ବ୍ୟାଙ୍କ ଲୁଟ୍‌ ଏବେ ବୈଧ!

  • ପ୍ରଫୁଲ୍ଲ ସାମନ୍ତରା

୨୦୧୪ ନିର୍ବାଚନରେ ଖୁବ୍ ଆକର୍ଷଣ ଓ ପ୍ରଭାବଶଳୀ ଇସ୍ତାହାର ଥିଲା ବିଜେପିର। ବିଶେଷ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଥିଲା ଭୋଟରମାନଙ୍କ ମଧ୍ୟରେ ବିଶ୍ୱାସଯୋଗ୍ୟ। ତାହା ମଧ୍ୟରେ ଥିଲା କଳାଧନ ବିଦେଶରୁ ଫେରିବ, ଭଷ୍ଟ୍ରାଚାର ମୁକ୍ତ ଶାସନ ପାଇଁ ‘ଖାଇବି ନାହିଁ କି ଖାଇବାକୁ ଦେବି ନାହିଁ’ ସ୍ଲୋଗାନ। କଳାଧନ ଫେରିବ ନାହିଁ ବୋଲି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜଣାଇ ଦେଲେ ଯେ କଳା ଧନ ଫେରାଇ ଆଣି ପ୍ରତ୍ୟେକ ପରିବାରର ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବା ପ୍ରତିଶ୍ରୁତି ଥିଲା ଏକ ନିର୍ବାଚନ ଜୁମଲା।

ଏବେ ପ୍ରଥମ ପାଞ୍ଚ ବର୍ଷ ପରେ ପୁନଃ କ୍ଷମତାକୁ ଫେରି ଶାସନ କରିବାର ଅବଧି ୭ ବର୍ଷ ଶେଷ ହେଲାଣି। ଏ ମଧ୍ୟରେ କେତେ ଦୂଷିତ ଜଳ, ଆବର୍ଜନା ଏପରିକି ମାଳ ମାଳ ଶବ ଗଙ୍ଗାନଦୀରେ ବୋହି ଯାଇଛି। କିଂତୁ ଶାସନଟି ଦୁର୍ନୀତି ମୁକ୍ତ ହୋଇପାରିଛି କି? ବରଂ ସରକାରୀ ଆୟ କମିଛି, ତଥା ରାଷ୍ଟ୍ରୀୟ ଉତ୍ପାଦନହାର ବିଯୁକ୍ତ ୪କୁ ଚାଲିଯାଇଛି, ଶ୍ରମିକ ଓ ଚାଷୀଙ୍କ ଆୟ ହ୍ରାସ ହୋଇଛି। ଛୋଟ ଓ ଠେଲା ଦୋକାନୀମାନଙ୍କର ଜୀବିକା ବନ୍ଦ ହୋଇଯାଇଛି। ଲକ୍ଡ଼ାଉନ୍ ସଟ୍‌ଡାଉନ ବେଳେ ସମଗ୍ର ଜନତାଙ୍କ ମଧ୍ୟରୁ ୯୭ ପ୍ରତିଶ୍ରୁତିଙ୍କ ଆୟ କମିଛି। ତେଇଶ କୋଟି ଲୋକ ନୂଆକରି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଆସିଛନ୍ତି। ଆଉ ୩ କୋଟି ଲୋକ ଉଚ୍ଚ ମଧ୍ୟବିତ୍ତରୁ ଖସି ନିମ୍ନ ତାଲିକାକୁ ଆସିଛନ୍ତି। ଏହି ସମୟରେ ଆମଦେଶର ଆରବପତିମାନଙ୍କ ସଂଖ୍ୟା ୧୦୩ରୁ ୧୪୦କୁ ବୃଦ୍ଧି