ହାଜତ ମୃତ୍ୟୁ ପଛରେ ଜାତି ଓ ଶ୍ରେଣୀ

ଦେବ ରଞ୍ଜନ ଆମ ଦେଶରେ ହାଜତରେ ମୃତ୍ୟୁ ହେଲା ସମାଜର ଅତି ଦୁର୍ବଳ ବର୍ଗର ଅତି ସବଳ ବର୍ଗ ହାତରେ ହତ୍ୟା, ଯେମିତି ଜଣେ ମଣିଷ ହାତରେ କୌଣସି ଜନ୍ଦା କିମ୍ବା ପିମ୍ପୁଡ଼ି। ହାଜତର ନିଭୃତ କୋଣରେ ସେ କରୁଥିବା ଚିତ୍କାର ଯେ କାହାକୁ ଶୁଣାଯିବ ଓ ସେ କାହାର ଯେ ସାହାଯ୍ୟ ପାଇବ ସେଭଳି ସମ୍ଭାବନା ନଥାଏ। ଦେଶର ଆଇନ ମଧ୍ୟ ସେଠାରେ ପହଞ୍ଚି ପାରେନାହିଁ। ହାଜତରେ ମୃତ୍ୟୁ ଘଟୁଥିବା ଲୋକ ମୁଖ୍ୟତଃ ଦଳିତ, ଆଦିବାସୀ, […]

Jail

Debendra Prusty
  • Published: Thursday, 09 June 2022
  • , Updated: 09 June 2022, 03:24 PM IST
  • ଦେବ ରଞ୍ଜନ

ଆମ ଦେଶରେ ହାଜତରେ ମୃତ୍ୟୁ ହେଲା ସମାଜର ଅତି ଦୁର୍ବଳ ବର୍ଗର ଅତି ସବଳ ବର୍ଗ ହାତରେ ହତ୍ୟା, ଯେମିତି ଜଣେ ମଣିଷ ହାତରେ କୌଣସି ଜନ୍ଦା କିମ୍ବା ପିମ୍ପୁଡ଼ି। ହାଜତର ନିଭୃତ କୋଣରେ ସେ କରୁଥିବା ଚିତ୍କାର ଯେ କାହାକୁ ଶୁଣାଯିବ ଓ ସେ କାହାର ଯେ ସାହାଯ୍ୟ ପାଇବ ସେଭଳି ସମ୍ଭାବନା ନଥାଏ। ଦେଶର ଆଇନ ମଧ୍ୟ ସେଠାରେ ପହଞ୍ଚି ପାରେନାହିଁ।

ହାଜତରେ ମୃତ୍ୟୁ ଘଟୁଥିବା ଲୋକ ମୁଖ୍ୟତଃ ଦଳିତ, ଆଦିବାସୀ, ମୁସଲମାନ, ଉଭୟଲିଙ୍ଗି, ଏକୁଟିଆ ମହିଳା ଓ ବସ୍ତିବାସିନ୍ଦା। ଓଡ଼ିଶାରେ ପୁଲିସ ହାଜତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଅଧିକାଂଶ ସ୍ତରରେ ଦଳିତ ବର୍ଗର। ଉଚ୍ଚ ଜାତି ଧନୀ ଶ୍ରେଣୀର ଲୋକ କିମ୍ବା ରାଜନୈତିକ ଦଳର ପ୍ରଭାବଶାଳୀ ସଦସ୍ୟ କେବେ ହାଜତ ମଧ୍ୟରେ ମୃତ୍ୟୁବରଣ କରିନାହାନ୍ତି। ବରଂ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ଲାଗି ସଂଗଠିତ କରାଉଥିବା କୌଣସି ରାଜନୈତିକ କର୍ମୀଙ୍କୁ କେବେ କେବେ ଆକ୍ରମଣ କରି ମାରିଦିଆଯାଇଛି। ହେଲେ ବି ଦଳିତ ସଂଗଠନ ଓ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ଏ ସମ୍ପର୍କରେ ନୀରବ ରହିଆସିଛନ୍ତି। ସେମାନେ ଏହାକୁ ଅଭିଯୁକ୍ତ ବନାମ ପୁଲିସର ପ୍ରସଙ୍ଗ ଭବିଛନ୍ତି। କିନ୍ତୁ ରାଜ୍ୟ ସରକାରମାନେ ଯେ ସଂସ୍କାର ନଆଣିବା ହେତୁ ଏହା ବଢ଼ି ଚାଲିଛି ସେ କଥା ଆଲୋଚନାର ପ୍ରସଙ୍ଗ ମଧ୍ୟକୁ ଆସିପାରିନାହିଁ।

