Advertisment

ଗଙ୍ଗାଜଳ- ଫିଲ୍ମ ଓ ରାଜନୀତି!

ସ୍ୱାତୀ ଜେନା ୨୦୧୩ ମସିହାରେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କର ଏକ ହିନ୍ଦୀ ଚଳଚିତ୍ର ଆସିଥିଲା,‘ଗଙ୍ଗାଜଳ’। ସେ ସମୟରେ ବିହାରର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚଳଚିତ୍ରଟି ପ୍ରସ୍ତୁତ କରାଯାଇଥିଲା। ବିହାର ରାଜନୀତି ସହ ଏହାର ସିଧାସଳଖ ସଂପର୍କ ଥିଲା। ଜଣେ ସଚ୍ଚୋଟ୍ ଆଇପିଏସ ଅମିତ କୁମାରଙ୍କ ଅପରାଧୀଙ୍କୁ ଦମନ କରିବାର ସଂଘର୍ଷ ଓ ସରକାରୀ ବ୍ୟବସ୍ଥା ଉପରେ ରାଜନୈତିକ ଚାପକୁ ଅତି ନିଖୁଣ ଭାବେ ଏଠାରେ ପ୍ରତିପାଦନ କରାଯାଇଥିଲା। ଅନ୍ୟାୟ ହେଉଛି, ଦୁର୍ନୀତି ହେଉଛି, […]

author-image
Debendra Prusty
ଗଙ୍ଗାଜଳ- ଫିଲ୍ମ ଓ ରାଜନୀତି!

Film Gangajal

  • ସ୍ୱାତୀ ଜେନା

୨୦୧୩ ମସିହାରେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କର ଏକ ହିନ୍ଦୀ ଚଳଚିତ୍ର ଆସିଥିଲା,‘ଗଙ୍ଗାଜଳ’। ସେ ସମୟରେ ବିହାରର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚଳଚିତ୍ରଟି ପ୍ରସ୍ତୁତ କରାଯାଇଥିଲା। ବିହାର ରାଜନୀତି ସହ ଏହାର ସିଧାସଳଖ ସଂପର୍କ ଥିଲା। ଜଣେ ସଚ୍ଚୋଟ୍ ଆଇପିଏସ ଅମିତ କୁମାରଙ୍କ ଅପରାଧୀଙ୍କୁ ଦମନ କରିବାର ସଂଘର୍ଷ ଓ ସରକାରୀ ବ୍ୟବସ୍ଥା ଉପରେ ରାଜନୈତିକ ଚାପକୁ ଅତି ନିଖୁଣ ଭାବେ ଏଠାରେ ପ୍ରତିପାଦନ କରାଯାଇଥିଲା। ଅନ୍ୟାୟ ହେଉଛି, ଦୁର୍ନୀତି ହେଉଛି, ଅପରାଧ ହେଉଛି। କିନ୍ତୁ ସବୁ କିଛିକୁ କ୍ଷମତାର ଚାପରେ ସୁରକ୍ଷିତ ରଖା ଯାଉଛି। ଆଉ ଏହି ଦୁର୍ନୀତିରୁ ମୁକ୍ତି ପାଇବା ପାଇଁ ଆଇନ ବ୍ୟବସ୍ଥା ନୁହେଁ ବରଂ ଅସନ୍ତୁଷ୍ଟ ଜନତା ଗଙ୍ଗାଜଳର ଆଶ୍ରୟ ନେଇଛନ୍ତି। ଗଙ୍ଗାଜଳ ହିଁ ସେମାନଙ୍କ ପାଇଁ ଏକମାତ୍ର ଅସ୍ତ୍ର ପାଲଟି ଯାଇଛି। ବିହାରରେ ଅପରାଧୀଙ୍କ ବିରୋଧରେ ଗଙ୍ଗାଜଳ ପବିତ୍ର ନୁହେଁ ବରଂ ତେଜାବ୍ ବା ଏସିଡ ଥିଲା। ଆଖିରେ ଏସିଡ୍ ପକାଇ ସବୁ ଅନ୍ୟାୟରୁ ମୁକ୍ତି ପାଇବାର ଥିଲା ପ୍ରଚେଷ୍ଟା। ଏ ଚଳଚିତ୍ରର ପ୍ରଭାବ ବିହାର ରାଜନୀତି ଉପରେ ପଡ଼ିଥିଲା। ଆଉ ୨୦୧୪ ସାଧାରଣ ନିର୍ବାଚନରେ ବିହାରରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ୮ ବର୍ଷ ବିତି ଯାଇଛି। ଧୀରେ ଧୀରେ ବିହାର ସ୍ଥିତିରେ ସୁଧାର ଆସିଛି ଆଉ ଅପରାଧିକ ରାଜ୍ୟ ମାନ୍ୟତାରେ ସର୍ବଶ୍ରେଷ୍ଠ ତାଲିକା ଭିତରୁ ବାହାରି ୨୫ ନମ୍ବର ସ୍ଥାନକୁ ଖସି ଆସିଛି ବିହାର।

