ପର୍ଦ୍ଦା ପଛର ମହାନାୟକ: ବିଜୟ ମିଶ୍ର

ସମରେନ୍ଦ୍ରନାଥ ମହାପାତ୍ର  ହଠାତ୍ ସେ ଚାଲିଯିବେ, ଏମିତି ସାରା ଦେଶ ଥିବା ବେଳେ ଲକ୍‌ଡାଉନ୍‌ରେ, ଆଉ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ମୁଁ ଯାଇପାରିବି ନାହିଁ- ଏମିତି କେବେ ଭାବି ନ ଥିଲି। ଏପ୍ରିଲ୍ ୨୬ ସନ୍ଧ୍ୟାରେ ଏ ଦୁଃସମ୍ବାଦଟି ପାଇ ସ୍ତମ୍ଭୀଭୂତ ହୋଇଯାଇଥିଲି । ୮୩ ବର୍ଷ ହୋଇଥିଲା ତାଙ୍କୁ, ମଝିରେ ମଝିରେ ଦେହ ଭଲ ରହୁ ନ ଥିଲା ତାଙ୍କର । ଏସବୁ ତ ଜାଣିଥିଲି । ମାତ୍ର ମାନସିକ ସ୍ତରରେ ତାଙ୍କ […]

Bijay

Subrat Kumar Nayak
  • Published: Friday, 08 May 2020
  • , Updated: 08 May 2020, 04:08 PM IST

ସମରେନ୍ଦ୍ରନାଥ ମହାପାତ୍ର 

ହଠାତ୍ ସେ ଚାଲିଯିବେ, ଏମିତି ସାରା ଦେଶ ଥିବା ବେଳେ ଲକ୍‌ଡାଉନ୍‌ରେ, ଆଉ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ମୁଁ ଯାଇପାରିବି ନାହିଁ- ଏମିତି କେବେ ଭାବି ନ ଥିଲି। ଏପ୍ରିଲ୍ ୨୬ ସନ୍ଧ୍ୟାରେ ଏ ଦୁଃସମ୍ବାଦଟି ପାଇ ସ୍ତମ୍ଭୀଭୂତ ହୋଇଯାଇଥିଲି । ୮୩ ବର୍ଷ ହୋଇଥିଲା ତାଙ୍କୁ, ମଝିରେ ମଝିରେ ଦେହ ଭଲ ରହୁ ନ ଥିଲା ତାଙ୍କର । ଏସବୁ ତ ଜାଣିଥିଲି । ମାତ୍ର ମାନସିକ ସ୍ତରରେ ତାଙ୍କ ସହିତ ଯୋଉ ସଂପର୍କ, ସେ ବୁଢ଼ା ହୋଇଯାଇଥିବାର କେବେ ମନେ କରି ନ ଥିଲି । କାରଣ ସେ ଲେଖି ଚାଲିଥିଲେ ଏବଂ ସବୁବେଳେ କହୁଥିଲେ: “ମୁଁ ଲେଖୁଛି ବୋଲି ବଞ୍ଚିଛି ଓ ବଞ୍ଚିଛି ବୋଲି ଲେଖୁଛି।” ସତରେ ସେ ଲେଖୁ ଲେଖୁ ଚାଲିଗଲେ । ତାଙ୍କ କଲମ କେବେ ଥକିପଡ଼ି ନ ଥିଲା । ସବୁବେଳେ ସେଥିରୁ ଝରୁଥିଲା ସ୍ରୋତସ୍ୱିନୀ ସୃଜନର ଧାରା।

ସୃଜନଶୀଳତାର ସେହି ଅମ୍ଳାନ ଅନିର୍ବାଣ ଶିଖାଟି ଥିଲା: ବିଜୟ ମିଶ୍ର, ଯାହା ଆଜି ଲିଭିଗଲା ଆମକୁ ଅମା ଅନ୍ଧାରରେ ଭିଜେଇ ଦେଇ । ଓଡ଼ିଆ ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର ଜଗତରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଲା।