ମୃତ୍ୟୁବରଣ କରିଥିବା ଦଳିତ ଅଥବା ଆଦିବାସୀ ବା ବସ୍ତିର ସେହି ମଣିଷ କଣ ତା’ ଜୀବନରେ କେବେ ଭୋଟ ଦେଇନଥିବ ନା ଗଣତନ୍ତ୍ରର ଅର୍ଥ ସେ ବୁଝି ନଥିବ? ପୁଲିସର ଅତ୍ୟାଚାରର ପ୍ରତି ମୁହୂର୍ତ୍ତରେ ସେ ଏହି ଦେଶର ସମ୍ବିଧାନର ଧାରାମାନଙ୍କୁ ଖୋଜୁଥିବ ଯେ କେଉଁଠି ତା’ର ମୃତ୍ୟୁ ନିଶ୍ଚିତ ବୋଲି ଲେଖା ହୋଇଛି? ସେହି ସମ୍ବିଧାନ ଯାହାର ଶପଥ ନେଇ ଦୀର୍ଘ ବର୍ଷ ହେଲା ଏ ଦେଶର ଓ ରାଜ୍ୟର ଅନେକ ଜନ ପ୍ରତିନିଧି ଶାସନ କରିଛନ୍ତି? ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ, ଗଲା ୧୦ ବର୍ଷ ମଧ୍ୟରେ (୨୦୧୦ – ୨୦୧୯) ୪୩ ଜଣଙ୍କର ପୁଲିସ ହେଫାଜତରେ ମୃତ୍ୟୁ ହୋଇଥିଲା। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ଆଦିବାସୀ ପୁଲିସର ଗିରଫ ପରେ ଆଉ କେବେ ଘରକୁ ଫେରିନାହାନ୍ତି। ସେମାନଙ୍କ “ଅନ୍ତର୍ଦ୍ଧାନ” ସମ୍ପର୍କରେ ବିଭିନ୍ନ ମାନବିକ ଅଧିକାର କମିଶନ ଓ ହାଇକୋର୍ଟରେ କେସ ଫାଇଲ ହୋଇଛି ଓ ସେହିଥିରୁ ଘଟଣା ସମ୍ପର୍କରେ ଜଣାପଡ଼ିଛି।

ଗିରଫ ସଂକ୍ରାନ୍ତରେ ଉଭୟ ଜାତୀୟ ମାନବିକ ଅଧିକାର କମିଶନ, ଡିକେ ବସୁ ଜଜମେଣ୍ଟ ଅନୁସାରେ ନିର୍ଦ୍ଦେଶାବଳି ଓ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶାବଳି ରହିଛି। ଥାନା ଓ ଜେଲରେ ସିସିଟିଭି କ୍ୟାମେରା ଖଞ୍ଜିବା, ଗିରଫ ସମୟରେ ପୁଲିସ ଅଫିସର ନିଜେ ନାମ ଫଳକ ଲଗାଇବା, ଗିରଫ ବ୍ୟକ୍ତିର ପରିବାରଙ୍କୁ ତୁରନ୍ତ ଜଣାଇବା, ଚବିଶ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇବା, ହାଜର ପୂର୍ବରୁ ଡାକ୍ତରଙ୍କ ନିକଟରେ ପରୀକ୍ଷା କରାଇବା ଇତ୍ୟାଦି ନିର୍ଦ୍ଦେଶ ସେମାନେ ଜାରି କରିଛନ୍ତି।

