ନୀଳଗିରି (ବିଶ୍ୱମ୍ଭର ଦାସ): ବିଲୁପ୍ତ ହୋଇଯାଉଥିବା ଗାଁର ପ୍ରାଚୀନ କଳା ସଂସ୍କୃତିକୁ ଉଜ୍ଜୀବିତ କରିବାରେ ଚେଷ୍ଟା କରିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଝିଅ। କରୋନା ସମୟରେ ଅନଲାଇନ କ୍ଳାସ ପାଇଁ ପାଖରେ ମୋବାଇଲ ନଥିବାରୁ ଭାଙ୍ଗି ନପଡ଼ି ସେ ଭଙ୍ଗା ମାଟିହାଣ୍ଡିର ଖପରାକୁ ଯୋଡି ଆଙ୍କିଛନ୍ତି ସୁନ୍ଦର ଛବି। ଆଉ ତାଙ୍କର ଏହି ସତ୍ୟ କାହାଣୀ ଉପରେ ନିର୍ମାଣ ହେଲା ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଯାହାକୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ମିଳିଛି ୪ଟି ପୁରସ୍କାର। ସେହି ଝିଅ ହେଉଛନ୍ତି ସସ୍ମିତା ବେହେରା।
ନୀଳଗିରି ବ୍ଲକର ଆଦିବାସୀ ବହୁଳ ଅଞ୍ଚଳ ବାବନ୍ଧ ଗ୍ରାମ। ଏଠାକାର ଲୋକେ ମଦିଆ କୁମ୍ଭାର ସମ୍ପ୍ରଦାୟର। ମାଟିହାଣ୍ଡି ଗଢ଼ି ଜୀବନ ଜୀବିକା ନିର୍ବାହ କରନ୍ତି। ଏହି ମାଟିହାଣ୍ଡି ଗଢିଲା ବେଳେ ଭାଙ୍ଗିଯାଉଥୁବା ହାଣ୍ଡିକୁ ଖପରା କରି ପୂର୍ବରୁ ଗାଁର ମହିଳା ମାନେ କାନ୍ଥରେ କାଦୁଅ ଲେପି ଅନେକ ସୁନ୍ଦର ଚିତ୍ର କରୁଥିଲେ। ହେଲେ ସମୟ କ୍ରମେ ଏହା ବିଲୁପ୍ତ ହୋଇଯାଇଥିଲା। କିନ୍ତୁ ଏହାକୁ ପୁଣିଥରେ ଜୀବନ୍ତ କରିଛନ୍ତି ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ସସ୍ମିତା ବେହେରା। ନିଜ ଜେଜେମା ପାଖରୁ ଏ ପୁରୁଣା ବିଲୁପ୍ତ କାହାଣୀ ଶୁଣି ମନରେ ଆଙ୍କିବାକୁ ଆଶା ଜନ୍ମିଥିଲେ ସସ୍ମିତା।
ଏହି ଇଚ୍ଛାକୁ ଅଧିକ ଦ୍ୱିଗୁଣିତ କରିଦେଇଥିଲା କୋଭିଡ୍ ମହାମାରୀ। କରୋନା ସମୟରେ ପିଲାମାନେ ମୋବାଇଲରେ ଅନଲାଇନ୍ କ୍ଲାସ କରୁଥିଲେ। କିନ୍ତୁ ସସ୍ମିତାଙ୍କ ଗରିବ ଥିବାରୁ ନିଜ ଝିଅ ପାଇଁ ମୋବାଇଲ୍ କିଣିପାରିନଥିଲେ। କିନ୍ତୁ ସସ୍ମିତା ମନ ଉଣା ନକରି ଖାଲି ସମୟକୁ ବିଲୁପ୍ତ ପ୍ରାଚୀନ କଳା ସଂସ୍କୃତି ଆଙ୍କିବାରେ ଲଗାଉଥିଲେ। ସସ୍ମିତାର ଏହି କାମ ଶିଳ୍ପୀ କେଶୁ ଦାସଙ୍କୁ ଆକୃଷ୍ଟ କରିଥିଲା।
ଏହାପରେ କେଶୁ ଦାସ ସସ୍ମିତାର ଏ କାହାଣୀ ଓ କଳା ସମ୍ପର୍କରେ ୧୦ ମିନିଟର ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣରେ ଲାଗିପଡିଲେ। ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ଏବେ ସାରା ବିଶ୍ୱ ଦେଖିଛି। ଆଉ ଫିଲ୍ମକୁ ଦେଇଛି ଅପୂର୍ବ ସଫଳତା। ୧୦ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ଚାରୋଟି ପୁରସ୍କାର ଜିତିଛି। ଜେବିଏସ୍ ଓ ଓରିଫାର୍ମିଙ୍ଗ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଦ୍ୱିତୀୟ କୋଭିଡ୍ ଅନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ-୨୦୨୧ ରେ ବାଲେଶ୍ଵରର ଶିଳ୍ପୀ କେଶୁଦାସ ନିର୍ଦ୍ଦେଶିତ 'ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ୍-୧୯' (କରୋନା କାଳରେ ଜଣେ କୁନି ଖପରା ଶିଳ୍ପୀ) ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଅଂଶଗ୍ରହଣ ପାଇଁ ମନୋନୀତ ହୋଇ ୪ଟି ପୁରସ୍କାର ଜିତିଛି।
ନୀଳଗିରି ବ୍ଲକର ଶିଆଡିମାଳ ପଞ୍ଚାୟତର ବାବନ୍ଧ ଗାଁରେ ବସବାସ କରୁଥୁବା ସୁରେନ୍ଦ୍ର ବେହେରାଙ୍କ ଝିଅ ସିଲି କରୋନା ସମୟରେ ସେ ତା'ର ପାଠପଢ଼ା ସହ ବାପା-ମା'ଙ୍କୁ ଘର କାମରେ ସାହାଯ୍ୟ କରେ। ପୁଣି ସେ ତା ଗାଁ ଲୋକମାନଙ୍କୁ କରୋନା ସଚେତନତା କରିବା ସହ ଗାଁରେ ପଡିଥିବା ଭଙ୍ଗା ହାଣ୍ଡି ଖପରା କାତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ସବୁ କାନ୍ଥରେ ଆଙ୍କୁଥିବାର ଦୃଶ୍ୟକୁ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଛି ୧୦ ମିନିଟ କ୍ଷୁଦ୍ର ଚଳଚ୍ଚିତ୍ରରେ।
ଭାରତ ସହ ବ୍ରାଜିଲ, ଫ୍ରାନ୍ସ, ଆଫଗାନିସ୍ଥାନ, ଆଫ୍ରିକା, ମରକ୍କୋ, ଇସ୍ରାଏଲ, ଇରାକ, ଇରାନ, ପର୍ତ୍ତୁଗାଲ, ବାଂଲାଦେଶ, ଉଜବେକିସ୍ତାନ, ଆଲଜେରିଆ ଭଳି ଦେଶରୁ ୨୭୫ଟି ଚଳଚିତ୍ର ଆସିଥିବା ବେଳେ ନୀଳଗିରିରୁ ପ୍ରସ୍ତୁତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇ ପାଇଛି ଅପୂର୍ବ ସଫଳତା। ଏହି ଫିଲ୍ମଟି ବେଷ୍ଟ ଫିଲ୍ମ, ଡାଇରେକ୍ଟରର, ଆକ୍ଟର ଓ କ୍ରିଟିସିଜମ ଭଳି ଚାରୋଟି ଆୱାର୍ଡ ଜିତିଛି।
ଏହି ଖବର ପ୍ରଚାରିତ ହେବା ପରେ ନୀଳଗିରି ତଥା ବାଲେଶ୍ଵରର କଳା ସଂସ୍କୃତି ଓ ବୁଦ୍ଧିଜୀବୀ ମହଲରେ ଖୁସି ଦେଖାଯାଇଛି। ଏହାସହ ତାଙ୍କ ଘରେ ସମାଜସେବୀ ସମେତ ବହୁ ବୁଦ୍ଧିଜୀବୀ ପହଞ୍ଚି ତାଙ୍କୁ ଫୁଲତୋଡା ସହ ଶୁଭେଛା ଦେଇଛନ୍ତି। ସସ୍ମିତାଙ୍କ ଏହି ସଫଳତା ପରେ ତାଙ୍କ ସାଙ୍ଗ ସାଥି ମାନେବି ଏହି କଳା ଶୁଖୁଛନ୍ତି। ଗାଁରେ ହଜିଯାଉଥିବା ଏ କଳା ସଂସ୍କୃତି ପୁଣିଥରେ ତାଙ୍କ ଝିଅ ପାଇଁ ସଭିଏ ଦେଖିବେ ଜାଣି ବାପା-ମା' ମଧ୍ୟ ବେଶ ଖୁସି ହୋଇଛନ୍ତି।