ଯାତ୍ରା ପ୍ରେମୀଙ୍କ ହୃଦୟରେ ଏବେବି ରାଜ କରୁଛି ନାନା ଗୁଣ୍ଡା

ଗୁରୁ ଗମ୍ଭୀର ସ୍ୱରରେ ଅନର୍ଗଳ ସଂଳାପ କହିବାର ଅସମ୍ଭବ ଦକ୍ଷତା। ନିଖୁଣ ଅଭିନୟରେ ଚରିତ୍ରକୁ ଜୀବନ୍ତ କରିବାର ଅକଳନୀୟ ସାମର୍ଥ୍ୟ। ଓଡ଼ିଆ ଯାତ୍ରା ନାଟକ ଜଗତର ଅନ୍ୟ ଏକ ସ୍ମରଣୀୟ।ସ୍ୱର, ପ୍ରେରଣାଦାୟୀ ପରିଚୟ।  ଶିକ୍ଷିତ, ମାର୍ଜିତ, ସ୍ନେହୀ ଓ ଦରଦୀ ମଣିଷ ଲୋକନାଥ ଲେଙ୍କା। ସୋର(ଶଶୀକାନ୍ତ ବେହେରା): ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିରେ ଜନ୍ମ ହୋଇଥିବା ଏହି କିମ୍ବଦନ୍ତୀ କଳାକାରଙ୍କ ଯାତ୍ରା ପ୍ରେମ ଆରମ୍ଭ ହୁଏ ପିଲାଦିନରୁ। ନାଟ୍ୟ ଆଚାର୍ଯ୍ୟ ରଘୁନାଥ ପଣ୍ଡା ଓ ନାଟ୍ୟ ସମ୍ରାଟ୍ ଶ୍ୟାମସୁନ୍ଦର […]

jatra

Manoranjan Sial
  • Published: Sunday, 25 October 2020
  • , Updated: 01 November 2020, 06:32 PM IST

ଗୁରୁ ଗମ୍ଭୀର ସ୍ୱରରେ ଅନର୍ଗଳ ସଂଳାପ କହିବାର ଅସମ୍ଭବ ଦକ୍ଷତା। ନିଖୁଣ ଅଭିନୟରେ ଚରିତ୍ରକୁ ଜୀବନ୍ତ କରିବାର ଅକଳନୀୟ ସାମର୍ଥ୍ୟ। ଓଡ଼ିଆ ଯାତ୍ରା ନାଟକ ଜଗତର ଅନ୍ୟ ଏକ ସ୍ମରଣୀୟ।ସ୍ୱର, ପ୍ରେରଣାଦାୟୀ ପରିଚୟ।  ଶିକ୍ଷିତ, ମାର୍ଜିତ, ସ୍ନେହୀ ଓ ଦରଦୀ ମଣିଷ ଲୋକନାଥ ଲେଙ୍କା।

ସୋର(ଶଶୀକାନ୍ତ ବେହେରା): ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିରେ ଜନ୍ମ ହୋଇଥିବା ଏହି କିମ୍ବଦନ୍ତୀ କଳାକାରଙ୍କ ଯାତ୍ରା ପ୍ରେମ ଆରମ୍ଭ ହୁଏ ପିଲାଦିନରୁ। ନାଟ୍ୟ ଆଚାର୍ଯ୍ୟ ରଘୁନାଥ ପଣ୍ଡା ଓ ନାଟ୍ୟ ସମ୍ରାଟ୍ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ ଗାଁ ପାଖ ମୁକ୍ତାକାଶ ରଙ୍ଗମଞ୍ଚରେ ଦେଖିବା ପରେ ଯାତ୍ରା ତାଙ୍କ ପାଇଁ ଧିରେ ଧିରେ ପାଲଟିଯାଇଥିଲା ନିଶା। ଏହି ନିଶାରୁ ପରବର୍ତ୍ତୀ ସମୟରେ ଜନ୍ମ ନେଇଥିଲେ ଓଡ଼ିଆ ମଞ୍ଚ ଜଗତର ଅନ୍ୟଜଣେ ମହାରଥୀ। ଅଠସ୍ତରୀ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟରୁ ଡିପ୍ଲୋମା ସାରିବା ପରେ ପେସାଦାର୍ କଳାକାର ଭାବେ ମୁହଁରେ ରଙ୍ଗବୋଳା ଆରମ୍ଭ କରିଥିଲେ ଏକାଅଶୀ ମସିହାରୁ। ପ୍ରଥମେ ସାମିଲ୍ ହୋଇଥିଲେ ରାଜ୍ୟର ପ୍ରତିଷ୍ଠିତ ନାଟକ ଗ୍ରୁପ୍ ଅନ୍ନପୂର୍ଣ୍ଣା ଥିଏଟର ଏ ରେ। ଭଳିକି ଭଳି ଆଲୁଅମେଳାର ରଙ୍ଗୀନ ରଙ୍ଗମଞ୍ଚ ତ ନଥିଲା, କିନ୍ତୁ ଗହଣରେ ଥିଲେ ବହୁ ପ୍ରତିଷ୍ଠିତ ନାଁ, ଲୋକପ୍ରିୟ ଆଉ ଅନୁଭବୀ କଳାକାର।