ତଥାପି ଦରିଦ୍ର ମଣିଷ ବିପକ୍ଷରେ ଯେବେ ସାଧାରଣ ଅପରାଧର ଅଭିଯୋଗ ଆସେ ସେତେବେଳେ ପୁଲିସ ଏ ଦେଶର ସମସ୍ତ ଆଇନକୁ ପଛରେ ରଖିଦିଏ। ଅଧିକାଂଶ ହାଜତ ମୃତ୍ୟୁ ଚୋରୀ ଅଭିଯୋଗରେ ହୋଇଛି। ଏ କ୍ଷେତ୍ରରେ ପ୍ରକୃତରେ ଚୋରୀ କୌଣସି ଧନୀ ଡାକ୍ତର, ଅଧ୍ୟାପକ, ବ୍ୟବସାୟୀ ବା ଇଞ୍ଜିନିୟରଙ୍କ ଘରୁ ହୋଇଥାଏ। ପୁଲିସର ଅନୁସନ୍ଧାନରେ ବିଲମ୍ବ ଦେଖି ଗଣମାଧ୍ୟମ (ସେମାନେ ସେହିବର୍ଗର ହୋଇଥିବା କାରଣରୁ) ‘ପୁଲିସ ହାତ ଖୋଲା’ ନାମରେ ସମ୍ବାଦ ପ୍ରକାଶ କରି ପରୋକ୍ଷ ଚାପ ମଧ୍ୟ ସୃଷ୍ଟି କରନ୍ତି। ଫଳରେ, ସେହି ନିର୍ଦ୍ଦଳୀୟ ଓ ନିଷ୍ପ୍ରଭ ମଣିଷକୁ ବିନା ସୂଚନାରେ ହଠାତ ଦିନେ ପୁଲିସ ଉଠାଇନିଏ। ଯଦିଓ ଗିରଫ ପୂର୍ବରୁ ଓ ଗିରଫ ସମୟରେ ଅନେକ ନିର୍ଦ୍ଦେଶାବଳି ରହିଛି କିନ୍ତୁ ପୁଲିସ ସେ ସବୁକୁ ପାଳନ କରିନଥାଏ।

ଗଣତନ୍ତ୍ର ପୁରୁଣା ହେବା ସହ ହାଜତମୃତ୍ୟୁ ମଧ୍ୟ ଅଧିକ ହେଉଛି:

ପୁଲିସର “ଅନୁସନ୍ଧାନ” ପ୍ରକ୍ରିୟା ହେଲା ହାଜତ ମଧ୍ୟରେ ପିଟିପିଟି “ସତ୍ୟ ଓଗାଳିବା”। ସେହି ମଧ୍ୟରେ କେହି କେହି ଦୋଷ ସ୍ଵୀକାର କରିଥାନ୍ତି ତ କେହି ପୁଣି ଭାରି ବୁଟ ଓ ବାୟୋନେଟର ଆକ୍ରମଣ ସମ୍ଭାଳି ନପାରି ପୁଲିସର ହାଜତରେ ମୃତ୍ୟୁବରଣ କରିଥା’ନ୍ତି। ପୁଣି କେହି କେହି ସେହି ଅର୍ଦ୍ଧମୃତ ଅବସ୍ଥାରେ ବିଚାର ବିଭାଗ ହାଜତକୁ ଆସିଥାନ୍ତି ଓ ଦିନେ ବା ଦୁଇ ଦିନ ମଧ୍ୟରେ ଜେଲରେ ଥାଇ ମୃତ୍ୟୁ ବରଣ କରନ୍ତି।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଦଶ ବର୍ଷର ହାଜତ ମୃତ୍ୟୁକୁ ନେଇ ନିଜ ରିପୋର୍ଟ (୨୦୧୯)ରେ ଉଲ୍ଲେଖ କରିଛି ଯେ ଗିରଫର ପ୍ରଥମ ଚବିଶ ଘଣ୍ଟା ମଧ୍ୟରେ ୬୩%  ହାଜତ ମୃତ୍ୟୁ ଘଟଣା ଘଟିଛି। ଦେଶ ମଧ୍ୟରେ ଗୁଜୁରାଟରେ ସର୍ବାଧିକ (୮୭%) ଚବିଶ ଘଣ୍ଟା ମଧ୍ୟରେ ହାଜତ ମୃତ୍ୟୁ ହୋଇଥିଲା ବେଳେ ପଣ୍ଡିଚେରିରେ ଏହା ସର୍ବନିମ୍ନ (୧%)। ଓଡ଼ିଶାରେ ଏହା ୬୩%।

