- ସୂର୍ଯ୍ୟମଣି ମିଶ୍ର
ନିକଟରେ ସଂସଦରେ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇ କହିଛନ୍ତି ଯେ, ଜନଗଣନାରେ ଜାତି ତଥ୍ୟକୁ ଏକାଠି କରିବା ବର୍ତ୍ତମାନ ସରକାରଙ୍କ କାର୍ଯ୍ୟସୂଚୀରେ ନାହିଁ। ଏହା ସତ୍ୟ ଯେ, ମନମୋହନ ସିଂହଙ୍କ କଂଗ୍ରେସ ସରକାର ଥିଲେ ଏହା ମଧ୍ୟ କହିଥାନ୍ତେ! ଜାତି ପରିସଂଖ୍ୟାନକୁ ଏକାଠି କରିବା ଏବଂ ଜାତିବାଦୀ ହେବା ସମାନ କଥା ନୁହେଁ, ଅର୍ଥାତ୍ ପୃଥକ୍ କଥା। କେତେକ ବ୍ୟକ୍ତି ଏହା ବୁଝନ୍ତି ଯେ ଜାତି ଉପରେ ଜୋର ଦେଲେ ଜାତିବାଦ ବଢିବ! ଯଦି ଏହା ପ୍ରକୃତରେ ହୋଇଥାନ୍ତା ତେବେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଦାବି ଜୋର ଧରିଥାନ୍ତା ନିଶ୍ଚୟ। କିନ୍ତୁ ଏହା ହେଉନାହିଁ, ବରଂ ଜାତି ଜନଗଣନା ହେବାର ଆବଶ୍ୟକତା ଉପରେ ଚର୍ଚ୍ଚା ହେଉଛି।
ଆମ ଦେଶରେ ଯେତେବେଳେ ଇଂରେଜ ସରକାର ଥିଲା ସେତେବେଳେ ଜନଗଣନା କାମ ବ୍ୟବସ୍ଥିତ ଭାବେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜନଗଣନା ୧୮୮୧ରେ ଆରମ୍ଭ ହେଲା। ଏହା ପରେ ପ୍ରତି ୧୦ ବର୍ଷରେ ଜନଗଣନା ହେଲା। ଏଥିରେ ଜାତି ଗଣନା ମଧ୍ୟ ସଂପୃକ୍ତ ଥିଲା। ଏହି ଗଣନାରୁ ଆମ୍ବେଦକରଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଅଛୁଆଁ ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ମିଳିଥିଲା। ଜନଗଣନା ଦ୍ୱାରା ବିଭିନ୍ନ ସୂଚନା ସଂପର୍କରେ ଜାଣିବାକୁ ମିଳିଥାଏ। ଯେପରି କେଉଁ ଜାତିରେ କେତେ ଚକ୍ଷୁହୀନ, କେତେ ଭିନ୍ନକ୍ଷମ, କେତେ ରୋଗୀ, କେତେ ନିରକ୍ଷର, କେତେ ସ୍ୱାକ୍ଷର, କେତେ ସଂଖ୍ୟକ ପଢାଲେଖା ଜାଣିଛନ୍ତି, କେତେ ଶିକ୍ଷିତ ଏହିଭଳି ଅନେକ କିଛି। ଏହି ଗଣନାରୁ ମିଳିଥିବା ସୂଚନା ଆଧାରରେ ଯୋଜନା ତିଆରି ହୁଏ। ଜାତି ସମ୍ବନ୍ଧୀୟ ଯେତେ ନିଷ୍ପତ୍ତି ନିଆଯାଇଥିଲା ଏହିସବୁର ଆଧାର ହେଉଛି ୧୯୩୧ ଜନଗଣନା। ୧୯୪୧ ଜନଗଣନା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଗଣନା କାମ କେବଳ କାଗଜ ପତ୍ରରେ କରାଯାଇଥିଲା। ବ୍ୟାପକ ସର୍ଭେ ହୋଇପାରିନଥିଲା।
୧୯୪୭ରେ ଆମ ଦେଶ ଭାରତ ବର୍ଷ ସ୍ୱାଧୀନ ହେବା ପରେ ୧୯୫୧ରେ ବ୍ୟବସ୍ଥିତ ଭାବରେ ଜାତି ସର୍ବେକ୍ଷଣ ହୋଇଥିଲା। ସମ୍ବିଧାନରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ଜନସଂଖ୍ୟା ଆଧାରରେ ସରକାରୀ ଚାକିରି ଏବଂ ଅନ୍ୟକ୍ଷେତ୍ରରେ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଏଥିପାଇଁ ଏହି ଜାତି ଗଣନାର ଗୁରୁତ୍ୱ ବା ଆବଶ୍ୟକତା ରହିଛି। କିନ୍ତୁ ଅନ୍ୟ ଜାତି ସଂପର୍କରେ କୌଣସି ତଥ୍ୟ ଏକାଠି କରାଯାଇନଥିଲା।
କିନ୍ତୁ ଆଜି ଯେତେବେଳେ ଅନ୍ୟ ପଛୁଆବର୍ଗ ଅନ୍ୟ ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା ସଂସ୍ଥାନରେ ନାମାଙ୍କନରେ ଆରକ୍ଷଣ ନିୟମ କାର୍ଯ୍ୟକାରୀ କରାଯାଉଛି ସେତେବେଳେ ଜାତି ଜନଗଣନାର ଗୁରୁତ୍ୱ ଏବଂ ଆବଶ୍ୟକତା ରହିଛି। ଜାତି କଲମରେ ଜନଗଣନାକୁ ଯୋଡ଼ି ଦିଆଯିବାରେ ବାଧା କେଉଁଠି? ଜନଗଣନାରେ ୨୯ଟି ପ୍ରଶ୍ନ ପଚରା ଯାଇଥାଏ। ଆଉ ଗୋଟିଏ ପ୍ରଶ୍ନ ଯୋଡ଼ିବାରେ ଅସୁବିଧା କେଉଁଠି? ଆପଣ କେଉଁ ଜାତିର ଏହା ପଚାରି ଏହାକୁ ସ୍ଥାନିତ କରିବାରେ ପ୍ରତିବନ୍ଧକ କେଉଁଠି? ଏହା ଦ୍ୱାରା ଜଣାପଡ଼ିବ ଅନ୍ୟ ପଛୁଆବର୍ଗର ସଂଖ୍ୟା କେତେ ଏବଂ ଲାଭାର୍ଥିଙ୍କ ସଂଖ୍ୟା କେତେ? ଅନ୍ୟ ପଛୁଆବର୍ଗର ଭାଗ କେତେ? ସମାଜ ଶାସ୍ତ୍ରୀୟ ଅଧ୍ୟୟନ ପାଇଁ ଏହାର ଆବଶ୍ୟକତା ରହିଛି।
