ଆର୍ଯ୍ୟନଙ୍କୁ ଜାମିନ ମିଳିଲା; କିନ୍ତୁ, ଅନେକ ପ୍ରଶ୍ନର ଉତ୍ତର ମିଳିନି

ସିନ୍ଧୁଜ୍ୟୋତି ତ୍ରିପାଠୀ ପଇସାବାଲାଙ୍କ ଅବସର ବିନୋଦନ ପାଇଁ ଉଦ୍ଦିଷ୍ଟ ‘କର୍ଡେଲିଆ’ ନାମକ ବିଳାସପୂର୍ଣ୍ଣ ଜଳଜାହାଜରେ ରାତ୍ରିକାଳୀନ ଆସର(କ୍ରୁଜ୍‌ ପାର୍ଟି) ହେଉଥିଲା। ସେହି ଦିନ ସେଠାରେ ଉପସ୍ଥିତି ଥିଲେ ବଡ଼-ବଡ଼ିଆଙ୍କ ଶତାଧିକ ଉଚ୍ଛୃଙ୍ଖଳ ପୁଅଝିଅ। ଆହୁରି ମଧ୍ୟ ଉପସ୍ଥିତ ଥିଲେ ଅବୈଧ ନିଶା କାରବାରୀ, ଅପରାଧୀ, ବାରାଙ୍ଗନା, ଉତ୍ସବ ପରିଚାଳନା(ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌) କରୁଥିବା ଏକ କଂପାନିର ବିଭିନ୍ନ ପେସାଦାର ଓ ଘରୋଇ ଗୁଇନ୍ଦା। କାହା ପାଖରେ ଅବୈଧ ନିଶା ଗଚ୍ଛିତ ଥିଲା ତ କିଏ ନିଶା ଖାଇ ମସଗୁଲ […]

aryan

Debendra Prusty
  • Published: Saturday, 30 October 2021
  • , Updated: 30 October 2021, 12:23 PM IST

ସିନ୍ଧୁଜ୍ୟୋତି ତ୍ରିପାଠୀ

ପଇସାବାଲାଙ୍କ ଅବସର ବିନୋଦନ ପାଇଁ ଉଦ୍ଦିଷ୍ଟ ‘କର୍ଡେଲିଆ’ ନାମକ ବିଳାସପୂର୍ଣ୍ଣ ଜଳଜାହାଜରେ ରାତ୍ରିକାଳୀନ ଆସର(କ୍ରୁଜ୍‌ ପାର୍ଟି) ହେଉଥିଲା। ସେହି ଦିନ ସେଠାରେ ଉପସ୍ଥିତି ଥିଲେ ବଡ଼-ବଡ଼ିଆଙ୍କ ଶତାଧିକ ଉଚ୍ଛୃଙ୍ଖଳ ପୁଅଝିଅ। ଆହୁରି ମଧ୍ୟ ଉପସ୍ଥିତ ଥିଲେ ଅବୈଧ ନିଶା କାରବାରୀ, ଅପରାଧୀ, ବାରାଙ୍ଗନା, ଉତ୍ସବ ପରିଚାଳନା(ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌) କରୁଥିବା ଏକ କଂପାନିର ବିଭିନ୍ନ ପେସାଦାର ଓ ଘରୋଇ ଗୁଇନ୍ଦା। କାହା ପାଖରେ ଅବୈଧ ନିଶା ଗଚ୍ଛିତ ଥିଲା ତ କିଏ ନିଶା ଖାଇ ମସଗୁଲ ଥିଲା। ଅବୈଧ ନିଶା ନିୟନ୍ତ୍ରଣ ବିଭାଗ ବା ନାର‌୍‌କୋଟିକ୍‌ କଂଟ୍ରୋଲ୍‌ ବ୍ୟୁରୋର କର୍ମଚାରୀମାନେ ହଠାତ୍‌ ଚଢ଼ାଉ କଲେ। କିଛି ଖସିଗଲେ ଏବଂ କିଛି ଧରାପଡ଼ିଲେ। ଯେଉଁମାନେ ଧରାପଡ଼ିଲେ, ସେମାନଙ୍କ ଭିତରେ ଥିଲେ ବଲିଉଡ୍‌ ସୁପର‌୍‌ ଷ୍ଟାର‌୍‌ ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ। ଏହି ନାମଟି ହିଁ ଏକ ବଡ଼ ଖବର ପାଇଁ ଖୋରାକ ସୃଷ୍ଟି କଲା ଏବଂ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସର୍ବତ୍ର ଚର୍ଚ୍ଚା ସଙ୍ଗକୁ ଗୁଜବ ପ୍ରସାରଣ ଆରମ୍ଭ ହୋଇଗଲା, ଯାହା ଘଟନାର ଦୀର୍ଘ ସତେଇଶ ଦିନ ପରେ ବି ଥମିବାର ନାଁ ଧରୁନାହିଁ।