Advertisment

ଏବେ ଓଡ଼ିଶାରେ ପୁଣି ଥରେ ତେଜିଛି ଗଙ୍ଗାଜଳ ରାଜନୀତି। ଏଥର ଗଙ୍ଗାଜଳ ତାର ପବିତ୍ରତା ନେଇ ଫେରିଛି। କିନ୍ତୁ ପ୍ରସଙ୍ଗ ସେଇ ସମାନ। କାରଣ ଅପରାଧୀ ଦୁନିଆରେ ଧୀରେ ଧୀରେ ଓଡ଼ିଶା ଏକ ନମ୍ବର ହେବାକୁ ବସିଲାଣି। ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅସଦାଚରଣରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ। କିନ୍ତୁ ଜନ ସଂଖ୍ୟା ଦୃଷ୍ଟିରୁ ପ୍ରଥମ ହିଁ କୁହାଯିବ। ଲଗାତାର ୩ ବର୍ଷ ହେଲା ଓଡ଼ିଶାରେ ଅପରାଧ ସଂଖ୍ୟା ବଢ଼ି ଚାଲିଛି। ଖାସ୍ କରି ମହିଳାଙ୍କ ପାଇଁ ଅତି ଅସୁରକ୍ଷତ ହେବାର ଲାଗିଛି ଆମ ରାଜ୍ୟ ଓଡ଼ିଶା। ନ୍ୟାସନାଲ କ୍ରାଇମ ରୋକର୍ଡ ବ୍ୟୁରୋ ଅନୁସାରେ ଦେଶର ଶ୍ରେଷ୍ଠ ୧୦ଅପରାଧିକ ରାଜ୍ୟ ଭିତରେ ରହିଛି ଓଡ଼ିଶା। ପ୍ରତି ଦିନ ୮ ଜଣ ମହିଳା ଏଠାରେ ଦୁଷ୍କର୍ମର ଶିକାର ହେଉଛନ୍ତି। ଶିଶୁଙ୍କ ପ୍ରତି ଦୁଷ୍କର୍ମରେ ସାରା ଦେଶରେ ପ୍ରଥମ ଓ ଅପହରଣରେ ୩ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏପରିକି ମହିଳା ଓ ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ନେଇ ସାଇବର କ୍ରାଇମରେ ମଧ୍ୟ ଓଡ଼ିଶା ସାରା ଦେଶରେ ଷଷ୍ଠ ସ୍ଥାନରେ। ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ କେବଳ ୨୦୨୦ରେ ୧୪୭୦ ହତ୍ୟା ମାମଲାରୁ ୧୩୯୨ଟି ସତ ଘଟଣା। ସବୁଠାରୁ ଦୁଃଖ ଘଟଣା ଦେଲା, ଅପରାଧ ଯେଉଁ ହିସାବରେ ବଢୁଛି ସେହି ଅନୁପାତରେ କମି କମି ଚାଲିଛି ଫଇସଲ ହେଉଥିବା ମାମଲାର ସଂଖ୍ୟା। ଏନସିଆରବି ରିପୋର୍ଟ ଅନୁଯାୟୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଉଛନ୍ତି ମାତ୍ର ୯.୨ ପ୍ରତିଶତ ଅଭିଯୁକ୍ତ। ଏହି ତାଲିକାରେ ସାରା ଦେଶରେ ତଳଆଡୁ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ।