କିନ୍ତୁ ଏବେ ଦେଖିବାକୁ ମିଳୁଛି କେତେକ ବିଶେଷ ବ୍ୟକ୍ତି ଜାତି ଜନଗଣନା ଉପରେ ଜୋର ଦେଉଛନ୍ତି ତ, ଆଉ କିଛି ବିଶେଷ ବ୍ୟକ୍ତି ଏହି ଗଣନାକୁ ବନ୍ଦ କରିବା ପାଇଁ ରୁଚି ରଖୁଛନ୍ତି, ଉଦ୍ୟମ କରୁଛନ୍ତି। ଏହି ଜୋର୍ ଦେଉଥିବା ଲୋକଙ୍କ ମଧ୍ୟରେ କେତେକ ଅନ୍ୟ ପଛୁଆବର୍ଗର ଲୋକ ଅଛନ୍ତି। ଯାହାଙ୍କର ଇଚ୍ଛା ହେଉଛି ଅନ୍ୟ ପଛୁଆବର୍ଗ ଲୋକଙ୍କର ସାମଗ୍ରିକ ଭାବରେ ବା କୌଣସି ଭାବରେ ସାମାଜିକ ପରିବର୍ତ୍ତନ ନହେଉ। ସେମାନଙ୍କୁ ନ୍ୟାୟ ନମିଳୁ। କେବଳ ଏତିକି ସୂଚନା ମିଳୁ ସେ ତାଙ୍କ ଜାତିର ଲୋକଙ୍କ ସଂଖ୍ୟା କେତେ? ତାଙ୍କ ଜାତିର ଭୋଟର ସଂଖ୍ୟା କେତେ? ଏହା ଦ୍ୱାରା ସେମାନେ ଜାତି ଆଧାରରେ ନିଜର ଦବ୍ଦବା ବା ପ୍ରଭାବ ବଜାୟ ରଖିପାରିବେ।
ମୁଷ୍ଟିମେୟ କେତେଜଣଙ୍କ ଇଚ୍ଛାକୁ ନେଇ ଜାତି ଜନଗଣନାକୁ ସ୍ଥଗିତ ରଖିବା ଆଦୌ ଉଚିତ୍ ନୁହେଁ। କାରଣ ଭୋଟ ବେଳେ ଜାତି କଥାଟାକୁ କେତେକ ରାଜନେତା ଗୁରୁତ୍ୱ ଦେଇଥାନ୍ତି। କୁହାଯାଏ ଆରଏସ୍ଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ଜାତି ଗଣନା ସପକ୍ଷରେ ନାହିଁ। କଂଗ୍ରେସ ମଧ୍ୟ ଦୀର୍ଘ ସମୟ ଧରି ଏହି ଗଣନା ସପକ୍ଷରେ ନଥିଲା। ଜାତି ଗଣନା ହେବା ଦ୍ୱାରା ହିନ୍ଦୁତ୍ୱ ବିଚାର ଦୁର୍ବଳ ହେବ। ଏଥିପାଇଁ ଆରଏସଏସ୍ ଏହି ଗଣନା ହେଉ ବୋଲି ଚାହୁଁନାହିଁ। କଟ୍ଟର ବା କଠୋର ଇସ୍ଲାମୀ ଚେତନା ଲୋକ ମଧ୍ୟ ଜାତି ଗଣନା ଚାହୁଁନାହାନ୍ତି। ଏହାଙ୍କୁ ଜଣାଯାଏ ଯେ, ଇସ୍ଲାମ ଏବଂ ମୁସଲମାନ ଏକ। ଯେପରି ସଂଘକୁ ଜଣାଯାଏ ଯେ, ହିନ୍ଦୁଧର୍ମରେ ଜାତି ଭେଦଭାବ ନାହିଁ। କିନ୍ତୁ ଏହା ସତ୍ୟ ଯେ, ହିନ୍ଦୁଧର୍ମରେ ଜାତି ବ୍ୟବସ୍ଥାର ଘୃଣ୍ୟ ଚିତ୍ର ଆଜି ବି ରହିଛି। ମୁସଲମାନଙ୍କ ମଧ୍ୟରେ ମଧ୍ୟ ଜାତିଭେଦ ଅଛି। ଉଭୟ ଧର୍ମରେ ଏହି ଜାତି ବ୍ୟବସ୍ଥାକୁ ନେଇ ସାମାଜିକ ଘୃଣା ମଧ୍ୟ ରହିଛି। ଶେଖ୍, ସୟଦ ଏବଂ ମୁଲ୍ଲା-ମୌଲବୀ ଚାହୁଁନାହାନ୍ତି (ହୁଏତ ସମସ୍ତେ ନୁହଁନ୍ତି) ଯେ ଜାତି ଗଣନା ହେଉ ବୋଲି। ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ୍ ସମସ୍ତଙ୍କ ମଧ୍ୟରେ ଭୟାବହ ଜାତବାଦ ରହିଛି। ମୁସଲମାନଙ୍କ ମଧ୍ୟରେ ଦୁଇତୃତୀୟାଂଶ ଲୋକ ପଛୁଆ। କେଉଁମାନେ ମଣ୍ଡଳ କମିଶନ ସୂଚୀରେ ପଛୁଆ ବୋଲି ଚିହ୍ନଟ ହୋଇଛନ୍ତି।
