ବାତ୍ୟାର ସ୍ଥାୟୀ ସମାଧାନ- ଏକ ଜୀବନ, ପାଞ୍ଚ ବୃକ୍ଷ!

ବାତ୍ୟାକୁ ନିୟନ୍ତ୍ରଣ କରିବାରେ ଜଙ୍ଗଲର ଅବଦାନ ବିଷୟରେ ସମସ୍ତେ ଅବଗତ। ତେଣୁ ଦ୍ରୁତଗତିରେ ହେଉଥିବା ଜଳବାୟୁ ପରିବର୍ତ୍ତନର ହାରକୁ କେବଳ ଗଛ ଲଗାଇ ରୋକା ଯାଇପାରିବ।

  • ମଧୁଲିତା ପରିଡ଼ା

ବାତ୍ୟା ଏକ ପ୍ରାକୃତିକ ବିପର୍ଯ୍ୟୟ, ଯାହା ସର୍ବଦା ଲୋକମାନଙ୍କ ନିୟନ୍ତ୍ରଣ ଶକ୍ତି ବାହାରେ। ଏହାକୁ ଦୈବୀ ଦୁର୍ବିପାକ କୁହାଯାଇପାରେ, କାରଣ ଏହା ମନୁଷ୍ୟକୃତ ନୁହେଁ। ଓଡ଼ିଶାରେ ବାତ୍ୟାର ପ୍ରଭାବ ଏବଂ ତାର କ୍ଷୟକ୍ଷତିର ହିସାବ ବିଗତ କିଛି ଦଶନ୍ଧି ହେଲା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଗତ ୧୦୫ ବର୍ଷ ଭିତରେ ଓଡ଼ିଶା ୯୫ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେବାର ତଥ୍ୟ ରହିଛି। ଏହା ମଧ୍ୟରୁ ୫୦ ବର୍ଷ ବନ୍ୟା, ୩୨ ବର୍ଷ ମରୁଡି ଏବଂ ୧୧ ବର୍ଷ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ୧୮୯୧ ରୁ ୧୯୭୦ ଭିତରେ ଛୋଟ ବଡ଼ ୯୫୨ଟି ବାତ୍ୟା ଏବଂ ୪୫୧ଟି ଘୁର୍ଣ୍ଣିବାତ୍ୟା ଓଡ଼ିଶା ଦେଇ ଗତି କରିଛି। ୧୯୦୧ରୁ ୧୯୮୧ ମଧ୍ୟରେ ହୋଇଥିବା ୩୮୦ ବାତ୍ୟା ମଧ୍ୟରୁ କେବଳ ୨୭୨ଟି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବୋଲି ଗଣନା କରାଯାଇଛି। ଏହା ମଧ୍ୟରୁ ୨୯ଟି ବାତ୍ୟା ଅତ୍ୟନ୍ତ ଭୟଙ୍କର ଓ ଧ୍ୱଂସକାରୀ ଥିଲା। ୧୯୬୩ରୁ ୧୯୯୧ ଭିତରେ ଓଡ଼ିଶାରେ ୧୩ଟି ବଡ଼ ଧରଣର ବାତ୍ୟା ଅନୁଭୂତ ହୋଇଛି, ଯାହାଦ୍ୱାରା ୨୨,୨୨୮ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୩୪ ଲକ୍ଷ ଲୋକଙ୍କ ଘରଦ୍ୱାର ନଷ୍ଟ ହୋଇଛି। ୨୦୧୯ରେ ବାତ୍ୟା ଫନି ଦ୍ୱାରା ଓଡ଼ିଶାର ୯୦୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଓଡ଼ିଶାବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଥିରେ ୨୦,୩୬୭ଟି ଗାଁ ଭାସିଯିବା ସହିତ ୧.୬ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସମୟକ୍ରମେ ବାତ୍ୟାର ବର୍ଦ୍ଧିତ ସଂଖ୍ୟା ପଛରେ ମୂଳ କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ସମୁଦ୍ରଜଳର ତାପମାତ୍ରା ବୃଦ୍ଧି। ବାତ୍ୟା ଦ୍ୱାରା ଓଡ଼ିଶାର ଉପକୂଳ ଅଞ୍ଚଳ ଗୁଡ଼ିକ ବେଶି ପ୍ରଭାବିତ ହୋଇଥାନ୍ତି।

ଓଡ଼ିଶାରେ ବାତ୍ୟାର ଆଧିକ୍ୟର ମୁଖ୍ୟ କାରଣ ଏହାର ଭୌଗୋଳିକ ଅବସ୍ଥତି। ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ସେହି ବକ୍ର ଭାଗରେ ରହିଛି, ଯେଉଁଠି ଝଡ଼ ଓ ବାତ୍ୟାର ସମ୍ଭାବନା ଅଧିକ। ଏହା ବ୍ୟତୀତ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ରୋକିବା ପାଇଁ କୌଣସି ବିଶାଳ ଭୂଖଣ୍ଡ ନ ଥିବାରୁ ଏହା ବଙ୍ଗୋପସାଗର ଆଡ଼କୁ ମୁହାଁଇଥାଏ। ତେଣୁ ଓଡ଼ିଶାରେ ବର୍ଷସାରା ବାତ୍ୟା ଆତଜାତ ହେବାରେ କୌଣସି କଟକଣା ନାହିଁ। ୧୯୯୯ର ପ୍ରଳୟଙ୍କାରୀ ବାତ୍ୟା ପରେ ଓଡ଼ିଶାରେ ବିରାଟ ପରିବର୍ତ୍ତନ ଦେଖାଯାଇଥିଲା। ବିଗତ କିଛି ଦଶନ୍ଧି ହେଲାଣି ଓଡ଼ିଶାର ବାତ୍ୟା ସଂଖ୍ୟା ଆହୁରି ଅଧିକ ବଢ଼ିବାରେ ଲାଗିଛି, ଯାହା ପରିବର୍ତ୍ତନଶୀଳ ଜଳବାୟୁର ଏକ ପ୍ରତିକ୍ରିୟା କହିଲେ ଠିକ ହବ। ଏଥିପାଇଁ ଆମ ସମାଜରେ ଥିବା ଲୋକମାନେ ହିଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମୁଦ୍ର ଜଳପତ୍ତନରେ ୧ ମିଟରର ବୃଦ୍ଧି ୧,୭୦,୦୦୦ ହେକ୍ଟର ଚାଷଜମିକୁ ଜଳମଗ୍ନ କରିବାର କ୍ଷମତା ରଖେ ବୋଲି ପରିବେଶବିତମାନେ ମତ ରଖିଛନ୍ତି। ସୁତରାଂ ବାତ୍ୟାଜନିତ ବର୍ଷା ଓଡ଼ିଶାର କୃଷିକୁ ହାନି ପହଞ୍ଚେଇବା ସହିତ ଚାଷୀମାନଙ୍କୁ ହଇରାଣରେ ପକାଉଛି। କୃଷିବହୁଳ ରାଜ୍ୟ ଓଡ଼ିଶାର ଶସ୍ୟକ୍ଷେତ ସବୁ ଜଳାର୍ଣ୍ଣବ ହୋଇ ଫସଲ ନଷ୍ଟ ହେଉଛି। ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ ଖାଦ୍ୟଶସ୍ୟର ଅଭାବ ଓ ଦରଦାମ ବୃଦ୍ଧିର କାରଣ ସାଜୁଛି।

ଏହି ସବୁ ଅସୁବିଧା ଗୁଡ଼ିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କର ଥଇଥାନ, ବାତ୍ୟାଜନିତ କ୍ଷୟକ୍ଷତିକୁ ଭରଣା ପାଇଁ ଲୋକଙ୍କୁ ଆର୍ଥିକ ସାହାଯ୍ୟ, କୃଷି ବୀମା ଏବଂ ଜରୁରୀ ଜିନିଷ ଯୋଗେଇବାର ପ୍ରୟାସ ଜାରି ରଖିଛନ୍ତି। ଗତ କିଛି ଦଶନ୍ଧିର ଅନୁଭୂତି ଆମକୁ ବାତ୍ୟା ପୂର୍ବରୁ ସତର୍କ ଏବଂ ନିରାପଦ ସ୍ଥାନକୁ ଲୋକଙ୍କ ସ୍ଥନାନ୍ତରଣ କରିବା ଦିଗରେ ଭାବିବାକୁ ସୁଯୋଗ ଦେଇଛି। ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଏହାର ତଦାରଖ ସୂଚାରୁ ରୂପେ କରିଥାନ୍ତି। ଏହାକୁ ସରକାର ସଠିକ ରୂପେ ରୂପାନ୍ତରଣ କରି ଲୋକଙ୍କ ମୂଲ୍ୟବାନ ଜୀବନ ସବୁ ବଞ୍ଚେଇବାରେ ସକ୍ଷମ ହୋଇଛନ୍ତି। ଯେମିତି କି ୧୯୯୯ ମହାବାତ୍ୟା ପରେ  ହୁଡ଼ହୁଡ଼ରେ ଗଞ୍ଜାମରେ ଜିଲ୍ଲାପାଳ ଓ ଅନ୍ୟ ସରକାରୀ କର୍ମଚାରୀମାନେ ମିଳିତ ଉଦ୍ୟମ କରି ବହୁ ଧନ ଜୀବନ ରକ୍ଷା କରିପାରିଥିଲେ। ପରିବେଶବିତମାନଙ୍କ ପୂର୍ବାନୁମାନ ଅନୁଯାୟୀ ସମୟ ପୂର୍ବରୁ ପ୍ରସ୍ତୁତ ରହି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡ଼ିକ ସହିତ ଯୋଗାଯୋଗ ରଖି ବହୁଲୋକଙ୍କ ଧନଜୀବନ ରକ୍ଷା କରାଯାଇ ପାରୁଛି।

ପ୍ରତ୍ୟେକ ବର୍ଷ ମେ’ ମାସରେ ବାତ୍ୟା ପ୍ରକୋପ ଦ୍ୱାରା ଓଡ଼ିଶାବାସୀ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବାତ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ପକାଏ। ଖାଦ୍ୟ, ବାସସ୍ଥାନ, ରୋଜଗାର ଜନିତ ଅଭାବ ଯୋଗୁଁ ସେମାନେ ବାରମ୍ବାର ଆର୍ଥିକ ଭାରସାମ୍ୟ ହରାଇ ବସନ୍ତି। ଏହାର ସୁଯୋଗ ନିଅନ୍ତି କଳାବଜାରୀମାନେ। ପୂର୍ବରୁ ସଂରକ୍ଷିତ ରଖିଥିବା ଖାଦ୍ୟ ଏବଂ ଜରୁରୀ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରିକରି ନିଜେ ଅଧିକା ରୋଜଗାରର ପନ୍ଥାଟିଏ ବାଛି ନିଅନ୍ତି ସେମାନେ। ଏହି ସମୟରେ ବେପାରୀମାନେ ଆବଶ୍ୟକତାରୁ ଅଧିକ ଦାମରେ ଜିନିଷ ବିକ୍ରି କରନ୍ତି। ତେଣୁ ସରକାର ଏହା ପ୍ରତି ଗୁରୁତର ଭାବେ ଧ୍ୟାନ ଦେଇଥାନ୍ତି। କଳା ବଜାରି ଉପରେ ନଜର ରଖିଥାନ୍ତି।

ଏବେ ବାତ୍ୟା ଆସିବା ବହୁ ଦିନ ଆଗରୁ ଗଣମାଧ୍ୟମ ଲୋକଙ୍କୁ ଓ ସରକାରଙ୍କୁ ସତର୍କ କରିଦେଉଛି। ଆନୁମାନିକ ସମୟ ଭିତରେ ସରକାର ଲୋକଙ୍କ ସ୍ଥାନାନ୍ତରଣ ଏବଂ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାର ସୂଚନା ଆଗୁଆ ଦେଉଛନ୍ତି। ଫଳରେ ଲୋକ ସଚେତନ ରହୁଛନ୍ତି ଏବଂ ବେଶି କ୍ଷୟକ୍ଷତି କିମ୍ବା ଜୀବନ ହାନି ଘଟୁନାହିଁ। ସମୟ ପୂର୍ବରୁ ପ୍ରସ୍ତୁତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରେ ଏହାର ସଠିକ ପରିଚାଳନା ଓଡ଼ିଶାରେ ବାତ୍ୟାର ପ୍ରଭାବକୁ ଦୁର୍ବଳ କରିବାରେ ସହାୟକ ହୋଇଛି।

ବାତ୍ୟାକୁ ରୋକିବାକୁ ହେଲେ ବା ଆମେ ବାତ୍ୟାର ପ୍ରଭାବକୁ ହ୍ରାସ କରିବାକୁ ହେଲେ ତାହା ହୋଉଛି ବୃକ୍ଷରୋପଣ ଦ୍ୱାରା ଜଙ୍ଗଲ ସୃଷ୍ଟି କରିବା। ବାତ୍ୟାକୁ ନିୟନ୍ତ୍ରଣ କରିବାରେ ଜଙ୍ଗଲର ଅବଦାନ ବିଷୟରେ ସମସ୍ତେ ଅବଗତ। ତେଣୁ ଦ୍ରୁତଗତିରେ ହେଉଥିବା ଜଳବାୟୁ ପରିବର୍ତ୍ତନର ହାରକୁ କେବଳ ଗଛ ଲଗାଇ ରୋକାଇଯାଇପାରିବ। ଏତେ ସବୁ ଅସୁବିଧାର ଗୋଟିଏ ସରଳ ସମାଧାନ, ‘ଅଧିକରୁ ଅଧିକ ବୃକ୍ଷରୋପଣ’। ଏପରି କରିବା ଦ୍ୱାରା ପରିବେଶ ସୁସ୍ଥ ରହିବ, ଜଳବାୟୁରେ କ୍ରମେ ସ୍ୱଚ୍ଛତା ଆସିବ। ଯାହା ସମୁଦ୍ରଜଳରେ ଉତ୍ତାପକୁ ନିୟନ୍ତ୍ରଣ ରଖିବ ଏବଂ ବାତ୍ୟାର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ଧୀରେ ଧୀରେ ହ୍ରାସ କରିବ। ଓଡ଼ିଶାରେ ବାତ୍ୟା ନିୟମିତ କୁଣିଆ ଭଳି ବର୍ଷକୁ ଅନେକ ଥର ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି। ଏଣୁ ଏହାକୁ ରୋକିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସମସ୍ତଙ୍କ ମିଳିତ ଉଦ୍ୟମ ଏକାନ୍ତ ପ୍ରୟୋଜନୀୟ। କେବଳ ବର୍ଷା ଦିନରେ ଵୃକ୍ଷ ରୋପଣ କରି ବାହାବା ନ ନେଇ ଆମେ ସମସ୍ତେ ଶପଥ ନେବା ୧ଟି ଜୀବନର ମୂଲ୍ୟ ହେଉଛି ୫ଟି ବୃକ୍ଷକୁ ବଞ୍ଚାଇବା। ତାହାଲେ ଯାଇ ଆମେ ଏହି ସବୁ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇପରିବା।

ଫୋ- ୯୪୩୭୧୩୨୯୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।