ହୋଇଛି। ଅମ୍ବାନୀ କଂପାନୀର ୧,୫୨,୦୦୦ କୋଟି ଓ ଆଦାନୀ କଂପାନୀର ୧,୧୫,୦୦୦ କୋଟି ଟଙ୍କା ଗୋଟିଏ ବର୍ଷରେ (୧୯୨୦-୨୧) କୋଭିଡ଼ ବେଳେ ସଂପତ୍ତି ବୃଦ୍ଧି ହୋଇଛି। ଏହା ସମ୍ଭବପର କିପରି ହୋଇପାରିଲା? ଲୋକଙ୍କ ଦୁର୍ଦ୍ଦଶା ସମୟରେ ସରକାରୀ ସହଯୋଗରେ ଟିକସରେ, କଷ୍ଟମଡ୍ୟୁଟିରେ, ଏକସାଇଜ ଡ୍ୟୁଟିରେ, ଖଣି ଗ୍ୟାସ ଲିଜ ବେଳେ ଏହି ଦୁଇ କଂପାନୀ ସମେତ ବିଭିନ୍ନ ଉପାୟରେ ବହୁ କଂପାନୀଙ୍କୁ ବିଭିନ୍ନ ରିହାତି ଦିଆଯାଇଛି।

ସବୁଠାରୁ ନାଟକୀୟ ଢଙ୍ଗରେ ରାଷ୍ଟ୍ରୀୟ ବ୍ୟାଙ୍କମାନଙ୍କଠାରୁ ଋଣ ନେଇ ନ ଶୁଝିବା ପାଇଁ ବାଟ କରିଦିଆଯାଇଛି। ଏନପିଏ ନାମରେ କଂପାନୀଗୁଡ଼ିକ ନେଇଥିବା ଋଣ ୨୦୧୮ ମାର୍ଚ୍ଚ ସୁଦ୍ଧା ୧୦.୩୬ ଲକ୍ଷ କୋଟି ଟଙ୍କା ଥିଲା ଓ ସେଥିମଧ୍ୟରୁ ମାତ୍ର ୧,୭୭,୯୩୧ କୋଟି ଟଙ୍କା ଫେରାଇଛନ୍ତି। ଆଉ ବାକି ଟଙ୍କା ଅନାଦେୟ ହିସାବକୁ ଚାଲିଯାଇଛି। କାହିଁକି? ଯେଉଁ କଂପାନୀମାନେ ଋଣ ନେଇ ଦେବାଳିଆ ଘୋଷଣା କରି ନୀରବତା ଅବଲମ୍ବନ କରୁଛନ୍ତି ସେମାନଙ୍କ ସ୍ଥାବର ଅସ୍ଥାବନର ସମ୍ପତ୍ତି କାହିଁକି ଜବତ ହେଉନାହିଁ? ବରଂ ନୂଆ ଋଣ ପୁଣି ପରେ ଦିଆଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କ୍ଷତି ଦେଖାଇ ଘରୋଇ କଂପାନୀକୁ ଶସ୍ତାରେ ହସ୍ତାନ୍ତର କରାଯାଉଥିବା ବେଳେ ସରକାର କିନ୍ତୁ ଭ୍ରଷ୍ଟାଚାରରୁ ମୁକ୍ତ? ଏପରି ଏନପିଏର ସମାଲୋଚନାକୁ ଏଡ଼ାଇବା ପାଇଁ ଋଣ ଆଦାୟକୁ କଡ଼ାକଡ଼ି କରିବା ବଦଳରେ ବ୍ୟାଙ୍କ ଋଣ ନେଇ ଲୁଟ କରି ଅନ୍ୟକୁ ପୁଣି ସେହି ପ୍ରକଳ୍ପକୁ ଅତି ଶସ୍ତାରେ ହସ୍ତାନ୍ତର କରିବା ପ୍ରକ୍ରିୟାକୁ ଏବେ ମାନ୍ୟତା ଦିଆଯାଇଛି ନବଗଠିତ ଇନସଲଭେନସି ଆଣ୍ଡ ବ୍ୟାଙ୍କ୍ରପସି କୋଡ଼ ଦ୍ୱାରା ଏବଂ ଏହାକୁ ଆଇନଗତ ମାନ୍ୟତା ଦେବାକୁ ଗଠିତ ହୋଇଛି