Advertisment

ଗୋସେଇଁ ମାନସିକତା

ପରଂବ୍ରହ୍ମ ତ୍ରିପାଠୀ ଘଟଣାଟି ଏଇ ଅଳ୍ପ କିଛି ଦିନ ପୁରୁଣା, ଯେତେବେଳେ ଲକଡାଉନ ପରେ ପ୍ରବାସୀମାନେ ଓଡିଶା ଫେରିବା ଆରମ୍ଭ କଲେ। କୌଣସି ଏକ ସଙ୍ଗରୋଧ କେନ୍ଦ୍ରରେ ହାତଗଣତି କିଛି ପ୍ରବାସୀଙ୍କ ଖାଇବା ଫିଙ୍ଗିବାକୁ ନେଇ ଗରମ ଥାଏ ଓଡ଼ିଶାର ଅଧିକାଂଶ ମଧ୍ୟବିତ୍ତ ଶିକ୍ଷିତ ପରିବାରଙ୍କ ଡ୍ରଇଂ ରୁମ। ସକାଳୁ ଗରଜୁ ଥାନ୍ତି ବୀର କକେଇ। ଛତରଖିଏ, ଏମିତି ତମ ବୋପା ଗୋସିବାପା ଚଉଧୁରୀ ଥିଲେ, ସେଠି ଦାଦନ ଖଟୁଥିଲ, ଏଠି ଆସିକି ତାଉ ଦେଖଉଛ? ସବୁ ଗୁଡାକ […]

ଅଦ୍ୟତନ ହୋଇଛି
ଗୋସେଇଁ ମାନସିକତା

migrant

Advertisment

ପରଂବ୍ରହ୍ମ ତ୍ରିପାଠୀ

ଘଟଣାଟି ଏଇ ଅଳ୍ପ କିଛି ଦିନ ପୁରୁଣା, ଯେତେବେଳେ ଲକଡାଉନ ପରେ ପ୍ରବାସୀମାନେ ଓଡିଶା ଫେରିବା ଆରମ୍ଭ କଲେ। କୌଣସି ଏକ ସଙ୍ଗରୋଧ କେନ୍ଦ୍ରରେ ହାତଗଣତି କିଛି ପ୍ରବାସୀଙ୍କ ଖାଇବା ଫିଙ୍ଗିବାକୁ ନେଇ ଗରମ ଥାଏ ଓଡ଼ିଶାର ଅଧିକାଂଶ ମଧ୍ୟବିତ୍ତ ଶିକ୍ଷିତ ପରିବାରଙ୍କ ଡ୍ରଇଂ ରୁମ। ସକାଳୁ ଗରଜୁ ଥାନ୍ତି ବୀର କକେଇ। ଛତରଖିଏ, ଏମିତି ତମ ବୋପା ଗୋସିବାପା ଚଉଧୁରୀ ଥିଲେ, ସେଠି ଦାଦନ ଖଟୁଥିଲ, ଏଠି ଆସିକି ତାଉ ଦେଖଉଛ? ସବୁ ଗୁଡାକ ନିମକ ହାରାମ। କଥା ହାଲୁକା କରିବା ପାଇଁ ମୁଁ କହିଲି, କକେଇ ଜଣେ ଦି’ଜଣ ଅମାନିଆଏମିତି କରିଛନ୍ତି, ହେଲେ ହଜାର ହଜାର ତ ଶୃଙ୍ଖଳାର ସହ ଆସି ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ପରେ ପୁଣି କେଉଁଠି ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ରଙ୍ଗ ଦେବା, ହତା ସଫା କରିବାର ଖବର ଆସିଲାଣି।publive-image

Advertisment

ମୋ ଉପରେ ଚିହିଙ୍କି ଉଠିଲେ କକେଇ। କହିଲେ, ମତେ ଆଉ ସେ ଅଲଣା କଥା କହନା, ସବୁ ଦାଦନ ନଟିଆ ମଳିକ ପୁଅ ସନ୍ତିଆ ଭଳିଆ, ସୁଯୋଗ ମିଳିଲେ ନିଜ ପ୍ରକୃତ ରୂପ ଦେଖେଇବେ।

କଥା ଅଟକି ଥିଲା ନଟିଆ ମଳିକ ପୁଅ ସନ୍ତିଆ ପାଖରେ।

ସନ୍ତିଆ, କକେଇଙ୍କ ପୁଅ ସାଙ୍ଗରେ ପଢୁଥିଲା। ମାଟ୍ରିକ ପାସ ପରେ କକେଇଙ୍କ ପୁଅ କଲେଜ ଗଲା, ସନ୍ତିଆ ଗଲା ସୁରଟ। ବର୍ଷକୁ ଥରେ ଦିଥର ଘରକୁ ଆସେ। ଘରକୁ ଆସିଲାବେଳେ ଆଣିଥାଏ ମା’ ପାଇଁ ଶାଢ଼ୀ, ଭଉଣୀ ପାଇଁ ଡ୍ରେସ, ବାପ ପାଇଁ ଧୋତି, ସମ୍ଭାଳେ ଘରର ଖର୍ଚ୍ଚ, ବନ୍ଧୁବାନ୍ଧବ, ଗାଁ ଜନ୍ତାଳ ଚାନ୍ଦା। ସନ୍ତିଆ ରଜବେଳେ ଗାଁକୁ ଫେରିଲେ ତାକୁ ଘେରିଯାନ୍ତି ଗାଁ ଟୋକାଏ, ସନ୍ତିଆ ବି ଭୋଜି ପାଇଁ ଦୁଇଶ ପାଁଶ କାଢିଦିଏ। ସନ୍ତିଆ ଗାଁରେ ବି ଜୋତା ପିନ୍ଧେ, ଘରୁ ବାହାରକୁ ବାହାରିଲେ ସେଣ୍ଟ ପକେଇ ବାହାରେ। କଲେଜ ପଢୁଆ କକେଇଙ୍କ ପୁଅ ବିଏସସି ପାସ କରି ବସିଛି ଘରେ, ଦିନକୁ ତେର ଘଣ୍ଟା ତାସ ଖେଳ, ଅନେଇଥାଏ ମାସ ଶେଷକୁ କେବେ କକେଇଙ୍କ ପେନ୍ସନ ଆସିବ। ନଟିଆ ମଳିକ ପୁଅ ସନ୍ତିଆ ସୁରଟରେ କାମ କରି ପାଂଚ ପଚାଶ ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରିଦେବ, ଆଉ ତାଙ୍କ ବିଏସସି ପଢୁଆ ଗାଁରେ ଲୁଙ୍ଗି ପିନ୍ଧି ତାସ ଖେଳିବ-ସେଇଟା ହରି ପଣ୍ଡିତଙ୍କ ପୁଅ ବୀର କକେଇଙ୍କ ଆଖିରେ ଯିବ?

Advertisment

ସତରେ ଆଖିରେ ଯାଏନି ଏ କଥା ଗୁଡାକ। ବଡ଼ କବିଙ୍କ ଆଖିରେ ଯାଏନି ନୂଆ ପିଢ଼ି ଯେବେ ଫେସବୁକରେ ଲେଖେ, ଆଉ ତା ଲେଖାକୁ ଶହେ ଦୁଇଶ ଲୋକ  ପଢ଼ନ୍ତି, ଲାଇକ କରନ୍ତି, ମନ୍ତବ୍ୟ ଦିଅନ୍ତି। ଆଖିରେ ଯାଏନି ଯେତେବେଳେ ରାମା ଶ୍ୟାମା ମଧୁଆ ଟିକଟକ ଭିଡିଓ କରନ୍ତି ଆଉ ତାଙ୍କ ଭିଡିଓକୁ ହଜାର ହଜାର ଲୋକ ଦେଖନ୍ତି। ଆଖିରେ ଯାଏନି, ପିଢ଼ି ପରେ ପିଢ଼ି ବୋଲହାକ କରି ଆସୁଥିବା ଘରର ପିଲାଟି ଯେତେବେଳେ ସ୍କୁଲ ଯାଏ। କଥାଟି ସେତେବେଳେ କଣ୍ଟା ହୋଇ ଆଖିରେ ଫୋଡି ହୋଇଯାଏ, ଯଦି ଦୈବାତ ସେଇ ପିଲାଟି କୌଣସି ଛୋଟ ସଫଳତା ପାଏ। ଉଦାହରଣ ଏମିତି ଅନେକ ଅଛି।

ଏସବୁ ଉଦାହରଣ ପଛରେ ଗୋଟିଏ ମାନସିକତା ଉତପ୍ରେରକ ଭାବେ କାର୍ଯ୍ୟ କରେ। ସେଇଟା ହେଲା ନିଜକୁ ସବୁବେଳେ ଅନ୍ୟଠାରୁ ବଡ଼ ଭାବିବାର ମାନସିକତା, ମୋଟାମୋଟି ଗାଉଁଲି ଭାଷାରେ ଗୋସେଇଁ ମାନସିକତା। ଇଏ ହେଉଛି ସେଇ ମାନସିକତା ଯିଏ ବିଶ୍ୱାସ କରେ ଯେ ଅଳପ ଲୋକେ ଅଧିକାର, ସଦା ଦିଅନ୍ତି ଦାମୋଦର। କ୍ଷମତା, ପ୍ରତିପତ୍ତି, ଜ୍ଞାନ ଏସବୁକୁ ଜନ୍ମଗତ ବା ବଂଶଗତ ଜାଗିର ଭାବୁଥିବା ଲୋକଟି କେତେବେଳେ ଗୋସେଇଁ ମାନସିକତା ଜନିତ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ରାମା ଶ୍ୟାମା ମଧୁଆଙ୍କ ପାଇଁ ଚରମ ଅସହିଷ୍ଣୁ ହୋଇ ଯାଏ ସେ ନିଜେ ଜାଣିପାରେନି। ଆଉ ହଁ, ଗୋସେଇଁ ମାନସିକତା ବି କୌଣସି ଗୋଟିଏ ଜାତି ବା ଆୟବର୍ଗର ଜମିଦାରୀ ନୁହେଁ । ଶାଗଖିଆଟିଏ ପେଜଖିଆକୁ ଛୋଟ ଆଖିରେ ଦେଖିବା ବି ଗୋସେଇଁ ମାନସିକତା।

