୟର ମାତ୍ରା ଦିନକୁ ଦିନ ପରିବାର ପାଇଁ ଅସହ୍ୟ ହେଉଛି। ସ୍ଥଳ ବିଶେଷରେ ପରିବାରର ବ୍ୟକ୍ତିମାନେ ଆତ୍ମହତ୍ୟା ପରି ଏକ ଜଘନ୍ୟ ଅପରାଧ ଘଟାଉଛନ୍ତି। କେତେକ ସ୍ଥଳରେ ଚୋରି ତସ୍କରୀ ମଧ୍ୟ ବଢ଼ୁଛି। ଏପରିକି ମନ୍ଦିରରେ ପଶି ଠାକୁରଙ୍କ ମୂର୍ତ୍ତି ଏବଂ ସଂପତ୍ତି ଚୋରି କରିବା ଦେଖାଯାଉଛି। ଏକପକ୍ଷରେ ଅବିଶ୍ୱାସ ଓ ଅନ୍ୟପକ୍ଷରେ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହିସବୁ କାର୍ଯ୍ୟ ବଢ଼ିବାରେ ଲାଗିଛି।
ସାମନ୍ତବାଦୀ ଶାସନ କାଳରେ ଯେପରି ରାଜାମାନେ ରାଜ୍ୟ ଜୟ କରିବାର ମୋହରେ ଲୋକଙ୍କଠାରୁ ଅଧିକ କର ଆଦାୟ କରି ଯୁଦ୍ଧଯାତ୍ରାରେ ଖର୍ଚ୍ଚ କରୁଥିଲେ, ଆଜିର ଦିନରେ ମଧ୍ୟ ସେହି ବ୍ୟବସ୍ଥା ଦେଖିବାକୁ ମିଳୁଛି। କେନ୍ଦ୍ରୀୟ ବ୍ୟୟ ବଜେଟ୍ର ମୁଖ୍ୟ ଅଂଶ ଆମର ଯୁଦ୍ଧ ସରଞ୍ଜାମ ତିଆରି କରିବା ଓ କ୍ରୟ କରିବାରେ ବ୍ୟୟ ହେଉଛି। ଏଥିସହିତ ଦେଶର ସଂପତ୍ତି ବୃଦ୍ଧି ପାଇଁ ମାଟିତଳେ ଥିବା ଅମୂଲ୍ୟ ସଂପଦ ଉତ୍ତୋଳନ କରି ଲାଭ ଓ ଲୋଭରେ ଅନ୍ୟ ହାତକୁ ଟେକିଦିଆଯାଉଛି। ଅଧିକରୁ ଅଧିକ ଅଞ୍ଚଳକୁ ନିଜ କ୍ଷମତା ଭିତରକୁ ଆଣିବା ପାଇଁ ବିଭିନ୍ନ ଶଠତା, ଚଞ୍ଚକତା ପୂର୍ବକ କାର୍ଯ୍ୟ କରିବା ସହିତ ପ୍ରଚୁର ଅର୍ଥ ବିନିଯୋଗ କରାଯାଉଛି।
ସେଦିନର ସେହି କୌଟିଲ୍ୟଙ୍କ ସମୟର ରାଜତନ୍ତ୍ର ଓ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଯୋଡ଼ିକରି ଦେଖିଲେ ଉଭୟ ଅଭିନ୍ନ ଓ ଏକସୂତ୍ରରେ ବାନ୍ଧି ହୋଇ ରହିଥିବା ପରି ମନେହୁଏ। ରାଜତନ୍ତ୍ରରେ ଯେପରି ଅବିଚାରିତ ଭାବେ କର ବା ଖଜଣା ପ୍ରଜାମାନଙ୍କ ଉପରେ ବସୁଥିଲା ସେହି କଥା ଏବେ ମଧ୍ୟ ଦୃଷ୍ଟିଗୋଚର ହୁଏ। ବଡ଼ବଡ଼ିଆଙ୍କଠାରୁ ତାଙ୍କ ଲାଭାଂଶ ଆଣିବା ପରିବର୍ତ୍ତେ ବର୍ତ୍ତମାନର ଶାସକ ସାଧାରଣ ବର୍ଗର ଲୋକଙ୍କଠାରୁ କେତେ ଅଧିକରୁ ଅଧିକ ଖଜଣା ବା କର ଆଦାୟ ହୋଇପାରିବ ସେଥିପାଇଁ ନୀତି ନିର୍ଦ୍ଧାରାଣ କରୁଛନ୍ତି। ଆମେ ଦେଖିବାକୁ ପାଇବା ଯେ ସାଧାରଣ ବର୍ଗର ଲୋକଙ୍କଠାରୁ ପ୍ରତିବର୍ଷ ଜିଏସଟି ଆଦାୟ ବଢ଼ିବଢ଼ି ଚାଲିଛି। ତା’ର ଦୁଇଟି ମୁଖ୍ୟ କାରଣ - ସାଧାରଣ ବର୍ଗ ବ୍ୟବହାର କରୁଥିବା ପଦାର୍ଥର ଦରବୃଦ୍ଧି ଓ ଉଚ୍ଚହାରର (୧୮%, ୨୮%) ଜିଏସ୍ଟି ଧାର୍ଯ୍ୟ। ଏଥିରେ ସାଧାରଣ ଓ ଗରିବ ଲୋକେ ଶୋଷିତ ହୋଇଯାଉଛନ୍ତି। ଅପରପକ୍ଷରେ ବଡ଼ବଡ଼ ପୁଞ୍ଜିପତି (କର୍ପୋରେଟ୍ ହାଉସ୍) ଉପରେ ବସିଥିବା କରରୁ ପ୍ରତିବର୍ଷ ଆଦାୟ କମିକମି ଯାଉଛି ଏବଂ ଏହି କର ଆଦାୟ ଏକ ସମୟରେ ୨୮% ଥିବା ବେଳେ ଏବେ ଏହା କମିଆସି ୧୫%ରେ ପହଂଚିଛି।
ଏଠାରେ ଗୋଟିଏ କଥା ଲକ୍ଷ୍ୟ କରିବାର ଅଛି। ଚାଣକ୍ୟ କୁଟଳୀ ରାଜାମାନଙ୍କ ପ୍ରବଞ୍ଚନା, ପ୍ରତାରଣା କଥାକୁ ଯେପରି ଲିପିବଦ୍ଧ କରିଛନ୍ତି ସେହିପରି ତାଙ୍କ ଶାସ୍ତ୍ରରେ ଏହି କର ଆଦାୟର ବୈଷମ୍ୟକୁ ମଧ୍ୟ ଘୋର ନିନ୍ଦା କରିଛନ୍ତି। ସେ ବାରମ୍ବାର କହିଛନ୍ତି ଯେ କର ଆଦାୟ ବେଳେ ଦୁର୍ବଳ ଏବଂ କ୍ଷତିଗ୍ରସ୍ତ ଚାଷୀ ହୁଅନ୍ତୁ ବା ବେପାରୀ ହୁଅନ୍ତୁ, ତାଙ୍କଠାରୁ କର ଆଦାୟ ଜୋର ଜବରଦସ୍ତ ହେବନାହିଁ। କର ଯେତେଦୂର ସମ୍ଭବ ଲାଘବ ହେବା ବାଞ୍ଛନୀୟ। ଯେତେଦୂର ସମ୍ଭବ ଶଠ, ଠକ ଓ ଲାଭଖୋର ବେପାରୀଙ୍କଠାରୁ ବିଭିନ୍ନ ସୂତ୍ରରେ ଅଧିକ କର ଆଦାୟ ସପକ୍ଷରେ କୌଟିଲ୍ୟ ଅର୍ଥଶାସ୍ତ୍ରମରେ ତାଙ୍କର ନୀତି ସ୍ପଷ୍ଟ କରିଛନ୍ତି। କୌଟିଲ୍ୟ ଅର୍ଥଶାସ୍ତ୍ରମ୍ ଶିଳ୍ପପତିଙ୍କଠାରୁ ପ୍ରଜାକୂଳକୁ ରକ୍ଷା କରିବାର ବ୍ୟବସ୍ଥା ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି। କିନ୍ତୁ ଦେଖାଯାଉଛି ବର୍ତ୍ତମାନ ଶାସନ କାଳରେ ସମସ୍ତ ଉତ୍ପାଦନକାରୀ ବ୍ୟବସ୍ଥା ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଯିବା ଫଳରେ ବଜାର ଦର ଦିନକୁ ଦିନ ସବୁ କ୍ଷେତ୍ରରେ ବୃଦ୍ଧି ପାଉଛି। କୌଟିଲ୍ୟ ଅର୍ଥଶାସ୍ତ୍ରମ୍ରେ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଚୋରି ଓ ଚୋରକୁ ଧରିବା ଓ ତାଙ୍କ ଉପରେ ଦଣ୍ଡବିଧାନ କରିବାର କଠୋରତାକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି। ବର୍ତ୍ତମାନ ସମାଜରେ ସବୁଠାରୁ ବଡ଼ଠକ ବା ବଡ଼ଚୋର ବୋଲି ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନେ ସରକାରୀ ଅବହେଳା ଓ ଆଇନ୍ର ଦୁର୍ବଳତା ଦୃଷ୍ଟିରୁ ଖସିଯାଇ ଦେଶ ଭିତରେ ବା ବାହାରେ ନିର୍ବିଘ୍ନରେ ଘୂରି ବୁଲୁଛନ୍ତି। ଅୟସ କରୁଛନ୍ତି, ରୋଜଗାର ମଧ୍ୟ କରୁଛନ୍ତି।
