ସିଏଏ ଆନ୍ଦୋଳନ ମାମଲା: ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା

ସରଳ କୁମାର ଦାସ ଦେଶବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭମାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ମୃତ୍ୟୁ ଓ ହିଂସା ହୋଇଥିବାର ସୂଚନା ମିଳିଥିଲା। ଡିସେମ୍ୱର ୨୦୧୯ରେ ଲକ୍ଷ୍ନୌ ସହର ସମେତ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ହିଂସା ସହ ଘରୋଇ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ପୋଡ଼ାଜଳା ହୋଇଥିଲା, ଯେଉଁଥିପାଇଁ ପୋଲିସ ଶତାଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା। ଏହା ପରେ ଦଙ୍ଗାକାରୀଙ୍କୁ ନାମିତ ଓ ଲଜ୍ଜିତ କରିବା ପାଇଁ […]

caa

Debendra Prusty
  • Published: Thursday, 03 March 2022
  • , Updated: 03 March 2022, 01:34 PM IST

ସରଳ କୁମାର ଦାସ

ଦେଶବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭମାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ମୃତ୍ୟୁ ଓ ହିଂସା ହୋଇଥିବାର ସୂଚନା ମିଳିଥିଲା। ଡିସେମ୍ୱର ୨୦୧୯ରେ ଲକ୍ଷ୍ନୌ ସହର ସମେତ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ହିଂସା ସହ ଘରୋଇ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ପୋଡ଼ାଜଳା ହୋଇଥିଲା, ଯେଉଁଥିପାଇଁ ପୋଲିସ ଶତାଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା। ଏହା ପରେ ଦଙ୍ଗାକାରୀଙ୍କୁ ନାମିତ ଓ ଲଜ୍ଜିତ କରିବା ପାଇଁ ସରକାରଙ୍କ ତରଫରୁ ସେମାନଙ୍କ ଫଟୋ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରି ସେମାନଙ୍କଠାରୁ କ୍ଷତିପୂରଣ ଅସୁଲ କରାଯିବା ଳକ୍ଷ୍ୟ ରଖି ଲକ୍ଷ୍ନୌ ସହରର ସର୍ବସାଧାରଣ ସ୍ଥାନମାନଙ୍କରେ ରାସ୍ତା କଡରେ ବଡ଼ ବଡ଼ ବ୍ୟାନରମାନ ଲଗାଯାଇଥିଲା। ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆବଶ୍ୟକ ହୋଇଥିଲେ ବି ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଚର୍ଚ୍ଚା ହେଲା। ରାଜ୍ୟ ସରକାରଙ୍କ ଏହି ଗର୍ହିତ କାର୍ଯ୍ୟର ସ୍ୱତଃ ସଂଜ୍ଞାନ ନେଇ ଆଲାହାବାଦ ହାଇକୋର୍ଟ ନିଜ ତରଫରୁ ଜନସ୍ୱାର୍ଥ ସୁରକ୍ଷା ମାମଲା ରୁଜ୍ଜୁ କରିଥିଲେ, କାରଣ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ବୈଧ ଆଇନ ନ ଥିବାରୁ ସରକାର ସେଥିପାଇଁ ଅଧିକୃତ ନ ଥିଲେ। ଏହି ପଦକ୍ଷେପ ରାଜ୍ୟ ଦ୍ୱାରା ଜନସାଧାରଣଙ୍କ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଦର୍ଶାଇ ଏହା ସମ୍ୱିଧାନର ଧାରା ୨୧ର ଉଲ୍ଲଂଘନ କରୁଥିବାରୁ ରାସ୍ତାକଡ଼ରେ ଲଗାଯାଇଥିବା ବ୍ୟାନରଗୁଡ଼ିକୁ ୭ ଦିନ ଭିତରେ କାଢ଼ି ଦେବାକୁ ଅଦାଲତ ସରକାରଙ୍କୁ ମାର୍ଚ୍ଚ ୯, ୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ ବି କୌଣସି ବୈଧ ଆଇନ ନ ଥାଇ ଏ ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନେଇଥିବାରୁ ସରକାରଙ୍କୁ କୌଣସି ଅବ୍ୟାହତି ମିଳିବା ତ ଦୂରର କଥା, ବରଂ ଭର୍ତ୍ସନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଠିକ୍ ସେତିକିବେଳେ ରାଜ୍ୟ ସରକାର ମାର୍ଚ୍ଚ ୧୫, ୨୦୨୦ରେ ଅର୍ଡିନାନ୍ସ ଯୋଗେ ‘ଉତ୍ତର ପ୍ରଦେଶ ସରକାରୀ ଓ ଘରୋଇ ସମ୍ପତ୍ତି କ୍ଷତି ଅସୁଲ ବିଲ’ ଆଣିଲେ, ଯାହା ଉତ୍ତର ପ୍ରଦେଶ ବିଧାନସଭା ଦ୍ୱାରା ପାରିତ ହେବା ପରେ ଅଗଷ୍ଟ ୩୧, ୨୦୨୦ରେ ଏକ ଆଇନରେ ପରିଣତ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା। ଏହି ଆଇନ ଅନୁଯାୟୀ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଲେମ ଟ୍ରିବ୍ୟନାଲ ଦ୍ୱାରା ହଡ଼ତାଳ, ବନ୍ଦ, ଦଙ୍ଗା, ବିକ୍ଷୋଭ ଇତ୍ୟାଦିରେ ସରକାରୀ ଓ ଘରୋଇ ସମ୍ପତ୍ତି ପ୍ରତି କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ବର୍ଷେ ଲାଗି ଜେଲ ଦଣ୍ଡ ଅଥବା ତାଙ୍କ ନିକଟରୁ ୫୦୦୦ରୁ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା ଆଦାୟ କରାଯିବାର ପ୍ରାବଧାନ ରହିଲା।