ବିହାର ସ୍ଥିତିଠାରୁ ଓଡ଼ିଶା କିଛି କମ୍ ନୁହେଁ। ରାଜ୍ୟର ପ୍ରତିଟି ବଡ଼ ବଡ଼ ଅପରାଧ ସହ ରାଜନେତାଙ୍କ ସିଧାସଖଳ ସଂପୃକ୍ତି  ରହିଛି। ବିହାରଠାରୁ ମଧ୍ୟ ଆହୁରି ରସାତଳ ସ୍ଥିତିରେ ଓଡ଼ିଶା।୨୦୧୩ରେ ରାଜ୍ୟରେ ମୁଣ୍ଡ ଟେକିଥିବା ଚିଟଫଣ୍ଡ ଦୁର୍ନୀତି ସଂପୂର୍ଣ୍ଣ ରୂପେ ଶାସକ ଦଳର ଛତ୍ରଛାୟା ତଳେ ହୋଇଥିବା ନେଇ ସିବିଆଇର ଅସମାପ୍ତ ତଦନ୍ତରୁ ଏକ ଧାରଣା ସୃଷ୍ଟି ହୋଇଛି। ଶାସକ ଦଳର ବହୁ ବିଧାୟକ ଓ ନେତା କୋର୍ଟକୁ ଟଣା ହେଲେ ଓ ଜେଲ ବି ଗଲେ। ରାଜ୍ୟରେ ଆଉ ଏକ ବଡ଼ ଦୁର୍ନୀତି ହେଲା ଖଣି ଦୁର୍ନୀତି। ଏଥିରେ ନେତା ମନ୍ତ୍ରୀ ଓ ବ୍ୟୁରୋକ୍ରାଟଙ୍କ ସଂପୃକ୍ତିର ତାଲିକା ଖୁବ୍ ଲମ୍ବା। ସମୟ ସହ ଏହି ତାଲିକା ବଢ଼ି ଚାଲିଛି। ସେ ଯାଜପୁର ହେଉକି କେନ୍ଦୁଝର, ସବୁଠି ନେତାଙ୍କ ଆଶୀର୍ବାଦରେ ଚାଲିଛି ବେଆଇନ ଖଣି କାରବାର। କାଠ ହେଉ କି ହାତୀ ଦାନ୍ତ ବ୍ୟବସାୟ, ଏପରିକି ଗଂଜେଇ ଚାଷ, ସେଥିରେ ମଧ୍ୟ ମନ୍ତ୍ରୀଙ୍କ ସଂପୃକ୍ତି କଥା ଉଠିଛି। ନେତାଙ୍କ କଳାକାରନାମାର ଫର୍ଦ୍ଦ ମହିଳାଙ୍କ ପ୍ରତି ଅସଦାଚରଣରେ ଯାଏଁ ମଧ୍ୟ ଲମ୍ବିଛି। ପିପିଲି ପୀଡ଼ିତା ବେବିନାକୁ ନେଇ ଫସିଥିଲେ ସ୍ୱର୍ଗତ ମନ୍ତ୍ରୀ ପ୍ରଦୀପ ମହାରଥୀ। କୁନ୍ଦୁଲି ପୀଡ଼ିତା ଓ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀକୁ ନେଇ କାଠଗଡ଼ାରେ ଠିଆ ହୋଇଛନ୍ତି ରାଜ୍ୟ ସରକାର। ପୁଣି ନୟାଗଡ଼ର ପରୀ କଥା କୁହନ୍ତୁ କି କଳାହାଣ୍ଡିର ଶିକ୍ଷୟତ୍ରୀ ମମିତା ମେହେର। ଉଭୟ ଘଟଣାରେ ମନ୍ତ୍ରୀଙ୍କ ଧଳା ଜାମାରେ ଲାଗିଛି ଅଭିଯୋଗର କଳାଦାଗ। ଏସିଏଫ ସୌମ୍ୟ ରଂଜନ ହୁଅନ୍ତୁ କି ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବି ରାଜ୍ୟ ସରକାରଙ୍କ ଦୁଇ ହାଇ ପ୍ରୋଫାଇଲ କ୍ୟାବିନେଟ୍ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଛି। ଜଣେ ହତ୍ୟା ପାଇଁ ଉସକାଉଥିଲେ ତ ଆଉ ଜଣେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ରହିଛି।

Advertisment

ଏମିତି କିଛି ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ବିରୋଧୀ ଗଙ୍ଗାଜଳର ଅମୋଘ ଅସ୍ତ୍ରକୁ ଆପଣାଇଛନ୍ତି। ଗଙ୍ଗାଜଳ ସହ ଗୋମୁତ୍ର ମିଶାଇ ସବୁ ଆଡ଼େ ସିଞ୍ଚନ କରୁଛନ୍ତି। ବିଧାନସଭା ଗୃହ ଭିତର ଓ ବାହାରକୁ ପବିତ୍ର କରୁଛନ୍ତି। ରାଜ୍ୟରେ କ୍ଷୀପ୍ର ଗତିରେ କାୟା ବିସ୍ତାର କରି ଚାଲିଥିବା ଏହି ଅପରାଧିକ ମାନସିକତାକୁ କ’ଣ ମାତ୍ର ୩୧ ଜଣ ବିରୋଧୀ ବିଧାୟକ (୯ କଂଗ୍ରେସ ଓ ୨୨ ବିଜେପି)ଙ୍କ ଦ୍ୱାରା ଦୂର କରିହେବ? ନା ବିହାର ପରି ଓଡ଼ିଶାକୁ ମଧ୍ୟ ଅପରାଧକୁ ମୁକ୍ତ କରିବା ପାଇଁ ରାଜ୍ୟବାସୀଙ୍କୁ ହିଁ ଜାଗ୍ରତ ହେବାକୁ ପଡ଼ିବ?