ଦୟା କରି ମୋ’ ପିତାଙ୍କୁ ଖୋଜି ଆଣନ୍ତୁ- ଗୁହାରୀ କଲେ ଟିଭି ଅଭିନେତା

ମୁମ୍ବାଇ: “ଗତ ୩ ଦିନ ହେଲାଣି ମୋ ବାପା ନିଖୋଜ ଅଛନ୍ତି । କୌଣସି ପତ୍ତା ପାଉନି। ଦୟା କରି ମୋ ବାପାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ଆମକୁ ଅବଗତ କରାନ୍ତୁ। ”  ନିଜ ପିତାଙ୍କ ନିଖୋଜ ଯୋଗୁ ବିଚଳିତ ହୋଇ ପଡ଼ିଥିବା ଟିଭି କଳାକାର ଅଭିନବ ଚୌଧୁରୀ ଇନଷ୍ଟାରେ ଏପରି ଆକୁଳ ନିବେଦନ କରିଛନ୍ତି। ଏପରିକି ନିଖୋଜ ପିତାଙ୍କୁ ଖୋଜି ଆଣିବାକୁ ଗୁହାରୀ ବି କରିଛନ୍ତି ।

ଟିଭି ଅଭିନେତା  ଅଭିନବ ଚୌଧୁରୀଙ୍କ ୫୮ ବର୍ଷୀୟ ପିତା ଗତ କିଛି ଦିନ ହେବ ନିଖୋଜ ଅଛନ୍ତି। ବିହାରର ବେଗୁସୁରାଇରେ ସେ ପରିବାର ସହ ରହୁଥିବା ବେଳେ  ସେଠାରୁ ଡିସେମ୍ବର ୧୪ ତାରିଖରୁ  କେଉଁଆଡ଼େ ଚାଲି ଯାଇଥାନ୍ତି । ଗତ ଶୁକ୍ରବାର ଅଭିନବ ଏ ସମ୍ପର୍କରେ ନିଜ ଇନଷ୍ଟାଗ୍ରାମରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏପରିକି ନିଜ ପିତାଙ୍କ ଏକ ଫଟୋ ଅପଲୋଡ କରିଛନ୍ତି। ଏଥିସହ ସମସ୍ତଙ୍କୁ ଅନୁରୋଧ କରି ସୂଚନା ପାଇଲେ ତତ୍କାଳ ଜଣାଇବାକୁ ଗୁହାରୀ କରିଛନ୍ତି। ଏ ସମ୍ପର୍କରେ କୌଣସି ସୂଚନା ପାଇଲେ ନିଜ କଣ୍ଟାକ୍ଟ ନଂ ସହ ଇନଷ୍ଟାରେ ଜଣାଇବାକୁ ସେ ଅନୁରୋଧ କରିଛନ୍ତି।

avinab with father
ଅଭିନବ ଚୌଧୁରୀ ଓ ତାଙ୍କ ପିତା।

ଏନେଇ ଅଭିନବ କହିଛନ୍ତି, ଡିସେମ୍ବର ୧୪ ତାରିଖ ସନ୍ଧ୍ୟା ୭ଟାରେ ବାପା ଘରୁ କେଉଁଆଡ଼େ ଚାଲି ଯାଇଛନ୍ତି। ପ୍ରାୟ ଅଧ ଘଣ୍ଟା ପରେ ମୋ ମା’, ଭାଇ ତାଙ୍କୁ ଖୋଜିବାକୁ ଆରମ୍ଭ କଲେ ବି କିଛି ସୂଚନା ପାଇଲେ ନାହିଁ। ପରଦିନ ନିକଟ ରେଲୱେ ଷ୍ଟେଶନରେ ତାଙ୍କ ସାଇକେଲ ଥୁଆ ହୋଇଥିବା ଦେଖିବାକୁ ମିଳିଲା। ସେ ଯିବା ବେଳେ ଟଙ୍କା କିମ୍ବା ମୋବାଇଲ ନେଇ ଯାଇ ନାହାନ୍ତି। ଏ ନେଇ ରେଲୱେ  ବିଭାଗ ସହ ଯୋଗାଯୋଗ କରିବାକୁ ଉକ୍ତ ଦିନ ସନ୍ଧ୍ୟା ପରେ ଲକ୍ଷ୍ନୌ ଓ ଦିଲ୍ଲୀ ଅଭିମୁଖେ ୨ଟି ଟ୍ରେନ ଯାଇଥିବା ଜାଣିବାକୁ ପାଇଛୁ।

ଗତ କିଛି ଦିନ ଧରି ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା। ସେ ଡିପ୍ରେସନର ଶିକାର ହୋଇଥିଲେ। ଏପରିକି ବିଶେଷ ଖାଉ ନ ଥିଲେ କି କାହା ସହ କଥା ହେଉ ନ ଥିଲେ  ବୋଲି କହିଛନ୍ତି ଅଭିନବ ।

abhinab with family
ପରିବାର ସହ ଅଭିନବ ।

ଏନେଇ ଅଭିନବଙ୍କ ପରିବାର ପକ୍ଷରୁ ବେଗୁସାରାଇ ଥାନାରେ ଅଭିଯୋଗ ହୋଇଛି।  ସେ କେଉଁଠି ଅଛନ୍ତି ସଠିକ ଭାବେ ଜଣା ନ ଥିଲେ ବି ଦିଲ୍ଲୀ କିମ୍ବା ଲକ୍ଷ୍ନୌରେ ଥାଇପାରନ୍ତି ବୋଲି ପରିବାର ଲୋକ ଅନୁମାନ କରୁଛନ୍ତି। ଏପରିକି ସେ ଦିଲ୍ଲୀରେ ଥିବା ସୂଚନା ମିଳୁଥିବା ବେଳେ ଖୋଜାଖୋଜି ଜୋରରେ ଚାଲୁଥିବା କହିଛନ୍ତି ଅଭିନବ ।

ଏପରିକି ନିଜ ପିତାଙ୍କ ଫଟୋ ଇନଷ୍ଟାରେ ପୋଷ୍ଟ କରି ଏହାକୁ ନିଜ ବନ୍ଧୁ, ପରିଜନଙ୍କ ମଧ୍ୟରେ ଶେଆର କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ମୋ ବାପାଙ୍କୁ ଖୋଜିବାରେ ସହାୟ ହୁଅନ୍ତୁ ବୋଲି କହିଛନ୍ତି ଅଭିନବ।

ୱାର୍କଫ୍ରଣ୍ଟ କଥା କହିଲେ, ଅଭିବନ ପୂର୍ବରୁ ବହୁ ଲୋକପ୍ରିୟ ସିରିଏଲରେ କାମ କରି ସାରିଛନ୍ତି। ଏବେ ସେ ଟାଇଗର ସ୍ରଫ ଓ ତାରା ସୁତରିଆଙ୍କ ‘ହିରୋପନ୍ଥୀ-୨’ ରେ ନଜର ଆସିବେ। ଏହା ଆସନ୍ତା ବର୍ଷ ରିଲିଜ ହେବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।