Advertisment

ଗାଁ ଉପରେ କରୋନାର ବିବିଧ ପ୍ରଭାବ

ରୁଦ୍ର ପ୍ରସନ୍ନ ରଥ କରୋନା ଏବେ ସମସ୍ତଙ୍କୁ ପ୍ରଭାବିତ କରୁଛି। ଗାଁହେଉ କି ସହର, ଧନୀ ହେଉ କି ଗରୀବ ସବୁ ଏହି କରୋନାର ଚକ୍ରରେ ପେଷି ହେଉଛନ୍ତି। ଏହା ବି ସତକଥା ଯେ କରୋନା ସମସ୍ତଙ୍କୁ ଭିନ୍ନ ଭିନ୍ନଭାବେ ପ୍ରଭାବିତ କରୁଛି। ସହରରେ ରହୁଥିବା ଧନୀକ ଶ୍ରେଣୀର ଲୋକ ଏହା ଦ୍ୱାରା କମ ପ୍ରଭାବିତ ହେଉଥିବା ବେଳେ ଗାଁର ରହୁଥିବା ଗରୀବ ଏଥିରେ ବେଶୀ ପେଷି ହେଉଛି। ତେବେ ମୋଟାମୋଟି ଦେଖିବାକୁ ଗଲେ ସହର ଅପେକ୍ଷା […]

ଗାଁ ଉପରେ କରୋନାର ବିବିଧ ପ୍ରଭାବ

bpur

Advertisment

ରୁଦ୍ର ପ୍ରସନ୍ନ ରଥ

କରୋନା ଏବେ ସମସ୍ତଙ୍କୁ ପ୍ରଭାବିତ କରୁଛି। ଗାଁହେଉ କି ସହର, ଧନୀ ହେଉ କି ଗରୀବ ସବୁ ଏହି କରୋନାର ଚକ୍ରରେ ପେଷି ହେଉଛନ୍ତି। ଏହା ବି ସତକଥା ଯେ କରୋନା ସମସ୍ତଙ୍କୁ ଭିନ୍ନ ଭିନ୍ନଭାବେ ପ୍ରଭାବିତ କରୁଛି। ସହରରେ ରହୁଥିବା ଧନୀକ ଶ୍ରେଣୀର ଲୋକ ଏହା ଦ୍ୱାରା କମ ପ୍ରଭାବିତ ହେଉଥିବା ବେଳେ ଗାଁର ରହୁଥିବା ଗରୀବ ଏଥିରେ ବେଶୀ ପେଷି ହେଉଛି। ତେବେ ମୋଟାମୋଟି ଦେଖିବାକୁ ଗଲେ ସହର ଅପେକ୍ଷା ଗାଁ ଏଥିରେ ବେଶୀ ପ୍ରଭାବିତ ହୋଇଛି।

Advertisment

ଭାରତୀୟ ଅର୍ଥନୀତି, ରାଜନୀତି, ସମାଜିକ ବ୍ୟବସ୍ଥାରେ ଗାଁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମତରେ ଭାରତର ଆତ୍ମା ଗାଁରେ ହିଁ ଥାଏ। ଭାରତର ମୋଟ ଜନସଂଖ୍ୟାର ପାଖାପାଖି ଦୁଇ-ତୃତୀୟାଂଶ ଗାଁରେ ହିଁ ବାସ କରନ୍ତି। ଭାରତରେ ପାଖପାଖି ୫.୫୦ ଲକ୍ଷ ଗାଁ ଅଛି ଏବଂ ଏହି ଗାଁଗୁଡିକ ହିଁ ସହର ପାଇଁ ବିକାଶର ଇଂଜିନ‌୍‍ ରୁପେ କାମ କରିଥାଆନ୍ତି। ସହର ଦୈନନ୍ଦିନ ଆବଶ୍ୟକ କରୁଥିବା ଅନେକ ବସ୍ତୁ ସିଧା ସଳଖ ଗାଁରୁ ହିଁ ଆସିଥାଏ। ଏଣୁ ଗାଁ ହିଁ ବିକାଶର ମୂଳଦଣ୍ଡ ଏକଥା ସହଜରେ ସମସ୍ତେ ମାନିନେବେ।

ଭାରତରେ ଘଟୁଥିବା ସବୁ ଛୋଟବଡ଼ ଘଟଣା ଆମ ଗାଁଗୁଡିକୁ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପ୍ରଭାବିତ କରିଥାଏ। ଏଥିରୁ କରୋନା ବା ବାଦ‌୍‍ ଯାଆନ୍ତା କିପରି। ସାରା ବିଶ୍ୱରେ ନିଜର ଆତଙ୍କ ମଚାଇଥିବା କରୋନାର ପ୍ରଭାବରେ ଆମ ଗାଁ ମଧ୍ୟ ଚାପଗ୍ରସ୍ତ। କରୋନା ଯୋଗଁୁ ଗାଁ ଗାଁରେ ବାଉଁଶ ବନ୍ଧାଗଲା। ଯେଉଁ ଗାଁକୁ କେହି ବି ଅନାୟସରେ ପଶି ଆସି ବସି ଗପ ଜମାଉଥିଲେ ସେଠି ଏବେ ବାଉଁଶର ବାଡ଼ ସହର ଫେରନ୍ତା ଏବଂ ଗାଉଁଲୀ ମଧ୍ୟରେ ଏକ ଦୃଶ୍ୟମାନ ଅସ୍ୱୃଶ୍ୟ ରେଖା ଟାଣିଦେଲା। ସହରରେ ଲକ‌୍‍ ଡାଉନ୍‌କୁ କେହି ମାନୁନଥିଲେ ମଧ୍ୟ ଗାଁରେ ହିଁ ସବୁଠାରୁ ଅଧିକ ଲକଡାଉ‌୍‍ନ ଅମାନିଆ ଅଛନ୍ତି ବୋଲି ପ୍ରଚାରିତ କରାଗଲା।

Advertisment

ଏହି କରୋନା ହିଁ ଗାଁର ପୁଅଝିଅଙ୍କୁ ଦାଦନ ନାଁ ଦେଇଦେଲା। ଶହ ଶହ ଲୋକ ଯେଉଁମାନେ ଗାଁରୁ ଯାଇ ସହରରେ ଦୁଇ ପଇସା କମାଇ ପଠାଉଥିଲେ ଯେଉଁମାନଙ୍କର ସହରରେ ଝାଳବୁହା ପରିଶ୍ରମ ଯୋଗୁଁ ଗାଁର ଚାଳଘର କୋଠା ହେଉଥିଲା ସେମାନଙ୍କୁ ବେଶ‌୍‍ ସହଜରେ ଗଣମାଧ୍ୟମ ଅମାନିଆ ଆସାମୀ ସଜେଇଦେଲା। ସେମାନେ ସୁରଟରେ ରହୁଥିବା ଦାଦା କିମ୍ୱା କୋଲକାତାରେ ରହୁଥିବା ନନା ନ ହୋଇ ଦାଦନଭାବେ ପରିଗଣିତ ହେଲେ। ସେମାନଙ୍କର ଦୋଷ ହେଲା ଯେ ସେମାନେ ଗାଁରେ ରହୁନଥିଲେ। ଆଉ ଲକ‌୍‍ ଡାଉନ‌୍‍ ସମୟରେ ଯେଉଁଠି କିଛି ମିଳୁନଥିଲା ସେଠୁ ଜୀବନ ବଂଚାଇ ନିଜ ଭିଟାମାଟିକୁ ଫେରିବାକୁ ବ୍ୟଗ୍ର ଥିଲେ। ଅଥଚ‌୍‍ ସେମାନେ ଏକଥା ଭୁଲିଯାଇଥିଲେ ଯେ ଆଉ ସେମାନଙ୍କ ଗାଁ ଅନ୍ତତଃ ଏ ସମୟରେ ସେମାନଙ୍କୁ ପୁଣି କୋଳାଇବାକୁ ପ୍ରସ୍ତୁତ ନାହିଁ ବୋଲି।

ପୁଣି ଗାଁରେ ଥିବା କ୍ୱାରେନ୍‌ଟାଇନ‌୍‍ ସେଣ୍ଟର ବି ଚଚ୍ଚାର୍କୁ ଆସୁଥିଲା ମଝିରେମଝିରେ। କେଉଁଠି ଡାଲି ପାଣି ଆଉ ବଗଡା ଭାତ ଖାଇବାକୁ ଦିଆଯାଉଥିବାକୁ ନେଇ ଚର୍ଚ୍ଚା ହେଉଥିଲା ତ ଆଉ କେଉଁଠି କ୍ୱାରେନ୍‌ଟାଇନରେ ନେଇ ପ୍ରବାସୀ ଓଡିଆ ଶ୍ରମିକଙ୍କ ଟିକ‌୍‍ ଟକ‌୍‍ ରେ ଚଲାଇଥିବା ତାମସା। କରୋନା ଯେତେ ବଢୁଥିଲା ଗାଁ ଆହୁରି ସେତେ ଭାଗ ହେଉଥିଲା। ଯେଉଁ ସରପଂଚ ଭୋଟ‌୍‍ ବେଳେ ଲୋକଙ୍କୁ ହାତ ଗୋଡ ଧରି ଭୋଟ‌୍‍ ଦେବା ପାଇଁ ଟିକଟ କରି ସୁରଟରୁ ଲୋକଙ୍କୁ ଆଣୁଥିଲା ଏବେ ସେହି ସରପଂଚ ଲୋକ ଦେଖିଲେ ଲୁଚୁଥିଲା। କରୋନା କାଳରେ ସରପଂଚ ଜିଲ୍ଲାପାଳର କ୍ଷମତା ପାଇଥିଲେ ବି କ୍ଷମତାକୁ ବ୍ୟବହାର କରିବା ପାଇଁ ଅନେକ ଦ୍ୱିଧାରେ ଥିଲେ।

