ସଞ୍ଜ ନଇଁଗଲେ କୋଳାହଳ ଭିତରକୁ ଚାଲିଯାଏ କଳାକାରଟିଏ। ମୁହଁ ରଙ୍ଗ ମାଖି ବାସ୍ତବିକ ଦୁନିଆକୁ ଛାଡ଼ି ଚାଲିଯାଏ କାଳ୍ପନିକ ଜଗତକୁ। ଯେଉଁଠି ସେ ନିଜର ଅସ୍ତିତ୍ୱକୁ ଖୋଜେ। ସାରାରାତି ରଙ୍ଗୀନ ଆଲୁଅ ଭିତରେ ନିଜକୁ ହଜାଇ ଦିଅନ୍ତି। ଆଉ ମଞ୍ଚ ତଳେ ବସିଥିବା ଯାତ୍ରା ପ୍ରେମୀଙ୍କୁ ହସ ଓ କାନ୍ଦରେ ଭସାଇଥାଆନ୍ତି। ହେଲେ ଆଜି ସେହି ମଞ୍ଚ ଅଛି। ମାତ୍ର ନା ଜଳୁଛି ରଙ୍ଗୀନ ଲାଇଟ୍ ନା ମଞ୍ଚ ତଳେ ବସୁଛନ୍ତି ଦର୍ଶକ। ଖାଲି ପଡ଼ିଛି ମଞ୍ଚ। କାଳ୍ପନିକ ଦୁନିଆ ଛାଡ଼ି ବାସ୍ତବିକ ଦୁନିଆରେ ଘାଣ୍ଟି ହେଉଛନ୍ତି କଳାକାର। ସେମାନଙ୍କ ଜୀବନ ଦୁର୍ଦ୍ଦିନରେ। ମହାମାରୀ ‘କରୋନା’ ସେମାନଙ୍କ ଆଖିରେ ସତ ସତିକିଆ ଲୁହ ଭରିଦେଇଛି। ଯାତ୍ରା ବନ୍ଦ ହେବା ପରେ ଘର ଚଳାଇବା କଷ୍ଟ କର କରୁଛନ୍ତି ହାସ୍ୟ ତଥା ନେଗେଟିଭ୍ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ନାୟକ ତଥା ମକୁ ଭାଇ।
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମକୁ ଭାଇଙ୍କର ପିଲା ଦିନରୁ ଥିଲା କଳା ପ୍ରତି ଦୁର୍ବଳତା। ଅଭିନେତା ଶରତ ମହାନ୍ତିଙ୍କ ଅଭିନୟ ଦେଖି ସେ ମଞ୍ଚ ଆଡେ ମୁହାଁଇଥିଲେ। ପରେ ଗାଁରେ ଚାଲିଥିବା ଡ୍ରାମାରେ ଅଭିନୟ କରିଥିଲେ। ନାଟକ ‘ଶଙ୍ଖ ହୋଳହୋଳି ବନ୍ଦାଣ ଥାଳି’ ନାଟକ ମାଧ୍ୟମରେ ଆଗକୁ ବଢ଼ିଥିଲେ ମକୁଭାଇ। ତେବେ ଯାତ୍ରା କ୍ୟାରିଅର ଅରୂପ ଗଣନାଟ୍ୟରୁ ଆରମ୍ଭ ହୋଇଥିଲା। ପରେ ନିୟତି, ପର୍ବତୀ, ତ୍ରୀନାଥ, ବାଣେଶ୍ୱେରୀ, ବାଘାଜତୀନ, ସଚ୍ଚିଦାନନ୍ଦମ୍, ଇଷ୍ଟର୍ଣ୍ଣ ଅପେରା, ଇଷ୍ଟର୍ଣ୍ଣ ବ୍ଲ୍ୟୁ ଓ କୋଣାର୍କ ଗଣନାଟ୍ୟରେ ଅଭିନୟ କରିସାରିଛନ୍ତି। ଏବେ ଦୁଇ ବର୍ଷ ହେଲା ‘ରାଜଧାନୀ ଅପେରା’ରେ ଅଭିନୟ ଜାରି ରଖିଛନ୍ତି।
ସେ କହିଛନ୍ତି-“କଳାକାର କଳାକୁ ନେଇ ବଞ୍ଚୁଛି। ୩୦ ବର୍ଷ ଧରି ମୁହଁରେ ରଙ୍ଗ ମାଖି ମଞ୍ଚରେ ଅଭିନୟ କରିଛି। ‘କରୋନା’ ଲକ୍ଡାଉନ୍ ପରେ ଦେଢ଼ ମାସ ହେଲା ମାନସିକ ଭାବେ ଭାଙ୍ଗି ପଡ଼ିଛୁ। ଏତେ କଷ୍ଟ ଓ ଦୁଃଖ ପରେ ଆମେ ମଞ୍ଚରେ ଅଭିନୟ କରୁଥିଲୁ। ଇନ୍କମ୍ ସମୟରେ ହଠାତ ଯାତ୍ରା ବନ୍ଦ ହୋଇଗଲା। ଖାଲି ହାତରେ ଘରକୁ ଫେରିଲୁ। ଏପରି ସମୟରେ ମାଲିକଙ୍କୁ ପଇସା ବି ମାଗି ପାରିବୁ ନାହିଁ। ଆମ ପରି କଳାକାରଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଆମ ପ୍ରତି ସରକାର ଦୁଷ୍ଟି ଦିଅନ୍ତୁ।”