“କଳା ଓ କଳାକାର ପରସ୍ପର ପରିପୂରକ। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି, କେହି କାହାକୁ ଛାଡ଼ି ରହିପାରିବେନି। କଳା ବିନା କଳାକାର ଜୀବନ ମୂଲ୍ୟହୀନ। ଏମିତି ଜଣେ କଳାକାର ହେଉଛନ୍ତି ନିଶିକାନ୍ତ ଜେନା। ଦୀର୍ଘ ୧୬ ବର୍ଷ ଧରି ବିଭିନ୍ନ ମଞ୍ଚରେ ଅଭିନୟ କରିଆସୁଛନ୍ତି। ଏବେ ସେ ‘ବିଶ୍ୱ ରଙ୍ଗମହଲ’ରେ ନିଜର ଅଭିନୟ ଚାତୁରିରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି। ତାଙ୍କ ସହିତ ମନୋରଞ୍ଜନ ଶିଅଳଙ୍କ ସ୍ୱତନ୍ତ୍ର ଆଳାପ।”
ଉତ୍ତର: ପିଲା ବେଳୁ ଅଭିନୟ ପ୍ରତି ରୁଚି ଥିଲା। ପରେ ସ୍କୁଲ ଓ କଲେଜରେ ପଢ଼ୁଥିବା ବେଳେ ଡ୍ରାମାରେ ଅଭିନୟ କରୁଥିଲି। ୨୦୦୦ ମସିହାରେ ପ୍ରଥମ କରି ମୁଁ ‘ଉତ୍କଳ ଅପେରା’ରେ ଅଭିନୟ କରିବାକୁ ସୁଯୋଗ ପାଇଥିଲି। ତା’ପରେ ଆଉ ପଛକୁ ଫେରିନି।
ପ୍ରଶ୍ନ: ଯାତ୍ରାକୁ ଆସିବା ପାଇଁ କାହାଠାରୁ ପ୍ରେରଣା ପାଇଥିଲେ?
ଉତ୍ତର: ଯାତ୍ରାକୁ ଆସିବା ପାଇଁ ମୁଁ କାହାଠାରୁ ପ୍ରେରଣା ପାଇନି। ମନ ହେଉଥିଲା, ତେଣୁ ଅଭିନୟ କରୁଥିଲି। ଅଭିନୟ ନିଶା କେତେବେଳେ ପେଶାରେ ପରିଣତ ହୋଇଗଲା ଜାଣିପାରିଲିନି।
ପ୍ରଶ୍ନ: କେଉଁ ନାଟକ ପାଇଁ ଆଜି ଆପଣ ଦର୍ଶକଙ୍କ ମନରେ ଏବେବି ରହିଛନ୍ତି?
ଉତ୍ତର: ‘ତ୍ରୀନାଥ ଗଣନାଟ୍ୟ’ରେ ଅଭିନୟ କରୁଥିବା ବେଳେ ‘ବିସ୍ଫୋରଣ ୨୦୧୨’, ‘କୁଲି ନମ୍ୱର ୱାନ’, ‘ମୋ ପ୍ରେମିକା ନିହାରୀକା’, ‘ପାପ ଭଲ ଲାଗେ ବାପ ଘରେ’ ପ୍ରମୁଖ ନାକଟ ପାଇଁ ଦର୍ଶକଙ୍କ ମହଲରେ ମୁଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଭାବୁଛି। ଚଳିତବର୍ଷ ‘ବିଶ୍ୱ ରଙ୍ଗମହଲ’ରେ ଅଭିନିତ ନାଟକ ‘ଫଗୁଣ ଦେଶର ରାଜକୁମାର’, ‘ଲୁହରେ ଲେଖୁଛି ପ୍ରେମ କାହାଣୀ’ ପ୍ରମୁଖ ନାଟକରେ ଅଭିନୟ କରୁଛି।
ପ୍ରଶ୍ନ: ଯାତ୍ରାରେ ବରିଷ୍ଠ କଳାକାରଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ଦିଆଯାଏ, କନିଷ୍ଠ କଳାକାରଙ୍କୁ ବେଶୀ ପ୍ରଧାନ୍ୟ ଦିଆଯାଏନି ବୋଲି ଅଭିଯୋଗ ହେଉଛି। ଏହା କଣ ସତ୍ୟ?
