ସେ କିଛି ନିଏ ନାହିଁ କି ଦିଏ ନାହିଁ, ସେଥିପାଇଁ ନାଁ ତା ର ନାନା। ପ୍ରତିଶୋଧର ଛକ ଶୂନ ଖେଳରେ ସବୁବେଳେ ତା’ର ହିଁ ହୁଏ ଜିତାପଟ୍। ସିନ୍ଦୂର ପିନ୍ଧାଇବା ପାଇଁ ସେ ଭାଙ୍ଗି ଚୁରମାର୍ କରି ଦିଅନ୍ତି ଯାବତୀୟ ଶଙ୍ଖା ଆଉ ପାଲଟିଯାଆନ୍ତି- ଭଲ କାହାଣୀର ଭୁଲ୍ ମଣିଷ। ମଞ୍ଚକୁ ଚଢ଼ିଲେ ସେ ଭୟଙ୍କର ହୋଇ ଉଠନ୍ତି ଆଉ ତାଙ୍କ ସାଉଥ୍ ଷ୍ଟାଇଲ୍ ମାର୍କା ଡାଏଲଗ୍ ଡେଲିଭରିରେ ଜଳକା ହୋଇ ପଡ଼ନ୍ତି ଦର୍ଶକ। ଆମେ କହୁଛୁ ଯଲିଉଡର ଚର୍ଚ୍ଚିତ ଖଳନାୟକ ଶୁଭେନ୍ଦୁ ଚୌଧୁରୀଙ୍କ କଥା।
ଅଭିନୟ, ନାଟକ ବା ଡ୍ରାମା ପ୍ରତି ଶୁଭେନ୍ଦୁଙ୍କ ଦୁର୍ବଳତା ପିଲା ବେଳୁ। କିନ୍ତୁ ଯାତ୍ରା ଦୁନିଆକୁ ସେ ଆସନ୍ତି ହଜାରେ ନାହିଁ ନାହିଁ ଭିତରେ। ଇଚ୍ଛା ଥିଲା ଟେଲିଭିଜନ୍ ଅବା ଫିଲ୍ମ ଆର୍ଟିଷ୍ଟ ହେବେ। ସବୁ ଯୋଜନା କିନ୍ତୁ ବାଟବଣା ହୋଇଗଲା ଜଣେ ନାଁ କରା ଲୋକଙ୍କ କଥା କେଇ ପଦରେ। ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମହମ୍ମଦ ମହସିନଙ୍କ ଠାରୁ ହଠାତ୍ ଦିନେ ଡାକରା ପାଇଲେ ଶୁଭେନ୍ଦୁ ଚୌଧୁରୀ। ସେତେବେଳକୁ ତାଙ୍କ ଅଭିନୟ ପ୍ରତିଭା ଅବିଭକ୍ତ କଟକ ଜିଲ୍ଲାରେ ଚହଟୁଥିଲା ମହ ମହ ହୋଇ। ସେଥିରେ ପ୍ରଭାବିତ ହୋଇଥିବା ମହସିନ୍ ହିଁ ଶୁଭେନ୍ଦୁଙ୍କୁ ଯାତ୍ରାକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମେ ନା ଆଉ ପରେ କଥା ରଖି ମୁକ୍ତାକାଶ ରଙ୍ଗମ଼ଞ୍ଚ ପ୍ରବେଶ କଲେ। ଯୋଗ ଦେଲେ ବୁଦ୍ଧେଶ୍ୱର ଗଣନାଟ୍ୟରେ। ଗମ୍ଭୀର ସ୍ୱର, ଅନର୍ଗଳ ସଂଳାପ କହିବାର ନିଆରା ସାମର୍ଥ୍ୟ ତାଙ୍କୁ ଆଉ ପଛକୁ ଚାହିଁବାର ସୁଯୋଗ ଦେଇ ନଥିଲା। ମଞ୍ଚରେ ଅସାମାଜିକ ଚରିତ୍ରର ଜୀବନ୍ତ ଅଭିନୟକୁ ପୁଂଜି କରି ସଫଳତାର ଗୋଟିଏ ପରେ ଅନ୍ୟ ଏକ ସିଡ଼ି ଚଢ଼ି ଚାଲିଛନ୍ତି ଶୁଭେନ୍ଦୁ ଚୌଧୁରୀ।
କୁହାଯାଏ ଶୁଭେନ୍ଦୁଙ୍କ ସ୍ଲୋ ଆଉ ସ୍ପଷ୍ଟ ସଂଳାପ ଡେଲିଭରୀରେ ଯେ କୌଣସି ନାଟକ ବି ହିଟ୍ ହୁଏ। ଭଲ ପାଇବାକୁ ଭୟ ଲାଗୁଛି, ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ପାହିଗଲା ରାତି ରହିଗଲା କଥା, କାନିରେ ବାନ୍ଧିଦେ ଖଇ କଉଡି, କଲ୍ ଗର୍ଲ, ଭୁଲ ବୁଝିବୁନି ମୋତେ, ଚଉଠି ରାତିର ଚଉଦ କଥା, ବର୍ଷା ରାତିର ସାଥୀ, ଗୁପ୍ତ ସମ୍ପର୍କ, ଆକାଶ କଇଁଆ ଚିଲିକା ମାଛ, ମିଛୁଆ ସ୍ୱାମୀ, ପ୍ରେମରେ ଲାଗିଛି ନିଆଁ, କଳି ଯୁଗ ତତେ ନମସ୍କାର, ନିଜ ଶବ ପାଇଁ ନିଜେ କୋକେଇ, କେମିତି କା ନାରୀ ତୁ ଏବଂ ଭଲ ମଣିଷର ଭୁଲ କାହାଣୀ ଭଳି ଚର୍ଚ୍ଚିତ ନାଟକର ଅପାସୋରା ଖଳନାୟକ ଶୁଭେନ୍ଦୁ ଆଗକୁ ଆହୁରି ବଡ଼ ବଡ଼ ଇନିଂସ ଖେଳିବାକୁ ଏବେ ବି ସୁଯୋଗ ଅପେକ୍ଷାରେ।