ଶୁଟିଂ ସେଟ୍‌କୁ ଫେରିଲେ କଳାକାର; ହେଲେ ଚୁମ୍ୱନ ଓ ଅନ୍ତରଙ୍ଗ ସିନ୍‌ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରା, ଲାଇଟ ଓ ଆକ୍‌ସନ। ପ୍ରାୟ ୭୦ ଦିନର ଲମ୍ବା ବ୍ରେକ୍‌ ପରେ ଶୁଟିଂ ସେଟ୍‌କୁ ଫେରିଛନ୍ତି କଳାକାର ଓ ଟେକ୍ନିସିଆନ। କଳାକାର ମେକ୍‌ଅପ୍‌ ନେଇ ପୁଣି ଥରେ ଚାଲି ଯାଇଛି ରଙ୍ଗୀନ ଦୁନିଆକୁ। ପ୍ରଡ୍ୟୁସର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆର ଗାଇଡ୍‌ଲାଇନ୍‌ ଅନୁସାରେ କରାଯାଉଛି ଶୁଟିଂ। କିନ୍ତୁ କରୋନା ମହାମାରୀ କାରଣରୁ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍‌ ଶୁଟିଂକୁ ବାରଣ କରାଯାଇଛି। ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ […]

taranga

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାମେରା, ଲାଇଟ ଓ ଆକ୍‌ସନ। ପ୍ରାୟ ୭୦ ଦିନର ଲମ୍ବା ବ୍ରେକ୍‌ ପରେ ଶୁଟିଂ ସେଟ୍‌କୁ ଫେରିଛନ୍ତି କଳାକାର ଓ ଟେକ୍ନିସିଆନ। କଳାକାର ମେକ୍‌ଅପ୍‌ ନେଇ ପୁଣି ଥରେ ଚାଲି ଯାଇଛି ରଙ୍ଗୀନ ଦୁନିଆକୁ। ପ୍ରଡ୍ୟୁସର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆର ଗାଇଡ୍‌ଲାଇନ୍‌ ଅନୁସାରେ କରାଯାଉଛି ଶୁଟିଂ। କିନ୍ତୁ କରୋନା ମହାମାରୀ କାରଣରୁ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍‌ ଶୁଟିଂକୁ ବାରଣ କରାଯାଇଛି।

ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ମାସର ବ୍ୟବଧାନ ପରେ ପୁଣି ଥରେ ତାଜା ଏପିସୋଡ୍ ଦେଖିବାକୁ ପାଇବେ ରାଜ୍ୟର ସିରିଏଲ୍ ପ୍ରେମୀ। ‘କରୋନା’ ସଂକ୍ରମଣ ଭୟ ଓ ଲକ୍‌ଡାଉନ୍‌ ପାଇଁ ସିରିଏଲ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର କୋମାକୁ ଚାଲିଯାଇଥିବା ବେଳେ ଏଥିରେ ସଂଜୀବନି ଭରିବାକୁ ଉଦ୍ୟମ ଆରମ୍ଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ ସଂସ୍ଥା। ବେଶ୍‌ କିଛି ଦିନର ନୀରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତାରାତାରିଣୀ’ର ସୁଟିଂ ସେଟ୍।

କଟକ ସିଡିଏ ଅଞ୍ଚଳରେ ଆଜିଠୁ ଏହି ସିରିଏଲର ପୁଣି ଶୁଟିଂ ଆରମ୍ଭ ହୋଇଛି। ଲକଡାଉନ କଟକଣା ବଳବତ୍ତର ଥିବା ଓ ଶୁଟିଂ ସେଟ୍‌ରେ ପୂରା ଟିମ୍‌ କାମ କରୁଥିବାରୁ ସମସ୍ତେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖିବେ, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହ ଅନ୍ୟ ନିୟମ ମାନିବେ, ସେ ନେଇ ପଦକ୍ଷେପ ଗ୍ରହଣ କରିଛି ପ୍ରଯୋଜକ ସଂସ୍ଥା।

ଚତୁର୍ଥ ପର୍ଯ୍ୟୟ ଲକଡାଉନ ନିୟମ କୋହଳ ହୋଇଥିଲେ ମଧ୍ୟ ‘କରୋନା’ ସଂକ୍ରମଣର ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନି। ଏପରି ସ୍ଥିତିରେ ଶୁଟିଂ ସେଟ୍‌ରେ କଳାକାର, ଟେକ୍‌ନିସିଆନ୍‌ ଓ ଅନ୍ୟ ମେମ୍ବର ଏକାଠି କାମ କରିବା କଠିନ ବ୍ୟାପାରା। ଏହା ସତ୍ତ୍ୱେ ବ୍ୟକ୍ତିଗତ ସ୍ତରରେ ସବୁ ପ୍ରକାର ସତର୍କତା ଗ୍ରହଣ କରି କାମ କରିବାକୁ ମନସ୍ଥ କରିଛନ୍ତି ସିରିଏଲର କଳାକାର।

ସେପଟେ ଫିଲ୍ମ ଶୁଟିଂ ଓ ପୋଷ୍ଟ ପ୍ରଡ୍‌କସନ୍‌ କାମ ଲାଗି ବିସ୍ତୃତ ଗାଇଡ୍‌ ଲାଇନ୍‌ ଜାରି କରିଛି ପ୍ରଡ୍ୟୁସର୍ସ ଗିଲ୍‌ଡ ଅଫ୍‌ ଇଣ୍ଡିଆ। ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ ଶୁଟିଂକୁ ବାରଣ କରାଯାଇଛି। ସେହିପରି ଶୁଟିଂକୁ ଯାତୟାତଠୁ ଆରମ୍ଭ କରି କଳାକାରଙ୍କ ମେକ୍‌ ଅପ୍‌ ପର୍ଯ୍ୟନ୍ତ, ପ୍ରତି କ୍ଷେତ୍ରରେ ସାମାଜିକ ଦୂରତ୍ୱ ନିୟମ ଅନୁପାଳନ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ଗିଲଡ୍‌ ପରାମର୍ଶ ଦିଆଯାଇଛି।

 

Related story