ନବ ନାଟ୍ୟ ଆନ୍ଦୋଳନର ଅନ୍ୟତମ ସାରଥୀ ଭାବେ ବିଜୟ ମିଶ୍ରଙ୍କ ଅବଦାନ ଏ ଜାତି କେବେ ଭୁଲିପାରିବନାହିଁ। ସମ୍ଭବତଃ ୧୯୬୦ ମସିହାରେ ରଚିତ ‘ଜନନୀ’ ଥିଲା ତାଙ୍କ ପ୍ରଥମ ନାଟକ। ସେଇଠୁ ଆଜି ପର୍ଯ୍ୟନ୍ତ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ସେ ନିମଗ୍ନ ରହିଥିଲେ ନାଟ୍ୟ ରଚନାରେ । ତାଙ୍କ ରଚିତ ଅଜସ୍ର ନାଟକ ମଧ୍ୟରେ ‘ତଟ ନିରଂଜନା’, ‘ଶବବାହକମାନେ’, ‘ଜଣେ ରାଜା ଥିଲେ’, ‘ଯାଦୁକର’, ‘ବାନପ୍ରସ୍ଥ’ ପ୍ରଭୃତି ଅନେକ ନାଟକ ଓଡ଼ିଆ ନାଟ୍ୟଜଗତକୁ ରୁଦ୍ଧିମନ୍ତ କରିଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଥିଲେ ଅନନ୍ୟ କାହାଣୀକାର ତଥା ଚିତ୍ରନାଟ୍ୟ-ସଂଳାପ ଲେଖକ। ତାଙ୍କ ଚିତ୍ରନାଟ୍ୟ-ସଂଳାପର ଏତେ ଦମ୍ ଥିଲା ଯେ ଚଳଚ୍ଚିତ୍ରକୁ ବ୍ୟବସାୟିକ ସଫଳତା ଆଣିଦେଉଥିଲା । ସେଥିପାଇଁ ବସନ୍ତ ନାୟକଙ୍କ ଭଳି ବଡ଼ ବଡ଼ ପ୍ରଯୋଜକଙ୍କର ସେ ହିଁ ଥିଲେ ପ୍ରଥମ ପସନ୍ଦ । ବସନ୍ତ ନାୟକ ଚିତ୍ରନାଟ୍ୟ-ସଂଳାପ ଲେଖକ ଭାବେ ବିଜୟ ମିଶ୍ରଙ୍କୁ ‘ଯାଯାବର’, ‘ଯାହାକୁ ରଖିବେ ଅନନ୍ତ’, ‘ମା’, ‘ବାଦ୍‌ଶାହ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ମନ ରହିଗଲା ତୁମରିଠାରେ’, ‘ମୋ କୋଳ ତୋ ଝୁଲଣା’ ପ୍ରଭୃତି ବାରଟି ଚିତ୍ରରେ ନେଇଥିଲେ । ଏହା ଛଡ଼ା ଆହୁରି ଅନେକ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ସେ ଚିତ୍ରନାଟ୍ୟ-ସଂଳାପ ଲେଖିଛନ୍ତି । ସେଥିମଧ୍ୟରୁ ‘ତଅପୋଇ’, ‘ଝିଲିମିଲି’, ‘ଅଶାନ୍ତଗ୍ରହ’, ‘ରଜନୀଗନ୍ଧା’ ପ୍ରଭୃତି ଉଲ୍ଲେକନୀୟ । ନିଜେ ମଧ୍ୟ ‘ରଜନୀଗନ୍ଧା’ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ। ପ୍ରାୟ ୬୦ଟି ପୂର୍ଣ୍ଣାଙ୍ଗ ନାଟକ ଓ ୫୫ଟି ଚଳଚ୍ଚିତ୍ରର ଚିତ୍ରନାଟ୍ୟ-ସଂଳାପ ସେ ଲେଖିଥିଲେ ।

ଖାଲି ସେତିକି ନୁହେଁ, ସେ ଅନେକ ଟେଲି ସିରିଆଲ୍‌ର କାହାଣୀ-ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । ସେଥିମଧ୍ୟରେ ‘ତରଙ୍ଗ’ର ‘ଶ୍ରୀଜଗନ୍ନାଥ’ ସବୁଠୁ ଲୋକପ୍ରିୟ । ଜୀବନର ଶେଷ ପର୍ଯ୍ୟନ୍ତ ସେ ଲେଖୁଥିଲେ। ତାଙ୍କ ଅବଦାନ କେବେ ଭୁଲିବାର ନୁହେଁ। ନାଟକ ‘ଯାଦୁକର’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ନାଟକ ‘ବାନପ୍ରସ୍ଥ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ନାଟକ ‘ତଟ ନିରଂଜନା’ ପାଇଁ ତାଙ୍କୁ ମିଳିଥିଲା ଆକାଶବାଣୀ ପୁରସ୍କାର । ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଅନ୍ୟାନ୍ୟ ବହୁ ସମ୍ମାନ ସ୍ୱୀକୃତି ମିଳିଛି। ସେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି । ତେବେ ଏହି ପୁରସ୍କାର ପାଇଁ ନୁହେଁ, ତାଙ୍କ କୃତି ପାଇଁ ସେ ଚିରଦିନ ସ୍ମରଣୀୟ ରହିବେ।

ତାଙ୍କ ତିଆରି ଚରିତ୍ରମାନେ ସିନା ରଙ୍ଗମଞ୍ଚ ଓ ଚଳଚ୍ଚିତ୍ରର ନାୟକ ଭାବେ ଦର୍ଶକଙ୍କ ସାମ୍ନାରେ ପ୍ରଶଂସା ଓ କରତାଳି ପାଇଛନ୍ତି, ମାତ୍ର ପରଦା ପଛର ମହାନାୟକ ଯେ ବିଜୟ ମିଶ୍ର, ଏହା କେହି ଅସ୍ୱୀକାର କରିପାରିବେ ନାହିଁ । ଏ ମାଟିର ସେହି ମହାନାୟକଙ୍କୁ ମୋର ସଲାମ୍। ଶେଷ ସଲାମ୍।

Related story