‘ବାଟ୍‌ଲା ହାଉସ୍‌’କୁ ନେଇ ବିବାଦ ଆରମ୍ଭ; ରିଲିଜ୍ ନ ହୋଇପାରେ

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଫିଲ୍ମ ‘ବାଟ୍‌ଲା ହାଉସ୍‌’କୁ ନେଇ ଫ୍ୟାନ୍‌ମାନେ ଉତ୍ସାହିତ ଥିବାବେଳେ ଏବେ ଏହାକୁ ଆରମ୍ଭ ହୋଇଯାଇଛି ବିବାଦ। ଯେଉଁ ଘଟଣା ଉପରେ ଫିଲ୍ମଟି ଆଧାରିତ ସେହି ଘଟଣାର ଜଣେ ଅଭିଯୁକ୍ତ ଅରିଜ୍‌ ଖାନ୍ ଓରଫ୍ ଜୁନୈଦ ଫିଲ୍ମଟିକୁ ରିଲିଜ୍ କରିବାକୁ ଅନୁମତି ନଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ତେଣୁ ଅଗଷ୍ଟ ୧୫ ତାରିଖରେ ଏହା ରିଲିଜ୍ ହୋଇପାରିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଅବଶ୍ୟ ସୋମବାର ହାଇକୋର୍ଟରେ ଏହାର ସ୍ପେଶାଲ୍ […]

batla-house

Chinmayee Roy
  • Published: Sunday, 04 August 2019
  • , Updated: 04 August 2019, 01:28 PM IST

ମୁମ୍ବାଇ: ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଫିଲ୍ମ ‘ବାଟ୍‌ଲା ହାଉସ୍‌’କୁ ନେଇ ଫ୍ୟାନ୍‌ମାନେ ଉତ୍ସାହିତ ଥିବାବେଳେ ଏବେ ଏହାକୁ ଆରମ୍ଭ ହୋଇଯାଇଛି ବିବାଦ। ଯେଉଁ ଘଟଣା ଉପରେ ଫିଲ୍ମଟି ଆଧାରିତ ସେହି ଘଟଣାର ଜଣେ ଅଭିଯୁକ୍ତ ଅରିଜ୍‌ ଖାନ୍ ଓରଫ୍ ଜୁନୈଦ ଫିଲ୍ମଟିକୁ ରିଲିଜ୍ କରିବାକୁ ଅନୁମତି ନଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ତେଣୁ ଅଗଷ୍ଟ ୧୫ ତାରିଖରେ ଏହା ରିଲିଜ୍ ହୋଇପାରିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ଅବଶ୍ୟ ସୋମବାର ହାଇକୋର୍ଟରେ ଏହାର ସ୍ପେଶାଲ୍ ସ୍କ୍ରିନିଂ ହେବ। ଫିଲ୍ମଟି ପ୍ରକୃତରେ ତଳକୋର୍ଟରେ ଚାଲିଥିବା ଅରିଜ୍‌ ଖାନ୍‌ର ଶୁଣାଣି ଉପରେ ପ୍ରଭାବ ପକାଇବ ନା ନାହିଁ, ତାହା ଦେଖାଯିବ।

୨୦୦୮ରେ ଦିଲ୍ଲୀରେ ସିରିଜ୍ ବିସ୍ଫୋରଣ ପରେ ହୋଇଥିବା ବାଟ୍‌ଲା ହାଉସ୍ ଏନ୍‌କାଉଣ୍ଟର ଉପରେ ଏହି ଫିଲ୍ମଟି ନିର୍ମିତ ହୋଇଛି। ସିରିଜ୍ ବିସ୍ଫୋରଣ ଓ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଅଭିଯୁକ୍ତ ଅରିଜ୍‌ର ଶୁଣାଣି ଏବେ ତଳକୋର୍ଟରେ ଚାଲିଛି। ଏହି ଫିଲ୍ମ ରିଲିଜ୍ ହେଲେ ତା’ ମାମଲାର ଶୁଣାଣିକୁ ପ୍ରଭାବିତ କରିବ ବୋଲି ସେ ଆବେଦନ କରିଛି।

https://www.instagram.com/p/B0tFtdxBSqn/?utm_source=ig_web_copy_link

ଅରିଜ୍ ବ୍ୟତୀତ ଶହଜାଦ୍‌ ଅହମଦ୍‌ ମଧ୍ୟ ଏହି ଫିଲ୍ମ ରିଲିଜ୍ ନ କରିବାକୁ ହାଇକୋର୍ଟରେ ଆବେଦନ କରିଛି। ଦିଲ୍ଲୀ ସିରିଜ୍ ବିସ୍ଫୋରଣ ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଛି ଶହଜାଦ୍‌। ତେବେ ତଳ କୋର୍ଟର ରାୟ ବିରୋଧରେ ସେ ହାଇକୋର୍ଟରେ ଅପିଲ୍ କରିଛି। ଏହି ଫିଲ୍ମ ରିଲିଜ୍ ହେଲେ ତା’ ଶୁଣାଣି ଉପରେ ପ୍ରଭାବ ପଡ଼ିବ ବୋଲି ସେ ଦାବି କରିଛି।

ଶହଜାଦ୍‌ଙ୍କ ପକ୍ଷରୁ ଆହୁରି କୁହାଯାଇଛି, ଫିଲ୍ମଟିରେ ସିରିଜ୍ ବିସ୍ଫୋରଣ ଓ ଏନ୍‌କାଉଣ୍ଟର ମଧ୍ୟରେ ସଂପର୍କ ଥିବା ଦର୍ଶାଯାଇଛି। ଆଉ ଏହା ଉଭୟ ମାମଲାର ଶୁଣାଣିକୁ ପ୍ରଭାବିତ କରିବ। ସେହିପରି ଫିଲ୍ମର ପୋଷ୍ଟରରେ ସେମାନଙ୍କୁ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଇଥିବା ସେମାନେ କହିଛନ୍ତି। ସିରିଜ୍ ବିସ୍ଫୋରଣ ଓ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଅରିଜ୍‌ଙ୍କୁ ତଳକୋର୍ଟ ଏଯାଏ ଦୋଷୀ ସାବ୍ୟସ୍ତ କରି ନଥିବା ବେଳେ ଫିଲ୍ମ ତାଙ୍କୁ ଦୋଷୀ ଘୋଷଣା କରିଛି ବୋଲି ଆବେଦନ ପତ୍ରରେ ଅଭିଯୋଗ କରାଯାଇଛି।

‘ବାଟ୍‌ଲା ହାଉସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ୍‌ ଆଡ଼ଭାନୀ। ଏଥିରେ ଜନ୍‌ ଆବ୍ରାହମ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମୃଣାଲ ଠାକୁର। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି।

Related story