ନ୍ୟାସନାଲ କଂପାନୀ ଲ ଟ୍ରିବୁନାଲ (ଏନସିଏଲଟି)। ଏବେ ନିକଟରେ ଋଣ ଗ୍ରହୀତା, ଋଣ ଦାତା ଓ ଏନସିଏଲଟି ମଧ୍ୟରେ ହୋଇଥିବା ଫଇସଲାଗୁଡ଼ିକରୁ ପ୍ରମାଣିତ ହେଉଛି ଯେ ନିର୍ଭୟରେ କଂପାନୀମାନେ ଋଣ ନେଇ ଦେବାଳିଆ ଘୋଷଣା କରିପାରିବେ। ମାଲ୍ୟା, ଚୋକ୍ଷି ଓ ନୀରବ ମୋଦୀଙ୍କ ପରି ଆଉ କେହି ଲୁଚିଛପି ଦେଶ ଛାଡ଼ିଯିବା ଆବଶ୍ୟକ ନାହିଁ, ସେମାନେ ଲୁଟ୍‌ କରି ଦେଶ ଭିତରେ ବି ମୁକ୍ତ ଅୟସ ଜୀବନ ଯାପନ କରିପାରିବେ।

ଏବେ ଦେଖିବା କେତେକ ଉଦାହରଣ କିପରି ଋଣ ଦେଇ ଠକିଥିବା କଂପାନୀ ଓ ଶିଳ୍ପ ମାଲିକଙ୍କୁ ସୁରକ୍ଷା ଦିଆଯାଉଛି। ସଦ୍ୟ ଉଦାହରଣ ସ୍ୱରୂପ ଡେକାନକ୍ରୋନିକଲ ସଂସ୍ଥା। ଏହାର ମୋଟ ଋଣ ଦେୟ ୮୧୮୦ କୋଟି ଟଙ୍କା। କିଂତୁ ଏହି ସଂସ୍ଥାକୁ ମାତ୍ର ୩୫୭ କୋଟି ଟଙ୍କାରେ ଆଉ ଏକ କମ୍ପାନୀ କିଣି ନେଉଛି। ସେହିପରି ଭିଡ଼ିଓକନର ୫୯,୧୩୨ କୋଟି ଟଙ୍କାର ଏକ ଆସେଟକୁ ମାତ୍ର ୨୮୮୪ କୋଟି ଟଙ୍କାରେ ନେବ ଷ୍ଟେରଲାଇଟ କମ୍ପାନୀ, ଯାହାର ମାଲିକ ଅନୀଲ ଅଗ୍ରୱାଲ। ଏହି ବ୍ୟକ୍ତି ବିଜେପି ସମେତ ବିଭିନ୍ନ ଦଳକୁ ପାଣ୍ଠିକୁ ଦିଅନ୍ତି। ଏହି କଟ୍‌କୁ ହେୟାରକଟ ବା ଚୁଟିକଟା ବୋଲି କୁହାଯାଏ। ସିନେର୍ଜି ଡୋରୱେ ୯୭୨ କୋଟି ଋଣ କରିଛି। ତାହା ମାତ୍ର କୋଟିଏ ଦିସ’ କୋଟି ଟଙ୍କାରେ ହସ୍ତାନ୍ତର ହେବ। ଉସଦେବ ଇଣ୍ଟରନ୍ୟାସନାଲ ଋଣ ୩୨୯୨ କୋଟି ଟଙ୍କା। ତାହା ମାତ୍ର ୧୯୭ କୋଟିରେ ହସ୍ତାନ୍ତର ହେବ ତାଗୁଡ଼ା ସିଙ୍ଗାପୁରକୁ। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରଟେଲ କଂପାନୀ ନାମରେ ୪୧,୦୫୫ କୋଟି ଟଙ୍କା ଋଣରେ ହୋଇଥିବା ଟାୱାରଗୁଡ଼ିକ ହସ୍ତାନ୍ତର ହେବ ମାତ୍ର ୪୨୩୫ କୋଟି ଟଙ୍କାରେ ବଡ଼ଭାଇ ମୁକେଶ ଅମ୍ବାନୀଙ୍କ ରିଲାଏନସ୍ ଜିଓକୁ। ସେହିପରି