ମୁମ୍ବାଇ: ବଲିଉଡ୍ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ କୋଭିଡ୍ ରୋଗରେ ସଂକ୍ରମିତ ହୋଇଛନ୍ତି। ରବିବାର ଶାହରୁଖ କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ବେଳେ ପୂର୍ବରୁ କ୍ୟାଟ୍ରିନା ଆକ୍ରାନ୍ତ ହୋଇଛନ୍ତି। ଯେଉଁଥି ପାଇଁ କ୍ୟାଟ୍ରିନା ଆଇଫା ପୁରସ୍କାର ସମାରୋହରୁ ଦୂରେଇ ରହିଥିଲେ। ଏହି ସମାରୋହରେ ତାଙ୍କ ସ୍ୱାମୀ ବିକି କୌଶଲ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଗ୍ରହଣ କରିଥିଲେ। । ମିଳିଥିବା ସୂଚନା ମୁତାବକ କ୍ୟାଟ୍ରିନା ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ଦ୍ୱିତୀୟ ଥର ପାଇଁ ତାଙ୍କ କୋଭିଡ ପରୀକ୍ଷା ସକରାତ୍ମକ ହୋଇଛି। ଗତ ବର୍ଷ ଏପ୍ରିଲରେ ମଧ୍ୟ କ୍ୟାଟ୍ରିନା କରୋନାରେ ସଂକ୍ରମିତ ହୋଇଥିଲେ। ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଲିଉଡ ସୁପରଷ୍ଟାର ଶାହରୁଖଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଜାଣିବାକୁ ପାଇଲି ଯେ, ଆମର ବ୍ରାଣ୍ଡ ଆମ୍ବାସାଡର ଶାହରୁଖ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ତୁରନ୍ତ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ଶାହରୁଖ ଶୀଘ୍ର ସୁସ୍ଥ ହୁଅନ୍ତୁ । ମହାରାଷ୍ଟ୍ରରେ ସଂକ୍ରମଣର ଏବେ ବୃଦ୍ଧି ପାଉଥିବାରୁ ଅନେକ ବଲିଉଡ ଅଭିନେତା ମଧ୍ୟ କୋଭିଡ୍ ପରୀକ୍ଷା କରୁଛି।
ଶନିବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାର କୋଭିଡ୍ ପରୀକ୍ଷା କରିଛନ୍ତି । ସୂଚନା ଅନୁଯାୟୀ, ଲଗାତାର ୩ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧,୦୦୦ ଉପରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ୧୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୧୧୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଶନିବାର ଚିହ୍ନଟ ହୋଇଥିବା ୧୩୫୭ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କେବଳ ମୁମ୍ବାଇରୁ ୮୮୯ଜଣ କରୋନା ସଂକ୍ରମିତ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।