ନାରୀ ସଶକ୍ତ ବୋଲି ସବୁଆଡେ ଡ଼ିଣ୍ଡିମ ପିଟାଯାଉଛି । ପ୍ରକୃତରେ କ’ଣ ନାରୀ ସଶକ୍ତ ? ନାରୀ ବିନା ସୃଷ୍ଟି ଅସମ୍ଭବ। ତାପରେ ବି କନ୍ୟା ଭ୍ରୁଣ ହତ୍ୟା , ନାରୀ ନିର୍ଯ୍ୟାତନା, ନାବାଳିକା ଦୁଷ୍କର୍ମ ଘଟଣା ଘଟୁଛି। ପ୍ରତ୍ୟେକ ଦିନ ଆମେ ଖବର କାଗଜ ହେଉ କିମ୍ବା ଟିଭିରେ ଏ ସବୁ ସମ୍ବେଦନଶୀଳ ଘଟଣା ଜାଣିବାଜୁ ପାଉଛେ । ବର୍ତ୍ତମାନ ୩ଟି ମାମଲା ଆମ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି । ଯିଏ ଆମମାନଙ୍କୁ ସୁରକ୍ଷା ଯୋଗାନ୍ତି ସିଏ ହିଁ ଥିଲେ ମୁଖ୍ୟ ଖଳନାୟକ। ସେଇ ଲୋକଙ୍କ ଦ୍ୱାରା ଆଜି ନାବାଳିକାଟି ଦୁଷ୍କର୍ମର ଶିକାର ହେଉଛି । ସେଇ ଲୋକଙ୍କ କ୍ୟାମ୍ପରେ ନାରୀ ଧର୍ଷଣ ହୋଇ ତାର ଜୀବନ ହରାଉଛି ।
ଏଇଠି ପ୍ରଶ୍ନ ଉଠୁଛି ନାରୀଟି କେତେ ସୁରକ୍ଷିତ ? କେତେ ସସକ୍ତ ? ଯେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ସେହି ସମୟରେ ଟିଭି ହେଉ ଅବା ପେପର ସେଇ ପ୍ରସଙ୍ଗ ଆଲୋଚନା ହୁଏ। କିଛି ପ୍ରମୁଖ ରାଜନୈତିକ ଦଳର ବ୍ୟକ୍ତି ରାଜଧାନୀରେ ଆନ୍ଦୋଳନ, କ୍ୟାଣ୍ଡେଲ ଶୋଭାଯାତ୍ରାରେ ମାତନ୍ତି। ବାସ୍ ହୋହାଲ୍ଲା ଏତିକିରେ ସୀମିତ ରୁହେ ପ୍ରସଙ୍ଗ। ଆଉ ପରେ ଥଣ୍ଡା ପଡ଼ିଯାଏ। ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ଆଗକୁ ଆସିଲେଣି ,କିନ୍ତୁ କେବେ ସମସ୍ତ ନାରୀ ଏକାଠି ହେଉନାହାନ୍ତି ।
ସମାଜସେବୀ ,ରାଜନୈତିକ ନେତ୍ରୀ କିମ୍ବା ଅନ୍ୟ ଯେ କୌଣସି କ୍ଷେତ୍ରର ହୁଅନ୍ତୁ ସମସ୍ତେ ଏକତ୍ରିତ ହେଉନାହାନ୍ତି । ଯଦ୍ୱାରା କି ଏପରି ଘଟଣା ପ୍ରତ୍ୟେକ ଦିନ ଘଟୁଛି । କେଉଁଠି ରାଜନୈତିକ ଚାପ ପଡ଼ୁଛି ତ କେଉଁଠି ଅନ୍ୟ କିଛି କାରଣ ପାଇଁ ଦୋଷୀ ନିର୍ଦୋଷରେ ଖସି ଯାଉଛି । ପ୍ରତି ଦିନ ସମାଜ ସେବା ଓ ରାଜନୀତିରେ ନୂଆ ନୂଆ ମହିଳାଙ୍କ ଚେହେରା ସାମ୍ନାକୁ ଆସୁଛି । ହେଲେ ଏ ସମସ୍ତେ କିଛି ନିର୍ଦ୍ଦିଷ୍ଟ ସମସ୍ୟାକୁ ନେଇ ଆଗକୁ ଆସୁନାହାନ୍ତି । କେବଳ ରାଜଧାନୀରେ ରହି ହୋହଲ୍ଲା କରୁଛନ୍ତି ।
ଯେତେବେଳେ ସମସ୍ତ ନାରୀମାନେ ସଂଗଠିତ ହୋଇ ଏକତ୍ରିତ ହେବେ ସେ ସମୟରେ ଯାଇ ନାରୀଟିଏ ସସକ୍ତ ହୋଇପାରିବ। ଅବା ନାରୀଟିକୁ ଉଚିତ ସମ୍ନାନ ମିଳିପାରିବ । ହେଲେ ଏଠି ଆମର ୩ ପ୍ରମୁଖ ଦଳରେ ଥିବା ମହିଳା ନିଜର ସ୍ୱାର୍ଥ ପାଇଁ ନିର୍ଦ୍ଧିଷ୍ଟ କେଶରେ ଏକାଠି ହେଉନାହାଁନ୍ତି । ସେମିତି କୌଣସି ସମାଜସେବୀକା ମାନେ ମଧ୍ୟ ଟିଭି ର ଆଲୋଚନା ଛଡ଼ା ଏକାଠି ହେଉନାହାଁନ୍ତି ।
