ଆଖି ବୁଜିଲେ ପ୍ରସିଦ୍ଧ କମେଡି କିଙ୍ଗ ଉମର ଶରିଫ

ମୁମ୍ବାଇ: ପାକିସ୍ତାନର ପ୍ରସିଦ୍ଧ କମେଡି କିଙ୍ଗ ଉମର ଶରିଫ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ତାରଙ୍କର ଦେହାନ୍ତ ହୋଇଛି। ଏନେଇ ପାକିସ୍ତାନର ଆର୍ଟସ କାଉନ୍‌ସିଲର ପେସିଡେଣ୍ଟ ଅହମଦ ଶାହ ସୂଚନା ଦେଇଛନ୍ତି।

ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ। ତାଙ୍କୁ ଜର୍ମାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଆମେରିକା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଉମର ଶରିଫଙ୍କ ମୃତ୍ୟୁକୁ ନେଇ କମେଡି କିଙ୍ଗ କପିଲ ଶର୍ମା ଶୋକ ପ୍ରକାଶ କରିଛନ୍ତି। କପିଲ ଟୁଇଟ୍‌ କରି ଉମର ଶରିଫଙ୍କ ଏକ ଫଟୋ ଶେଆର କରିଛନ୍ତି। ଏଥିସହ ଅଲବିଦା ଲିଜେଣ୍ଡ..ଭଗବାନ ଆପଣଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି।

କିଛି ସମୟ ପୂର୍ବେ ଉମର ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା। ଏହାପରେ ତାଙ୍କ ପତ୍ନୀ ଜରିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଉମର ଶରିଫଙ୍କୁ ଚିକିତ୍ସା ପାଇଁ ଆମେରିକା ପଠାଇବା ପାଇଁ ସହାୟତା ମାଗିଥିଲେ।

ଉମର ଶରିଫଙ୍କ ଝିଅ ହୀରାଙ୍କ ଗତ ବର୍ଷ ଦେହାନ୍ତ ହୋଇଯାଇଥିଲା। ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ। ଝିଅର ମୃତ୍ୟୁ ପରେ ଉମରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଆରମ୍ଭ ହୋଇଥିଲା। ତାଙ୍କ ବାଇପାସ୍‌ ସର୍ଜରୀ ମଧ୍ୟ କରିବାକୁ ପଡିଥିଲା।

ଉମର ଶରିଫ ୧୪ ବର୍ଷ ବୟସରେ ହିଁ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ୮୦, ୯୦ ଦଶକ ଏବଂ ବର୍ଷ ୨୦୦୦ରେ ବେଶ୍‌ ନାଁ ଅର୍ଜନ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।