ସରଳ କୁମାର ଦାସ
ନେପାଳର ସଂସଦର ଉଭୟ ସଦନରେ ସମ୍ୱିଧାନ ସଂଶୋଧନ ମାଧ୍ୟମରେ ଏକ ନୂତନ ପ୍ରଶାସନିକ ମାନଚିତ୍ର ଗୃହୀତ ହେବା ପରେ ଭାରତ ଓ ନେପାଳ ମଧ୍ୟରେ ଏକ ନୂଆ ‘ମାନଚିତ୍ର ଯୁଦ୍ଧ’ ଆରମ୍ଭ ହେବାକୁ ଯାଉଥିବା ସହ ଉଭୟ ଦେଶ ମଧ୍ୟରେ ବିଶ୍ୱାସ-ନିଅଣ୍ଟ (ଟ୍ରଷ୍ଟ ଡେଫିସିଟ) ଦେଖାଦେଇ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି। ଫଳସ୍ୱରୂପ ଭାରତ ଦଖଲରେ ଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ସମେତ ୩୩୫ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ନେପାଳ ନିଜର ବୋଲି ଘୋଷଣା କରି ବିବାଦିତ କରି ଦେଇଛି।
ଭୌଗୋଳିକ, ସାଂସ୍କୃତିକ, ଧାର୍ମିକ ଓ ଐତିହାସିକ ଆଦି ବିଭିନ୍ନ କାରଣରୁ ଭାରତ ସହ ନେପାଳର ସମ୍ପର୍କ ଅତି ନିବିଡ। ତେବେ ଭାରତର ସ୍ୱାଧୀନତା ପରେ ନେପାଳ ସହ ସମ୍ପର୍କରେ ସେହି ନିବିଡତା ଓ ଆକର୍ଷଣ ଶିଥିଳ ହୋଇ କ୍ରମଶଃ ତାହା ତିକ୍ତତା ଆଡକୁ ମୁହାଁଇବାର କାରଣ ଜାଣିବାକୁ ହେଲେ ଏହାର ବିଗତ ସାତ ଦଶକର ଐତିହାସିକ ପୃଷ୍ଠଭୂମିକୁ ବୁଝିବାକୁ ହେବ। ତତକାଳୀନ ନେପାଳର ରାଣାଙ୍କ ଆଗ୍ରହ କ୍ରମେ ଭାରତ ଓ ନେପାଳ ମଧ୍ୟରେ କାଠମାଣ୍ଡୁଠାରେ ୧୯୫୦ ମସିହା ଜୁଲାଇ ୩୧ ତାରିଖରେ ଏକ ‘ଶାନ୍ତି ଓ ମୈତ୍ରୀ ଚୁକ୍ତି’ ସ୍ୱାକ୍ଷରିତ ହୋଇଥିଲା। ଚୀନ ନେପାଳକୁ ଆକ୍ରମଣ କରି ରାଣାଙ୍କୁ ଗାଦିଚ୍ୟୁତ କରିପାରେ ବୋଲି ଆଶଙ୍କିତ ହୋଇ ଭାରତର ନିକଟତର ହେବା ଲାଗି ସେ ଏପରି ଏକ ଚୁକ୍ତି କରିଥିବାର କୁହାଯାଏ।
ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ ଲୋକଙ୍କ ଗମନାଗମନ ଓ ମାଲପତ୍ରର ପରିବହନ ଅବାଧରେ ଚାଲିପାରିବ। ପ୍ରତିରକ୍ଷା ଓ ବିଦେଶ ନୀତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଉତମ ବୁଝାମଣା ରକ୍ଷା କରାଯିବ। ଫଳସ୍ୱରୂପ, ନେପାଳରୁ ଅନେକ ଲୋକ ଭାରତକୁ ଆସି ଚାକିରି, ବାଣିଜ୍ୟ ବ୍ୟବସାୟ କଲେ ଓ ସେହିପରି ଭାରତରୁ ମଧ୍ୟ କିଛି ଲୋକ ନେପାଳରେ ସ୍ଥାୟୀ ଭାବେ ବସବାସ କରି ନେପାଳର ନାଗରିକତା ଆଇନ ୧୯୫୨ ଅନୁସାରେ ସେଠାରେ ନାଗରିକତା ଗ୍ରହଣ କରିବାକୁ ଲାଗିଲେ। ଭାରତ ସରକାର ଓ ସେଠାରେ ରହୁଥିବା ଭାରତୀୟମାନେ ନେପାଳର ଘରୋଇ ମାମଲାରେ ଦଖଲ ଦେଉଛନ୍ତି ଓ ଭାରତ ‘ବଡଭାଇ’ ଭଳି ଆଚରଣ କରୁଛି ବୋଲି ଏକ ଧାରଣା ନେପାଳର ଜନ ସାଧାରଣ ଓ ଶାସକଙ୍କଠାରେ ବସା ବାନ୍ଧିବାକୁ ଆରମ୍ଭ କଲା।
