ବେଙ୍ଗାଳୁରୁ: ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ବିୟୋଗରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ। ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ସେ କେବଳ ଫିଲ୍ମ ଜଗତର ନାୟକ ନଥିଲେ ବରଂ ଅସହାୟଙ୍କ ପାଇଁ ସାହାରା ମଧ୍ୟ ଥିଲେ। ଏବେ ମୃତ୍ୟୁ ପରେ ମଧ୍ୟ ପୁନିତ ଅନେକ ଲୋକଙ୍କୁ ଖୁସି ବାଣ୍ଟି ଯାଇଛନ୍ତି। ସେ ଦାନ କରିଛନ୍ତି ତାଙ୍କ ଆଖି। ତାଙ୍କ ଆଖିରେ ଏବେ ୪ ଜଣଙ୍କ ଦୁନିଆ ପୁଣିଥରେ ଆଲୋକିତ ହୋଇଛି। ପାୱାରଷ୍ଟାରଙ୍କ ଆଖିରେ ଦୁନିଆ ଦେଖିବା ପାଇଁ ୪ଜଣ ଏବେ ସକ୍ଷମ ହୋଇଛନ୍ତି।
ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଏବଂ ଜ୍ଞାନ କୌଶଳ ଜରିଆରେ ଏହା ସମ୍ଭବ ହୋଇପାରିଛି। ଆଖି ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତ, ପୁନିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତାଙ୍କର ଆଖି ଦାନ କରିବାକୁ ନିଷ୍ପତ୍ତି କରିଥିଲେ। ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ। କିନ୍ତୁ ପୁନୀତଙ୍କ କ୍ଷେତ୍ରର ତାଙ୍କର ଦୁଇ ଆଖିରେ ୩ ଜଣ ଯୁବକ ଏବଂ ଜଣେ ମହିଳାଙ୍କୁ ଦୃଷ୍ଟି ଶକ୍ତି ଦେଇଛି ବୋଲି ସେ କହିଛନ୍ତି।
ଡାକ୍ତରଙ୍କ ଅନୁସାରେ, ସାଧାରଣ ରୂପେ ଗୋଟିଏ କର୍ଣ୍ଣିଆକୁ ଜଣଙ୍କ ଦେହରେ ପ୍ରତିରୋପଣ କରାଯାଇଥାଏ। କିନ୍ତୁ ନୂତନ ଡାକ୍ତରୀ ଜ୍ଞାନ କୌଶଳରେ ଏହି ପ୍ରତିରୋପଣ ହୋଇଛି। ପ୍ରତି ଆଖିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରଥମେ କର୍ନିଆର ବହିର୍ଭାଗ ଏବଂ ଭିତର ଭାଗକୁ ଅଲଗା କରାଯାଇ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ସେହିଭଳି ସୁପରିଫିସିଆଲ ଅଂଶକୁ ଭାଗ କରାଯାଇ ଅନ୍ୟ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ଏହି ଅସ୍ତ୍ରୋପଚାର ପାଇଁ ଦୀର୍ଘ ୮ ଘଣ୍ଟା ସମୟ ଲଗାଥିଲା। ୪ ଜଣଙ୍କ ଅବସ୍ଥା ଏବେ ସୁସ୍ଥ ଅଛି। ଡାକ୍ତରଙ୍କ ଦେଖାରେଖାରେ ତାଙ୍କୁ ରଖାଯାଇଥିବା ସେ କହିଛନ୍ତି।
ଶେଟ୍ଟୀ ଆହୁରି କହିଛନ୍ତି, ଏଭଳି ଅସ୍ତ୍ରୋପଚାର ମେଡିକାଲ ଇତିହାସରେ ବିରଳ ବୋଲି ଡାକ୍ତର । ପୁନିତଙ୍କ ଦୁଇ ଆଖି ପାଇଁ ୪ ଜଣ ଦୁନିଆ ଦେଖିବାରେ ସକ୍ଷମ ହୋଇଛନ୍ତି। କେବଳ ସେତିକି ନୁହେଁ ପୁନିତ ଆଖିର ଧଳା ଅଂଶକୁ ଅଲଗା କରି ଲ୍ୟାବରେ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହାର ଷ୍ଟେମ୍ ସେଲ୍ ରାସାୟନିକ ଆଘାତ, ଏସିଡ୍ ବର୍ଣ୍ଣ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କାମରେ ଆସିପାରିବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ଶୁକ୍ରବାର କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ପ୍ରଥମେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।