ବର୍ତ୍ତମାନ ଏଠି ପ୍ରଶ୍ନ ଉଠୁଛି ବୀରମିତ୍ର ପୁର ଥାନାରେ ଘଟିଥିବା ୧୩ ବର୍ଷର ନିରୀହ ନାବାଳିକାଟି ପାଇଁ କାହିଁକି ସମସ୍ତେ ଏକଜୁଟ ହେଉନାହାଁନ୍ତି । କାହିଁକି କମାକ୍ଷାନଗରରେ ମହିଳାଙ୍କ ଏତଲାକୁ ରଖାଗଲା ନାହିଁ କାହିଁକି ? ମାଲକାନଗିରିରେ ପୁଲିସ କ୍ୟାମ୍ପରେ ମହିଳା ମୃତ୍ୟୁବରଣ କରିବା ଆଜିକୁ ୨ମାସ ହୋଇସାରିଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟ ଆସିପରିଲାନି । ସମସ୍ତେ ଯଦି ସଙ୍ଗଠିତ ହୋଇ ଏକ ସ୍ୱର ଉଠାନ୍ତେ ତେବେ ରକ୍ଷକ କେବେ ଭକ୍ଷକ ସାଜିବାକୁ ସାହସ କରନ୍ତାନି । ଆମେ ଯଦି ପୁରାଣ କୁ ଦେଖିବା ବା ଇତିହାସକୁ ପଢ଼ିବା ତେବେ ମା’ ଦୂର୍ଗା , ମା’ କାଳୀ ମଧ୍ୟ ଦୁଷ୍ଟ ଲୋକଙ୍କୁ ଦମନ କରିଥିଲେ ।
ରାଣୀ ଝାନ୍ସି ଲଷ୍ମୀବାଇ ମଧ୍ୟ ଜିତି ଥିଲେ । ଯଦି ଆମ ନାରୀ ଜାତି ଏକତ୍ରିତ ହୋଇ ସଂଗଠିତ ହେବା ତାହାଲେ ଏ ସମାଜରେ ନାରୀଙ୍କୁ ଉଚିତ ସନମାନ ମିଳିପାରିବ । ନଚେତ ଏମିତି କୁନ୍ଦୁଲି , ପିପିଲି , ଢେଙ୍କାନାଳ କମାକ୍ଷାନଗର ମାମଲା, ମାଲକାନଗିରିର ସେ ମହିଳା ଓ ବୀରମିତ୍ର ପୁରର ନାବାଳିକାଙ୍କ ପରି ଗୋଟେ ପରେ ଗୋଟେ କେସ ହେଉଥିବ । କୁନ୍ଦୁଲି ଘଟଣାରେ ମଧ୍ୟ ଡିଜିପି କ୍ଷମା ମାଗିଥିଲେ। ବୀରମିତ୍ର ପୁର ଘଟଣାରେ ମଧ୍ୟ ସମାନ କଥା । ଏମିତି କେତେ ଘଟଣାରେ କ୍ଷମା ମିଳୁଥିବା ଦରକାର ? ତେବେ ଏଠି ‘ମୋ ପୁଲିସ’ ଯୋଜନାଟି କାହା ପାଇଁ ବୋଲି ପ୍ରଶ୍ନ ଉଠିଛି ?
ଯେଉଁ ଅଫିସରେ ତ୍ୟାଗ ,ସଞ୍ଜମ ଓ ଶୃଙ୍ଖଳା ଦେଖିବାକୁ ମିଳେ ବୋଲି ସମସ୍ତଙ୍କର ଆଶା ଥାଏ ସେଠି କିନ୍ତୁ ଏପରି ଲଜ୍ଜାଜନ ଘଟଣା ଘଟୁଛି।
ବୋଧହୁଏ ଏହାକୁ ଅନୁଭବ କରି ପାରିଥିଲେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ। ଲେଖିଥିଲେ:
"ଜନ୍ମ ଆମର ମଣିଷ କୋଳରେ
ନାହିଁ ଇଜ୍ଜତ ମାନ,
ଆମ ଝିଅବୋହୂ ସବୁରି ଶାଳୀ ହେ
ଆମେ ଶଳା ସଇତାନ।"
ଆଉ ସଭ୍ୟ ସମାଜ ସବୁ ଦେଖିବି ନୀରବଦ୍ରଷ୍ଟା ସାଜିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।