ଗତକାଲି ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ରହୁଥିବା ବାସ ଭବନରେ ସୁଶାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର ହେବ। ମୃତ୍ୟୁ ବେଳକୁ ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା। ଏଭଳି ଦୁଃଖଦ ନିଷ୍ପତ୍ତି ନେବା ଆଗରୁ ଗତ ୬ମାସ ଧରି ସୁଶାନ୍ତ ବିଷାଦଗ୍ରସ୍ତ ଥିଲେ। ଏହି କାରଣରୁ ସେ ହିନ୍ଦୁଜା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ପେଶାଗତ ଜୀବନରେ ସୁଶାନ୍ତ ଉର୍ଦ୍ଧ୍ୱଗାମୀ ଥିଲେ। ମେଗାଧାରାବାହିକରୁ ବଲିଉଡ୍ରେ ପାଦ ରଖିବା ପାଇଁ ସୁଶାନ୍ତ ବେଶ୍ ପରିଶ୍ରମ ମଧ୍ୟ କରିଥିଲେ। ପିଲାଦିନୁ ସୁଶାନ୍ତ ମହାକାଶଚାରୀ ହେବାର ଇଚ୍ଛା ରଖିଥିଲେ। ବୋଧହୁଏ ସେଥିପାଇଁ ସେ ଆଜି ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଛନ୍ତି। ଗତକାଲି ଲୋକଙ୍କ ଗହଣରେ ଚମକୁଥିବା ଏହି ଷ୍ଟାର ଆଜି ଆକାଶର ଅଗଣିତ ତାରା ମେଳରେ ହଜିଯାଇଛନ୍ତି। ଏବେ ବି ବିଶ୍ୱାସ କରିବା କଷ୍ଟ ଯେ, ଗୋଟେ ହସ ହସ ମୁହଁ ତଳେ ଯନ୍ତ୍ରଣାର ଅତଳ ସମୁଦ୍ର ଲୁଚିଯାଇପାରେ। କିନ୍ତୁ କ’ଣ କରିବା ଆମର ତ ସ୍ୱଭାବ, ଜୋ ଦିଖ୍ତା ହୈ ୱହି ବିକ୍ତା ହୈ। ଅର୍ଥାତ୍ ଯାହା ଦେଖାଯିବ ସେଇଟାକୁ ଆମେ ବାସ୍ତବତା ବୋଲି ଗ୍ରହଣ କରିନେଉ। ହେଲେ ଏବେ ଏତେ ଅବଶୋଷ କ’ଣ ପାଇଁ?
ସୁଶାନ୍ତ ସିଂ ଡିପ୍ରେସନ୍ରେ ଥିଲେ ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ଜାଣିବା ପରେ ସୋଶାଲ୍ ମିଡିଆରେ କାଲିଠୁ 'ମେଣ୍ଟାଲ୍ ହେଲ୍ଥ' ବା 'ମାନସିକ ସ୍ୱାସ୍ଥ୍ୟ'କୁ ନେଇ ଆଲୋଚନା ହେଉଛି। ଲୋକମାନେ ଡିପ୍ରେସନ୍ ଜନିତ ମୃତ୍ୟୁକୁ ଟିକେ ଗୁରୁତର ସହ ନେଇଯାଇଛନ୍ତି। ଯେଉଁଥିପାଇଁ ସୋଶାଲ୍ ମିଡିଆ ବ୍ୟବହାରକାରୀ ଡିପ୍ରେସନ୍ରୁ କେମିତି ମୁକ୍ତି ପାଇବେ ତାକୁ ନେଇ ନାନା ପୋଷ୍ଟ କରୁଛନ୍ତି। ଜୀବନରେ କୌଣସି ସମସ୍ୟା ଥିଲେ ତାକୁ ଲୋକମାନଙ୍କ ସହ ଶେଆର କରନ୍ତୁ ବୋଲି ବିଭିନ୍ନ ଲୋକ ପରାମର୍ଶ ମଧ୍ୟ ଦେଉଛନ୍ତି। ବ୍ୟସ୍ତବହୁଳ ଜୀବନ ଭିତରେ ବି ଆମକୁ ପରସ୍ପର ସମସ୍ୟା ବିଷୟରେ ଜାଣିବାକୁ ହେବ ଏଇଟା ପ୍ରାୟ ସମସ୍ତଙ୍କର ରାୟ ଥିଲା।
ହେଲେ ଜଣେ ଅନ୍ୟ ମାନଙ୍କ ସହ କାହିଁକି କିଛି ସମସ୍ୟାକୁ ନେଇ ଆଲୋଚନା କରିପାରେନି ସେ ସମ୍ପର୍କରେ କେହି ଚିନ୍ତା କରିବାର ଦେଖିବାକୁ ମିଳିଲାନି। ଅର୍ଥାତ, ସମସ୍ୟା ବିଷୟରେ ଜଣଙ୍କ ସହ ସେତେବେଳେ ଆଲୋଚନା କରିବାକୁ ଠିକ୍ ଲାଗେ ଯେତେବେଳେ ଆମର ବିଶ୍ୱାସ ଥାଏ ଯେ ସାମ୍ନା ଲୋକ ଆମକୁ ସମାଲୋଚନା କରିବନି। ଏଇ ଗୋଟେ କାରଣ ଆମକୁ ଅନ୍ୟ କାହାକୁ ନିଜକୁ ଦବେଇ ରଖୁଥିବା ଯନ୍ତ୍ରଣା ବିଷୟରେ କହିବାରୁ ଅଟକାଏ। ଆଉ ଏଥିପାଇଁ ଆମକୁ ପ୍ରଥମେ ଗୋଟେ ସୁସ୍ଥ ମାନସିକତା ଆଣିବାକୁ ହେବ।