ପ୍ରଥମେ ଆଲୋଚନା, ସମାଲୋଚନା ଓ ପର୍ଯ୍ୟାଲୋଚନାର ମୁଖ୍ୟ ବିଷୟ ଥିଲେ ଆର୍ଯ୍ୟନ। ତାଙ୍କ ପରେ ପରେ ପ୍ରେକ୍ଷାପଟକୁ ଆସିଥିଲେ ଉକ୍ତ ଚଢ଼ାଉର ନେତୃତ୍ବ ନେଇଥିବା ନାର‌୍‌କୋଟିକ୍‌ କଂଟ୍ରୋଲ୍‌ ବ୍ୟୁରୋର ଆଞ୍ଚଳିକ ନିର୍ଦେଶକ ବା ଜୋନାଲ୍‌ ଡାଇରେକ୍‌ଟର‌୍‌ ସମୀର ୱାନଖେଡ଼େ। ପ୍ରଥମେ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଏକ ମାତ୍ର ଆର୍ଯ୍ୟନ। ଆଉ ଏବେ ଖୋଦ୍‌ ଚଢ଼ାଉକାରୀ ଅଧିକାରୀ ସମୀରଙ୍କ ବିରୋଧରେ ଗଣ୍ତା ଗଣ୍ତା ଅଭିଯୋଗ! ପଚିଶ ଦିନ ବିଚାର ବିଭାଗୀୟ ହାଜତ ବା ଜେଲ୍‌ରେ ଅଟକ ରହିବା ପରେ ଆର୍ଯ୍ୟନଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଛନ୍ତି। ଅପରପକ୍ଷେ ସମୀରଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତରେ ବନ୍ଦ କରିବା ପାଇଁ ଉଦ୍ୟମ ଚଳାଇଛି ମୁମ୍ବାଇ ପୁଲିସ୍‌। ସଂଭାବ୍ୟ ଗିରଫଦାରି ଏଡ଼ାଇବା ପାଇଁ ସମୀର ବମ୍ବେ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ ଅଗ୍ରାହ୍ୟ କରିଦିଆଯାଇଛି। ରାୟରେ ତାଙ୍କ ସପକ୍ଷରେ ପଦଟିଏ ମାତ୍ର ଅଛି; ଏବଂ ତାହା ହେଉଛି, ଗିରଫଦାରି ପୂର୍ବରୁ ତାଙ୍କୁ ତିନି-ଦିନିଆ ନୋଟିସ୍‌ ଦିଆଯିବ।

ଏ ଥର ପୁଣି ଥରେ ମୂଳରୁ ଆରମ୍ଭ କରିବା। ଆର୍ଯ୍ୟନଙ୍କ ଗିରଫଦାରି ପରେ ପରେ ସାରା ବଲିଉଡ୍‌, ତାଙ୍କ ପ୍ରତି ଅଭୂତପୂର୍ବ ସମର୍ଥନ ଦେଖାଇଥିଲା, ଯେ ପରି ଅବୈଧ ନିଶା ସେବନ କରିବା, ତାଙ୍କର ଜନ୍ମଗତ ଅଧିକାର। ବାରମ୍ବାର ବଲିଉଡ୍‌ କଳାକାରମାନଙ୍କୁ ଟାର୍ଗେଟ୍‌ କରାଯାଉଥିବା ଅନେକ ପ୍ରତିଷ୍ଠିତ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକ ଆଦି ଖୋଲାଖୋଲି ମତ ଦେଇଥିଲେ। ଏହାର ଉତ୍ତରରେ ସମୀର ସେତେ ବେଳେ କହିଥିଲେ, ସେ କାହାକୁ ଟାର୍ଗେଟ୍‌ କରିନାହାନ୍ତି। ନିଶା ବେପାରୀ ଓ ନିଶାଖୋରଙ୍କୁ ଧରିବା, ତାଙ୍କର ତଥା ତାଙ୍କ ବିଭାଗର କାର୍ଯ୍ୟ। ସେମାନେ ବର୍ଷ ତମାମ ବହୁ ନିଶା ବେପାରୀଙ୍କୁ ଧରିବା ସହ ବିପୁଳ ପରିମାଣର ନିଶା ଜବତ କରୁଥିଲେ ହେଁ ଗଣମାଧ୍ୟମଗୁଡ଼ିକ ଖବର ପ୍ରସାରଣ କରୁ ନ ଥିବାରୁ କେହି ଜାଣିପାରନ୍ତିନାହିଁ। କେବଳ ସେଲିବ୍ରିଟି ସ୍ତରୀୟ କେହି ଧରାପଡ଼ିଲେ ଅନବରତ ଖବର ପ୍ରସାରଣ ଚାଲେ।

ସେ ଯାହା ହେଉ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ନିମ୍ନ ଅଦାଲତ ଅଗ୍ରାହ୍ୟ କଲା ପରେ ସେ ଉଚ୍ଚ ନ୍ୟାୟାଳୟକୁ ଯାଇ ଜାମିନ ଲାଭ କଲେ। ତାଙ୍କ ଜାମିନ ଶୁଣାଣି ତିନି ଦିନ ଚାଲିଥିଲା। ତାଙ୍କ ବିରୋଧରେ ସରକାରୀ ଓକିଲ ବିଶେଷ କିଛି ତଥ୍ୟ-ପ୍ରମାଣ ଅଦାଲତରେ ଉପସ୍ଥାପିତ କରିପାରି ନ ଥିଲେ। ଅପରପକ୍ଷେ ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ଅଦାଲତଙ୍କ ସାମନାରେ ଉପସ୍ଥାପିତ କରିଥିଲେ ତିନିଟି ବଳିଷ୍ଠ ଯୁକ୍ତି। ୧. ଗିରଫଦାରି ଚିଠାରେ ଗିରଫଦାରିର ଠିକ୍‌ କାରଣ ଦର୍ଶାଯାଇନାହିଁ; ୨. ଅଭିଯୁକ୍ତଙ୍କ ନିକଟରୁ କୌଣସି ଅବୈଧ ନିଶା ଜବତ ହୋଇନାହିଁ କି ସେ ନିଶା ସେବନ କରିଥିବାର ପ୍ରମାଣ ନାହିଁ; ୩. ହ୍ୱାଟ୍‌ସଆପ୍‌ ଚାଟିଂ ସହ କ୍ରୁଜ୍‌ ପାର୍ଟିର କୌଣସି ସଂପର୍କ ନାହିଁ ଏବଂ ତାହା ପ୍ରମାଣ ଦୃଷ୍ଟିରୁ ଅଗ୍ରହଣୀୟ। ଅଭିଯୁକ୍ତଙ୍କ ଓକିଲଙ୍କ ଯୁକ୍ତିକୁ ଅଦାଲତ ଗ୍ରହଣ କଲେ ଏବଂ ଜାମିନ ଦେଲେ। ବଲିଉଡ୍‌ରେ ପୁଣି ଆନନ୍ଦର ଲହରି ଖେଳିଗଲା। ଗାୟକ-ସଂଗୀତଜ୍ଞ ମିକା କହିଲେ- ଭଗବାନ୍‌ଙ୍କ ଘରେ ବିଳମ୍ବ ହୁଏ; କିନ୍ତୁ, ନ୍ୟାୟ ମିଳେ। ନିର୍ମାତା-ନିର୍ଦେଶକ ସଂଜୟ ଗୁପ୍ତା କହିଲେ- କରି ନ ଥିବା ଅପରାଧ ପାଇଁ ଆର୍ଯ୍ୟନ ପଚିଶ ଦିନ ଜେଲ୍‌ରେ ରହିଲେ। ଶାହରୁଖଙ୍କ ମ୍ୟାନେଜର‌୍‌ ପୂଜା ଦାଦଲାନୀ କହିଲେ- ଭଗବାନ୍‌, ସମସ୍ତଙ୍କ ପ୍ରାର୍ଥନା ଶୁଣିଲେ। କଂଗ୍ରେସ୍‌ର ରାଜ୍ୟ ସଭା ସାଂସଦ କେଟିଏସ୍‌ ତୁଲସୀ କହିଲେ- ଅବୈଧ ନିଶା ଏବେ ସମସ୍ତଙ୍କ ଜୀବନର ଏକ ଅଂଶ ହୋଇଗଲାଣି। ସୁରାପାନ, ଗୁଟଖା ଓ ତମାଖୁ ସେବନ ପରି ଏହାକୁ ଅନୁମତି ଦିଆଯାଉ ଏବଂ ଏହା ଉପରେ କର ବସାଯାଉ। ୧୯୮୫ର ନାର‌୍‌କୋଟିକ୍‌ ଡ୍ରଗ୍‌ସ ଆଣ୍ତ୍‌ ସାଇକୋଟ୍ରପିକ୍‌ ସବ୍‌ଷ୍ଟାନେସ୍‌ ଆକ୍‌ଟ ମାଧ୍ୟମରେ ଲୋକଙ୍କୁ ଅଯଥା ହଇରାଣ-ହରକତ କରାଯାଉଥିବାରୁ, ଏଥିରେ ପରିବର୍ତ୍ତନ ଅଣାଯାଉ।

