ମୁମ୍ବାଇ: ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ପୁଅ ଆର୍ୟନ୍। ହେଲେ ଚଳଚ୍ଚିତ୍ର ମାଧ୍ୟମରେ ନୁହେଁ। ଚଳଚ୍ଚିତ୍ରରେ ଭଏସ୍ ଦେଇ ସେ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ୍ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନରେ ସୁପରଷ୍ଟାର ଶାହରୁଖ ଖାନ କିଙ୍ଗ ମୁଫ୍ସା ଓ ତାଙ୍କ ପୁଅ ଆର୍ୟନ ଖାନ କିଙ୍ଗ ମୁଫ୍ସାଙ୍କ ପୁଅ ସିମ୍ବା ଚରିତ୍ର ପାଇଁ ଭଏସ୍ ଦେବେ।
ଏସମ୍ପର୍କରେ ଶାହରୁଖ କହିଛନ୍ତି ଯେ ‘ଦ ଲାୟନ କିଙ୍ଗ’ ଏପରି ଏକ ସିନେମା, ଯାହା ତାଙ୍କର ପୂରା ପରିବାରକୁ ପସନ୍ଦ। ଜଣେ ପିତା ହିସାବରେ ସେ ମୁଫ୍ସା ଓ ତାଙ୍କ ପୁଅ ସିମ୍ବା ଚରିତ୍ରକୁ ଭଲ ଭାବେ ବୁଝି ପାରୁଛନ୍ତି। ନିଜ ପୁଅ ସହିତ ‘ଦ ଲାୟନ କିଙ୍ଗ’ରେ ଯୋଡ଼ି ହୋଇଥିବାରୁ ଓ ତାଙ୍କ ସାନ ପୁଅ ଅବରାମ ଏହାକୁ ଦେଖିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ବୋଲି ଶାହରୁଖ କହିଛନ୍ତି।
ଡିଜନି ଇଣ୍ଡିଆ ଷ୍ଟୁଡିଓ ଏଣ୍ଟରଟେନ୍ମେଣ୍ଟର ପ୍ରମୁଖ ବିକ୍ରମ ଦୁଗ୍ଗଲ କହିଛନ୍ତି ଯେ, ଶାହରୁଖ ଓ ତାଙ୍କ ପୁଅ ଆର୍ୟନଙ୍କୁ ଗୋଟିଏ ଫିଲ୍ମରେ କାମ କରାଇବା ଖାସ୍ ଅଟେ। ଏହି ଫିଲ୍ମଟି ୧୯ ଜୁଲାଇରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ ବୋଲି ବିକ୍ରମ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଭଏସ୍ ଦେବା ପୂର୍ବରୁ ଆର୍ୟନ ସୋଶାଲ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇସାରିଛନ୍ତି।