ଉତ୍ତର: ମୁଁ କେବେ ସ୍ୱତନ୍ତ୍ର ଆତିଥ୍ୟ ପାଇନି। ସମସ୍ତେ ଯେଉଁ ଟେଣ୍ଟ ବା ସ୍କୁଲ ଘରେ ରୁହନ୍ତି ମୁଁ ସେଠାରେ ରୁହେ। ମୁଁ ଭାବୁଛି ସେମିତି କେବେ ହେଉ ନ ଥିବ। ଯଦି ହେଉଥାଏ, ତେବେ ତାହା ଠିକ୍ ନୁହେଁ। କାରଣ ଆମେ ଯେଉଁଠାରେ ରହୁଛୁଁ ତାହା ଆମର ଦ୍ୱିତୀୟ ପରିବାର। ସେଥିରେ ଏମିତି ପାତରଅନ୍ତର ନ ହେଉ।
ପ୍ରଶ୍ନ: ଆଗ ଅପେକ୍ଷା ଏବେ ଯାତ୍ରା ଅନୁଷ୍ଠାନ ଓ ପାରିଶ୍ରମିକ ବଢ଼ିଛି, ସେଥିରେ ଆପଣ ସନ୍ତୁଷ୍ଟ?
ଉତ୍ତର: ଜଣେ କଳାକାରର ପ୍ରକୃତ ପାରିଶ୍ରମିକ ହେଉଛି ଦର୍ଶକଙ୍କ କରତାଳି। ତାଙ୍କଠାରୁ ଅଧିକ ପାରିଶ୍ରମିକ କିଏ ଦେବ? ଆଉ ରହିଲା ପେଟ ପାଟଣା କଥା। ଯାହା ମିଳୁଛି ସେଥିରେ ଆମେ ସନ୍ତୁଷ୍ଟ। ଏଠାରେ ଅଧିକ ପାରିଶ୍ରମିକ ମିଳୁଛି ବୋଲି ତ ବଲିଉଡର ଶକ୍ତି କାପୁର, ଅଲିଉଡ୍ର ମୀନକେତନ ଓ ସିରିଏଲ୍ କଳାକାରମାନେ ମଞ୍ଚକୁ ଆସୁଛନ୍ତି।
ପ୍ରଶ୍ନ: ଯାତ୍ରା ତାର ମୌଳିକ ଧାରା ହରାଇଛି କି?
ଉତ୍ତର: ଯାତ୍ରା କେବେ ତାର ମୌଳିକ ଧାରା ହରାଇନି। ସମୟ ସହିତ ତାଳ ଦେଇ ପରିବର୍ତ୍ତନ ହୋଇଛି। ମଞ୍ଚରେ ନୂଆ ନୂଆ ସରଞ୍ଜାମ ଯୋଡିଛି। ଅଭିନୟ ଓ କଷ୍ଟ୍ୟୁମ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି। ପେଟ୍ରୋଲମାକ୍ସ ଲାଇଟ୍ ଏବେ ଏଲ୍ଇଡି ହୋଇଛି। କେତେକ ଅନୁଷ୍ଠାନ ରେକର୍ଡ ଡ୍ୟାନ୍ସରେ ଅଶ୍ଳୀଳତା ପରିବେଷଣ କରୁଛନ୍ତି। ତାହା ଠିକ୍ ନୁହେଁ ବୋଲି ମୁଁ ଭାବୁଛି। ସେମାନେ ଶସ୍ତା ଲୋକପ୍ରିୟତା ସାଉଁଟିବା ପାଇଁ ଏପରି କରିଥାଇପାରନ୍ତି।
ପ୍ରଶ୍ନ: ଆପଣ ସବୁବେଳେ ଘରଠାରୁ ଦୂରରେ ରହୁଛନ୍ତି, କେବେ କିଛି ଅସୁବିଧା ହୋଇନି?