ବିଭିନ୍ନ ତଥ୍ୟ ଅନୁସନ୍ଧାନ ରିପୋର୍ଟ ଅନୁସାରେ, ଅଧିକାଂଶ ମୃତ ବ୍ୟକ୍ତି କୌଣସି ଏକ ଛୋଟ ଚୋରୀ ମାମଲାରେ ପୁଲିସ ଦ୍ଵାରା ଥାନାକୁ ଜବରଦସ୍ତି ଅଣାଯିବା ପରେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଛି। ଯଦି ସେ ପୁଲିସ ହାଜତରେ ମୃତ୍ୟୁ ହୋଇଥାଏ ତେବେ ତାହାକୁ ଗଣମାଧ୍ୟମରେ ଆତ୍ମହତ୍ୟା କରିଥିବା କୁହାଯାଏ। ବ୍ୟକ୍ତି ଜଣକୁ ଯଦି ସେହି ଭିତରେ ବିଚାର ବିଭାଗ ହାଜତକୁ (ଜେଲ) ପଠାଇ ଦିଆଯାଇଥାଏ ଓ ତାହାର ସେଠାରେ ମୃତ୍ୟୁ ଘଟେ ତେବେ ‘ପୂର୍ବର ଅସୁସ୍ଥତା’ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ଦର୍ଶାଯାଇଥାଏ।

ଏ କ୍ଷେତ୍ରରେ ଦାୟୀ ପୁଲିସ ଅଧିକାରୀ ଜଣକ ଅଧିକାଂଶ ଘଟଣାରେ ସମାଜର ଉଚ୍ଚ ଜାତିର ହୋଇଥା’ନ୍ତି। ସମାଜରେ ଦଳିତଙ୍କ ପ୍ରତି ରହିଥିବା ଘୃଣା ତାଙ୍କର କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଯେତେଶୀଘ୍ର ଦଳିତ ଓ ଆଦିବାସୀ ବର୍ଗର ଗରିବ ମଣିଷକୁ ପୁଲିସ ବିନା ସୂଚନାରେ ଘରୁ ଉଠାଇ ଆଣେ, କୌଣସି ରାଜନୈତିକ ଆକ୍ରୋଶ ନଥିଲେ, ଅନ୍ୟ କୌଣସି ଘଟଣାରେ ସେଭଳି ବେଆଇନ କାର୍ଯ୍ୟ କରିନଥାଏ।

କୋର୍ଟ, ଡାକ୍ତର ଓ ପୁଲିସ ଅଧିକାରୀ ନିଜ ଭୂମିକା କରୁନାହାନ୍ତି:

