ଦେବେନ୍ଦ୍ର ପୃଷ୍ଟି
ସମାନ ଅକ୍ଷର। ସମାନ ବନାନ। ତିନିଟୋ ଶବ୍ଦ। ତିନୋଟି ଅର୍ଥ। ଗୋଟିଏ ଆତଙ୍କ। ଦ୍ୱିତୀୟ ଲୋଭ। ତୃତୀୟ କୁମ୍ଭୀର କାନ୍ଦଣା।
୧. କରୋନା
କରୋନା ଆଦୌ ଏକ ଆତଙ୍କ ନୁହେଁ। କାରଣ ଏହା ଅନ୍ୟାନ୍ୟ ରୋଗ ଭଳି ଆରୋଗ୍ୟସାଧ୍ୟ। ଏହାର ସଂକ୍ରମଣ ଅବଶ୍ୟ ଆତଙ୍କଜନକ। ଟିକେ ସତର୍କ ହେଲେ ଯେକୌଣସି ଲୋକ ଏ ସଂକ୍ରମଣରୁ ରକ୍ଷା ପାଇପାରିବେ।
ପରିସଂଖ୍ୟାନ ଦେଖନ୍ତୁ। ୨୦୨୦ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ସମଗ୍ର ବିଶ୍ୱରେ ୪,୩୬,୩୭୨ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଉପଯୁକ୍ତ ସମୟରେ ଉପଯୁକ୍ତ ଚିକିତ୍ସା ଫଳରେ ସେମାନଙ୍କ ମଧ୍ୟରୁ ୧,୧୧୮୭୮ ଜଣ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏଥିରେ ମୃତ୍ୟୁବରଣ କରିଛନ୍ତି ମାତ୍ର ୧୯,୬୩୭। ଏଇ ସନ୍ଧ୍ୟା ସୁଦ୍ଧା ପୃଥିବୀରେ ଅଛନ୍ତି ସମୁଦାୟ ୩,୦୪,୮୫୭ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୨,୯୧,୫୮୯ ଜଣଙ୍କ ସ୍ଥିତି ସାମାନ୍ୟ। ଅର୍ଥାତ ଆଦୌ ଗମ୍ଭୀର ନୁହେଁ। ଭଲ ହୋଇଯିବାର ସମ୍ଭାବନା ବହୁତ ଅଧିକ। ସେମାନଙ୍କ ହାର ମୋଟ ରୋଗୀଙ୍କର ୯୬ ପ୍ରତିଶତ। ଗମ୍ଭୀର ସ୍ଥିତିରେ ଅଛନ୍ତି ମାତ୍ର ୧୩,୨୬୮ ଜଣ ଅର୍ଥାତ ଚିକିତ୍ସାଧୀନ ରୋଗୀଙ୍କର ମାତ୍ର ୪ ପ୍ରତିଶତ। ଏଇ ସମୟ ମଧ୍ୟରେ ଭାରତରେ ମୋଟ ୫୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି। ଏଥିରେ ମୃତ୍ୟୁବରଣ କରିଛନ୍ତି ମାତ୍ର ୧୦ ଜଣ। ଭାରତେ ଏବେ କୌଣସି କରୋନା ରୋଗୀ ଗମ୍ଭୀର ସ୍ଥିତିରେ ନାହାନ୍ତି।
ଏହି ପରିସଂଖ୍ୟାନରୁ ଏହା ସ୍ପଷ୍ଟ ପ୍ରତୀୟ ହୁଏ ଯେ କରୋନା ଆଦୌ ଏକ ଆତଙ୍କଜନକ ରୋଗ ନୁହେଁ। ଠିକ ସମୟରେ ଠିକ ଚିକିତ୍ସା ସୁବିଧା ପାଇଲେ ପ୍ରତ୍ୟାକ ଆକ୍ରାନ୍ତ ଏହି ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବେ। ତେବେ, ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀମାନେ ଲୋକମାନଙ୍କୁ ସତର୍କ, ସ୍ୱଚ୍ଛ ଓ ସାମାଜିକ ଗୃହବନ୍ଦୀ ରହିବାକୁ ବାରମ୍ବାର ଆବେଦନ କରି ଆତଙ୍କ ସୃଷ୍ଟି କରିବାର ମୁଖ୍ୟ କାରଣ ହେଲା ଭାରତରେ ସ୍ୱାସ୍ଥ୍ୟ ଗବେଷଣା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ। ଏଇ ଯେମିତି କରୋନା ରୋଗୀ ଚିହ୍ନଟ ପାଇଁ ଭାରତେ ଏବେ ସୁଦ୍ଧା ଆବଶ୍ୟକ ପରିମାଣର କିଟ୍ କି କେନ୍ଦ୍ର ନାହିଁ। ଓଡ଼ିଶାରେ ଗଲାକାଲି ଯାଏ ମାତ୍ର ଗୋଟିଏ ସରକାରୀ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ଥିଲା। କେନ୍ଦ୍ରଟି ହେଉଛି ଆରଏମଆରସି ବା ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର। ଆଜି ସେଥିରେ ଆଉ ଗୋଟିଏ ଯୋଡ଼ି ହୋଇଛି। ତାହା ହେଉଛି ଏମ୍ସ ବା ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ। ଏ ଦୁଇଟି ସଂସ୍ଥା ବ୍ୟତିତ ଦୁଇଟି ଘରୋଇ ଡାକ୍ତରଖାନାରେ ମଧ୍ୟ ଏ ସୁବିଧା ଉପଲବ୍ଧ ହୋଇଛି। ସେ ଦୁଇଟି ହେଉଛି ଆପୋଲୋ ଓ ଆମ୍ରି। ସେଠି ପରୀକ୍ଷା କଲେ ଜଣକା ୪୫୦୦ ଟଙ୍କା ଖର୍ଚ୍ଚ ହେବ। ଏହି ଦୃଷ୍ଟିରୁ ସୁବିଧା ନଥିବା ରାଜ୍ୟରେ ସାଧନ ନଥିବା ଲୋକ ପାଇଁ ଏହା ଏକ ଆତଙ୍କ।
ରୋଗ ହେଲେ ଟଙ୍କା ନାହିଁ। ଟଙ୍କା ଥିଲେ ସୁବିଧା ନାହିଁ। ଗତ ଦଶନ୍ଧି ମଧ୍ୟରେ ସରକାରୀ ମୁଖ୍ୟମାନେ ନିଜର ବା ନିଜ ସରକାରର ପ୍ରଚାର ପାଇଁ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେତିକି ଟଙ୍କାରେ ଭାରତର ସବୁ ରାଜ୍ୟରେ ଏକାଧିକ ଉନ୍ନତ ଚିକିତ୍ସା କେନ୍ଦ୍ର ଖୋଲିପାରିଥାନ୍ତା। ଦଳଗୁଡ଼ିକ ନିର୍ବାଚନ ସମୟରେ ଯେତେ ଟଙ୍କା ମଦପାଣି, ଭୋଜିଭାତ ଓ ଭୋଟକିଣାରେ ଖର୍ଚ୍ଚ କରିଛନ୍ତି ସେଥିରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଉନ୍ନତମାନର ଚିକିତ୍ସା କେନ୍ଦ୍ର ଖୋଲିପାରିଥାନ୍ତା। ଓଡ଼ିଶା ସରକାର ଏବେ କହୁଛନ୍ତି ପ୍ରତି ପଞ୍ଚାୟତରେ କରୋନା ଚିକିତ୍ସା କେନ୍ଦ୍ର ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ସବୁ ପଞ୍ଚାୟତରେ ଉନ୍ନତମାନର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇପାରିଥାନ୍ତା। ପ୍ରତି ପଞ୍ଚାୟତକୁ ପ୍ରତି ବର୍ଷ ପ୍ରାୟ ୧ କୋଟି ଟଙ୍କାର ଅନୁଦାନ ଯାଉଛି। ଉପଯୁକ୍ତ ଯୋଜନା ଥିଲେ ପ୍ରତି ପଞ୍ଚାୟତ ଗୋଟିଏ ଛୋଟ ଡାକ୍ତରଖାନା ଖୋଲି ସେଥିରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବା ଆଦୌ ଅସମ୍ଭବ ନୁହେଁ। ସେ ଦିଗରେ ଏଯାଏଁ କେହି ଚିନ୍ତା କରିନାହାନ୍ତି। ସେଇଥିପାଇଁ ଏହା ଏକ ଆତଙ୍କ। ଏବେ କେତେକ ବିଧାୟକ ସେମାନଙ୍କ ବିଧାୟକ ପାଣ୍ଠିକୁ କରୋନା ମୁକାବିଲା ପାଇଁ ଉର୍ତ୍ସଗ କରିଥିବା କଥା କହୁଛନ୍ତି। ସେମାନେ ଯଦି ଆରମ୍ଭରୁ ସେମାନଙ୍କର ଏଇ ହାତପାଣ୍ଠିକୁ ନିଜ ନିର୍ବାଚନ ମଣ୍ଡଳୀର ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବାରେ ଖର୍ଚ୍ଚ କରିଥାନ୍ତେ ତେବେ ଆଜି ହୁଏତ ହାତ ଧୋଇବାକୁ ପ୍ରଚାର କରିବାକୁ ପଡ଼ିନଥାନ୍ତା। ତାହା ହୋଇନାହିଁ ବୋଲି ଏହା ଏବେ ଆତଙ୍କ।
୨. କରୋ ନା!
କରୋନାରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଜାତି ଉଦ୍ଦେଶ୍ୟରେ ଦୁଇ ଦୁଇ ଥର ବାର୍ତ୍ତା ଦେଇସାରିଲେଣି। ପ୍ରଥମ ଥର ସେ ପରୀକ୍ଷାମୂଳକ ଭାବେ ଦିନକ ପାଇଁ ଜନତା କର୍ଫ୍ୟୁ ପାଳିବାକୁ ଆହ୍ୱାନ ଦେଇଥିଲେ। ତାହା ସଫଳ ହୋଇନଥିଲେ ସେ ହୁଏତ ଦ୍ୱିତୀୟ ବାର୍ତ୍ତାରେ ଆଉ ୩ ସପ୍ତାହ କର୍ଫ୍ୟୁ ନିର୍ଦ୍ଦେଶ ଦେଇ ନଥାନ୍ତେ। ଗୋଟିଏ ଦିନ, ତାହା ପୁଣି ରବିବାର, ଘରେ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବା ଆବେଦନକୁ ଦେଶବାସୀ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ। ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକଳନ କରିପାରି ନଥିବେ ଯେ ଜନତା କର୍ଫ୍ୟୁ ସଫଳ ହେଲେ ଆଉ ୩ ସପ୍ତାହ ସମଦଶା ଭୋଗିବାକୁ ପଡ଼ିବ। ଲୋକେ ତାଳି ଓ ଥାଳି ବାଡ଼େଇ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କଲେ। ତାଙ୍କ ଉତ୍ସାହ ବଢ଼ିଲା। ସେ ୨୧ ଦିନ ପାଇଁ କର୍ଫ୍ୟୁ ଜାରି କଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ବି ସେଇ ରାସ୍ତାରେ। ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ସବୁ କଥାରେ ସେ ହଁ ମାରନ୍ତି। ଏଥର ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ଆଗରୁ ସେ ଓଡ଼ିଶାରେ ଲକ୍ ଡାଉନ୍ ଘୋଷଣା କରିଥିଲେ। କାରଣ ସମାନ। ରାଜ୍ୟରେ ତାଙ୍କ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇନାହିଁ। ଅନେକ ଜିଲ୍ଲା ଡାକ୍ତରଖାନାକୁ ମେଡିକାଲ କଲେଜ୍ ମାନ୍ୟତା ମିଳିଥିଲେ ବି ରୋଗ ଚିକିତ୍ସାର ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ନାହିଁ। କେବେ ଲାଗିବ ଠିକ ନାହିଁ। ତେଣୁ ଛାନିଆରେ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି।
ଲକ୍ ଡାଉନ୍ ବା ସ୍ୱାସ୍ଥ୍ୟଗତ ଜରୁରିକାଳୀନ ପରିସ୍ଥିତି ବା ସାମାଜିକ କର୍ଫ୍ୟୁ ଯାହା ବି କୁହନ୍ତୁ, ଏହାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଲୋକଙ୍କଠାରୁ ଦୂରେଇ ରଖିବା ଯଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବନାହିଁ, ସଂକ୍ରମଣ ସାଇକ୍ଲ ବା ଚକ୍ର ଭାଙ୍ଗିଯିବ। ସେଥିପାଇଁ କୁହାଯାଉଛି ଗୋଟିଏ ଜାଗାରେ ୭ରୁ ଅଧିକ ଲୋକ ଏକାଠି ହେବ ନାହିଁ। ପରସ୍ପର ମଧ୍ୟରେ ସର୍ବନିମ୍ନ ୧ ମିଟର ଦୂରତା ବଜାୟ ରଖିବ। ହାଟ, ବଜାର ଓ ଦପ୍ତର ଇତ୍ୟାଦିରେ କାଳେ ଲୋକେ ଏଇ କଟକଣା ମାନିବେ ନାହିଁ ତେଣୁ କର୍ଫ୍ୟୁ ପରିସ୍ଥିତି ସୃଷ୍ଟି କରାଯାଇଛି। ସରକାରଙ୍କ ନିର୍ଦ୍ଦେଶରେ ସବୁ ବନ୍ଦ କରିଦିଆଯାଇଛି। ସ୍କୁଲକଲେଜ ପରି ଶିକ୍ଷାନୁଷ୍ଠାନ, ଧର୍ମ ଓ ବିଶ୍ୱାସର ଉପାସନା ସ୍ଥଳ, ଅତ୍ୟାବଶ୍ୟକ ସେବା ଭିନ୍ନ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଦପ୍ତର, ଛୋଟରୁ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଖେଳ, ସିନେମା ଆଦି ସବୁ ବନ୍ଦ। କିନ୍ତୁ ଶିଳ୍ପ? ଶିଳ୍ପପତିର ଲାଭ କ’ଣ ପିଲାଙ୍କ ପାଠପଢ଼ାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ? ସେସବୁ ଚାଲିଛି। କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ଅନୁସାରେ ଲକ୍ ଆଉଟ୍ ସମୟରେ ସମସ୍ତ ପ୍ରକାର ଶିଳ୍ପାନୁଷ୍ଠାନ ବନ୍ଦ ରହିବା କଥା। କିନ୍ତୁ ଓଡ଼ିଶାରେ ଚାଲିଛି। ଭାରତରେ ମଧ୍ୟ ବନ୍ଦ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆଦେଶନାମା ୪୦-୩/୨୦୨୦-ଡି ତାରିଖ ୨୪.୩.୨୦୨୦ର ୫ ଧାରା ଅନୁସାରେ ସବୁ ଶିଳ୍ପାନୁଷ୍ଠାନ ବନ୍ଦ ରହିବ। ଏହି ଧାରାର (କ) ଉପଧାରା ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ସଂସ୍ଥା ବା ମାନୁଫାକଚରିଂ ୟୁନିଟ୍ ଓ (ଖ) ଉପଧାରା ଅନୁସାରେ ଧାରାବାହିକ ପ୍ରକ୍ରିୟାରେ ଉତ୍ପାଦନ କରୁଥିବା ସଂସ୍ଥା ସରକାରଙ୍କ ପୂର୍ବ ଅନୁମତି ନେଇ ସଂସ୍ଥା ଖୋଲା ରଖିପାରିବେ। ଇସ୍ପାତ, ଆଲୁମିନିୟମ, ସ୍ପଞ୍ଜଲୁହା ଓ ସିମେଣ୍ଟ ଆଦି ଆଦୌ ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ କି ଏସବୁ ଧାରାବାହିକ ପ୍ରକ୍ରିୟାରେ ଉତ୍ପାଦିତ ହୁଏନାହିଁ। ତଥାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜିଲ୍ଲାପାଳମାନେ ଯାଜପୁର ଜିଲ୍ଲାର କଳିଙ୍ଗନଗର ସମେତ ଅନେକ ଅଞ୍ଚଳରେ ଏପରି ଶିଳ୍ପସବୁ ଚାଲୁ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସେସବୁ ଶିଳ୍ପରେ କାମ କରୁଥିବା ହଜାର ହଜାର ଲୋକ କ’ଣ କମ୍ପାନୀ ବସ୍ରେ ଯିବାବେଳେ, କମ୍ପାନୀ ଗେଟ୍ରେ ପଶିବାବେଳେ ସାମାଜିକ ଦୂରତା ରକ୍ଷା କରୁଛନ୍ତି? କାରଖାନା ଭିତରେ କ’ଣ ସେମାନେ ଏକାଠି କାମ କରୁନାହାନ୍ତି? ସେମାନଙ୍କଠାରୁ ଯଦି ସଂକ୍ରମଣ ବ୍ୟାପେ? କିଏ ସେ ଦୋଷ ମୁଣ୍ଡେଇବେ? ରାଜ୍ୟ ସରକାର ନା କେନ୍ଦ୍ର ସରକାର? କେନ୍ଦ୍ର ସରକାର ମଧ୍ୟ (କ) ଓ (ଖ) ବ୍ୟତିକ୍ରମ ଯୋଡ଼ି ଆଦାନି, ଅମ୍ବାନି, ଟାଟା, ବିର୍ଲା, ଜିନ୍ଦଲ ଆଦି ଗୋଷ୍ଠୀର ସବୁ ବଡ଼ବଡ଼ ଶିଳ୍ପ ଖୋଲା ରଖିଛନ୍ତି। ଏପରିସ୍ଥଳେ ଜନତା କର୍ଫ୍ୟୁ ବା କରୋନା ବିରୋଧୀ ମହାଭାରତ ଯୁଦ୍ଧ କେଉଁ କାମକୁ? ପ୍ରଧାନମନ୍ତ୍ରୀ କହିଲେ କ ରୋ ନା ମାନେ କୋଇ ରୋଗ ମେଁ ନା ପଡ଼େ, ଅନ୍ୟାର୍ଥରେ କୋଇ ରୋଡ଼୍ ପର୍ ନା ଆୟେ। ଏ କୋଇ ବା କେହି ମଧ୍ୟରେ ଶିଳ୍ପ-ଶ୍ରମିକ ଓ କର୍ମଚାରୀ ଗଣାଯାଉ ନାହାନ୍ତି କି? ସେମାନେ କ’ଣ ଦେଶର ନାଗରିକ ନୁହନ୍ତି? ସେମାନଙ୍କୁ ଘରେ ରହିବାକୁ କୁହାନଯାଇ କାମ୍ କରୋ ନା! ବୋଲି କାହିଁକି କୁହାଯାଉଛି।
୩. କ ରୋନା!
ସଞ୍ଜୟଲୀଳା ଭଁସାଲିଙ୍କ ଦେବଦାସ ଫିଲ୍ମରେ ଜ୍ୟାକି ଶ୍ରଫଙ୍କ ଡାଇଲଗ୍ ଅନୁସାରେ କୁହାଯାଇପାରେ କ‘ରେ କରୋନା କ’ରେ କୁମ୍ଭୀର। ରୋନା ମାନେ ତ କାନ୍ଦଣା। ନେତାମାନଙ୍କର ଏବେକାର କାନ୍ଦଣା କୁମ୍ଭୀର କାନ୍ଦଣା ନୁହେଁ ତ? କରୋନାକୁ ସେମାନେ ଆଉ କିଛି ଆତ୍ମପ୍ରଚାର ଓ ଆଉ କିଛି ହାତସଫେଇର ସୁଯୋଗରେ ପରିଣତ କରିଥାଇ ପାରନ୍ତି। ନହେଲେ କରୋନା ଟେଷ୍ଟିଂ କିଟ୍, ଡିସ୍ଇନ୍ଫେକ୍ସନ ଓ ବିଦେଶ ଫେରନ୍ତାଙ୍କ ଏକାନ୍ତବାସ ଉପରେ ଗୁରତ୍ୱ ନଦେଇ ଜନସମୁଦାୟକୁ ଅସୁବିଧାରେ ପକାଇବାର ଉଦ୍ଦେଶ୍ୟ କ’ଣ?