ଦୁଃଖୀରାମ ସ୍ୱାଇଁ, ବ୍ୟୋମକେଶ ତ୍ରିପାଠୀ, ଦୁର୍ଲଭ ସିଂହ ଓ ଭାନୁମତୀ ଦେବୀଙ୍କ ପରି ଭେଟେରାନ୍ ମାନଙ୍କ ସହ ଅଭିନୟ କରିବାର ସୁଯୋଗ ହିଁ ଆଗକୁ ବଢ଼ିବାର ରାସ୍ତା ଦେଖାଇଥିଲା। କିନ୍ତୁ ସେଠାକାର ଆବଦ୍ଧ ଅବଧିରେ ମନ ତାଙ୍କ ବୁଝି ନଥିଲା। ଭିନ୍ନ ଭିନ୍ନ ଚରିତ୍ରର ଯାବତୀୟ ପରୀକ୍ଷଣରେ ଅଭିନୟର ଆକାଶ ଛୁଇଁବା ଝୁଙ୍କରେ ଥିଏଟର୍ ଛାଡ଼ିଲେ।

ଲୋକନାଥ ଲେଙ୍କା ଯାତ୍ରା ଶିଳ୍ପକୁ ଆସିଲେ ୧୯୮୮ରେ। ସେତେବେଳେ ନୂଆ କରି ଆରମ୍ଭ ହେଉଥିବା ତ୍ରିନାଥ ଗଣନାଟ୍ୟରେ ସାମିଲ ହେଲେ ପ୍ରତିଷ୍ଠାତା ସଦସ୍ୟ ଭାବରେ। ସ୍ୱର୍ଗତଃ ଅନନ୍ତ ଓଝାଙ୍କ ଲିଖିତ ଏବଂ ସ୍ୱର୍ଗତଃ ଅକ୍ଷୟ ମହାନ୍ତି କାଶ୍ୟପଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକ ଭଲ ମଣିଷ ଖୋଜା ଚାଲିଛି ତାଙ୍କ ପାଇଁ ଆଣିଥିଲା ସ୍ୱତନ୍ତ୍ର ପରିଚିତି। ନାଟକର ପ୍ରମୁଖ ଚରିତ୍ର ନାନା ଗୁଣ୍ଡା ଭୂମିକାରେ ମନଛୁଆଁ ଅଭିନୟ ଲୋକନାଥଙ୍କୁ ଦେଇଥିଲା ସ୍ମରଣୀୟ ପ୍ରତିଷ୍ଠା। ନାନା ଗୁଣ୍ଡା ଥିଲା ସାଧାରଣ ଆଖିରେ ଏକ ନେଗେଟିଭ୍ କ୍ୟାରେକ୍ଟର ଯାହାର ପ୍ରତି କାମରେ ଥିଲା ପଜିଟିଭିଟି। ସେ ସୁପାରୀ ନେଇ ମଣିଷ ମାରୁଥିଲା କିନ୍ତୁ ହୃଦୟ ଭିତରେ ରଖିଥିଲା ଖାସ୍ ମଣିଷ ପଣିଆ। ସେ ମଦ ପିଉଥିଲା ଅଥଚ ଗାନ୍ଧିଙ୍କୁ ଦେଉଥିଲା ସଚ୍ଚା ସମ୍ମାନ।

କୁହାଯାଏ ନାନା ଗୁଣ୍ଡା ଚରିତ୍ରରେ ଲୋକନାଥ ଲେଙ୍କାଙ୍କ ଅଭିନୟ ଏମିତି ବାସ୍ତବ ଥିଲା ଯେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ଦର୍ଶକ ତାଙ୍କୁ ମାରିବାକୁ ଲୁହା ରଡ୍ ନେଇ ମଞ୍ଚକୁ ଆସିଥିଲା। ସେହି ତ୍ରିନାଥ ଗଣନାଟ୍ୟର ଅନ୍ୟ ଏକ ଚର୍ଚ୍ଚିତ ନାଟକ ଶୂନ୍ୟ ସ୍ଥାନ ପୂରଣ କରରେ ଶ୍ରୀକୃଷ୍ଣ ଚୌଧୁରୀ ଚରିତ୍ର ମଧ୍ୟ ଲୋକନାଥଙ୍କ ପାଇଁ ସାଜିଥିଲା ମାଇଲ ଖୁଣ୍ଟ। ଏହି ନାଟକରେ ତାଙ୍କୁ ଏମିତି ଲୋକପ୍ରିୟତା ମିଳିଥିଲା ଯେ ଏହା ପରଠାରୁ ସଫଳତା ତାଙ୍କ ପଛେ ପଛେ ଗୋଡ଼ାଇଲା। ପରେ କୋଣାର୍କ, ବାଘାଯତୀନ, ଶରଧାବାଲି, ଧଉଳି, ଶିବାନୀ ଓ ପାର୍ବତୀ ଦେଇ ପୁଣି ତ୍ରିନାଥ ଗଣନାଟ୍ୟ। ଗତ ପଇଁତିରିଶ ବର୍ଷ ଧରି ଓଡ଼ିଆ ଯାତ୍ରା ପ୍ରେମୀଙ୍କୁ ନିରବଚ୍ଛିନ୍ନ ମନୋରଞ୍ଜନ ଦେଉଥିବା ଲୋକନାଥ ରିଅଲ ଲାଇଫରେ ବି ଜଣେ ସଚ୍ଚା ପ୍ରେମିକ।

ଅନ୍ନପୂର୍ଣ୍ଣା ଗ୍ରୁପରେ ନାଟକ କରିଥିବାବେଳେ ପ୍ରେୟସୀ ଅନ୍ନପୂର୍ଣ୍ଣାଙ୍କୁ ଜୀବନ ସାଥୀ କରିଥିଲେ ଲୋକନାଥ। ପତ୍ନୀ ଅନ୍ନପୂର୍ଣ୍ଣା ବି ଥିଲେ ପେସାଦାର ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ। ତେବେ ଥିଏଟର ବନ୍ଦ ହୋଇଯିବା ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଛାଡ଼ି ପାଲଟି ଗଲେ ଗୃହିଣୀ। କିନ୍ତୁ ଘରେ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଇବା ଛାଡ଼ି ନଥିଲେ। ଏବେ ସବୁଥିରେ ବାଟ ଓଗାଳିଛି କରୋନା। କୋରନା ମହାମାରୀ ପାଇଁ ଲୋକନାଥଙ୍କ ଯାତ୍ରା ପରିବେଷଣ ବନ୍ଦ ରହିଛି ତ ସେପଟେ ଅନ୍ନପୂର୍ଣ୍ଣାଙ୍କ ନୃତ୍ୟାନୁଷ୍ଠାନରେ ତାଲା ପଡ଼ିଛି।

ଦୀର୍ଘ ସାତ ମାସ ଧରି ଏହି କଳାକାର ଦମ୍ପତିଙ୍କ ପାଇଁ ସବୁ ଯେମିତି ଠପ୍ ହୋଇଯାଇଛି। ମୁହଁରୁ ହସ ଛଡ଼ାଇ ନେଇ ସବୁ ଜାଗା ମାଡ଼ି ବସିଛି ଯନ୍ତ୍ରଣା। ଅଧାରୁ ଲଭି ଯାଇଥି୍ବା ରଙ୍ଗମଞ୍ଚର ରଙ୍ଗୀନ କେବେ ଜଳିବ ଆଉ ଲେଙ୍କା ପରିବାରକୁ ସୁଦିନ ଫେରି ଆସିବ, ତାକୁ ନେଇ ସନ୍ଦିହାନ ଅଛନ୍ତି ପତି ପତ୍ନୀ। ପରିବାରର ପେଟ ଚିନ୍ତାରେ ଆଉଟୁ ପାଉଟୁ ହୋଇ ଅପେକ୍ଷା କରିଛନ୍ତି ଏକ ସମ୍ଭାବନାର ସୂର୍ଯ୍ୟୋଦୟକୁ।

 

Related story