ଏହା ପରେ ନେପାଳ ଚୀନର ନିକଟତର ହୋଇ ୧୯୬୦ ମସିହା ଅପ୍ରେଲ ୨୮ ତାରିଖରେ ଉଭୟ ଦେଶ ମଧ୍ୟରେ ଏକ ଶାନ୍ତି ଓ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ ହେଲା। ଏହି ସମୟରେ ନେପାଳ ଆମେରିକାର ମଧ୍ୟ ନିକଟତର ହେଲା ଓ ଭାରତର ବିଦେଶ ନୀତିକୁ ବେଖାତିର କରି ଏକ ତରଫା ଭାବେ ୧୯୬୦ ମସିହା ଜୁନ ୧ ତାରିଖରେ ନୂତନ ଭାବେ ସୃଷ୍ଟି ହୋଇଥିବା ଇସ୍ରାଏଲକୁ ସ୍ୱୀକୃତି ପ୍ରଦାନ କଲା।
୧୯୬୨ରେ ଭାରତ-ଚୀନ ଯୁଦ୍ଧର ପରିସମାପ୍ତି ପରେ ଭାରତର ଦୁର୍ବଳ ସ୍ଥିତିର ଲାଭ ଉଠାଇ ନେପାଳ ଭାରତ ନିକଟରୁ ଅନେକ ସୁବିଧା ହାସଲ କରିଥିଲା। ୧୯୬୯ରେ ଭାରତ-ନେପାଳ ସୀମାରେ ଥିବା ଚେକ ପୋଷ୍ଟଗୁଡିକୁ ହଟାଇବାକୁ ନେପାଳ ଅଡି ବସିବାରୁ ଭାରତ ସେଗୁଡିକୁ ହଟାଇ ଦେଇଥିଲା। ତେବେ ୧୯୭୫ ମସିହାରେ ଭାରତ ସହ ସିକିମର ବିଲୟ ପରେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଅତି ତଳ ସ୍ତରକୁ ଚାଲି ଯାଇଥିଲା। ଏହାକୁ ନେପାଳ ଗ୍ରହଣ କରି ପାରି ନଥିଲା ଓ ‘ଏହା ବିଲୟ ନୁହେଁ ବରଂ ଭାରତ ଦ୍ୱାରା ଦଖଲ’ ବୋଲି ଅଭିହିତ କରି ଏହାର ତୀବ୍ର ବିରୋଧ କରିଥିଲା।
ଏହାକୁ ଦୃଷ୍ଟିରେ ରଖି (କାଳେ ଭାରତ ବା ଅନ୍ୟ କୌଣସି ଦେଶ ନେପାଳକୁ ଦଖଲ କରିବେ), ନେପାଳର ରାଜା ବୀରେନ୍ଦ୍ର ନେପାଳକୁ ଏକ ‘ଶାନ୍ତି କ୍ଷେତ୍ର’ (ଜୋନ ଅଫ ପିସ) ଭାବେ ଜାତିସଂଘ ଘୋଷଣା କରୁ ବୋଲି ପ୍ରସ୍ତାବ ଉପସ୍ଥାପନ କଲା ପରେ ଚୀନ ଓ ପାକିସ୍ତାନ ପ୍ରସ୍ତାବଟିକୁ ତୁରନ୍ତ ସମର୍ଥନ ଦେଇଥିଲେ ମଧ୍ୟ ଭାରତ ୧୯୫୦ ମସିହାର ଚୁକ୍ତିକୁ ଦର୍ଶାଇ ଏଥିପାଇଁ ସମ୍ମତି ଦେଇ ନଥିଲା। ପରବର୍ତୀ ସମୟରେ ଭାରତକୁ ବାଦ ଦେଇ ପ୍ରାୟ ୧୩୦ଟି ଦେଶ ଏହାକୁ ସମର୍ଥନ ଜଣାଇଥିଲେ। ଏହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅସହଜ କରିଥିଲା।
ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟ ଓ ପରିବହନ ଚୁକ୍ତି ଦୁଇଟିର କାର୍ଯ୍ୟକାଳ ମାର୍ଚ୍ଚ ୧୯୮୯ରେ ପୂରିବା ପରେ ଭାରତ ଏହାକୁ ଗୋଟିଏ ଚୁକ୍ତି ଭାବେ ନବୀକରଣ କରିବା ଲାଗି ଆଗ୍ରହୀ ଥିବା ବେଳେ ନେପାଳ ସେଥିରେ ରାଜି ହୋଇ ନ ଥିଲା। ଏହା ପରେ ଉଭୟ ଦେଶ ପରସ୍ପର ଉପରେ ବିଭିନ୍ନ ଅର୍ଥନୈତିକ କଟକଣା ଲଗାଇଲେ, ଯାହା ଫଳରେ ନେପାଳ କ୍ଷତିଗ୍ରସ୍ତ ହେଲା। ପ୍ରାୟ ବର୍ଷେ ଯାଏଁ ଏହି ଭଳି ଅର୍ଥନୈତିକ ବାଛନ୍ଦ ଲାଗି ରହିଥିବା ବେଳେ ଭାରତ ସେଠାକାର ବିରୋଧୀ ଦଳଗୁଡିକୁ ପ୍ରୋତ୍ସାହନ ଦେଇ ସେଠାକାର ରାଜନୈତିକ ବ୍ୟବସ୍ଥାରେ ଏକ ପରିବର୍ତନ ଆଣିବାକୁ ସମର୍ଥ ହେଲା, ଯଦ୍ଦ୍ୱାରା ରାଜାଙ୍କୁ ଏକ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେଲା।
ଏହି ବ୍ୟବସ୍ଥାରେ ଭାରତ ସପକ୍ଷବାଦୀ ଦଳମାନେ କ୍ଷମତାକୁ ଆସିବା ପରେ ପୁଣି ଉଭୟ ଦେଶ ଭିତରେ ଅର୍ଥନୈତିକ ସମ୍ପର୍କ କ୍ରମଶଃ ସ୍ୱାଭାବିକ ହେବାକୁ ଲାଗିଲା। ନେପାଳରେ କମ୍ୟୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ୧୯୯୫ ମସିହାରେ ପ୍ରଧାନମନ୍ତ୍ରୀ ମନମୋହନ ଅଧିକାରୀଙ୍କ ଭାରତ ଗସ୍ତ ସମୟରେ ସେ ଉଭୟ ଦେଶ ମଧ୍ୟରେ ଥିବା ଶାନ୍ତି ଓ ମୈତ୍ରୀ ଚୁକ୍ତିର ପୁନଃ ସମୀକ୍ଷା ହେବା ଆବଶ୍ୟକ ବୋଲି କହିବା ପରେ ନେପାଳ ଅଧିକ ଅର୍ଥନୈତିକ ସ୍ୱାଧୀନତା ପାଇବା ଉପରେ ଗୁରୁତ୍ୱ ଦେଉଥିବାରୁ ତାହା ଭାରତ ଭଲ ଭାବେ ଗ୍ରହଣ କରି ନ ଥିଲା।
ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଗୁଜରାଲଙ୍କ ଜୁନ ୧୯୯୭ରେ ନେପାଳ ଗସ୍ତ ସମୟରେ ନିଆ ଯାଇଥିବା କେତେକ ନିଷ୍ପତି ‘ନୂଆ ବାସ୍ତବିକତାକୁ ଦୃଷ୍ଟିରେ ରଖି ଚୁକ୍ତିରେ ପରିବର୍ତନ ହେବା ଆବଶ୍ୟକ’ ବୋଲି ନେପାଳର ଦାବିକୁ ସମର୍ଥନ ଜଣାଉଥିଲା। ଏହା ‘ଗୁଜରାଲ ମତବାଦ’ ଭାବେ ଗ୍ରହଣୀୟ ହୋଇ ପରବର୍ତ୍ତୀ ସମୟରେ ଭାରତ ଓ ନେପାଳ ମଧ୍ୟରେ ବାର୍ତାଳାପର ଆଧାର ହେବାକୁ ଲାଗିଲା।
୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଦାୟିତ୍ୱ ଗ୍ରହଣ କଲା ପରେ ସେ ପରମ୍ପରାକୁ ଭାଙ୍ଗି ପ୍ରଥମେ ଭାରତକୁ ନ ଆସି ଚୀନକୁ ଗସ୍ତରେ ଯାଇଥିଲେ ଓ ସେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଘୋଷଣା କରିବା ପରେ ତୁରନ୍ତ ଭାରତ ପକ୍ଷରୁ ନେପାଳକୁ ସନ୍ତୁଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ନିଆଗଲା। ୨୦୧୦ ମସିହାରେ ଭାରତ ପକ୍ଷରୁ ନେପାଳକୁ ଋଣ ଆକାରରେ ୫ କୋଟି ଡଲାର ଅର୍ଥ ସହାୟତା ଓ ୮୦ ହଜାର ଟନର ଖାଦ୍ୟ ଶସ୍ୟ ସହାୟତା ଯୋଗାଇ ଦିଆଗଲା। କୁହାଯାଏ, ଏହି ସମୟଟି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କର ସବୁଠାରୁ ଭଲ ସମୟ ଥିଲା।
୨୦୧୪ରେ ଏନଡିଏ ସରକାର ଶାସନକୁ ଆସିବା ପରେ ଭାରତ ନେପାଳକୁ କେତେଗୁଡିଏ ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଥିଲେ ବି ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରିବର୍ତେ ତିକ୍ତ ହେବାରେ ଲାଗିଛି। ୨୦୧୫ରେ ଭାରତ ଦ୍ୱାରା ନେପାଳ ଉପରେ ଏକ ଅନୌପଚାରିକ ଅର୍ଥନୈତିକ ବାଛନ୍ଦ ଲଦି ଦିଆ ଯାଇଥିବାର ଅଭିଯୋଗ ହୁଏ, ଯାହା ଫଳରେ ଭାରତରୁ ନେପାଳକୁ ହେଉଥିବା ତୈଳ ପରିବହନକୁ ନିୟନ୍ତ୍ରିତ କରାଗଲା ଓ ନେପାଳର ଅର୍ଥନୀତି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲା।
କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ନଭେମ୍ୱର ୨୦୧୯ରେ ଭାରତ ଦ୍ୱାରା ଜାରି ହୋଇଥିବା ମାନଚିତ୍ର ହିଁ ଭାରତ ଓ ନେପାଳ ଭିତରେ ସମ୍ପର୍କକୁ ତିକ୍ତ କରିଥିବାର ସଦ୍ୟତମ କାରଣ ବୋଲି କୁହାଯାଉଛି। ଜାରି ହୋଇଥିବା ମାନଚିତ୍ରରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ଉତରାଖଣ୍ଡ ରାଜ୍ୟ ଅନ୍ତଭୁର୍କ୍ତ ବୋଲି ଦର୍ଶାଯାଇଥିବାରୁ ନେପାଳ ଏହାର ତୀବ୍ର ବିରୋଧ କରିବା ସହ ଏହି ଅଂଚଳଟି ନେପାଳର ଅଂଶବିଶେଷ ବୋଲି ଦାବି କରିଥିଲା। ଇତିମଧ୍ୟରେ ୨୦୨୦ ମେ ୯ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ଲିପୁଲେଖ ପାସ ଦେଇ ଏକ ନୂଆ ରାସ୍ତା ନିର୍ମାଣର ଶୁଭ ଦିଆଗଲା। ଏହି ରାସ୍ତା ନିର୍ମାଣ ଯୋଗୁଁ ଭାରତରୁ କୈଳାସ ମାନସରୋବରକୁ ଯିବା ସହଜ ହେବା ସହ ସମୟ ଅନେକ କମିଯିବ।
ନେପାଳ ଏହି ରାସ୍ତା ନିର୍ମାଣର ମଧ୍ୟ ତୀବ୍ର ବିରୋଧ କରିଛି। କଥାବାର୍ତା ମାଧ୍ୟମରେ ଏହି ସୀମା ବିବାଦର ସମାଧାନ ଲାଗି ଭାରତ ତରଫରୁ କୌଣସି ଆଗ୍ରହ ପ୍ରକାଶ ପାଉ ଥିବା ନ ଦେଖି ନେପାଳ ୨୦୨୦ ମେ ୨୦ ତାରିଖରେ ସେହି ତିନୋଟି ସ୍ଥାନ ସମେତ ପ୍ରାୟ ୩୩୫ ବର୍ଗ କିଲୋମିଟର ଅଂଚଳକୁ ନିଜ ଅଂଚଳ ଦର୍ଶାଇ ଏକ ନୂତନ ପ୍ରଶାସନିକ ମାନଚିତ୍ର ଜାରି କଲା।