୮୩୩ ଜଣ ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ସରକାର ସମୁଦାୟ ୧୦୬ଟି ଏଫଆଇଆର ଦାଏର କରିଥିଲେ। ତନ୍ମଧ୍ୟରୁ ୨୭୪ଟି ମାମଲାରେ ଅସୁଲ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୋଟିସ ଜାରି ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୩୮ଟି ମାମଲାକୁ ବନ୍ଦ କରି ଦିଆଯାଇଥିଲା। ନୋଟିସଗୁଡ଼ିକୁ ଜାରି କଲାବେଳେ ଉପଯୁକ୍ତ ସତର୍କତା ଅବଲମ୍ୱନ କରାଯାଇ ନ ଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଉଦାହରଣ ସ୍ୱରୂପ, ୬ ବର୍ଷ ତଳେ ୯୪ ବର୍ଷ ବୟସରେ ମୃତ୍ୟୁବରଣ କରି ସାରିଥିବା ଜଣେ ବୃଦ୍ଧଙ୍କ ବିରୁଦ୍ଧରେ ନୋଟିସ ଜାରି ହୋଇଥିବା ବେଳେ ୯୦ ବର୍ଷରୁ ବେଶି ବୟସର ଦୁଇ ଜଣଙ୍କ ବିରୁଦ୍ଧରେ ନୋଟିସ ଜାରି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ୬ ଜଣ ଦିନ ମଜୁରିଆଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା।