ଏହିପରି ଏକ ସ୍ଥିତି ଭାରତବର୍ଷରେ ଉପୁଜୁଛି। କୌଟିଲ୍ୟ ଅର୍ଥଶାସ୍ତ୍ରମ୍ ସ୍ପଷ୍ଟ ଭାବରେ ରାଜ୍ୟରେ ଦୁଃସ୍ଥିତି ପଡ଼ିଥବା ସମୟରେ ପ୍ରଜାମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଚାପରୁ ମୁକ୍ତ ରଖିବା ପାଇଁ କହିଥିବା ବେଳେ ଏବେ ଆମେ ଦେଖିବାକୁ ପାଉଛୁ, ଯେତେବେଳେ ପ୍ରଜାର କ୍ଷୟକ୍ଷତି, ଫସଲହାନୀ, ଆର୍ଥିକ ଉପାର୍ଜନ କମିବାରେ ଲାଗିଛି ଠିକ୍ ସେହି ସମୟରେ ଅନେକ ଉତ୍ସବ ସରକାରୀ ଭାବରେ କରାଯାଇ ପ୍ରଜାଙ୍କଠାରୁ ପକ୍ଷାନ୍ତରେ ଅର୍ଥ ଶୋଷଣ କରିବାର ବ୍ୟବସ୍ଥା କରାଯାଉଛି। ରଙ୍ଗୀନ୍ ଓ ଉନ୍ନତମାନର ବଜାରମାନ ବସାଇ ଲୋକମାନଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଉଛି ଏବଂ ଲୋକେ ଏହି ପ୍ରକାର ବ୍ୟବସ୍ଥାରେ ପ୍ରଭାବିତ ହୋଇ ଅଯଥା ଅପବ୍ୟୟର ଶିକାର ହେଉଛନ୍ତି। ତା’ର ଜ୍ୱଳନ୍ତ ଉଦାହରଣ ହେଉଛି ବର୍ତ୍ତମାନ ରାଜ୍ୟରେ ଅଦିନିଆ ବର୍ଷା ଜନିତ ଚାଷୀଙ୍କ ଘଟିଥିବା କ୍ଷୟକ୍ଷତି। ଯେଉଁଥିରେ ୧୫ରୁ ଅଧିକ ଚାଷୀ କ୍ଷତି ସହିନପାରି ଟଳି ପଡିଛନ୍ତି। ସେହି ସମୟରେ ଆମ ରାଜ୍ୟରେ ଏକ ପ୍ରବାସୀ ଭାରତୀୟ ସମ୍ମିଳନୀ କରାଯାଇ ଅନେକ ଉତ୍ସବର ଆୟୋଜନ କରାଯାଇଛି। ଉତ୍ସବର ଆବଶ୍ୟକତା ଅଛି, କିନ୍ତୁ ବିପର୍ଯ୍ୟୟରେ ପଡ଼ିଥିବା ପ୍ରଜାକୂଳ ପ୍ରତି ଶାସକ ବର୍ଗର ସମ୍ବେଦନ ତା’ଠାରୁ ଅଧିକ ଆବଶ୍ୟକ। ବର୍ତ୍ତମାନର ସମସ୍ତ ଶାସକବର୍ଗ କୌଟଲ୍ୟ ଅର୍ଥଶାସ୍ତ୍ରମ୍ ଅଧ୍ୟୟନ କରି ତା’ର ସମସ୍ତ ନୀତି ସଂପର୍କରେ ଅବଗତ ହେବା ସହିତ ଆଧୁନିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ନାଗରିକମାନଙ୍କୁ ସବୁଦୃଷ୍ଟିରୁ ସୁରକ୍ଷା ଦେବା ଓ ପ୍ରବଞ୍ଚନା, ଚଞ୍ଚକତାରୁ ମୁକ୍ତ ରଖିବା ସର୍ବାଦୌ ବିଚାର୍ଯ୍ୟ।
ମୋ-୯୪୩୮୩୬୦୮୪୯
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।