“ଅଭିଯୁକ୍ତ” ଜଣକ ଜେଲକୁ ଆସିବା ପୂର୍ବରୁ ଡାକ୍ତରଙ୍କ ନିକଟରେ ତାଙ୍କର ମେଡିକାଲ ଚେକଅପ କରାଯାଇଥାଏ। ସେତେବେଳେ କୌଣସି ବେମାର ଉଲ୍ଲେଖ ନଥିଲାବେଳେ ଜେଲରେ କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କଲେ ଡାକ୍ତରୀ ରିପୋର୍ଟରେ ପୁଣି “ଗୁରୁତର ବେମାରୀ” ରହିଥିବା କଥା ଉଲ୍ଲେଖ ରହେ। ପୁଲିସ ହାଜତରେ ବା ଜେଲରେ ମୃତ୍ୟୁ ଘଟିଲେ ଶବ ବ୍ୟବଛେଦ ହେବାର ନିୟମ ରହିଛି। ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଙ୍ଗ କରାଯିବା ନିର୍ଦ୍ଦେଶ ରହିଛି। ଏ କ୍ଷେତ୍ରରେ କ୍ୟାମେରାମ୍ୟାନ ପ୍ରାଇଭେଟ ଫଟୋ ଷ୍ଟଡିଓ କର୍ମଚାରୀ ହୋଇଥାଏ ଓ ନିର୍ଦ୍ଦେଶ ଅନୁସାରେ ତାହାର କ୍ୟାମେରାର ମୁହଁ କଦାପି ଶବର ଶରୀର ଆଡ଼କୁ ନଥାଏ।

ଡାକ୍ତରଙ୍କ ରିପୋର୍ଟରେ ରହେ ଯେ ମୃତ ବ୍ୟକ୍ତିର ଶରୀରରେ କୌଣସି ଦାଗ ନଥିଲା। କିନ୍ତୁ ପରିବାର ଲୋକେ ଶବକୁ ନେବା ପରେ ଏଥିରେ ଅନେକ ଦାଗ ରହିଥିବା କଥା ଦର୍ଶାଇଥା’ନ୍ତି ଓ ସେମାନେ ଅଭିଯୋଗ ମଧ୍ୟ ଦାଏର କରିଥା’ନ୍ତି। କିନ୍ତୁ ଠିକରେ ଭିଡିଓ ରେକର୍ଡିଂ ହୋଇନଥିବା କାରଣରୁ ତାଙ୍କର ଅଭିଯୋଗ ଗ୍ରହଣୀୟ ହୋଇନଥାଏ।

ପରିବାରର ଅଭିଯୋଗ ଆଧାରରେ କୋର୍ଟ ଦ୍ଵିତୀୟ ବାର ଶବ ବ୍ୟବଛେଦ ଲାଗି କୌଣସି ନିର୍ଦ୍ଦେଶ ଦିଅନ୍ତି ନାହିଁ। ଡାକ୍ତରଙ୍କ ଏହି ସନ୍ଦେହଜନକ ଭୂମିକା ବିପକ୍ଷରେ ମଧ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ମେଡିକାଲ କର୍ପୋରେସନ ବା ଜାତୀୟ ସ୍ତରରେ ଥିବା ଜାତୀୟ ମେଡିକାଲ କମିଶନ (ପୂର୍ବର ମେଡିକାଲ କାଉନସିଲ) କୌଣସି ତଦନ୍ତ କରନ୍ତି ନାହିଁ। ଜାତୀୟ ମାନବିକ ଅଧିକାର କମିଶନ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ସମ୍ପର୍କରେ ନିରବ ରହୁଛନ୍ତି।

ଜେଲରେ ଯେତେବେଳେ କୌଣସି “ଅଭିଯୁକ୍ତର” ମୃତ୍ୟୁ ଗିରଫର ଅଳ୍ପ କେତେ ଘଣ୍ଟା ମଧ୍ୟରେ ଘଟୁଛି ସେତେବେଳେ ଧରିନିଆଯିବ ଯେ ଫାଷ୍ଟ କୋର୍ଟର ମାଜିଷ୍ଟ୍ରେଟ ଠିକରେ “ଅଭିଯୁକ୍ତ” ବୟାନକୁ ରେକର୍ଡ କରିନାହାନ୍ତି। ସୁପ୍ରିମ କୋର୍ଟ ଅଥବା ହାଇକୋର୍ଟ ଏ କ୍ଷେତ୍ରରେ କ’ଣ ନିର୍ଦ୍ଦିଷ୍ଟ ବିଚାରପତିଙ୍କ ବିପକ୍ଷରେ ହତ୍ୟା ପାଇଁ ଦାୟୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ହୁଅନ୍ତା ନାହିଁ? ସେଭଳି ପଦକ୍ଷେପ ନେବା ଦୂରର କଥା ସୁପ୍ରିମ କୋର୍ଟ କେବେ କୌଣସି ବିଚାରପତିଙ୍କ ବିପକ୍ଷରେ ସାମାନ୍ୟତମ ଟିପ୍ପଣୀ ମଧ୍ୟ ଦେଇନାହାନ୍ତି। ଡାକ୍ତର ରିପୋର୍ଟ ଆଧାରରେ ବିଚାରପତିଙ୍କ ଦ୍ଵାରା ଅପରାଧୀ କର୍ମଚାରୀ ଜଣକ ଦୋଷମୁକ୍ତ ହୋଇଥା’ନ୍ତି।

ଆମର ସମ୍ବିଧାନରେ ସୁପ୍ରିମ କୋର୍ଟ (ଧାରା ୩୨) ଓ ହାଇକୋର୍ଟ (ଧାରା ୨୨୬)ରେ ଏଭଳି ଅଭିଯୋଗ ଖବରକାଗଜ ବା କୌଣସି ସୂତ୍ରରୁ ଜାଣିଲେ suo moto କେସ ଫାଇଲ କରିପାରିବେ ବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ। କିନ୍ତୁ ଗଲା କିଛି ବର୍ଷ ହେଲା ସେଭଳି ଉଦ୍ୟମ ମଧ୍ୟ ଉପର କୋର୍ଟମାନେ କରୁନାହାନ୍ତି।

ସମସ୍ତେ ଧରିନେଇଥାନ୍ତି ଯେ ଏ ଭଳି କେସ ଚାଲିଲେ କିଛି କ୍ଷତିପୂରଣ ବ୍ୟତୀତ ବିଶେଷ କିଛି ନ୍ୟାୟ ସେହି ପରିବାରକୁ ମିଳିବାର ନାହିଁ। କାରଣ ମୂଳ ଲୋକଟି ଗରିବ ଶ୍ରେଣୀର ହୋଇଥାଏ। ଅଥଚ ନାଗରିକ ସମାଜରେ ହାଜତ ମୃତ୍ୟୁ ଯେ ସବୁଠାରୁ ସାଂଘାତିକ ଅପରାଧ ଏ କଥା କିନ୍ତୁ ସୁପ୍ରିମ କୋର୍ଟ କହିବା ଲାଗି ଭୁଲୁନାହାନ୍ତି।

“ଅଭିଯୁକ୍ତ” ଜଣକର ହାଜତରେ ମୃତ୍ୟୁ ହେବା ପରେ ସେ ଗିରଫ ହୋଇଥିବା କେସର ତଦନ୍ତ ମଧ୍ୟ ବନ୍ଦ ହୋଇଯାଏ। ସେ ଯେ ସତରେ ଚୋରୀ କରିଥିଲା ନା କେବଳ ସନ୍ଦେହ ଆଧାରରେ ପୁଲିସ ତାଙ୍କୁ ଆଣିଥିଲେ ବା ଗିରଫ ସତେରେ କେତେ ଜରୁରୀ ଥିଲା ସେହି ସବୁ ପ୍ରଶ୍ନ ଲୁଚିଯାଏ। ଏହି ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ବା ନିର୍ବାଚିତ ସଦସ୍ୟ ଏହାକୁ ରୋକିବା ଦିଗରେ ଆଦୌ ଆଗ୍ରହ ଦେଖାଉନାହାନ୍ତି। ଏ ଭଳି କ୍ଷେତ୍ରରେ ଲୋକଙ୍କର ସଂଗଠିତ ଓ ଦୀର୍ଘ ପ୍ରତିବାଦ ଦ୍ଵାରା ହିଁ କିଛିଟା ପରିବର୍ତ୍ତନ ଆସିପାରିବ।

ଫୋନ : ୯୪୩୭୭୬୨୨୭୨

Related story