ଉତ୍ତର ପ୍ରଦେଶ ସରକାର ଜୋରିମାନା ଆଦାୟ ସଂକ୍ରାନ୍ତରେ ନୋଟିସଗୁଡ଼ିକୁ ଜାରି କଲା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିକାର ଉଲ୍ଲଂଘନ କରିଥିବା ଦର୍ଶାଇ ଯାଚିକାକର୍ତ୍ତା ପରୱେଜ ଆରିଫ ଟିଟୁ ରାଜ୍ୟ ସରକାର ଜାରି କରିଥିବା ନୋଟିସଗୁଡ଼ିକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ଲେମ ଟ୍ରିବ୍ୟୁନାଲ ଜରିଆରେ କ୍ଷୟକ୍ଷତିର ଆକଳନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସରକାରୀ ଓ ଘରୋଇ ସମ୍ପତ୍ତି ବିନାଶ ବନାମ ଆନ୍ଧ୍ର ପ୍ରଦେଶ (୨୦୦୯) ଓ କୋଡୁଙ୍ଗାଲୁର ଫିଲ୍ମ ସୋସାଇଟି (୨୦୧୮) ମାମଲା ଦୁଇଟିର ରାୟରେ ନିର୍ଦ୍ଦେଶିକା ପ୍ରଦାନ କରାଯାଇଥିଲା। ତଦନୁଯାୟୀ କେବଳ ନ୍ୟାୟାଧିକାରୀଙ୍କୁ କ୍ଲେମ ଟ୍ରିବ୍ୟନାଲର ଦାୟିତ୍ୱ ନ୍ୟସ୍ତ ହୋଇପାରିବ। ଏହି ନିର୍ଦ୍ଦେଶିକାକୁ ଅଣଦେଖା କରି ଉତ୍ତର ପ୍ରଦେଶ ସରକାର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ)ମାନଙ୍କୁ ଏହି ଦାୟିତ୍ୱ ଅର୍ପଣ କରିଥିଲେ। ମହମ୍ମଦ ସୁଜାଉଦ୍ଦିନ ବନାମ ଉତ୍ତର ପ୍ରଦେଶ  ରାଜ୍ୟ ସରକାର (୨୦୧୦) ମାମଲାରେ ଆଲାହାବାଦ ହାଇକୋର୍ଟଙ୍କ ପ୍ରଦତ୍ତ ରାୟ ଆଧାରରେ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ନୋଟିସ ଜାରି କରାଯାଇଛି ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମାମଲାରେ ସୁପ୍ରିମକୋର୍ଟ କ୍ଷୟକ୍ଷତି ଓ ଅଭିଯୁକ୍ତଙ୍କଠାରୁ ଅସୁଲ ପାଇଁ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟକୁ ଦାୟିତ୍ୱ ନ୍ୟସ୍ତ କରିଥିଲେ ବି ସୁଜାଉଦ୍ଦିନ ମାମଲାରେ ଆଲାହାବାଦ ହାଇକୋର୍ଟ ରାଜ୍ୟ ସରକାର କ୍ଷତିପୂର୍ତ୍ତି ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରିବେ ବୋଲି ନିର୍ଦ୍ଦେଶିକା ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଏହି ରାୟ ସୁପ୍ରିମକୋର୍ଟଙ୍କ ରାୟରେ ଥିବା ନିର୍ଦ୍ଦେଶିକାର ବିରୋଧାଚରଣ କରୁଥିବାରୁ ଏହାର ଗମ୍ଭୀର କୁପ୍ରଭାବ ଅନୁଭୂତ ହୋଇ ଆସୁଥିଲା। ହେଲେ ସରକାରମାନଙ୍କୁ ସୁହାଉଥିବାରୁ ଦୀର୍ଘ ଦିନ ଧରି ସେମାନେ ଏହି ତ୍ରୁଟିକୁ ସଂଶୋଧନ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତା’ ଛଡା ଏହି ସବୁ ନୋଟିସ ଡିସେମ୍ୱର ୨୦୧୯ରେ ଜାରି ହୋଇଥିଲା, ଯେତେବେଳେ ନୂଆ ଆଇନ ପ୍ରଣୟନ ହୋଇ ନ ଥିଲା ବୋଲି ସରକାରଙ୍କ ତରଫରୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଗଲା।