ଦେଶରେ ବ୍ରାହ୍ମଣ ଜାତିର ଲୋକ କେତେକ ରାଜ୍ୟରେ ଓବିସିରେ ନିଜକୁ ଯୋଡ଼ିଛନ୍ତି। ଏହିପରି ନିମ୍ନବର୍ଗୀୟ ଜାତି ସାଧାରଣ ବର୍ଗରେ ମଧ୍ୟ ଅଛନ୍ତି। ଯେପରି ଗୁଜୁରାଟରେ କୁର୍ମୀ-ପଟେଲ ଓବିସି ବାହାରେ ସାଧାରଣ ବର୍ଗର ବୋଲି ରହିଥିବାବେଳେ ରାଜପୁତ ଭଳି ଜାତି ପଛୁଆବର୍ଗରେ ଅଛନ୍ତି। ବିହାର, ୟୁପିରେ କେତେକ ବ୍ରାହ୍ମଣ ସମୁଦାୟ ଓବିସି ତାଲିକାରେ ଥିବାବେଳେ ଜାଠ୍ ସାଧାରଣବର୍ଗରେ ଅଛନ୍ତି। ମଣ୍ଡଳ କମିଶନ ସୁପାରିଶ କାର୍ଯ୍ୟକାରୀ ହେବା ଜାଣି ଯେଉଁ ରାଜୀବ ଗୋସ୍ୱାମୀ ଏହାକୁ ବିରୋଧ କରି ଆତ୍ମଦାହ କରିଥିଲେ, ସେ କିନ୍ତୁ ଥିଲେ ଅନ୍ୟ ପଛୁଆବର୍ଗର। କିନ୍ତୁ ସେ ନିଜକୁ ନିଜେ କଣ କରିବାକୁ ଯାଉଛନ୍ତି ତାହା ଜାଣିପାରିନଥିଲେ। ଆଜି ବି ଅନେକ ରାଜୀବ ଗୋସ୍ୱାମୀ ଆମ ସମାଜରେ ଅଛନ୍ତି, ଯେଉଁମାନେ ଅଜ୍ଞତାରୁ ମୁକ୍ତି ପାଇନାହାନ୍ତି। ସାଧାରଣ ବର୍ଗରେ ସବର୍ଣ୍ଣଶ୍ରେଣୀ ଏବଂ ଓବିସିକୁ ଶୁଦ୍ର ଅବା ଅସବର୍ଣ୍ଣ ବୋଲି କହିବାକୁ ପଛାଉନାହାନ୍ତି। ମୋଦି ସରକାର ସାଧାରଣ ବର୍ଗଙ୍କ ପାଇଁ ଦଶ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ବିରୋଧ କରାଯିବା ଉଚିତ୍ ନୁହେଁ, ଏହା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବର୍ଗର ଜନସଂଖ୍ୟା ଆଧାରରେ ଆରକ୍ଷଣ କାର୍ଯ୍ୟକାରୀ ହେଉଛି। ସାଧାରଣ ବର୍ଗର ସଂଖ୍ୟା ଯଦି ୧୫ ପ୍ରତିଶତ ତେବେ ନିଜ ଜନସଂଖ୍ୟାର ଦୁଇ ତୃତୀୟାଂଶ ଆରକ୍ଷଣ ମିଳୁଛି।
ପଛୁଆବର୍ଗର ହାରାହାରି ଜନସଂଖ୍ୟା ଯଦି ୫୪ ପ୍ରତିଶତ ଏଥିମଧ୍ୟରୁ ୪୬ ପ୍ରତିଶତ ହିନ୍ଦୁ ଅନ୍ୟ ପଛୁଆବର୍ଗର ଏବଂ ୮ ପ୍ରତିଶତ ହେଉଛନ୍ତି ମୁସଲମାନ ଓବିସି। ମଣ୍ଡଳ କମିଶନର ସୁପାରିଶ ଅନୁଯାୟୀ ଏହି ବର୍ଗର ଜନସଂଖ୍ୟାର ଅଧା ଅର୍ଥାତ୍ ୨୭ ପ୍ରତିଶତ ଆରକ୍ଷଣ ମିଳୁଛି। କିନ୍ତୁ ୫୪ ପ୍ରତିଶତ ଆରକ୍ଷଣ ମିଳିବା କଥା। ସବୁଠୁ କମ୍ ପ୍ରତିଶତ ଆରକ୍ଷଣ ସାଧାରଣ ବର୍ଗକୁ କାହିଁକି ବା ମିଳିବ? ଏହି ପ୍ରଶ୍ନର ଉତ୍ତର ଉପରେ ବିତର୍କ ହେବା ସହ ଏ ଦିଗରେ ସରକାର ପଦକ୍ଷେପ ନେବା ଉଚିତ୍ ନୁହେଁ କି? ଭୋଟ ମାଗିବା ସମୟରେ ଯଦି ଜାତି କଥାକୁ ଗୁରୁତ୍ୱ ଦିଆଯାଉଛି, ଯଦି ସରକାରରେ ବସି ପୁଞ୍ଜିପତି, ପୁରୋହିତ ତଥା ଧନୀକ ବର୍ଗର ସ୍ୱାର୍ଥରକ୍ଷା କରାଯାଇପାରୁଛି ତେବେ ବର୍ଷବର୍ଷ ଧରି ଜାତି ଆଧାରରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛରେ ପଡ଼ିଥିବା ଓବିସିଙ୍କ ପାଇଁ ଜାତି ଆଧାରରେ ଆରକ୍ଷଣ ବ୍ୟବସ୍ଥା କରାଯାଉନାହିଁ କାହିଁକି? ଆଜି ବି ଦଳିତ ଆଦିବାସୀ ଏବଂ ଅନ୍ୟ ପଛୁଆବର୍ଗର ୬୦ରୁ ୭୦ ପ୍ରତିଶତ ଲୋକ ଜାତି ବ୍ୟବସ୍ଥା ପାଇଁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅବସ୍ଥାରେ ରହିଛନ୍ତି। ସରକାର ଯଦି ସଂସଦରେ ଓବିସି, ଦଳିତ ଓ ଆଦିବାସୀ ମନ୍ତ୍ରୀଙ୍କ ସଂଖ୍ୟା କଥା କହି ପରିଚୟ ଦେବାକୁ ବ୍ୟସ୍ତ ତେବେ ଜାତି ଗଣନା ପ୍ରଶ୍ନକୁ ଏଡାଇ ଦେବା ନିଶ୍ଚୟ ଷଠତା ଓ ପ୍ରତାରଣାପୂର୍ଣ୍ଣ। ମନ୍ତ୍ରୀଙ୍କ ପରିଚୟ ଜାତି ଆଧାରରେ ଦିଆଯାଉଥିବାବେଳେ ଜାତି ଗଣନା ପାଇଁ ପଛାଉଛନ୍ତି କାହିଁକି? ଏହା କ’ଣ ମୋଦିଙ୍କ ଜାତି-ନୀତି କି? କାରଣ ଅନ୍ୟ ପଛୁଆବର୍ଗର ବହୁ ଜାତିର ଲୋକ ଏବେବି ସାମାଜିକ ଓ ଅର୍ଥନୀତିକ ଦୃଷ୍ଟିରୁ ପଛରେ ରହିଛନ୍ତି। ତେଣୁ ଜାତି ଗଣନା ସପକ୍ଷରେ ସରକାର ନିଜର ଦାୟିତ୍ୱ ପାଳନ କରିବା ଉଚିତ୍।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