ଆଲୋକ ଇଣ୍ଡଷ୍ଟ୍ରିଜିର ୨୯,୨୫୩ କୋଟି ଋଣ ହେୟାରକଟ୍ ହୋଇ ମାତ୍ର ୫୦୫୨ କୋଟି ଟଙ୍କାରେ ହସ୍ତାନ୍ତର ହୋଇଯିବ ରିଲାଏନସ୍ ଆଣ୍ଡ ଜେଏମ୍ସକୁ। ଆମଟେକ ଆଟୋ ୧୨,୬୪୧ କୋଟି ଟଙ୍କାର ଋଣ ୨୬୧୪ କୋଟିରେ ହସ୍ତାନ୍ତର ହୋଇଯିବ ଲିବେର୍ଟି ହାଉସ (ଇଂଲଣ୍ଡ)କୁ। ଡିଏଚ୍ଏଫଏଲ ଋଣ କରିଛି ୮୭,୦୦୦ କୋଟି ଟଙ୍କା ଏହି ଋଣର ୬୩% ଛାଡ଼ ବା କଟା ହୋଇଯାଇ ମାତ୍ରା ୩୨,୭୦୦ କୋଟି ଟଙ୍କାରେ ପିରାମଲଗ୍ରୁପକୁ ହସ୍ତାନ୍ତର ହୋଇଯିବ। ଏଠି ଆଉ ଏକ ଖେଳ ଦେଖିବାକୁ ମିଳିଛି। ଡିଏଚ୍ଏଫଏଲର ପ୍ରମୋଟର କପିଲ ୱାଧୱାନ ନିଜେ ୫୦,୦୦୦ ଟଙ୍କାରେ ଦେବାକୁ ପ୍ରସ୍ତୁତ ଥିବାବେଳେ ତାଙ୍କୁ ଦିଆ ନଯାଇ ୧୮,୩୦୦ କୋଟି ଟଙ୍କା କମରେ ପିରାମଲ ଗ୍ରୁପକୁ ଦିଆଗଲା। ଏହି କଂପାନୀ ନିଶ୍ଚିତ ଭାବରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ଅନୁଗ୍ରହ ପାଇଥିବ। ରିଲାଏନ୍ସ ହୋମ୍ ଫାଇନାନ୍ସର ୧୧,୨୦୦ କୋଟି ଟଙ୍କା ଋଣରୁ ୯୩୧୩ କୋଟି କାଟି ଦିଆଯାଇ ମାତ୍ର ୨୮୮୭ କୋଟି ଟଙ୍କାର ଋଣ ରୂପେ ଅଥେମ ଇନଫା କଂପାନୀକୁ ଦିଆଯାଇଛି। ଶିବ ଇଣ୍ଡାଷ୍ଟ୍ରିଜର ଋଣ ୪୮୬୩ କୋଟି ଟଙ୍କା। ଋଣ ଗ୍ରହୀତା ସେଚେଲସ ଦେଶର ନାଗରିକତା ନେଇ ସେଠାରୁ ନିଜକୁ ଦେବାଳିଆ ଘୋଷଣା କରିଦେଲେ ତାର ମାଲିକ ସି. ଶିବଙ୍ଗକରନ। ଏହାପୂର୍ବରୁ ସେ ଆଇଡ଼ିବିଆଇ ବ୍ୟାଙ୍କକୁ ୬୦୦ କୋଟି ଠକି ଥିଲେ। ସେ ପୁଣି ଋଣ ପାଇଲେ। ଏବେ ତାଙ୍କରି ଇଣ୍ଡଷ୍ଟ୍ରିକୁ ମାତ୍ର ୩୨୩ କୋଟି ଟଙ୍କାରେ ସେଟଲମେଣ୍ଟ କରାଯାଇଛି ଏନସିଏଲଟି ଦ୍ୱାରା, ତାକୁ ପୁଣି କିଏ ନେଉଛନ୍ତି? ସେ ହେଉଛନ୍ତି କଂପାନୀର ଅଂଶୀଦାର ଓ ଶିବଙ୍କକରନଙ୍କ ବାପା ବଲାଲା। ଏହି ସେଟଲମେଣ୍ଟକୁ ଷ୍ଟେଟ ବ୍ୟାଙ୍କ ବିରୋଧ କରି ଭୋଟ ଦେଇଥିଲେ ମଧ୍ୟ ଶାସକ ଦଳ ସହ ଗଭୀର ସଂପର୍କ ଥିବାରୁ ତାହା ଅଟକି ପାରି ନ ଥିଲା।

ଏଥିରୁ ସ୍ପଷ୍ଟ ହୋଇଯାଇଛି ସରକାରୀ ବ୍ୟାଙ୍କରେ ଥିବା ସର୍ବସାଧରଣଙ୍କ ଜମା ରାଶିରୁ କିପରି କଂପାନୀମାନେ ଋଣ ନେବେ ତାକୁ ଆଉ ନ ଶୁଝି ଦେବାଳିଆ ଘୋଷିତ ହେବେ ଓ ସେହି ଋଣକୁ ୬୦ରୁ ୯୫ ପ୍ରତିଶତ ଛାଡ଼ କରି ତାର ଅନ୍ୟ ନାମ ହେୟରକଟ ଅର୍ଥାତ୍ ମୁଣ୍ଡର ଚୁଟି କାଟିବା ପରେ ଆଉ ବାକିକୁ ସେହି ଶିଳ୍ପ ବା ସଂସ୍ଥାର ମୂଲ୍ୟ ରୂପେ ଅନ୍ୟକୁ ପୁଣି ଋଣ ଅକାରରେ ହସ୍ତାନ୍ତର କରାଯାଉଛି। ଏଥିରେ ପୁଣି ନିଜ ପରିବାର ଭିତରେ ଆଦାନ ପ୍ରଦାନ। ଏପରି ଖୋଲାଖୋଲି ଲୁଟ ଅଦ୍ୟ କୌଣସି ଦେଶରେ ସମ୍ଭବପର ନୁହଁ। ଅନୀଲ ଅମ୍ବାନୀଙ୍କ ବିରୋଧରେ ରିଲାଏନ୍ସ ଇନଫ୍ରାଟେଲ କଂପାନୀର ୪୩,୦୦୦ ଟାୱାର ଓ ୧.୭୨ ଲକ୍ଷ କିମି ଅପଟିକ ଫାଇବର ନେଟୱାର୍କ ପାଇଁ ନିଆଯାଇଥିବା ଋଣ ୪୧,୦୫୫ ସହ ସୁଧ ଆଦାୟ ପାଇଁ ତଥା ଉଦ୍ଦେଶ୍ୟମୂଳକ ରୂପେ ଋଣ ପରିଶୋଧ କରୁ ନଥିବାରୁ ଷ୍ଟେଟ ବ୍ୟାଙ୍କ ସୁପ୍ରିମ କୋର୍ଟ ଯାଇଥିଲା। କିଂତୁ ଶେଷରେ ରାଜନୈତିକ କ୍ଷମତା ଚାପରେ ଷ୍ଟେଟବ୍ୟାଙ୍କ ତାକୁ ପ୍ରତ୍ୟାହାର କରି ଆଣିଲା। ଏହା କ’ଣ ସରକାରଙ୍କ ଅଜାଣତରେ ସମ୍ଭବପର? ଅନୀଲ ଅମ୍ବାନୀ ଦେବାଳିଆ ହୋଇଥିବାବେଳେ କାଗଜ ଜାହାଜଟିଏ ତିଆର କରି ନି ଥିବା ତାଙ୍କରି କଂପାନୀକୁ ରାଫେଲ ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ଡାସାଲଟ କଂପାନୀ ସହ ଚୁକ୍ତିରେ ରଖିଛନ୍ତି ରାଷ୍ଟ୍ରୀୟ କଂପାନୀ ହାଲ୍‌କୁ ବାହାର କରି।

ସେହିପରି ଭୂଷଣ ଷ୍ଟିଲକୁ ଜେଏସ୍‌ଡବ୍ଲକୁ ୧୯,୩୫୦ କୋଟି ଟଙ୍କାରେ ଅଧିଗ୍ରହଣ କରିବା ପରେ ଭୂଷଣଠାରୁ ୪୭,୧୫୭ କୋଟି ଟଙ୍କା ଆଦାୟ ପାଇଁ ବିଭିନ୍ନ ବ୍ୟାଙ୍କ କରିଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଜିନ୍ଦଲ ଷ୍ଟିଲ ସଫଳ ହୋଇଛି। ଏହାର ମାଲିକ ସଜନ ଜିନ୍ଦଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଖବ୍ୟକ୍ତି। ସେହିପରି ଭୂଷଣ କଂପାନୀର ଆଉ ଏକ ଅଂଶ ଟାଟା କଂପାନୀ ଅଧିଗ୍ରହଣ କରିଛି। ଯାହାକି ୬୨,୦୦୦ ଟଙ୍କା ଋଣ କାଟ ଖାଇ ୧୯,୨୦୦ ଡିଲ ହେଲା ଏବଂ ତାର ତାପଜ ବିଦ୍ୟୁତ ପ୍ରକଳ୍ପକୁ ୮୦୦ କୋଟି ଟଙ୍କାରେ ଟାଟା କିଣିଲା। ଆମ ଦେଶକୁ କଂଗ୍ରେସ ମୁକ୍ତ ଭଷ୍ଟାଚାର ମୁକ୍ତ ଦେଶରେ ପରିଣତ କରିବା ପାଇଁ ଆସ୍ଫାଳନ କରିଥିବା ପ୍ରଧାନମନ୍ତ୍ରୀଙ୍କ ଶାସନରେ କର୍ପୋରେଟ ଲୁଟ ପାଇଁ ବ୍ୟାଙ୍କ ଋଣ ଫାଙ୍କିବାକୁ ଆଇନଗତ ମାନ୍ୟତା ଦିଆଯାଇଛି। ଏପଟେ ଦେଶର ଅର୍ଥାବସ୍ଥା ଅତି ସାଂଘାତିକ ବୋଲି ପେଟ୍ରୋଲ ଡିଜେଲ, ଗ୍ୟାସରେ ଟିସକ ବୃଦ୍ଧିକରି ସାଧାରଣ ଲୋକଙ୍କ ପକେଟମାର କରାଯାଉଛି ପ୍ରତିଦିନ।

ହର୍ଷ ଗୋଏଙ୍କା ଆର.ଜି. ଇଣ୍ଟରପ୍ରାଇଜର ଅଧ୍ୟକ୍ଷ ଏକ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ ଯେ “ଗୋଟିଏ ପଟେ ପ୍ରମୋଟରମାନେ ଚ୍ଛେଦନ କରି କଂପାନୀକୁ କ୍ଲିନର ପାଖକୁ ପଠାଇ ଦେଲା ପରେ ସେଠାରେ ଚୁଟିକଟା ହୋଯାଏ, ୮୦ରୁ ୯୦ ପ୍ରତିଶତ। ଏହା ଏକ ବଡ଼ ଖେଳ।” ଅଖିଳ ଭାରତ ବ୍ୟାଙ୍କ ଅଫିସରମାନଙ୍କ ୟୁନିୟନ ସାଧାଣ ସଂପାଦକ ସୌମ୍ୟ ଦତ୍ତା ଆଉ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଶରୀରକୁ ଟିକିଟିକି କରି ଦେଇ କେବଳ ଦୁଇ ଚାରିଟା ବଳକା ଛାଡ଼ି ଦେବା ଯାହା, ଏହି ଆନଗତ ମାନ୍ୟତା ଦେଇ ବ୍ୟାଙ୍କ ଋଣକୁ କର୍ପୋରେଟ ଦ୍ୱାରା ଲୁଟ କରିବା ସେଇଆ। ଏ ସବୁ ବର୍ତ୍ତମାନ ଦେଖିଲାପରେ ବୁଝାପଡ଼ୁଛି ଯେମିତି ବିଜୟ ମାଲ୍ୟା, ନୀରବ ମୋଦୀଙ୍କ ପରି ବଡ଼ ବଡ଼ ଚୋରୀ ପାଇଁ ବାଟ ଖୋଲି ଦିଆଯାଇଛି। ହୁଏତ ସେମାନେ ଫେରିଲା ପରେ ଏହି ବ୍ୟବସ୍ଥା ସେମାନଙ୍କ ସୁରକ୍ଷାରେ ଲାଗୁ ହୋଇ ଯାଇପାରେ।