ତେବେ ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିକାଠାରୁ ଉପରେ ହୋଇ ନ ଥିବାରୁ ଏଡିଏମଙ୍କୁ ଏହି ମାମଲାରେ ବିଚାରକ ଦାୟିତ୍ୱ ନ୍ୟସ୍ତ କରି ରାଜ୍ୟ ସରକାର ସୁପ୍ରିମକୋର୍ଟର ରାୟକୁ ଅବଜ୍ଞା କଲେ ବୋଲି ଅଦାଲତ ବିବେଚନା କଲେ। ଜୋରିମାନା ଆଦାୟ ପ୍ରକ୍ରିୟାରେ ତିନିଟି ପର୍ଯ୍ୟାୟ ଥାଏ। ପ୍ରଥମେ କ୍ଷୟକ୍ଷତିର ପରିମାଣ ଆକଳନ ହେବା ପରେ ସେହି କ୍ଷତିର ଭରଣା ପାଇଁ କେଉଁ ଅଭିଯୁକ୍ତଙ୍କଠାରୁ କେତେ ପରିମାଣର ଜୋରିମାନା ଆଦାୟ କରାଯିବ ତାହା ନିର୍ଦ୍ଧାରଣ କରାଯାଇଥାଏ। ଶେଷରେ ସମ୍ପୃକ୍ତ ଅଭିଯୁକ୍ତଙ୍କଠାରୁ ଜୋରିମାନା ଆଦାୟ ହୋଇଥାଏ। ଏଡିଏମ ଜଣେ ସରକାରୀ ଅଧିକାରୀ ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ୱ ଅର୍ପଣର ଅର୍ଥ ହେଉଛି ସରକାରଙ୍କ ଦ୍ୱାରା ଉପରୋକ୍ତ ତିନିଟି ପର୍ଯ୍ୟାୟର କାର୍ଯ୍ୟ ନିଜ ନିୟନ୍ତ୍ରଣରେ ରଖି ଆଇନର ପ୍ରକ୍ରିୟାକୁ ତା’ ସ୍ୱାଭାବିକ ବାଟରେ ଯିବାରେ ବାଧା ସୃଷ୍ଟି କରିବା। ଅଭିଯୁକ୍ତଙ୍କ ସମ୍ପତ୍ତିଗୁଡିକୁ ଜବତ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିଷ୍ପତ୍ତି ନେଇ ଉତ୍ତର ପ୍ରଦେଶ ସରକାର ବସ୍ତୁତଃ ଏକାଧାରରେ ଜଣେ ‘ଅଭିଯୋଗକାରୀ, ବିଚାରକ, ଦଣ୍ଡଦାତା’ ଭାବେ ଆଚରଣ କରିଛନ୍ତି ବୋଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ପ୍ରଦାନ କଲେ। ଜାରି ହୋଇଥିବା ନୋଟିସଗୁଡ଼ିକ ଅବୈଧ ହୋଇଥିବାରୁ ରାଜ୍ୟ ସରକାର ନିଜ ତରଫରୁ ସେଗୁଡ଼ିକୁ ପ୍ରତ୍ୟାହାର କରିବା ଆବଶ୍ୟକ, ଅନ୍ୟଥା ସୁପ୍ରିମକୋର୍ଟ ସେଗୁଡ଼ିକୁ ବାତିଲ କରିବେ ବୋଲି ସ୍ପଷ୍ଟ କରିଦେଲେ।

ତା’ଛଡ଼ା ପ୍ରଣୀତ ନୂଆ ଆଇନର ପୃଷ୍ଠଭୂମିରେ ବିକ୍ଷୋଭକାରୀଙ୍କୁ ଜାରି ହୋଇଥିବା ନୋଟିସଗୁଡ଼ିକ ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଏଥି ପୂର୍ବରୁ କୋର୍ଟ ଟିପ୍ପଣୀ ଦେଇ ସାରିଥିଲେ। ଅସୁଲ ନିମନ୍ତେ ଜାରି ହୋଇଥିବା ନୋଟିସଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ଉତ୍ତର ପ୍ରଦେଶ ସରକାରଙ୍କୁ ଏକ ପ୍ରକାର ତାଗିଦ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, “ଆପଣ ଏହି ସବୁ ବିଜ୍ଞପ୍ତିକୁ ଗୋଟିଏ ଥର କଲମ ଚାଳନାରେ ପ୍ରତ୍ୟାହାର କରି ନେଇ ପାରିବେ। ୟୁପି ପରି ଏକ ବଡ଼ ରାଜ୍ୟ ଲାଗି ୨୩୬ଟି ବିଜ୍ଞପ୍ତି ପ୍ରତ୍ୟାହାର କରିବା କିଛି ବଡ଼ କଥା ନୁହେଁ। ଆପଣ ଯଦି ଏହା କରିବାକୁ ନ ଶୁଣନ୍ତି ତେବେ, ଫଳାଫଳର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇରହନ୍ତୁ। ଆମେ ଆପଣଙ୍କୁ ବତାଇ ଦେବୁ ସୁପ୍ରିମକୋର୍ଟଙ୍କ ରାୟକୁ କିପରି ପାଳନ କରାଯାଏ।”

ଫେବୃଆରୀ ୧୪ ଓ ୧୫, ୨୦୨୨ରେ ଉତ୍ତର ପ୍ରଦେଶ ସରକାର କେବଳ ୨୭୪ଟି ଯାକ ନୋଟିସ ପ୍ରତ୍ୟାହାର କରିନେଇ ଫେବୃଆରୀ ୧୮ରେ ଅଦାଲତଙ୍କୁ ଜଣାଇଲେ ତାହା ନୁହେଁ, ଏଣିକି ସେହି ଅଭିଯୋଗର ଫାଇଲଗୁଡ଼ିକୁ ବିଚାର ନିମନ୍ତେ ନୂତନ ଭାବେ ଗଠିତ କ୍ଲେମ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସୂଚନା ପ୍ରଦାନ କଲେ। ଏହା ସତ୍ତ୍ୱେ ପୂର୍ବ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଆଦାୟ ହୋଇଥିବା ଜୋରିମାନା ଓ ଜବତ ହୋଇଥିବା ସମ୍ପତ୍ତିକୁ କ୍ଲେମ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନ ଫେରାଇବା ଲାଗି ସରକାର ଆବେଦନ କରିଥିଲେ ବି ସୁପ୍ରିମକୋର୍ଟ ତାହା ଗ୍ରହଣ କରି ନ ଥିଲେ। ସୁପ୍ରିମକୋର୍ଟଙ୍କ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପାଇଁ ଦିଆଯାଇଥିବା ଆଦେଶ ସରକାରଙ୍କ ଦ୍ୱାରା ପ୍ରତ୍ୟାହାର କରି ନିଆ ଯାଇଥିବାରୁ ଏକ ଅବୈଧ ଆଦେଶ ବଳରେ ଆଦାୟ ହୋଇଥିବା ସମସ୍ତ ଜୋରିମାନା ଓ ଜବତ ହୋଇଥିବା ସମ୍ପତ୍ତି ସରକାରଙ୍କୁ ତତ୍କାଳ ଫେରାଇବାକୁ ହେବ। ସମ୍ପତ୍ତି ଜବତ ହେବା ପରେ ସରକାରଙ୍କ ଦ୍ୱାରା ଜବତ ଆଦେଶ ପ୍ରତ୍ୟାହାର ହୋଇଗଲେ ଜବତ ହୋଇଥିବା ସମ୍ପତ୍ତି ଆଉ ସରକାରଙ୍କ ନିକଟରେ ପଡ଼ି ରହିବାର କୌଣସି ଯୌକ୍ତିକତା ରହି ନ ଥାଏ। ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଥିବା ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ଆତ୍ମା, ଏହି ଆଦେଶ ଦ୍ୱାରା ପ୍ରତିହତ ହେଉଛି ଓ ଏହା ଫଳରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରିବନି ବୋଲି ଭୁଲ ବାର୍ତ୍ତାଟିଏ ପ୍ରସାରିତ ହୋଇପାରେ ବୋଲି ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କ ଯୁକ୍ତି ରଖିଲେ।

ଏହାକୁ ଖଣ୍ଡନ କରି କୋର୍ଟ ସୂଚାଇଥିଲେ ଯେ ଆଇନର ପରିସର ମଧ୍ୟରେ ରହି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ହେବା ବିଧେୟ। ତେଣୁ ନୂଆ ଆଇନକୁ ଆଧାର କରି ସରକାର କ୍ଲେମ ଟ୍ରିବ୍ୟୁନାଲ ଜରିଆରେ କ୍ଷତିପୂର୍ତ୍ତି ଲାଗି ପଦକ୍ଷେପ ନେବାରେ କୌଣସି ଅସୁବିଧା ନାହିଁ। ଏପରିକି ଦୋଷୀ ସାବ୍ୟସ୍ତ ହେଲେ ସରକାର ଅଭିଯୁକ୍ତଙ୍କଠାରୁ ଅଧିକ ପରିମାଣର କ୍ଷତିପୂରଣ ରାଶି ମଧ୍ୟ ଆଦାୟ କରିପାରିବେ। ଅଧିକନ୍ତୁ, ନିର୍ବାଚନ ପ୍ରକ୍ରିୟା ଜାରି ଥାଇ ଆଦର୍ଶ ଆଚରଣ ବିଧି ଲାଗୁ ରହିଥିଲେ ବି ତାହା କୋର୍ଟ ଆଦେଶକୁ କାର୍ଯ୍ୟକାରୀ କରିବାରେ ବାଧକ ସାଜୁ ନ ଥିବାରୁ ଆଦାୟ ହୋଇଥିବା ଜୋରିମାନା ରାଶି ମଧ୍ୟ ତୁରନ୍ତ ଫେରାଇବାରେ କୌଣସି ଅସୁବିଧା ନାହିଁ।

ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସମ୍ୱିଧାନ ଅନୁମୋଦିତ ହୋଇଥିଲା ବେଳେ ହଡ଼ତାଳ, ବନ୍ଦ, ବିକ୍ଷୋଭ ଆଦି ସମୟରେ କୌଣସି ପ୍ରକାର ହିଂସା ଆଚରଣ ଆଦୌ ସ୍ପୃହଣୀୟ ବା ଗ୍ରହଣୀୟ ନୁହେଁ। ରାଜନୈତିକ ଓ ଅନ୍ୟାନ୍ୟ ବିକ୍ଷୋଭ ସମୟରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତିକୁ ରୋକିବା ଲାଗି ଏକ କଡ଼ା ଆଇନର ଆବଶ୍ୟକତା ରହିଛି ବୋଲି ୨୦୦୭ରୁ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିସାରିଛନ୍ତି। ତେବେ ଉପରୋକ୍ତ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇନର ସଠିକ ଅନୁପାଳନ ନ କରି ସରକାର ପ୍ରତିଶୋଧ ପରାୟଣ ହୋଇ ଅଥବା ଅନ୍ୟ କାରଣବଶତଃ କୌଣସି ଦଣ୍ଡ ବିଧାନ କରିବା ଲାଗି ଉଦ୍ୟତ ହେବା ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ। ସରକାର ନିଜେ ନିଜକୁ ‘ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା’ର ଭୂମିକାରେ ଅବସ୍ଥାପିତ କରି ମନ ଇଚ୍ଛା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଭବିଷ୍ୟତରେ ଅନୁରୂପ ଢଙ୍ଗରେ ବେଆଇନ ଭାବେ ନାଗରିକଙ୍କୁ ଦଣ୍ଡିତ କରିବା ପାଇଁ ସରକାର ଉଦ୍ୟତ ହେଲେ ବା ତହିଁର ଅପଚେଷ୍ଟା କଲେ ଅଦାଲତଙ୍କ ଏହି ରାୟ ତା’ ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇପାରେ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story