ଏବେ ଗାଁକୁ ଲୋକମାନେ ଫେରିଛନ୍ତି। ଆହୁରି ଅନେକ ଫେରିବାକୁ ବାକି ଅଛନ୍ତି। ଯେଉଁମାନେ ଫେରି ନାହାନ୍ତି ସେମାନଙ୍କୁ ନେଇ କାହାର ଚିନ୍ତା ନାହିଁ। ଯିଏ ଫେରୁ ଫେରୁ ବାଟରେ ମରିଯାଉଛି ତା କଥା ବୁଝିବାକୁ ବି କେହି ନାହାନ୍ତି। ନା ସେ ଗାଁ ମାଟିକୁ ଫେରି ପାରୁଛି ନା ଆତ୍ମୀୟ ସୋଦର ତା ମଲା ମୁହଁ ଦେଖିପାରୁଛନ୍ତି। ଯିଏ ଫେରି ସାରିଛି ତା ଉପରେ ବି ସମସ୍ତଙ୍କର ସଂଦେହ। ରୋଗୀଟା କାଳେ ରୋଗ ବଢାଇଦେବ। ଓଠରେ କହି ନପାରିଲେ ବି ଆଖିରେ ସଂଦେହର ବିଷମଂଜି ଧରେ ଗାଁ ଲୋକ ନିଜ ସାଇ ଭାଈଙ୍କୁ ହିଁ ବୁଲି ବୁଲି ଚାହୁଁଛନ୍ତି। କିନ୍ତୁ ତଥ୍ୟହେଉଛି ଯେ ମହାରାଷ୍ଟ୍ର କିମ୍ୱା କର୍ଣ୍ଣାଟକରେ ଦେଖାଦେଇଥିବା ମୋଟ‌୍‍ କେସ୍‌ର ଶତକଡା ୬ ଆଉ ୮ ଭାଗ କେସ‌୍‍ ହେଉଛନ୍ତି ଗାଁର। ଅନ୍ୟ ସବୁ ସହରର। କିନ୍ତୁ ଗାଁ ଲୋକଙ୍କୁ ହିଁ ଦୋଷୀ ଆଉ ଗାଁକୁ କରୋନାର ସୂତ୍ରଧର ବୋଲି ଗଣତି କରାଯାଉଛି। ସହରରେ ତଥାପି ଲୋକ ନୂଆ ନୂଆ ରାନ୍ଧି ଖାଉଥିବାରେ ଫଟୋ ସୋସିଆଲ ମିଡିଆରେ ଛାଡୁଥିଲେ ବି ଗାଁରେ କିନ୍ତୁ ବିଲରେ ଷଢୁଥିବା ପୋଟଳ ଆଉ ରାସ୍ତାରେ ଢଳାଯାଉଥିବା କ୍ଷୀର ବି ହୃଦୟବିଦାରକ ଥିଲା।

ଗାଁରେ ଏବେ ଭେଣ୍ଡିଆ ଭର୍ତ୍ତି। କିନ୍ତୁ ଗାଁରେ କାମ ନାହିଁ। ଜନସଂଖ୍ୟା ବୃଦ୍ଧି ଗାଁର ଜମିକୁ ଛୋଟ ଆଉ ରାଜନୀତି ଗାଁର ହୃଦୟକୁ ଛୋଟ କରିଦେଇଛି। ପ୍ରକୃତି ବି ଦାଉ ସାଧିଚାଲିଛି ଗାଁ ଉପରେ। ଗଛ ନାହିଁ, ଜଙ୍ଗଲ ପଦା, ଗାଁରେ ପାଣି ନାହିଁ। ବର୍ଷେ ବନ୍ୟା ହେଲେଦି ବର୍ଷମରୁଡି। ଆଉ କଣ ଚାଷ ଅଛି ଯେ ମଣିଷ ଚାଷକୁ ଆଧାର କରି ଚଳିଯିବ। ତେଣୁ ଗାଁରେ ବି ଚାରା ନାହିଁ। ଗାଁ ପୁଅ ପୁଣି ସହରକୁ ଫେରିବ। ପୁଣି ଥରେ ଜୀବନ ଯନ୍ତ୍ରଣାରେ ପେଶୀ ହେବାକୁ ବାଧ୍ୟହେବ। ଗାଁ ପୁଅ ଅପେକ୍ଷା କରିଛି କେବେ କରୋନାକାଳ ଯିବ। ସେ ଜାଣିଛି ସେ ଗଲାବେଳେ ତା ମା’ ବାହୁନି ବାହୁନି କାନ୍ଦିବ। ତା ସ୍ତ୍ରୀ କବାଟ କଡରେ ନାକ ସୁଁ ସୁଁ କରିବ ହେଲେ ତା ପାଖରେ ଅନ୍ୟ କିଛି ରାସ୍ତା ଅଛି କି। ଘରେ ଥିବା ରୋଗୀଣା ବାପା ଆଉ ଅଭିଆଡି ଭଉଣୀ କଥା କିଏ ବୁଝିବ ଯେ।