ଏଠି ପ୍ରତିଦିନ ସେଲିବ୍ରେଟି ଟ୍ରୋଲ୍ ହୁଅନ୍ତି। ସେଲିବ୍ରେଟିମାନେ କାହିଁକି ସାଧାରଣ ଲୋକମାନେ ମଧ୍ୟ ପ୍ରତିଦିନ ସମାଲୋଚନାକୁ ସାମ୍ନା କରନ୍ତି। କେତେବେଳେ ଚାଲି ଚଳଣୀ, ରହଣି ସହଣି, ବେଶ ପୋଷାକ ତ କେତେବେଳେ ଜାତି, ବର୍ଣ୍ଣ, ବର୍ଗକୁ ନେଇ ଲୋକମାନେ ସମାଲୋଚନା ହୁଅନ୍ତି। ଜଣଙ୍କର ସମାଲୋଚନା ଯେ କାହାର ମାନସିକ ଅଶାନ୍ତିର କାରଣ ହେଇପାରେ ତାହା ଭାବିବାକୁ ସତେ ଯେମିତି କାହା ପାଖରେ ସମୟ ନଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଦୁନିଆରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ସେମାନଙ୍କ ଜୀବନର କିଛି ସମୟରେ ମାନସିକ କିମ୍ବା ସ୍ନାୟୁଗତ ରୋଗ ଦ୍ୱାରା ପ୍ରଭାବିତ ଥାନ୍ତି। ଏବେ ପାଖାପାଖି ୪୫୦ ମିଲିୟନ୍ ଲୋକ ଏହି ଅବସ୍ଥାରେ ପୀଡ଼ିତ।
ସାରା ବିଶ୍ୱରେ ଅସୁସ୍ଥତା ଏବଂ ଅକ୍ଷମତାର ମୁଖ୍ୟ କାରଣ ମଧ୍ୟରେ ରହିଛି ମାନସିକ ଅଶାନ୍ତି। ସର୍ବଭାରତୀୟ ସ୍ତରରେ, ୨୦୧୫ରେ ସମୁଦାୟ ଡିପ୍ରେସନ୍ ରୋଗୀଙ୍କ ସଂଖ୍ୟା ୩୦୦ ନିୟୁତରୁ ଅଧିକ ହେବ ବୋଲି ଆକଳନ ହୋଇଥିଲା। ଜୀବନରେ ଅସଫଳତା ପାଇଁ ଡିପ୍ରେସନ୍ ଏକ ବୃହତ୍ତମ ଯୋଗଦାନ ବୋଲି କୁହାଯାଏ।
ଯାହାର ପରିଣାମ ସ୍ୱରୂପ ଡିପ୍ରେସନ୍ ଜନିତ ଆତ୍ମହତ୍ୟା ଘଟେ। ପ୍ରତିବର୍ଷ ୮ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁବରଣ କରୁଛନ୍ତି। ୧୫-୨୯ ବୟସ ବର୍ଗରେ ଏଭଳି ଆତ୍ମହତ୍ୟାର ମାତ୍ରା ଅଧିକ ରହିଥାଏ।
ଭାରତରେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ୨୦୧୫-୧୬ରେ ମିସହାରେ ୧୫% ଲୋକ ଏକ ବା ଏକାଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିଛନ୍ତି। ୨୦୧୨ ରେ, ଭାରତରେ ୨୫୮୦୦୦ରୁ ଅଧିକ ଆତ୍ମହତ୍ୟା ହୋଇଥିଲା, ଯେଉଁଥିରେ ୧୫-୪୯ ବର୍ଷ ବୟସ ବର୍ଗ ଅଧିକ ସାମିଲ୍ ହୋଇଛନ୍ତି।
ତେବେ ଡିପ୍ରେସନ୍ର କାହାଣୀ ପୁରୁଣା। ଲୋକମାନଙ୍କର ଏଥିପ୍ରତି ସଚେତନତାରେ ଆନ୍ତରିକତା ବୋଧହୁଏ ନୂଆ। ଦୁର୍ଘଟଣା ପରର ଚର୍ଚ୍ଚାଠୁ ପୁରା ଭିନ୍ନ ବାସ୍ତବ ଦୁନିଆ। ତେଣୁ ଜଣଙ୍କ ମୃତ୍ୟୁ ପରେ ବିଶେଷ ପ୍ରଭାବିତ ନହୋଇ, ଆମକୁ ପଦକ୍ଷେପ ନେବାକୁ ହେବ। ସୁସ୍ଥ ମାନସିକତାର ସହ ଜଣଙ୍କ ସମସ୍ୟା ବୁଝିବାକୁ ହେବ। କାରଣ ସୁଶାନ୍ତଙ୍କ ପରି ଏଠି ପ୍ରତ୍ୟେକ ଲୋକଙ୍କ ଜୀବନ ମୂଲ୍ୟବାନ।
ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍- swainbiswobandita@gmail.com
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।