- ସୂର୍ଯ୍ୟମଣି ମିଶ୍ର
ରାଜନୀତିରେ ଅପରାଧ ଏବଂ ଅପରାଧୀ ବଢ଼ିବା ଏକ ଲମ୍ୱା ସମୟର ଚିନ୍ତାର ବିଷୟ। ସମୟ-ସମୟରେ ଏହା ବିରୋଧରେ ସମାଜର ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱର ଉଠିଥାଏ। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ଭଳି ସଂଗଠନ ପ୍ରତ୍ୟେକ ନିର୍ବାଚନ ସମୟରେ ଏ ସଂପର୍କରେ ସୂଚନା ଦେଶ ସାମ୍ନାରେ ରଖିଥାଏ। କେଉଁ ଦଳରେ କେତେ ଦାଗୀ ପ୍ରାର୍ଥୀ ଅଛନ୍ତି ଏବଂ ସଂସଦ ଓ ବିଧାନସଭାରେ କେତେ ସଦସ୍ୟଙ୍କ ଅପରାଧ ପୃଷ୍ଠଭୂମି ରହିଛି. ତାହା ମଧ୍ୟ ଏଡିଆର୍ ପ୍ରକାଶ କରିଥାଏ। ଏହା ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଏହାକୁ ନେଇ ଚିନ୍ତାପ୍ରକଟ କରାଯାଇଛି। କିନ୍ତୁ ଯେଉଁ ରାଜନୀତିକ ଦଳ ଉପରେ ଏହାର ଉତ୍ତରଦାୟିତ୍ୱ ରହିଛି, ରାଜନୀତିକୁ ଅପରାଧର ପ୍ରୟୋଗଶାଳା ନକରିବା ପାଇଁ, ସେହି ରାଜନୈତିକ ଦଳ ନିର୍ବାଚନରେ ଜିତିବା ପାଇଁ ଏପରି ପ୍ରାର୍ଥୀଙ୍କୁ ଛିଡ଼ା କରନ୍ତି ଯାହାଙ୍କ ନାମରେ ଗମ୍ଭୀର ଅଭିଯୋଗ ଥାଏ। ଏହା ପ୍ରମାଣ ହେଉଛି, ଦେଶରେ ଏହି ସମୟରେ ଏପରି କୌଣସି ରାଜନୀତିକ ଦଳ ସାମ୍ନାକୁ ଆସୁନାହାନ୍ତି ଯେଉଁଦଳରେ କୌଣସି ନା କୌଣସି ଦାଗୀ ପ୍ରାର୍ଥୀ ଛିଡ଼ା କରୁନାହାନ୍ତି। ଅପରାଧର ଗମ୍ଭୀରତା କମ୍ ହେଉ ବା ବେଶୀ ହେଉ, କିନ୍ତୁ ସଂପୂର୍ଣ୍ଣ ଭାବେ ନିର୍ମଳ ବା ସ୍ୱଚ୍ଛ ଚିତ୍ରଥିବା କୌଣସି ଦଳ ନାହିଁ। ଏହା ସତ୍ୟ ଯେ, ଭାରତୀୟ ଗଣତନ୍ତ୍ରରେ ସମସ୍ତଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅଧିକାର ରହିଛି। ଏଥିପାଇଁ ରାଜନୀତିର ଅପରାଧୀଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା କଠିନ। ଏହି କାମ ଲୋକ ନିଜ ବିବେକ ଅନୁଯାୟୀ କରିପାରିବେ। ସେମାନେ ଦେଖିବା ଉଚିତ୍ ଯେ ଯେଉଁ ପ୍ରାର୍ଥୀଙ୍କୁ ସେ ଭୋଟ୍ ଦେଉଛନ୍ତି, ସେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଅଛି କି ନାହିଁ।
ଗତ ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି, ରାଜନୀତିକ ଦଳ ଯଦି କୌଣସି ଅପରାଧୀ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ କରୁଛନ୍ତି, ତେବେ ସେହି ପ୍ରାର୍ଥୀଙ୍କର ସମସ୍ତ ଅପରାଧିକ ମାମଲାକୁ ଜଣାଇବା ପାଇଁ ଦଳକୁ ନିଜର ୱେବ୍ସାଇଟ୍ରେ ତଥ୍ୟ ଅପ୍ଲୋଡ୍ କରିବାକୁ ହେବ। ଦଳକୁ ଏହା ମଧ୍ୟ ଲୋକଙ୍କ ସାମ୍ନାରେ ଜଣାଇବାକୁ ହେବ ଯେ ସେମାନେ କାହିଁକି ଓ କେଉଁ କାରଣରୁ ଏପରି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛନ୍ତି। ଏହା ବ୍ୟତୀତ ଦଳର ଏହା ମଧ୍ୟ ଉତ୍ତରଦାୟିତ୍ୱ ହେବ ଯେ, ଦାଗୀ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ଅପରାଧୀକ ମାମଲା ସଂପର୍କରେ ଫେସ୍ବୁକ୍ ପେଜ୍ ଓ ଟ୍ୱିଟ୍ର ହ୍ୟାଣ୍ଡେଲ୍ରେ ମଧ୍ୟ ସୂଚନା ଦେବାକୁ ହେବ। ଗୋଟିଏ ଆଞ୍ଚଳିକ ଏବଂ ଅତି କମ୍ରେ ଗୋଟିଏ ଜାତୀୟ ଖବର କାଗଜରେ ଦଳକୁ ଏପରି ଅପରାଧୀକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ଅପରାଧ ମାମଲା ସଂପର୍କରେ ଜଣାଇବାକୁ ହେବ। ଅପରାଧୀକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିବାର ୭୨ ଘଣ୍ଟା ଭିତରେ ଦଳର ପ୍ରାର୍ଥୀଙ୍କ ସଂପର୍କରେ ସମସ୍ତ ସୂଚନା ନିର୍ବାଚନ କମିଶନଙ୍କୁ ଦେବାକୁ ହେବ।
ଜଷ୍ଟିସ୍ ଆର୍ଏଫ୍ ନରିମନ୍ ଏବଂ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏପରି ଶୁଣାଣି କରି କହିଛନ୍ତି, ଯଦି କୌଣସି ଦଳ ଏହା ନକରିବେ, ତେବେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହା ପୂର୍ବରୁ ସେପ୍ଟେମ୍ୱର ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପୂର୍ବରୁ ନିଜର ଅପରାଧିକ ରେକର୍ଡ ନିର୍ବାଚନ କମିଶନ ପାଖରେ ଘୋଷଣା କରିବେ। ଏହା ସହ ସମସ୍ତ ରାଜନୀତିକ ଦଳକୁ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ସୂଚନା ନିଜ ନିଜ ଦଳର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବାକୁ କହିଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ୱିଧାନିକ ପୀଠ କହିଥିଲେ, ଦେଶର ନାଗରିକଙ୍କୁ ନିଜ ପ୍ରାର୍ଥୀଙ୍କ ସଂପର୍କରେ ଜାଣିବାର ଅଧିକାର ରହିଛି।
ବିଶ୍ୱର ବଡ଼ ଗଣତନ୍ତ୍ରର ଅପରାଧିକରଣ ଚିନ୍ତାର ବିଷୟ। କିନ୍ତୁ ଏ ସଂପର୍କରେ ସଠିକ୍ ପଦକ୍ଷେପ ନ ନିଆଯିବା ଦ୍ୱାରା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟ ନିର୍ବାଚନ ଆୟୋଗଙ୍କଠାରୁ ଦଲିଲ ମାଗି ଦାଗୀ ପ୍ରାର୍ଥୀଙ୍କ ସଂପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି। ନ୍ୟାୟପାଳିକା ତ ନିଜର ଦାୟିତ୍ୱ ପାଳନ କରିଛନ୍ତି। ଏବେ ଦେଖିବାକୁ ହେବ ରାଜନୀତିକ ଦଳ ଏହା ଉପରେ କେତେ ଗମ୍ଭୀର ଭାବେ ନିଷ୍ପତ୍ତି ନେବେ।
୧୭ ତମ ଲୋକସଭାର ଚିତ୍ର ଦେଖିଲେ ନିରାଶ ହେବାକୁ ପଡେ଼। କାହିଁକି ନା ଚଳିତ ଥର ୧୫୯ ସାଂସଦ (୨୯ ପ୍ରତିଶତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର ଏବଂ ଅପହରଣ ଭଳି ଗମ୍ଭୀର ଅପରାଧିକ ମାମଲା ରହିଛି)ଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏଥିମଧ୍ୟରେ ପ୍ରଜ୍ଞା ସିଂହଙ୍କ ନାମରେ ଆତଙ୍କବାଦ ଅଭିଯୋଗ ରହିଛି। ଏଡିଆର୍ ରିପୋର୍ଟ ଅନୁଯାୟୀ ଅପରାଧିକ ମାମଲାରେ ଫସିଥିବା ସାଂସଦଙ୍କ ସଂଖ୍ୟା ୧୦ବର୍ଷରେ ୪୪ ପ୍ରତିଶତ ବଢ଼ିଛି। ଗତ ୩ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇ ଆସିଥିବା କୋଟିପତି ଏବଂ ଅପରାଧିକ ପୃଷ୍ଠଭୂମି ଥିବା ସଦସ୍ୟଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି। ଏହା ନିଶ୍ଚୟ ଗଭୀର ଚିନ୍ତାର ବିଷୟ। ଆମ୍ ଆଦ୍ମୀ ପାର୍ଟି ଭଳି ରାଜନୀତିକ ଦଳ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇ କ୍ଷମତାର ଶୀର୍ଷରେ ପହଞ୍ଚିଛି। କିନ୍ତୁ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଆପ୍ର ୭୦ରୁ ୪୨ (୬୦ ପ୍ରତିଶତ) ପ୍ରାର୍ଥୀ ଦାଗୀ ଥିଲେ। ଏହା ସତ୍ୟ ଯେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଆଇନ୍ ସତ୍ତ୍ୱେ ରାଜନୀତିରେ ଅପରାଧିକରଣ ସେବେ ନିୟନ୍ତ୍ରଣ ହେବ ଯେବେ ଲୋକ ସଚେତନ ହେବେ। ରାଜନୀତିର ଅପରାଧିକରଣକୁ ନିୟନ୍ତ୍ରଣ ପାଇଁ ଜନଜାଗରଣର ସମୟ ଆସିଛି।
ମୋ: ୯୪୩୮୦୦୬୨୧୫
ଭୁବନେଶ୍ୱର, ବରିଷ୍ଠ ସାମ୍ୱାଦିକ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।