ଉତ୍ତର: ଆମେ ବର୍ଷକ ବାର ମାସ ମଞ୍ଚରେ କଟାଇଥାଉ। ଆଜି ଏ ଗାଁରେ, କଲି ...ସେ ଗାଁରେ। ରହିବା, ଖାଇବା ଓ ଶୋଇବାରେ ଠିକ୍ ନାହିଁ। ଏସବୁ କଥା ମୋ ପରିବାର ଲୋକେ ଜାଣନ୍ତି। ସବୁ ସୁଖ ଓ ଦୁଃଖରେ ପରିବାର ଲୋକେ ମୋ ସାଥିରେ ଅଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ କେବେ ସେମିତି କିଛି ଅସୁବିଧା ହୋଇନି। ଯେତେବେଳେ ସମୟ ପାଇଛି ପରିବାର ଲୋକଙ୍କ ସହିତ ବିତାଇବାକୁ ଚେଷ୍ଟା କରିଛି।
ପ୍ରଶ୍ନ: ଆଗାମୀ ଯୋଜନା ଓ ଅବଶୋଷ କ’ଣ?
ଉତ୍ତର: ସେମିତି କିଛି ଯୋଜନା ନାହିଁ। ଯେତେବେଳେ ଯାହା ହେବ ଦେଖାଯିବ। ଯାତ୍ରା ଜୀବନରେ ଗୋଟିଏ ବଡ଼ ଦୁଃଖ ହେଉଛି ଛୁଟି କି ଅପ୍ ନାହିଁ। ସପ୍ତାହକ ସାତ ରାତି ମୁହଁରେ ପାଉଡର, କ୍ରିମ୍ ଓ ରଙ୍ଗ ମାରି ମଞ୍ଚରେ ଅଭିନୟ କରୁ। ପାଞ୍ଚ ବର୍ଷରେ ଥରେ ଭୋଟ୍ହୋଇଥାଏ। ସେଥିରେ ମତଦାନ ସାବ୍ୟସ୍ତ କରିବାକୁ ବି ଆମକୁ ସୁଯୋଗ ମିଳେନି। ତାହାଠାରୁ ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ।
ପ୍ରଶ୍ନ: ଆପଣଙ୍କ ପରିବାରରେ କାହାକୁ ଯାତ୍ରାକୁ ଆସିବାକୁ ଦେବେ?
ଉତ୍ତର: ମୋ ପିଲାଙ୍କ ଦେହରେ ଯଦି କଳାକାରର ରକ୍ତ ବହୁଥିବ ତାହା ହେଲେ ସେମାନେ ଅଭିନୟକୁ ନିଶ୍ଚିତ ଆସିବେ। ମୁଁ ତାଙ୍କୁ ଚାହିଁଲେ ବି ଅଟକାଇ ପାରିବି ନାହିଁ। ସିଏ ମଞ୍ଚ ହେଉ ବା ଟେଲିଭିଜନ୍।
ପ୍ରଶ୍ନ: ଆଜିର ଯୁବ କଳାକାରଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?
ଉତ୍ତର: ମଞ୍ଚରେ ସବୁବେଳେ ବରିଷ୍ଠ କଳାକାରଙ୍କୁ ସମ୍ମାନ ଦିଆଯାଏ। ସେମାନଙ୍କ ଉପଦେଶ ଓ ପରାମର୍ଶକୁ ସମସ୍ତେ ଗ୍ରହଣ କରନ୍ତି। ଆଜି ଯେଉଁ ଯୁବ ପିଢ଼ି ମଞ୍ଚରେ ଅଭିନୟ କରିବାକୁ ଆସୁଛନ୍ତି, ସେମାନେ ବରିଷ୍ଠ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି। ମୋ ମତରେ ନୂଆ କଳାକାର ଆସିବା ଦରକାର। ତାହା ହେଲେ ଯାତ୍ରା ତିଷ୍ଠିବ। ହେଲେ ସେମାନେ ପ୍ରଥମେ ବରିଷ୍ଠ କଳାକାରଙ୍କୁ ସମ୍ମାନ ଦେବା ଶିଖନ୍ତୁ।