୧୮୧୬ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ସୁଗୌଲି ସନ୍ଧି ଅନୁଯାୟୀ କାଳୀ ନଦୀର ପଶ୍ଚିମ ଭାଗର ଅଂଚଳ ଭାରତର ହୋଇଥିବା ବେଳେ ପୂର୍ବ ଭାଗର ଅଂଚଳ ନେପାଳର। ତେବେ କାଳୀ ନଦୀର ଦୁଇଟି ଉପ ନଦୀ ମଧ୍ୟରୁ ଗୋଟିଏ କାଲାପାନି ନିକଟରୁ ବାହାରିଥିବା ବେଳେ ଅନ୍ୟଟି ଲିମ୍ପିୟାଧୁରା ନିକଟରୁ ବାହାରିଛି।
ଭାରତ କାଲାପାନି ନିକଟରୁ ବାହାରିଥିବା କାଲାପାନି ଉପନଦୀକୁ କାଳୀ ନଦୀର ଉତ୍ସ କହି ସମଗ୍ର ଅଂଚଳଟି ଦୀର୍ଘ ବର୍ଷ ଧରି ଭାରତ ଦଖଲରେ ଥିବାରୁ ଏହା ଭାରତର ବୋଲି ଦାବି କରୁଥିବା ବେଳେ ନେପାଳ ଉତରରେ ଥିବା ଲିମ୍ପିୟାଧୁରା ନିକଟରୁ ବାହାରିଥିବା କୁଥିଯଙ୍କତି ଉପନଦୀଟିକୁ କାଳୀ ନଦୀର ଉତ୍ସ କହି ସମଗ୍ର ଅଂଚଳ ଉପରେ ତାର ଅଧିକାରକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛି। ଏହି ଅଂଚଳଟି ଦୀର୍ଘ ଦିନ ଧରି ଭାରତ ଦଖଲରେ ଥିବା ବେଳେ ନେପାଳ ୧୯୯୮ଠାରୁ ଏହି ଅଂଚଳ ଉପରେ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରିଛି।
କରୋନା ମୁକାବିଲାରେ ବିଫଳତା ଓ ଅନ୍ୟାନ୍ୟ କାରଣ ଯୋଗୁ ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଗତ କିଛି ଦିନ ଧରି ଦେଶ ଭିତରେ ବିରୋଧର ସମ୍ମୁଖୀନ ହୋଇ ଆସୁଥିଲେ ଓ ତାଙ୍କ ସ୍ଥିତି ଟଳମଳ ହୋଇ ପଡିଥିଲା। ଏହି ସମୟରେ ସେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ପ୍ରସଙ୍ଗ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ପ୍ରଥମ, ନେପାଳୀ ଲୋକଙ୍କ ଭିତରେ ସୀମାକୁ ନେଇ ଜାତୀୟତାବାଦ ଉଦ୍ରେକ କରି ତାଙ୍କ ବିରୁଦ୍ଧରେ ଥିବା ବିରୋଧକୁ ପ୍ରଶମିତ କରିବା ସହ ତାଙ୍କ ସ୍ଥିତିକୁ ସୁଦୃଢ କରି ପାରିଛନ୍ତି।
ଚୀନ ସହ ଭାରତର ଲଦ୍ଦାଖ ଅଂଚଳରେ ଲାଗି ରହିଥିବା ସୀମା ବିବାଦ ସମୟରେ ଏହି ପ୍ରସଙ୍ଗଟିକୁ ଉଠାଇ ସେ ଚୀନର ନୀରବ ସମର୍ଥନ ହାସଲ କରିବା ସହ ଭାରତକୁ ଜୋରଦାର ଢଙ୍ଗରେ ପ୍ରତିବାଦ କରିବାରୁ ବିରତ କରି ପାରିଛନ୍ତି। କୁହାଯାଏ, ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୁଦ୍ଧରେ ନେପାଳରେ ଉଠିଥିବା ପ୍ରତିବାଦର ସ୍ୱରକୁ ଦାନା ବାନ୍ଧିବାକୁ ନ ଦେବାରେ ଚୀନ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି। ଏପରିକି ଚୀନର ପ୍ରରୋଚନାରେ ନେପାଳ ସୀମା ବିବାଦ ପ୍ରସଙ୍ଗଟି ଉଠାଇଛି ବୋଲି କହିବାକୁ ଭାରତର ସେନାମୁଖ୍ୟ ପଛାଇନାହାନ୍ତି। ଏହି ସୀମା ବିବାଦ ଲାଗି ରହିଲେ ଚୀନ ଲାଭାନ୍ୱିତ ହେବ। ତେବେ ଏ ସମ୍ପର୍କରେ ଚୀନ ଏ ଯାଏଁ ଖୋଲାଖୋଲି କିଛି କହି ନାହିଁ।