ସେ ନଗଲେ ସହରରେ କୋଠା ଗଢିବ କିଏ? ସହରରେ ଗାଡି ଚଲେଇବ କିଏ? ଗାଡି ମରାମତି କରିବ କିଏ? ତା ପାଇଁ ସିନା ସହରଟା ନୁହେଁ ହେଲେ ସହର ପାଇଁ ସିଏ ତ? କରୋନା ପାଇଁ ଗାଁର ସାମାଜିକ ସଂହତି ଏବଂ ବନ୍ଧୁ ବତ୍ସଳତାଲୋପ ପାଇଛି ଯେମିତି। ଅର୍ଥନୀତି ବି ମୋଡିମାଡି ହୋଇ ପଡିଛି। କରୋନାକାଳ କେବେ ଅତିକ୍ରାନ୍ତ ହେବ ସେ ଖବର କାହା ପାଖରେ ନାହିଁ। ତା ଜୀବନରେ ଘୋଟି ଆସିଥିବା କଳାବାଦଲ କେବେ ହଟିବ ତାହା ବି ଜଣା ନାହିଁ । କରୋନା କେବେ ଯିବ ବୋଲି ପ୍ରଶ୍ନର ଉତ୍ତର ଲୋକ ଯେତେ ଜୋରରେ ଖୋଜୁଛନ୍ତି ଗାଁର ଅର୍ଥନୀତି କେବେ ରାସ୍ତାକୁ ଫେରିବ ସେ ପ୍ରଶ୍ନ କେହି ପଚାରୁ ନାହାନ୍ତି।ଅବଶ୍ୟ ଏକଥା ବି କୁହାଯାଇପାରେ ଯେ କରୋନା ଯେ ଯାଏ ଅତିକ୍ରାନ୍ତ ନ ହୋଇଛି ସେଯାଏ ଗାଁର ଅର୍ଥନୀତି ଉପରେ ଏହାର ପ୍ରଭାବ କ’ଣ ତାହା ଆକଳନ କରିବା କଷ୍ଟକର।

ତେବେ ଏକଥା କୁହାଯାଇପାରେ ଯେ କରୋନା ପରବର୍ତ୍ତି ପୃଥିବୀରେ ଯେଉଁ ସବୁ ଜିନିଷ ବଦଳିବାକୁ ଯାଉଛି ତାହା ମଧ୍ୟରୁ ଆମ ଗାଁ ଗୋଟିଏ। ପୂର୍ବରୁ ରାଜନୀତି ଯୋଗୁଁ ବହୁଭାଗ ହୋଇଯାଇଥିବା ଗାଁ ଏବେ ଆହୁରି ଅନେକ ଭାଗ ହେବ। ଲୋକଙ୍କ ମଧ୍ୟରେ ସଂଦେହ ବହୁତ ବୃଦ୍ଧିପାଇବ। କରୋନା ନହଟିବାଯାଏ ଲୋକ ପରସ୍ୱରକୁ ସଂଦେହ କରିବେ। ମେଳା ମଉଛବ ଆଦି ଯେଉଁସବୁ କାର୍ଯ୍ୟକ୍ରମ ନିୟମିତ ଅନୁଷ୍ଠିତ ହୋଇ ଲୋକଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି କରୁଥିଲା ତାହା ଏବେ ସାମୟିକ ପାଇଁ ହେଉ ପଛେ ବନ୍ଦ ରହିବ। ତେବେ ଆମ ସମସ୍ତଙ୍କ ପାଖରେ ବିଶେଷ ଉପାୟ ବି କିଛି ନାହିଁ। କରୋନାର ତାଣ୍ଡବ ଶୀଘ୍ର ଶେଷ ହେଉ ଆଉ ଆମ ଗାଁର ସ୍ଥିତି ଶୀଘ୍ର ପୂବାର୍ବସ୍ଥାକୁ ଫେରି ଆସୁ ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା।

ଧବଳଗିରି, ଯାଜପୁର ରୋଡ‌୍‍

ମୋ- ୭୯୭୮୬୭୧୭୭୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe