- ଦେବେନ୍ଦ୍ର ପୃଷ୍ଟି
ଆମେ ସମସ୍ତେ ବୁଝିଗଲେଣି ଯେ ଅଲ୍କାଏଦା ଓ ଆଇଏସଆଇଏସ ଆତଙ୍କବାଦୀଙ୍କଠାରୁ ବି କୋଭିଡ-୧୯ ଅଧିକ ଭୟଙ୍କର। ସାରା ବିଶ୍ୱରେ କୋଭିଡ ସଂକ୍ରମଣକୁ ନେଇ ସହରରୁ ଗାଁ ଯାଏଁ ବ୍ୟାପି ଯାଇଛି ଭୟ ଓ ଆତଙ୍କର ବାତାବରଣ। ଏହି ଆତଙ୍କର ବାତାବରଣ ଭିତରେ କୋଭିଡ ରୋଗୀଙ୍କର ଅମ୍ଳଜାନ ଅଭାବକୁ ନେଇ କେଇ ମାସ ତଳେ ସମଗ୍ର ଭାରତରେ ସୃଷ୍ଟି ହୋଇଥିଲା ହଇଚଇ। ଅମ୍ଳଜାନ ଅଭାବରୁ ଭାରତର ଅନେକ ସହରର ଅନେକ ଲୋକ ପ୍ରାଣ ହରାଇଥିବା କଥା ସେହି ସମୟରେ ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ତେବେ ସଂସଦରେ ଏ ସଂପର୍କୀତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଏହା ଅସ୍ୱୀକାର କରିସାରିଛନ୍ତି ଓ କୌଣସି ରାଜ୍ୟ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ନେଇ କୌଣସି ପ୍ରକାର ତଥ୍ୟ ଦେଇନାହାନ୍ତି ବୋଲି କହିଛନ୍ତି। ହୁଏତ ଏହା ରାଜନୀତି ହୋଇପାରେ। ମାତ୍ର, ଏହା ସତ ଯେ ଦେହରେ ଅମ୍ଳଜାନ ଅଭାବ ହେଲେ ବ୍ୟକ୍ତିର ବଞ୍ଚିବା ସମ୍ଭାବନା କ୍ଷୀଣ। ଅମ୍ଳଜାନ ବିନା ତ କୌଣସି ପ୍ରାଣୀ ବି ବଞ୍ଚିପାରିବେ ନାହିଁ।
ଅମ୍ଳଜାନ ଆମ ଜୀବନ ପ୍ରକ୍ରିୟାକୁ ଇନ୍ଧନ ଯୋଗାଏ। ଆମ ମାଂସପେଶୀକୁ ସଂଚାଳିତ କରେ, ଆମ କୋଷକୁ କାର୍ଯ୍ୟକ୍ଷମ କରାଏ, ବଢ଼ାଏ ଓ ପୁନଃସର୍ଜନା କରାଏ। ଆମ ମସ୍ତିଷ୍କକୁ ଖାଦ୍ୟ ଯୋଗାଏ, ସ୍ନାୟୁକୁ ଶାନ୍ତ କରେ, ହୃଦୟର ପମ୍ପକୁ ଚଳାଏ, ଦେହର ଟକ୍ସିନ୍ ନିର୍ଗତ କରାଏ, ସଂକ୍ରମଣ ସହ ଲଢ଼େ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ମୋଟ ଉପରେ ଅମ୍ଳଜାନ ହିଁ ପ୍ରାଣୀମାନଙ୍କର ପ୍ରାଣ। ଏହା ବାୟୁମଣ୍ଡଳରୁ ମିଳିଥାଏ। ତେବେ ବାୟୁ ମଣ୍ଡଳକୁ ଏହା ଆସେ କେମିତି? ଏହା ମୂଳରୁ ବାୟୁ ମଣ୍ଡଳରେ କେମିତି ସୃଷ୍ଟି ହେଲା ତାହା ଏକ ଭିନ୍ନ ପ୍ରଶ୍ନ। କିନ୍ତୁ ପ୍ରତି ଦିନ ବାୟୁ ମଣ୍ଡଳରେ ମିଶୁଥିବା ଅମ୍ଳଜାନର ସୂତ୍ର କ’ଣ?
