- ଭାଲଚନ୍ଦ୍ର ଷଡ଼ଙ୍ଗୀ
ଆମ ରାଜ୍ୟରେ ବାରମ୍ବାର ହାଜତ ମୃତ୍ୟୁର ଘଟଣା ସାମନାକୁ ଆସୁଛି। ଗତ ଦୁଇ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ତିନି ତିନିଟି ହାଜତ ମୃତ୍ୟୁର ଘଟଣା ସାମନାକୁ ଆସିଥିବା ବେଳେ ଜୟପୁର ଥାନାରେ ୨୦୧୭ ମସିହାର ଏକ ହାଜତ ମୃତ୍ୟୁ ଘଟଣାରେ ଜଣେ ଏସ୍ଡ଼ିପିଓଙ୍କ ସମେତ ଚାରିଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ୍ ହତ୍ୟା ମାମଲା ଦାୟର କରିଛନ୍ତି। ଗତ ଏପ୍ରିଲ ତୃତୀୟ ସପ୍ତାହରେ ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଥାନାରେ ସାଇକେଲ ଚୋରୀ ସନ୍ଦେହରେ ଜଣେ ଯୁବକକୁ ପୋଲିସ ଧରି ଆଣି ଥାନାରେ ପିଟି ପିଟି ମାରିଦେଇଥିବାର ଘରଲୋକ ଅଭିଯୋଗ କରିଥିବା ବେଳେ ସେହି ମାସର ଶେଷ ସପ୍ତାହରେ ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର ଥାନାରେ ଜନୈକ ଯୁବକଙ୍କୁ ପୋଲିସ ଥାନାରେ ନିର୍ଯ୍ୟାତନା ଦେଇ ମାରିଦେଇ ଥିବାର ଅଭିଯୋଗ ହୋଇଛି। ଉଭୟ ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନ ସ୍ୱତଃ ସଂଜ୍ଞାନ ନେବା ସହ ସରକାରଙ୍କୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି। ତେବେ ଉପରୋକ୍ତ ଦୁଇ ଘଟଣାର ତଦନ୍ତ ଚାଲିଥିବା ବେଳେ ନିକଟରେ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ଆଉ ଏକ ହାଜତ ମୃତ୍ୟୁର ଅଭିଯୋଗ ଆସିଛି। ମିଟୁ ବେହେରା ନାମକ ଜଣେ ଯୁବକଙ୍କୁ ଗୋଳନ୍ଥରା ପୋଲିସ ସ୍ଥାନୀୟ ମଦ ବେପାରୀଙ୍କ ଚାପରେ ଥାନାକୁ ଆଣି ଭୀଷଣ ମାଡ଼ ମାରିବା ପରେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ କୋର୍ଟରେ ହାଜର କରିଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ସ୍ଥାନୀୟ ବଡ଼ ଡାକ୍ତରଖାନାରେ ଦାଖଲ କରାଯାଇଥିଲା, ଯେଉଁଠି ସେ ମୃତ୍ୟୁବରଣ କରିଥିଲେ।
ପୋଲିସ ଥାନା କିମ୍ବା ଜେଲ୍ରେ ଜଣେ ବ୍ୟକ୍ତିର ଅସ୍ୱାଭାବିକ ମୃତ୍ୟୁ ଘଟିବା ଏକ ସ୍ପର୍ଶକାତର ବିଷୟ। ଏଭଳି ମୃତ୍ୟୁ ପଛରେ ସାଧାରଣତଃ ପୋଲିସ କିମ୍ବା ଜେଲ୍ ଅଧିକାରୀଙ୍କ ନିର୍ଯ୍ୟାତନା ପ୍ରମୁଖ କାରଣ ରହିଥିବା ଦେଖିବାକୁ ମିଳିଥାଏ। କୌଣସି ଅପରାଧିକ ଘଟଣାର ତଦନ୍ତ ସମୟରେ ତଥ୍ୟ ହାସଲ କରିବାକୁ ଅଥବା ଅଭିଯୁକ୍ତଠାରୁ ସ୍ୱୀକାରୋକ୍ତି ହାସଲ କରିବାକୁ ପୋଲିସ ଥାନାରେ ଅନେକ ସମୟରେ ଯେଉଁ ଶାରୀରିକ ନିର୍ଯ୍ୟାତନା ଦେଇଥାଏ, ତା’ରି ଫଳରେ ବେଳେ ବେଳେ ଅକଥନୀୟ ନିର୍ଯ୍ୟାତନାକୁ ସହି ନପାରି ସମ୍ପୃକ୍ତ ବ୍ୟକ୍ତିଟି ମୃତ୍ୟୁବରଣ କରିଥାଏ। ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ସ୍ୱାଭାବିକ ମନେ ହେଉଥିବା ଏଭଳି ହାଜତରେ ମୃତ୍ୟୁ କଦାପି ଏକ ସାଧାରଣ ମୃତ୍ୟୁ ନୁହେଁ। ଏହା ପୋଲିସ ଦ୍ୱାରା ବିଚାର ବ୍ୟବସ୍ଥା ବାହାରେ ସିଧାସଳଖ ହତ୍ୟା ବୋଲି କୁହାଯିବ।
ବଡ଼ଗଡ଼, ଗୋଳନ୍ଥରା କିମ୍ବା ଅଭୟଚାନ୍ଦପୁରର ଘଟଣା ଦେଶରେ ହାଜତ ନିର୍ଯ୍ୟତନା ଓ ହତ୍ୟାର ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ବ୍ରିଟିଶ ଉପନିବେଶବାଦୀ ଶାସକଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ହାସଲ କରାଯାଇଥିବା ଆମର ପୋଲିସ ବ୍ୟବସ୍ଥା ସହିତ ହାଜତ ନିର୍ଯ୍ୟାତନାଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଆସିଛି। ସରକାରମାନଙ୍କ ରାଜନୈତିକ ଇଚ୍ଛାଶକ୍ତି ଏବଂ ସମ୍ବେଦନଶୀଳତାର ଅଭାବରୁ ତଥା ଏଭଳି ଘଟଣାରେ ଉଚ୍ଚପଦସ୍ତ ଅଧିକାରୀମାନଙ୍କ କୌଣସି ଉତ୍ତରଦାୟୀତ୍ୱ ରହୁନଥିବାରୁ ଦେଶରେ ହାଜତ ମୃତ୍ୟୁର ଅମାନବୀୟ ଘଟଣା ବାରମ୍ବାର ଘଟିଚାଲିଛି। ଆମ ରାଜ୍ୟରେ ମଧ୍ୟ ବାରମ୍ବାର ଏଭଳି ଘଟିବା ରାଜ୍ୟର କ୍ଷମତାସୀନ ସରକାରର ସମ୍ବେଦନହୀନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦର୍ଶାଉଛି। ନିକଟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଥାନା ହାଜତରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଏଣିକି ଆଉ ହାଜତ ହତ୍ୟା ହେବାକୁ ଦିଆଯିବନି ବୋଲି ଘୋଷଣା କରିଛନ୍ତି। କିନ୍ତୁ ପରିତାପର ବିଷୟ, ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୋଧରେ ଏଭଳି ସାହସିକ ଘୋଷଣା ତ ଦୂରର କଥା ଗୋଟିଏ ବି ହାଜତ ମୃତ୍ୟୁ ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ଦେଖିବାକୁ ମିଳିନି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶିତ ଜାତୀୟ ମାନବିକ ଅଧିକାର କମିଶନର ତଥ୍ୟ ଅନୁଯାୟୀ ଗତ ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୧୮୪୦ଟି ହାଜତ ମୃତ୍ୟୁ ଘଟିଛି। ଏହାର ପୂର୍ବବର୍ଷ ଅଥାତ୍ ୨୦୧୯-୨୦ରେ ୧୫୮୪, ୨୦୧୮-୧୯ରେ ୧୭୯୭, ୨୦୧୭-୧୮ରେ ୧୬୩୬, ୨୦୧୬-୧୭ରେ ୧୬୧୬ଟି ହାଜତ ମୃତ୍ୟୁର ଘଟଣା ଘଟିଛି। ଯଦି ହିସାବ କରାଯିବ ତାହେଲେ, ଦେଶରେ ପ୍ରତିଦିନ ୬ଟି ହାଜତ ମୃତ୍ୟୁ ଘଟୁଛି। ତେବେ ତାରି ମଧ୍ୟରୁ କେବଳ ପୋଲିସ ବା ଥାନା ହାଜତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଯଥାକ୍ରମେ ୧୦୦, ୧୧୨, ୧୩୬, ୧୪୬ ଓ ୧୪୫ଟି ମୃତ୍ୟୁ ଘଟିଛି। ଅବଶ୍ୟ ଉପରୋକ୍ତ ସଂଖ୍ୟା ସବୁ ଜାତୀୟ ମାନବିକ ଅଧିକାର କମିଶନ ନିକଟରେ ପୋଲିସ ଦ୍ୱାରା ପଞ୍ଜିକୃତ ହୋଇଥିବା ହାଜତ ମୃତ୍ୟୁର ହିସାବ। ପ୍ରକୃତ ସଂଖ୍ୟା ଯେ ଏହାଠାରୁ ଅନେକ ଅଧିକ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଇଣ୍ଡିଆ ସ୍ପେଣ୍ଡ୍ ସଂସ୍ଥାର ତଥ୍ୟ ଅନୁଯାୟୀ ପୋଲିସ ହାଜତରେ ମୃତ୍ୟୁବରଣ କରୁଥିବା ୬୩% ବ୍ୟକ୍ତିଙ୍କ ଗିରଫର ୨୪ ଘଣ୍ଟା ପୂର୍ବରୁ ଅର୍ଥାତ୍ କୋର୍ଟରେ ହାଜର କରିବା ପୂର୍ବରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୨୦୧୪-୧୯ ପାଞ୍ଚ ବର୍ଷର ତଥ୍ୟର ଆଧାରରେ ପ୍ରସ୍ତୁତ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନ୍ସିଆର୍ବି)ର ବିଶ୍ଳେଷଣ ଅନୁଯାୟୀ ୬୪% ହାଜତ ମୃତ୍ୟୁର କାରଣ ଦେହ ଖରାପ ବୋଲି କୁହାଯାଇଥିବା ବେଳେ ୨୯% ଆତ୍ମହତ୍ୟା ଏବଂ ମାତ୍ର ୬.୧% ମୃତ୍ୟୁ ହିଁ ପୋଲିସର ଶାରୀରିକ ନିର୍ଯ୍ୟାତନା କାରଣରୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ବର୍ଷରେ ମାତ୍ର ୨.୪% ହାଜତ ମୃତ୍ୟୁ ପୋଲିସ ନିର୍ଯ୍ୟାତନାରୁ ହୋଇଥିବା ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଥିବା ବେଳେ ନିର୍ଯ୍ୟାତନା ବିରୋଧୀ ଜାତୀୟ ଅଭିଯାନ ପକ୍ଷରୁ ୭୬% ହାଜତ ମୃତ୍ୟୁକୁ ପୋଲିସ ନିର୍ଯ୍ୟାତନା କାରଣରୁ ବୋଲି ପ୍ରକାଶ କରାଯାଇଛି। ୩୦% ହାଜତ ମୃତ୍ୟୁ କ୍ଷେତ୍ରରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅବଲମ୍ବନ କରାଯାଇ ନଥିବା ଜଣାପଡ଼ିଛି। ସେହିପରି ଦେହ ଖରାପ କ୍ଷେତ୍ରରେ ତାହା ଦୀର୍ଘଦିନର ଦେହଖରାପ ନା ତତକ୍ଷଣାତ୍ ଦେହଖରାପ ଏବଂ ହସପିଟାଲରେ ଦାଖଲ ସମୟରେ ଦାଖଲର କାରଣଟି ନିର୍ଯ୍ୟାତନା କାରଣରୁ ନା ଅନ୍ୟ କୌଣସି ରୋଗ ବୋଲି ଦର୍ଶା ଯାଉନାହିଁ।
ଦେଶରେ ହାଜତ ମୃତ୍ୟୁର ଅଧିକାଂଶ ଘଟଣାରେ ମୃତ ବ୍ୟକ୍ତିଟି ସାଧାରଣତଃ ସମାଜର ଗରିବ ଶ୍ରେଣୀ ଏବଂ ବିଶେଷ କରି ଧାର୍ମିକ ସଂଖ୍ୟାଲଘୁ, ଆଦିବାସୀ, ଦଳିତ, ମହିଳା, ନାବାଳକ ଏବଂ ତୃତୀୟ ଲିଙ୍ଗୀମାନେ ହୋଇଥାନ୍ତି। ରାଷ୍ଟ୍ରର ପୋଲିସ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କର ବିଶେଷ ଜ୍ଞାନର ଅଭାବ ଏବଂ ଭଲ ଓକିଲର ସହାୟତା ନେବାରେ ସେମାନଙ୍କ ଅସମର୍ଥତା କାରଣରୁ ସେମାନଙ୍କ ଅଭିଯୋଗକୁ ଅନେକ ସମୟରେ କେହି ଶୁଣି ନଥାନ୍ତି। ଅର୍ନ୍ତଜାତୀୟ ସନନ୍ଦ ଯେଉଁଥିରେ ଖୋଦ ଭାରତ ସରକାର ମଧ୍ୟ ଦସ୍ତଖତ କରିଛନ୍ତି ସେଥିରେ ଥିବା ମାନବିକ ଓ ରାଜନୈତିକ ଅଧିକାର ମଧ୍ୟରେ ନିର୍ଯ୍ୟାତନା ନହେବାର ଅଧିକାରକୁ ବି ସାମିଲ କରାଯାଇଛି। ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ରହିଥିବା ବଂଚିବାର ଅଧିକାରକୁ ବ୍ୟାଖ୍ୟା କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଜୀବନର ଅଧିକାରର ଅର୍ଥ ପଶୁମାନଙ୍କ ପରି ବଂଚିବା ନୁହେଁ। ରାଷ୍ଟ୍ର ଦ୍ୱାରା ନିର୍ଯ୍ୟାତନା ବା ଅକ୍ରମଣରୁ ମୁକ୍ତ ରହିବାର ଏକ ସ୍ୱତସ୍ଫୁର୍ତ୍ତ ଗ୍ୟାରେଣ୍ଟି ବି ଧାରା ୨୧ରେ ରହିବା ଅତ୍ୟାବଶ୍ୟକ ବୋଲି କହିଛନ୍ତି।
ଉଭୟ ପୋଲିସ ଏବଂ ବିଚାର ବିଭାଗୀୟ ହାଜତରେ ଘଟୁଥିବା ଏଭଳି ଶାରୀରିକ ନିର୍ଯ୍ୟାତନା ଓ ହତ୍ୟା ଏକ ଜଘନ୍ୟ ଅପରାଧ ଯାହାକି ଯେକୌଣସି ସଭ୍ୟ ସମାଜ ପାଇଁ କଳଙ୍କ ବୋଲି କୁହାଯାଇପାରେ। ଖୋଦ୍ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅତିତରେ ମାନବ ଅଧିକାରର ସବୁଠାରୁ ନିକୃଷ୍ଠତମ଼ ଉଲ୍ଲଂଘନ ହାଜତରେ ପଚରାଉଚୁରା ସମୟରେ ପୋଲିସ ଦ୍ୱାରା କରାଯାଇଥାଏ ବୋଲି କହିଛନ୍ତି। ଆମର ପୋଲିସ ବ୍ୟବସ୍ଥାରେ ସଂସ୍ଥାଗତ ହୋଇ ରହି ଆସିଥିବା ଏହିଭଳି ନିର୍ଯ୍ୟାତନାର ସଂସ୍କୃତିକୁ ବଦଳାଇବାକୁ ହେଲେ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦେଶରେ ହାଜତ ହତ୍ୟାକୁ ରୋକିବା ପାଇଁ ଅତିତରେ ସର୍ବୋଚ୍ଚ ନ୍ୟାୟାଳୟ ପୋଲିସ ସଂସ୍କାର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଡି କେ ବସୁଙ୍କ ମାମଲାରେ କିଛି ନିର୍ଦ୍ଦେଶାବଳୀ ମଧ୍ୟ ଜାରୀ କରିଥିଲେ। କିନ୍ତୁ ପରିତାପର ବିଷୟ ଆଜିଯାଏଁ କୌଣସି ବି ସରକାର ଉପରୋକ୍ତ ନିର୍ଦ୍ଦେଶାବଳୀକୁ ଲାଗୁ କରିବାକୁ ଚେଷ୍ଟା କରିନାହାନ୍ତି କି ପୋଲିସ ସଂସ୍କାରକୁ ଆରମ୍ଭ କରିପାରି ନାହାନ୍ତି।
ପୋଲିସ କୌଣସି ଅପରାଧିକ ଘଟଣାର ତଦନ୍ତ ନାଁରେ ପ୍ରମାଣ ହାସଲ କରିବାକୁ ଅଥବା ଅଭିଯୁକ୍ତର ସ୍ୱୀକାରୋକ୍ତି ହାସଲ କରିବା ପାଇଁ ଶାରୀରିକ ନିର୍ଯ୍ୟାତନା ଦେଇଥାଏ। ବିଶ୍ୱର ଅନେକ ଉନ୍ନତ ଦେଶରେ ଆଜିକାଲି କୌଣସି ଅପରାଧିକ ଘଟଣାର ତଦନ୍ତ ସମୟରେ ପଚରାଉଚରା କରିବା ପାଇଁ ଶାରୀରିକ ନିର୍ଯ୍ୟାତନା ବଦଳରେ ମନସ୍ତାତ୍ତ୍ୱିକ ଜେରା ଓ ନାର୍କୋ ପରୀକ୍ଷା ପରି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଉଥିବା ବେଳେ ଆମ ଦେଶରେ କିନ୍ତୁ ବ୍ରିଟିଶ ଅମଳର ଶାରୀରିକ ନିର୍ଯ୍ୟାତନା, ଏପରିକି ଥାର୍ଡ଼ ଡିଗ୍ରୀର ପ୍ରୟୋଗ ଅବ୍ୟାହତ ରହିଛି। ସବୁଠାରୁ ଉଦ୍ବେଗର ବିଷୟ ହେଲା, ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିବାର ସର୍ବାଧିକ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ କୋର୍ଟରେ ହାଜର କରିବା ବାଧ୍ୟତାମୂଳକ ରହିଥିବା ବେଳେ ତାକୁ ପ୍ରାୟତଃ ଲାଗୁ କରାଯାଉନି। ଅଧିକାଂଶ କ୍ଷେତ୍ରରେ ଦିନ ଦିନ ଧରି ଏପରିକି ସପ୍ତାହ ସପ୍ତାହ ଅଟକ ରଖି ଏଭଳି ନିର୍ଯ୍ୟାତନା ମାଧ୍ୟମରେ ତାକୁ ତଥ୍ୟ ପ୍ରକାଶ କରିବାକୁ ଅଥବା ସ୍ୱୀକାରୋକ୍ତି ପାଇଁ ବାଧ୍ୟ କରିବା ଦେଖାଯାଉଛି।
ହାଜତରେ ହତ୍ୟା ଘଟଣାର ଅଧିକାଂଶ ମାମଲାରେ ବହୁତ କମ୍ ମାମଲାରେ ହିଁ ପୋଲିସକୁ ଅଭିଯୁକ୍ତ କରାଯାଉଛି। ଅତ୍ୟନ୍ତ କମ୍ ମାମଲାରେ ହିଁ ପୋଲିସ ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଉଛନ୍ତି। ଏପରିକି ୨୦୧୬-୨୨ ମଧ୍ୟରେ ଦାୟର ୧୧,୪୧୯ଟି ମାମଲା ମଧ୍ୟରୁ ଜାତୀୟ ମାନବିକ ଅଧିକାର କମିଶନ ମାତ୍ର ୧୧୮୪ଟି ମାମଲାରେ ହିଁ କ୍ଷତିପୂରଣ ପାଇଁ ଆଦେଶ ଦେଇଛନ୍ତି। କେବଳ ୨୧ଟି ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ଯାହାକି ମୋଟ ମାମଲାର ମାତ୍ର ୦.୧୮%। ଅଧ୍ୟୟନରୁ ଏହା ବି ଜଣାପଡ଼ିଛି ଯେ ୨୦୧୫ରେ ହୋଇଥିବା ୯୭ ହାଜତ ମୃତ୍ୟୁର ଘଟଣାରେ ମାତ୍ର ୩୩ଟି ମାମଲାରେ କେସ୍ ଦାୟର ହୋଇଛି। ୨୬ ମାମଲାରେ ଅର୍ଥାତ୍ ପ୍ରାୟତଃ ଏକ ତୃତୀୟାଂଶ ମାମଲାରେ ମୃତ ବ୍ୟକ୍ତିର ବ୍ୟବଚ୍ଛେଦ ହୋଇନାହିଁ। ପୋଲିସ ବ୍ୟବସ୍ଥା ମଧ୍ୟରେ ସଂସ୍ଥାଗତ ମାନ୍ୟତା ପାଇଥିବା ଏଭଳି ହାଜତ ନିର୍ଯ୍ୟାତନା ଏବଂ ହତ୍ୟା ପାଇଁ ପ୍ରାୟତଃ ଦଣ୍ଡବିଧାନ ହୋଇ ନଥାଏ। ଏ କ୍ଷେତ୍ରରେ ଅଭିଯୁକ୍ତ ପୋଲିସ ଅଧିକାରୀର ବିଚାରଣା ପାଇଁ ଖୋଦ୍ ପୋଲିସ ବିଭାଗରୁ ଆବଶ୍ୟକ ପଡ଼ୁଥିବା ଅନୁମତିକୁ ସେମାନେ ସାଧାରଣତଃ ମିଳି ନଥାଏ। ଏଭଳି ସ୍ଥିତି ଯୋଗୁଁ କେବଳ ସମ୍ପୃକ୍ତ ଅଭିଯୁକ୍ତ ଦଣ୍ଡମୁକ୍ତ ହୋଇ ନଥାଏ ବରଂ ଏଭଳି ନିର୍ଯ୍ୟାତନା କରିବା ପାଇଁ ଅନ୍ୟମାନଙ୍କୁ ଏକରକମ ପ୍ରୋତ୍ସାହିତ କରିଥାଏ। ହାଜତ ଭିତରେ କୌଣସି ବି ଅପରାଧ ଓ ନିର୍ଯ୍ୟାତନା ପାଇଁ ଦଣ୍ଡର ଭୟ ନରହିବା ଏଭଳି ଘଟଣା ବାରମ୍ବାର ଘଟିବା ପଛରେ ମୂଳ କାରଣ।
ହାଜତ ମୃତ୍ୟୁ କ୍ଷେତ୍ରରେ ବିଚାର ବିଭାଗୀୟ ତଦନ୍ତକୁ ବାଧ୍ୟତାମୂଳକ କରିବା ପାଇଁ ଦାୟର ହୋଇଥିବା ଏକ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ୨୦୨୦ ମସିହାରେ ଏ ସଂକ୍ରାନ୍ତୀୟ ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ। କିନ୍ତୁ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ଗତ ତିନି ବର୍ଷ ମଧ୍ୟରେ ସଂଗଠିତ ୮୨୭ଟି ହାଜତ ମୃତ୍ୟୁ ଘଟଣା ମଧ୍ୟରୁ ମାତ୍ର ୨୦% ମାମଲାରେ ହିଁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନ୍ୟାୟଳୟ ଦେଶର ସବୁ ଥାନା ଓ ତଦନ୍ତକାରୀ ସଂସ୍ଥାର ଅଫିସକୁ ସିସିଟିଭିର ନଜରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାକୁ ବି କାର୍ଯ୍ୟକାରୀ କରାଯାଉନି।
ହାଜତ ହତ୍ୟା, ସଭ୍ୟ ସମାଜ ପାଇଁ ଏକ କଳଙ୍କ। ଆମ ଦେଶରେ ପୋଲିସର ଔପନିବେଶିକ ଦମନକାରୀ ମାନସିକତାରେ ପରିବର୍ତ୍ତନ ବିନା ଏହାର ଅବସାନ ସମ୍ଭବ ନୁହେଁ। ପୋଲିସ ନିଜର ଔପନିବେଶିକ ମାନସିକତାକୁ ଛାଡ଼ି ଏକ ଗଣତାନ୍ତ୍ରିକ ଦେଶର ପୋଲିସ ଭାବେ କାର୍ଯ୍ୟକରିବା ଦରକାର। ଏଥିପାଇଁ ପ୍ରସ୍ତାବିତ ପୋଲିସ ସଂସ୍କାରକୁ ତୁରନ୍ତ ଲାଗୁ କରିବା ଆବଶ୍ୟକ। ପୋଲିସ ନିର୍ଯ୍ୟାତନାର ସମସ୍ତ ଘଟଣା ପାଇଁ ବ୍ୟବସ୍ଥାକୁ ସ୍ପଷ୍ଟ ଭାବେ ଉତ୍ତରଦାୟୀ କରାଯିବା ସହିତ ଅଭିଯୁକ୍ତଙ୍କ ତ୍ୱରିତ୍ ବିଚାର କରି ଦଣ୍ଡର ବ୍ୟବସ୍ଥା କରିବା ଦରକାର। ପ୍ରତ୍ୟେକ ହାଜତ ହତ୍ୟାର ବିଚାର ବିଭାଗୀୟ ତଦନ୍ତ କରିବା ସହିତ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ ଅଥବା ଜିଲ୍ଲା ବାହାରକୁ ସ୍ଥାନାନ୍ତର କରିବା ଜରୁରୀ। ହାଜତ ମୃତ୍ୟୁ ହୋଇଥିବା ବ୍ୟକ୍ତିର ପରିବାରକୁ ଯଥେଷ୍ଟ ଅନୁକମ୍ପା ରାଶି ପ୍ରଦାନ କରିବା ମଧ୍ୟ ଜରୁରୀ।
ଫୋନ : ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।