ତେବେ, ଆର୍ଯ୍ୟନଙ୍କ ଜାମିନ ସହ ଏହି ଅଧ୍ୟାୟର ଅନ୍ତ ହୋଇନାହିଁ କି ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ। ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନଵାବ ମଲିକ ତେଣୁ ମନ୍ତବ୍ୟ ଦେଇଛନ୍ତି- ‘ପିକ୍‌ଚର‌୍‌ ଅଭୀ ବାକୀ ହୈ ମେରେ ଦୋସ୍ତ।’ ଏହାର ଅର୍ଥ କ’ଣ? ଏହା ଦ୍ୱାରା ସେ କ’ଣ ସୂଚାଉଛନ୍ତି? ଶାହରୁଖ ପୁତ୍ରଙ୍କ ଗିରଫଦାରି ନେଇ କେନ୍ଦ୍ରର ଭାଜପା ସରକାର ଏବଂ ମହାରାଷ୍ଟ୍ରର ଶିବ ସେନା-ଏନ୍‌ସିପି ସରକାର ମୁହାଁ-ମୁହିଁ ସ୍ଥିତିରେ କି? ଆର୍ଯ୍ୟନଙ୍କ ଗିରଫଦାରି ପରଠାରୁ ମୁଖ୍ୟତଃ ନଵାବ ହିଁ ନିଶା ନିୟନ୍ତ୍ରଣ ବିଭାଗର ଅଧିକାରୀ ସମୀର ୱାନଖେଡ଼େଙ୍କୁ ଟାର୍ଗେଟ୍‌ କରିଆସିଛନ୍ତି। ଆର୍ଯ୍ୟନଙ୍କ ମୁକ୍ତି ପାଇଁ ସମୀର ପଚିଶ କୋଟି ଟଙ୍କା ଦାବି କରିଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ତାହା ପରେ କୁହାଗଲା, ଆର୍ଯ୍ୟନଙ୍କୁ ଫସାଇବା ପାଇଁ ସମୀର ମିଛ ସାକ୍ଷୀଙ୍କ ଆଶ୍ରୟ ନେଇଛନ୍ତି, ଯେଉଁମାନେ କୌଣସି ନା କୌଣସି ପ୍ରକାରେ ଭାରତୀୟ ଜନତା ପାର୍ଟି ସହ ସଂପର୍କିତ। ନବାବ ଆଣିଥିବା ଏକ ଅଭିଯୋଗ ଅନୁଯାୟୀ ସମୀରଙ୍କ ପ୍ରକୃତ ନାମ- ସମୀର ଦାଉଦ ୱାନଖେଡ଼େ ଏବଂ ସେ ମୁସଲମାନ। ସେ ମୁସଲମାନ ବ୍ୟକ୍ତିଗତ ଆଇନ ଅନୁଯାୟୀ ‘ନିକାହ’ କରିଥିଲେ। ଆଉ ସେ ଅନୁସୂଚିତ ଜାତି ବର୍ଗରେ ଭାରତୀୟ ରାଜସ୍ୱ ସେବା(ଆଇଆର‌୍‌ଏସ୍‌) ଚାକିରି ପାଇଥିବାରୁ, ତାଙ୍କ ବିରୋଧ ମକଦମା ରୁଜୁ କରାଯିବା ସହ ଚାକିରିରୁ ବହିଷ୍କାର କରାଯାଉ। କାରଣ, ମୁସଲମାନମାନ ସଂପ୍ରଦାୟରେ ଅନୁସୂଚିତ ଜାତି ନାହିଁ। ସମୀର ପିନ୍ଧୁଥିବା କିଛି କମିଜର ମୂଲ୍ୟ ୫୦ ହଜାରରୁ ଅଧିକ, ବେଲ୍‌ଟର ମୂଲ୍ୟ ଏକ ଲକ୍ଷରୁ ଅଧିକ ଏବଂ ଘଣ୍ଟାର ମୂଲ୍ୟ ୧୨-୧୫ ଲକ୍ଷ ଟଙ୍କା। ସମୀରଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ଆସିବା ପରେ ମୁମ୍ବାଇ ପୁଲିସ୍‌ର ଏକ ଚାରି-ଜଣିଆ ତଦନ୍ତକାରୀ ଦଳ ଅନୁସନ୍ଧାନ ଆରମ୍ଭ କରିଛି। ତାଙ୍କୁ ଏପରିକି ଗିରଫ ମଧ୍ୟ କରାଯାଇପାରେ। ତେଣୁ, ସେ ଆଶଙ୍କା କରି ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଅଗ୍ରାହ୍ୟ ହୋଇଯାଇଛି।

ଆର୍ଯ୍ୟନ ଗିରଫଦାରି ମାମଲାରେ ମୁମ୍ବାଇ ପୁଲିସ୍‌ ମନୀଷ ଭାନୁଶାଲୀ ନାମକ ବ୍ୟକ୍ତିଙ୍କୁ ଜେରା କରିବା ପାଇଁ ସମନ୍‌ ପଠାଇଛି। ମନୀଷ ହିଁ କ୍ରୁଜ୍‌ ପାର୍ଟି ସଂପର୍କରେ ସମୀରଙ୍କୁ ସୂଚନା ଦେଇଥିଲେ। ଚଢ଼ଉ ବେଳେ ସେ ଉପସ୍ଥିତ ଥିଲେ ଏବଂ ଅନ୍ୟତମ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟଙ୍କ ହାତକୁ ଭିଡ଼ି ଧରିଥିଲେ। ସେ ଜଣେ ଭାଜପା କର୍ମୀ। ଚଢ଼ଉ ବେଳେ ଉପସ୍ଥିତ ଥିବା ଜଣେ ଘରୋଇ ଗୁଇନ୍ଦା କେପି ଗୋସାବୀଙ୍କୁ ଏକ ପୁରୁଣା ଠକେଇ ମାମଲାରେ ପୁଣେ ପୁଲିସ୍‌ ଗିରଫ କରିଛି। ଆର୍ଯ୍ୟନଙ୍କ ମୁକ୍ତି ପାଇଁ ସମୀରଙ୍କ ପକ୍ଷରୁ ସେ ଶାହରୁଖଙ୍କୁ ପଚିଶ କୋଟି ଟଙ୍କା ମାଗିଥିବାର ଅଭିଯୋଗ ହୋଇଥିଲା। ଏସବୁରୁ ଯାହା ଜଣାପଡ଼ୁଛି, ସାରୁ ଭିତରେ କିଛି ମାରୁ ଅଛି ଏବଂ ମାମଲାର ଅନ୍ତ ହୋଇନାହିଁ; ବରଂ ପ୍ରକୃତ ମାମଲା ଏବେ ଆରମ୍ଭ ହେଲା ବୋଲି କହାଯାଇପାରେ।

Related story