ଏଇ କେଇ ଦିନ ତଳେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବ ଗୋଟେ ରାୟ ଦେଇ କହିଲେ ଯେ ଗାଈ ଆମର ମା’। ଯୀଶୁ ଖ୍ରୀଷ୍ଟଙ୍କ କଥା ଉଦ୍ଧାର କରି କହିଲେ ଯେ ଗୋ ହତ୍ୟା କରିବା ନରହତ୍ୟା ସହ ସମାନ। ଭାରତୀୟ ସଭ୍ୟତାରେ ଗାଈ କାହିଁକି ମା’ ତାହା ବୁଝେଇବାକୁ ଯାଇଁ ସେ କହିଥିଲେ ଯେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏ ଉଭୟ ଦିନ ଓ ରାତିରେ ଅମ୍ଳଜାନ ଛାଡ଼େ। ବିଚାରପତି ଶେଖର ଯାଦବଙ୍କ ପୂର୍ବରୁ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରସିଂହ ରାୱତ ମଧ୍ୟ ସମାନ କଥା କହିଥିଲେ। ଅନେକ ସମୟରେ ହିନ୍ଦୁତ୍ୱବାଦୀ ରାଜନୀତି ସହିତ ଜଡ଼ିତ ଅନେକ ନେତା ଏପରି ଦାବି କରିଥାନ୍ତି।
ଏହା ମିଛ ନୁହେଁ। କିନ୍ତୁ ପୂରା ସତ ମଧ୍ୟ ନୁହେଁ। କେବଳ ଗାଈ ଏପରି କରେ ନାହିଁ। ମଣିଷ ମଧ୍ୟ ନିଃଶ୍ୱାସରେ ଅମ୍ଳଜାନ ଛାଡ଼େ। କେବଳ ମଣିଷ ଓ ଗାଈ ନୁହନ୍ତି, ପୃଥିବୀ ପୃଷ୍ଠର ସବୁ ପ୍ରାଣୀ ପ୍ରଶ୍ୱାସରେ ଅମ୍ଳଜାନ ନିଅନ୍ତି ଓ ନିଃଶ୍ୱାସରେ ମଧ୍ୟ ଅମ୍ଳଜାନ ଛାଡ଼ନ୍ତି। ଭିନ୍ନ ହେଉଛି ମାତ୍ରାରେ। ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିପାରିଛନ୍ତି ଯେ ମଣିଷମାନେ ପ୍ରଶ୍ୱାସରେ ଯେତେ ବାୟୁ ଗ୍ରହଣ କରନ୍ତି ତାହାର ପ୍ରାୟ ୨୧ ପ୍ରତିଶତ ହେଉଛି ଅମ୍ଳଜାନ, ୭୯ ପ୍ରତିଶତ ହେଉଛି ଯବକ୍ଷାରଜାନ ଓ ୦.୪ ପ୍ରତିଶତ ହେଉଛି ଅଙ୍ଗାରକାମ୍ଳ। ନିଃଶ୍ୱାସରେ ଯେଉଁ ବାୟୁ ନିର୍ଗତ ହୁଏ ତାହାର ୧୬ ପ୍ରତିଶତ ହେଲା ଅମ୍ଳଜାନ, ୭୯ ପ୍ରତିଶତ ହେଲା ଯବକ୍ଷାରଯାନ ଓ ୪ ପ୍ରତିଶତ ହେଲା ଅଙ୍ଗାରକାମ୍ଳ। ଅର୍ଥାତ ଆମେ ଯେତିକି ଅମ୍ଳଜାନ ନେଉ ସେଥିରୁ ମାତ୍ର ୫ ପ୍ରତିଶତ ଦେହର କାମରେ ଲାଗେ, ବାକି ଛାଡ଼ିଦେଉ। ସବୁ ପ୍ରାଣୀ ଏହା କରନ୍ତି। କିଏ ଅଧିକ ନେଇ କମ୍ ଛାଡ଼େ ତ କିଏ କମ୍ ନେଇ ଅଧିକ ଛାଡ଼େ। ସବୁ ପ୍ରାଣୀ ଉଭୟ ଦିନ ଓ ରାତିରେ ଅମ୍ଳଜାନ ନିଅନ୍ତି ଓ ଅମ୍ଳଜାନ ଛାଡ଼ନ୍ତି, ଅନ୍ୟାନ୍ୟ ଗ୍ୟାସ ସହିତ।
ଭାରତର ସନାତନ ଧର୍ମ ଓ ସଂସ୍କୃତିରେ ଏମିତି ଅନେକ ଗଛକୁ ପୂଜା ଓ ଆଦର କରାଯାଏ ଯେଉଁଗୁଡ଼ିକ ଉଭୟ ଦିନ ଓ ରାତିରେ ଅମ୍ଳଜାନ ଛାଡ଼ନ୍ତି। ବୈଜ୍ଞାନିକମାନେ ମଧ୍ୟ ତାହାର ପ୍ରମାଣ ପାଇସାରିଲେଣି। ଏଇ ଗଛଗୁଡ଼ିକ ମଧ୍ୟରେ ଅଛନ୍ତି ତୁଳସୀ, ଅଶ୍ୱତ୍ଥ ଓ ଘିକୁଆଁରୀ। ବର, ଓସ୍ତ, ବେଲ ଓ ନିମ ଆଦି ଗଛ ଦିନମାନ ଅଧିକ ଅମ୍ଳଜାନ ଛାଡ଼ିଥାନ୍ତି। ଦିନରେ ଗଛମାନେ ଅମ୍ଳଜାନ ଛାଡ଼ିବାର ପ୍ରକ୍ରିୟା ହେଲା ଫଟୋସିନ୍ଥେସିସ୍। ରାତିରେ ଗଛମାନେ ଅମ୍ଳଜାନ ଛାଡ଼ିବାର ପ୍ରକ୍ରିୟାର ହେଲା କ୍ରାସୁଲାସିଆନ ଏସିଡ ମେଟାବୋଲିଜ୍ମ ବା କ୍ୟାମ୍।
କୋଭିଡ ସଂକଟରେ ରୋଗୀମାନଙ୍କର ପାଇଁ ମେଡିକାଲ ଅମ୍ଳଜାନ କେତେ ଦୁର୍ମୂଲ୍ୟ ତଥା ଦୁର୍ଲଭ ହୋଇଥିଲା ତାହା ସମସ୍ତେ ଜାଣନ୍ତି। ଏହା କାରଖାନାରେ ଉତ୍ପାଦିତ ହେଲା ପରେ ବିଶୋଧିତ ହୋଇ ଡାକ୍ତରଖାନାରେ ବ୍ୟବହୃତ ହୋଇଥାଏ। ପୃଥିବୀର ସବୁ ମଣିଷଙ୍କୁ କାରଖାନାରୁ ଉତ୍ପାଦନ କରି ଅମ୍ଳଜାନ ଯୋଗେଇ ହେବ ନାହିଁ। ସେଥିପାଇଁ ଏତେ କାରଖାନା ବସେଇ ହେବନି। ହେଲେ ବି ଏତେ ଖର୍ଚ୍ଚ ପଡ଼ିବ ଯେ ସମସ୍ତେ କିଣିବାକୁ ସମର୍ଥ ନୁହନ୍ତି। ଅମ୍ଳଜାନ କିଣିବାକୁ ପଡ଼ିଲେ ପୃଥିବୀର ୯୦ ଭାଗ ଲୋକ ଏଇମିତି ମରିଯିବେ। ମେଡିକାଲ ଅକ୍ସିଜେନର ଦାମ ସମସ୍ତେ ଦେଇପାରିବେ ନାହିଁ। ତା’ ପରେ ବି ସାଙ୍ଗରେ ଅମ୍ଳଜାନ ଥଳି ବୋହି ବୁଲିବା ସମ୍ଭବ ନୁହେଁ।
ବାୟୁମଣ୍ଡଳକୁ ମାଗଣାରେ ଅମ୍ଳଜାନ ଯୋଗାଉଛନ୍ତି ଗଛ। ଆମେ କିନ୍ତୁ ରାସ୍ତାଘାଟ, କୋଠାବାଡ଼ି, କଳକାରଖାନା, ଖଣିଖାଦାନ ପାଇଁ ନିର୍ବିଚାରରେ ଗଛକାଟି ସଫା କରିଚାଲିଛୁ। ନୂଆ ଗଛ ଲଗଉନାହୁଁ, ଲଗେଇଲେ ବଞ୍ଚଉନାହୁଁ। ଅନେକଙ୍କର ଗଛ ଲଗେଇବାକୁ ଜାଗା ନାହିଁ। ଜଣେ ମଣିଷ ଗୋଟେ ମିନିଟରେ ୭-୮ ଲିଟର ଅମ୍ଳଜାନ ଗ୍ରହଣ କରେ। ଦିନକୁ ଦରକାର ପ୍ରାୟ ୧୧ ହଜାର ଲିଟର ଅମ୍ଳଜାନ। ଏଥିରୁ ୫ ପ୍ରତିଶତ ଅମ୍ଳଜାନ ଆମ ଦେହରେ ରହଯାଏ। ତାର ପରିମାଣ ହେଉଛି ପ୍ରାୟ ୫୦୦ ଲିଟର।
ଗାଈ ଆମର ମା’ ନିଶ୍ଚୟ। ତେବେ ଗଛ ଆମର ବାପା। ଯେଉଁମାନେ ଗାଈକୁ ମା’ ବୋଲି କହୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଲୋକ ଶିଳ୍ପାୟନ ଓ ସହରାୟନ ପାଇଁ ଜଙ୍ଗଲ ସଫା କରିବାକୁ ମଧ୍ୟ ସମର୍ଥନ କରୁଛନ୍ତି। ଏଇଟା ହେଉଛି ଗୋବର ବୁଦ୍ଧି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।