ଗତ କିଛି ବର୍ଷ ଧରି ନେପାଳ ରାଜନୀତିରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ସହ ନେପାଳ ଚୀନର ନିକଟତର ହେବା ଓ ଭାରତଠାରୁ ଦୂରତା ରକ୍ଷା କରିବାକୁ ନେଇ ଭାରତ ଅସନ୍ତୁଷ୍ଟ। ନେପାଳ ଏକ ହିନ୍ଦୁ ବହୁଳ ଦେଶ (ପ୍ରାୟ ୮୫ ପ୍ରତିଶତ) ହୋଇଥିବାରୁ ଏହା ଭାରତର ନିକଟତର ହେଉ ବୋଲି ଭାରତର ଇଚ୍ଛା। ମଝିରେ ମଝିରେ ସେଠାରେ ହେଉଥିବା ଧର୍ମାନ୍ତରଣକୁ ନେଇ ଭାରତର କିଛି ଦକ୍ଷିଣପନ୍ଥୀ ଦଳ ମଧ୍ୟ ଚିନ୍ତା ପ୍ରକଟ କରୁଥିବାର ଦେଖାଯାଏ। ତେଣୁ ଭାରତ ମଧ୍ୟ ସେଠାରେ ଥିବା କିଛି ଭାରତ ସପକ୍ଷବାଦୀ ଦଳ ଓ ଗୋଷ୍ଠୀଙ୍କୁ ସାହାଯ୍ୟ କରି ଆସୁଛି ବୋଲି କୁହାଯାଏ।
ନେପାଳକୁ ନିଜ ଆଡକୁ ଟାଣିବା ପାଇଁ ସ୍ୱାଭାବିକ ଭାବେ ଉଭୟ ଚୀନ ଓ ଭାରତ ମଧ୍ୟରେ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଲାଗି ରହିଛି। ଏକ ସାର୍ବଭୌମ ଦେଶ ହୋଇଥିବାରୁ ନେପାଳ ନିଜ ସ୍ୱାର୍ଥ ଅନୁକୂଳ ପଦକ୍ଷେପ ନେବାରେ କିଛି ଆଶ୍ଚର୍ଯ୍ୟ ବା ବିଚଳିତ ହେବାର ନାହିଁ। ଏହା ଏକ ଭୂଭାଗ ଆବଦ୍ଧ (ଲ୍ୟାଣ୍ଡ ଲକଡେପ ) ଦେଶ ଓ ବିଭିନ୍ନ ପ୍ରକାର ଅର୍ଥନୈତିକ ଗତିବିଧି ପାଇଁ ଏହା ଭାରତର ଭୂଭାଗର ଉପଯୋଗ କରୁଥିବାରୁ ଦୁଇଟି ଦେଶ ମଧ୍ୟରେ ସୁସମ୍ପର୍କ ଉଭୟଙ୍କ ହିତରେ ବୋଲି ଗ୍ରହଣ କରିବାକୁ ହେବ।
ନେପାଳ ନୂତନ ମାନଚିତ୍ର ଜାରି କରି ଭାରତ ଦଖଲରେ ଥିବା କାଲାପାନି ସଂଲଗ୍ନ ଅଂଚଳଗୁଡିକୁ ଯେ ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇ ପାରିବ ତାହା ନୁହେଁ, ବରଂ ଏ ଭଳି ଏକ ସମସ୍ୟାକୁ ଅନ୍ତର୍ଜାତିକ ସ୍ତରରେ ଉପସ୍ଥାପନ କରି ଭାରତକୁ ନିନ୍ଦିତ କରିବାର ସୁଯୋଗ ପାଇବ। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତରେ ସମ୍ୱିଧାନ ସଂଶୋଧନ ଭଳି ଏକ କଡା ପଦକ୍ଷେପ ଗ୍ରହଣ କରି ସାରିଥିବାରୁ ନେପାଳ ପକ୍ଷରେ ଭାରତ ସହ ବାର୍ତାଳାପ କରିବା ପାଇଁ ମଧ୍ୟ ସୁଯୋଗ ସୀମିତ।
ଭାରତ ନେପାଳ ସୀମାର ୯୮ ପ୍ରତିଶତ ବିବାଦରହିତ ହୋଇଥିବାରୁ ମାତ୍ର ୨ ପ୍ରତିଶତରୁ କମ ଅଂଚଳରେ ଥିବା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପରିବ ବୋଲି ବିଶେଷଜ୍ଞଙ୍କ ମତ। ଏ ପରିସ୍ଥିତିରେ ଭାରତ ତତକ୍ଷଣାତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜ ଆଡୁ ବାର୍ତାଳାପ ପାଇଁ ପ୍ରୟାସ କଲେ ହୁଏତ ଭବିଷ୍ୟତରେ ଭାରତ-ନେପାଳ ସମ୍ପର୍କରେ କଂଟା ସାଜିବାକୁ ଯାଉଥିବା ଏକ ବଡ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ।
ଅତୀତରେ ଭାରତ ନେପାଳକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇ ଆସିଛି। ଭାରତରେ କିଛି ଲୋକ ତାର ବିରୋଧ କରିଛନ୍ତି ମଧ୍ୟ। ନେପାଳର ଏହି ପଦକ୍ଷେପ ପରେ ସେହି ଲୋକମାନେ ନେପାଳ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି। ଭାରତ ସେ ଭଳି କୌଣସି ପଦକ୍ଷେପ ଗ୍ରହଣ କଲେ ତାହା ଭାରତର ସ୍ୱାର୍ଥ ଅନୁକୂଳ ହୋଇ ନ ପାରେ। ଚୀନ ଅନାଇ ରହିଛି, ଭାରତ ନେପାଳ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି। ତାହା ହେଲେ ନେପାଳ ଭାରତଠାରୁ ଅଧିକ ଦୂରେଇ ଯିବ ଓ ଚୀନର ଅଧିକ ନିକଟତର ହେବ।
ଭାରତ ସୀମାରେ ପାକିସ୍ତାନ ପରି ଭାରତର ଆଉ ଗୋଟିଏ ପଡୋଶୀ-ଶତୃ ସୃଷ୍ଟି ହେବା ଚୀନର ସ୍ୱାର୍ଥକୁ ଚରିତାର୍ଥ କରିବ। ତେଣୁ ଏ ଭଳି ଏକ ଘଡି ସନ୍ଧି ମୁହୂର୍ତରେ ଭାରତକୁ ଅତ୍ୟଧିକ ସଂଯମ ରକ୍ଷା କରିବାର ଆବଶ୍ୟକତା ରହିଛି। ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କୌଣସି ପଦକ୍ଷେପ ଗ୍ରହଣ କରାଗଲେ ତାହା ହୁଏତ ନେପାଳର କ୍ଷତିସାଧନ କରି ପାରେ, କିନ୍ତୁ ସେଥିରେ ଭାରତର ବିଶେଷ କିଛି ଲାଭ ନ ହୋଇ ତାହା ବରଂ ଦୀର୍ଘକାଳୀନ କ୍ଷତିର କାରଣ ପାଲଟିବ, ଏଥିରେ ସନ୍ଦେହ ନାହିଁ। କୂଟନୀତିରେ କିଛି ଦୀର୍ଘକାଳୀନ ଲାଭ ପାଇବା ପାଇଁ କିଛି ତାତକାଳିକ କ୍ଷତି ସହିବାକୁ ହୋଇଥାଏ, ଇଟାର ଜବାବ ତୁରନ୍ତ ପଥରରେ ଦିଆ ହୋଇ ନ ଥାଏ, ବେଳେବେଳେ ମୁହଁ ନ ଖୋଲି ଚୁପ ରହିବା ବୁଦ୍ଧିମାନର କାମ ହୋଇଥାଏ।
ଭୁବନେଶ୍ୱର - ମୋ-୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।