ଏହି ଲୁଟେରାୟନକୁ ବଜାରର ଶିଳ୍ପାୟନ ପ୍ରକ୍ରିୟାର ଏକ ହାଲଚାଲ ପରି ଆଇନଗତ ମାନ୍ୟତା ଦିଆଯାଇଛି। ଏଥିପାଇଁ ଏକ କୁଚକ୍ର କରାଯାଇଛି। ବ୍ୟାଙ୍କମାନଙ୍କର ବଡ଼ ବଡ଼ ଅଫିସରମାନେ ଅବସର ପରେ ଏହି ଆଇବିସିର ବୋର୍ଡ଼ ସଭ୍ୟ ମନୋନୀତ ହୋଇଯାଉଛନ୍ତି। କିଛି ଅବସରପ୍ରାପ୍ତ ବିଚାରପତିଙ୍କୁ ଯେଉଁମାନେ କର୍ପୋରେଟ ସପକ୍ଷରେ ରାୟ ଦେଉଥିବେ ଏନସିଲଟିରେ ବସାଇ ଦିଆଯାଇଛି। ଏମାନେ ହେଉଛନ୍ତି କ୍ଲିନର ବା ସଫେଇବାଲା। ଅର୍ଥାତ୍ ଏମାନଙ୍କ ଦ୍ୱାରା ଋଣକର୍ତ୍ତା ଶିଳ୍ପପତି ଓ କଂପାନୀ ମାଲିକଙ୍କୁ ଦେବାଳିଆ ଘୋଷଣା କରି ୮୦ରୁ ୯୦ ପ୍ରତିଶତ ମୂଲ୍ୟ ଋଣରୁ କାଟି ସେହି ଋଣ ସନ୍ନିହିତ ଶିଳ୍ପ ବା କଂପାନୀକୁ ୧୦ରୁ ୨୦ ପ୍ରତିଶତ ମୂଲ୍ୟରେ ଅନ୍ୟକୁ ହସ୍ତାନ୍ତର କରି ଦେବାରେ ମୁଣ୍ଡି ମାରନ୍ତି ଅର୍ଥାତ୍ ସୁପାରିଶ କରନ୍ତି। ଏହି ପ୍ରକ୍ରିୟାକୁ କୁହାଯାଏ ହେୟାରକଟ୍। ଉପରୋକ୍ତ ତଥ୍ୟରୁ ଜଣାଯାଉଛି ଯେ ୨,୦୩,୫୮୮ କୋଟି ଟଙ୍କା ମଧ୍ୟରୁ ମାତ୍ର ୨୬,୩୦୩ କୋଟି ଟଙ୍କା ବ୍ୟାଙ୍କରେ ଅନ୍ୟ ନାମରେ ଋଣ ରହିଲା। ଅର୍ଥାତ୍ ୧,୭୭,୨୮୫ କୋଟି ଟଙ୍କା ବ୍ୟାଙ୍କରୁ ଲୁଟ ହୋଇଗଲା। କୌଣସି ଦେବାଳିଆ ଘୋଷିତ କଂପାନୀର ମାଲିକମାନେ ଗରୀବ ହୋଇ ଯାଇନାହାନ୍ତି। ସମସ୍ତେ ଶହ ଶହ କୋଟି ଟଙ୍କାର ମାଲିକ ହୋଇ ଅୟସ ଜୀବନ ବିତାଉଛନ୍ତି। ଏହି କୁଚକ୍ରର ଅନ୍ତ କେବେ ହେବ?

(ଏହି ଆଲେଖ୍ୟରେ ପ୍ରଦତ୍ତ ମତାମତ ଲେଖଙ୍କର ସଂପୂର୍ଣ୍ଣ ନିଜସ୍ୱ। ଏହା ଓଡ଼ିଶା ରିପୋର୍ଟରର ମତ ନୁହେଁ।)

ଲୋହିଆ ଏକାଡ଼େମୀ, ଭୁବନେଶ୍ୱର-୨୨

ମୋ: ୯୪୩୭୨୫୯୦୦୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।