ଏ ମାନସିକତାକୁ ତିଆରି କରେ କିଏ? ଆପଣ ଭାବୁଥିବେ, ଏବେ ତ ସବୁ ଡିଜିଟାଲ, ଦେଶ ସମ୍ବିଧାନର ଧାରା ଅନୁଛେଦ ଅନୁସାରେ ଚାଲିଛି, ତାହାଲେ ଏ ଚିନ୍ତାଧାରା ରହିବାର ସ୍କୋପ ହିଁ ନାହିଁ।  ଅଛି ଆଜ୍ଞା, କାରଣ ଏ ମାନସିକତା ଆମ ହାଡ଼ ରକ୍ତରେ। ଆମ ଶିକ୍ଷା ଆମକୁ ସମାନତାର ଯେତେ ସୁନ୍ଦର କୋଟ ଟାଇ ପିନ୍ଧିଲେ ବି ହାଡରୁ ଆମର ଗୋସେଇଁ ମାନସିକତା ଗନ୍ଧ ହଟିବା କଷ୍ଟ। ସେଇଥିପାଇଁ ତ ଆମେ ତାତି ଯାଉ, ଯେତେବେଳେ ହଜାର ହଜାର ବର୍ଷ ଧରି ପାଦ ତଳେ ରହି ଆସିଥିବା ସମାଜର ଏକ ବୃହତ୍ତର ବର୍ଗକୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଏ। ଆମେ ତାକୁ ସରକାରୀ ତହବିଲର ଅପବ୍ୟୟ ବୋଲି କହୁ ଯେତେବେଳେ ଏକ ନିର୍ବାଚିତ ସରକାର ଖାଦ୍ୟ ସୁରକ୍ଷା ପାଇଁ ଟଙ୍କିକିଆ ଚାଉଳ ଦିଏ ବା କୌଣସି ନିର୍ବାଚିତ ସରକାର ସରକାରୀ ବିଦ୍ୟାଳୟର କାୟାକଳ୍ପ ସୁଧାରିବା ଦିଗରେ ଦିନରାତି କାର୍ଯ୍ୟ କରିବା ଆରମ୍ଭ  କରେ। ଆମ ଜାଣତ ବା ଅଜାଣତରେ ଆମେ ଯଦି ଏହି କାର୍ଯ୍ୟକ୍ରମମାନଙ୍କୁ ବିରୋଧ କରୁଛେ, ତାହାଲେ ତା ପଛର ଏକ ବଡ଼  କାରଣ ହେଲା ଆମେ ଚାହୁଁ ଯେ ଯେମିତି ଥିଲା ସେମିତି ଥାଉ ଓ କ୍ଷମତା, ଅଧିକାର, ପ୍ରତିପତ୍ତି ଅଳ୍ପ କିଛିଙ୍କ ଇଜମାଲି ସମ୍ପତ୍ତି ହୋଇ ଚିରକାଳ ରହୁ।  ଯେଉଁଠି କେହି ବି ଏ ତଥାକଥିତ ସାମାଜିକ ପରମ୍ପରା ବିରୋଧରେ ଦୁର୍ବଳ ସପକ୍ଷରେ କହିବାକୁ ଆରମ୍ଭ କରେ, ଆମ ଗୋସେଇଁ ମାନସିକତାର ଇଗୋ ହର୍ଟ ହୁଏ, ଆଉ ଆମେ ପ୍ରତିକ୍ରିୟା ପ୍ରକାଶ କରୁ ଠିକ ବୀର କକେଇଙ୍କ ଭଳି।

ହଜାର ହଜାର ବର୍ଷର ବୈଷମ୍ୟ ଦିନକରେ ହଟି ଯିବନି, ଠିକ ସେମିତି ଏ ମାନସିକତା ବି ଦିନକରେ ବା ଏ ଲେଖାଟି ପଢି ବଦଳିଯିବନି। ମାତ୍ର ତାକୁ ବଦଳାଇବାର ଆବଶ୍ୟକତା ରହିଛି। ଏହି ସମୟରୁ ଏ ଭଲ କାମଟି କରିବା ଆରମ୍ଭ କଲେ କ୍ଷତି କଣ?

ନାଉଗାଁହାଟ, ଜଗତସିଂହପୁର

ମୋ- ୯୭୧୭୩୦୨୨୦୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe