ସୁବ୍ରତ କୁମାର ନାୟକ
ଦିନେ କୌଣସି କାରଣରୁ କାମସାରି ଡେରିରେ ଫେରୁଥାଏ। ଆମ ଗଳି ମୁହଁରେ ଦେଖିଲି ବାଉଁଶ ବୋଝେଇ ଟ୍ରକ୍ଟାଏ ଛିଡ଼ା ହୋଇଛି। ଆଶ୍ଚର୍ଯ୍ୟ ହେଲି ଏଇଥିପାଇଁ ଯେ, ଗଜଲକ୍ଷ୍ମୀ ପୂଜାକୁ ଆହୁରି ଡେରି ଅଛି ଏବଂ ଏ ପାଖରେ ତ ଦୁର୍ଗା ପୂଜା କେବେ ହୁଏନାଇଁ। ତା’ ଆର ଦିନ ଦେଖିବା ବେଳକୁ ପାଖ ପଡ଼ିଆରେ ଦାଣ୍ଡିଆ ମଞ୍ଚ ପାଇଁ କୌଣସି ଅନୁଷ୍ଠାନର ଏହି ଆୟୋଜନ ଥିଲା। ତେବେ ଏଇ ପାଖା ପାଖି ବହୁ ପୂର୍ବରୁ ଏକାଧିକ ଦାଣ୍ଡିଆ ମଞ୍ଚ ଥିବାବେଳେ ପୁଣି ଗୋଟିଏ ମଞ୍ଚ ମୋ ମନରେ କୌତୁହଳ ସୃଷ୍ଟି କଲା। ମୁଁ ସ୍ଥିର ନିଶ୍ଚିତ ହୋଇଗଲି ସତରେ ଭାରତ ଭୂଖଣ୍ଡର ଅନ୍ୟ ପ୍ରାନ୍ତ ଲୋକେ ସଂସ୍କୃତି ଓ ପରମ୍ପରା ବଞ୍ଚାଇବାକୁ ଆଛା ବୁଦ୍ଧିଟାଏ ଖଞ୍ଜିଛନ୍ତି ହୋ। ଏପରି ଭାବିବାକୁ କେହି କେହି ଆଞ୍ଚଳିକବାଦ ବା ସଂକୀର୍ଣ୍ଣତାର ଚଷମାରେ ଦେଖୁଥିଲେ ହେଁ ମୋ ପାଇଁ ଚିନ୍ତାର ବିଷୟ ଥିଲା।
କେବଳ ଗୁଜରାଟୀ ଦାଣ୍ଡିଆ ନୁହେଁ କିମ୍ବା ଷୋଡ଼ଷ ପୂଜା ବଦଳରେ ନବରାତ୍ରି ପାଇଁ ବ୍ୟାକୁଳତା ନୁହେଁ, ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ପୂଜା କରିବା ବି ଏବେ ଗର୍ବର ବିଷୟ ପାଲଟିଛି। ତେବେ ଏସବୁ କାଳକ୍ରମେ ଏଭଳି ଭାବେ ଲୋକପ୍ରିୟ ହେବାରେ ଲାଗିଛି ଯେ, ଉତ୍କଳ ଭୂଖଣ୍ଡର ମୂଳ ପୂଜା ପଦ୍ଧତି କେବଳ ଦିନେ ମନ୍ଦିରରେ ସୀମିତ ରହିଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ। ସବୁ ଦିଗରୁ ଚିନ୍ତା କଲେ ଜଣାଯାଏ ସାଂସ୍କୃତିକ ମିଶ୍ରଣକୁ ବିରୋଧ କରିବା ପ୍ରତିବଦଳରେ ଏସବୁ କାହିଁକି ପ୍ରଭାବୀ ହୋଇଛି ତା’ର କାରଣ ଜାଣିବା ଗୁରୁତ୍ୱପୂର୍ଣ୍ଣ। ଆମକୁ ସ୍ୱୀକାର କରିବାକୁ ହେବ କେବଳ ରଥଯାତ୍ରା ଏବଂ ଜଗନ୍ନାଥ ସଂସ୍କୃତି ହିଁ ଉତ୍କଳୀୟ ପରମ୍ପରାକୁ ସାରା ବିଶ୍ୱରେ ପହଞ୍ଚାଇଛି। ଏହା ମଧ୍ୟ ସ୍ୱୀକାର କରିବାକୁ ହେବ ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱରେ ପହଞ୍ଚିବା ପଛରେ ବଡ଼ ଭୂମିକା ନେଇଛି ଏହାର ବ୍ୟାପକତା। ଅତୀତରେ ଯାତ୍ରୀ ଗୁମାସ୍ତାଙ୍କ ବ୍ୟତୀତ ଭାରତର ବହୁ ସାଧୁସନ୍ଥ ଏଠାରୁ ତୀର୍ଥ ସାରି ଶ୍ରୀକ୍ଷେତ୍ରର ମହନୀୟତା ସମଗ୍ର ଭାରତ ଭୂଖଣ୍ଡର କୋଣ ଅନୁକୋଣରେ ପହଞ୍ଚାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଅବଦାନ ମଧ୍ୟ ଏ କ୍ଷେତ୍ରରେ ପ୍ରଶଂସନୀୟ। ଅନ୍ୟ ସବୁ ଉତ୍କଳୀୟ ପରମ୍ପରା ଯେ ସମ୍ପୂର୍ଣ୍ଣ ଲୁପ୍ତ ତାହା କହି ହେବନାହିଁ। ବରଂ କହିହେବ ଯେ, ଓଡ଼ିଆଏ ଯେତେ ଆଧୁନିକତାର ଘୋଡ଼ଣୀ ଘୋଡ଼େଇ ହେବାରେ ଲାଗିଛନ୍ତି ସେମାନେ ନିଜ ମୂଳ ପରିଚୟଠାରୁ ଅଧିକରୁ ଅଧିକ ଯୋଜନ ଦୂରେଇ ଚାଲିଛନ୍ତି। ପାଳନ କରିବା ତ ଦୂରର କଥା ଏସବୁ ବାବଦରେ ଜାଣିବାର ସାମାନ୍ୟତମ ଇଛାଟିକୁ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ରଖିଦେବା ପରେ ଆଉ କ’ଣ ଥାଏ ଯେ। ତେବେ ଏସବୁକୁ ନେଇ ଦରିଦ୍ର ପଞ୍ଚାକ୍ଷରୀ ‘କ’ଣ କରିବା’ ମନ୍ତ୍ର ଜପିବା ବା କପାଳରେ କର ତାଡ଼ିବା ବଦଳରେ କାରଣ ଖୋଜିବାକୁ ଶ୍ରେୟସ୍କର ମନେ କରାଯାଉ। କେବଳ ବିସ୍ମୃତ ସଂସ୍କୃତିକୁ ଖୋଜିବା ନୁହେଁ, ଅନ୍ୟ ସଂସ୍କୃତିର ଲୋକପ୍ରିୟତା ପଛର ସୂକ୍ଷ୍ମ କାରଣଟିକୁ ଆହ୍ୱାନ ମାନିବାକୁ ହେବ।
ଅନ୍ୟ ସଂସ୍କୃତିକୁ ଆପଣାଇବା ଏବେ ଏକ ବଡ଼ ପାରିବା ପଣିଆରେ ପରିଣତ ହୋଇଛି। ଆମ ସମସ୍ତଙ୍କ ଅଲକ୍ଷ୍ୟରେ ଏକ ମାନକ ବା ଷ୍ଟାଣ୍ଡାର୍ଡ ତିଆରି କରାଯାଇଛି କୁଆଡ଼େ ଆମ ସଂସ୍କୃତି ସବୁ ପୂରୁଣାକାଳିଆ ଆଉ ଅନ୍ୟମାନଙ୍କ ସଂସ୍କୃତି ଏବେ ଏକବିଂଶ ଶତାବ୍ଦୀର ଯେମିତି। ଆଉ ଜାଣିକରି ଆପଣ ମଧ୍ୟ ସହମତ ହେବେ ଯେ ପ୍ରଥମେ ନିଜକୁ ଶିକ୍ଷିତ ବୋଲାଉଥିବା ଲୋକଙ୍କ ଦ୍ୱାରା ହିଁ ସହରରୁ ଗାଁ ଯାଏ ସଂକ୍ରମିତ ଏହି ମାନିଆ। ପରୀକ୍ଷା ମୂଳକ ଭାବେ ଗୋଟିଏ କାମ କରିପାରିବେ। ଦିନେ ଗୁଜରାଟୀ ବା ଅନ୍ୟ କୌଣସି ରାଜ୍ୟର ପାରମ୍ପରିକ ପୋଷାକ ପିନ୍ଧି ଗୋଟିଏ ଫଟୋ ଅପ୍ଲୋଡ୍ କରନ୍ତୁ ଏବଂ ଆଉ ଗୋଟିଏ ଫଟୋ ଧୋତି ସହ ଅପ୍ଲୋଡ୍ କରନ୍ତୁ। ଦ୍ୱିତୀୟ ଫଟୋଟିରେ ହସ ଚିହ୍ନ (ସ୍ମାଇଲି) ସଂଖ୍ୟା ଗଣିଲେ ଆପେ ବୁଝିଯିବେ ଆମ ଲୋକ ମାନସିକ ସ୍ତରରେ ସ୍ଥାନୀୟ ବେଶଭୂଷାକୁ ନେଇ କ’ଣ ଭାବନ୍ତି। ସେକଥା ଛାଡ଼ନ୍ତୁ ଆପଣ ନିଜେ ନିଜକୁ ପଚାରନ୍ତୁ ଶେଷ ଥର ପାଇଁ କେବେ ଭାବିଥିଲେ ଆସନ୍ତା ପର୍ବରେ ଧୋତି ଆଉ ଖୋର୍ଦ୍ଧା ଗାମୁଛା ବା ସମ୍ବଲପୁରୀ ଫତେଇ ଏବଂ ସେହିଭଳି କିଛି ଓଡ଼ିଆ ପୋଷାକ ସହ ପଦାକୁ ବାହାରିବେ ବୋଲି? ମନେ ପକାନ୍ତୁ ତ ଅନ୍ୟ ସମସ୍ତ ରାଜ୍ୟରେ ପାରମ୍ପରିକ ପୋଷାକ ସ୍ୱାଭାବିକ ହୋଇଥିବାବେଳେ ଆପଣ ମନେ ପକାଇ ପକାଇ କେତେ ବର୍ଷ ପଛକୁ ଯିବାକୁ ପଡ଼ିଲା।
ତେବେ ଏହି ମାନସିକତା ଗୋଟିଏ ଦିନରେ ତିଆରି ହୋଇନି। ଏଥିପାଇଁ ବେଶ୍ କିଛି ଦିନର ପ୍ରକ୍ରିୟା ମଧ୍ୟ ଦେଇ ଓଡ଼ିଆଏ ଆଉ ଗୋଟିଏ କାର୍ତ୍ତିକ ପୁନେଇଁ ଡେଇଁଯିବାକୁ ଆଉ ଅଳ୍ପ ଦିନ ବାକି ଅଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ବେଳେ ଆମେ ଓଡ଼ିଆ ସାଧବ ପୁଅ, ବାଲି, ସୁମାତ୍ରା, ଜାଭା ଏବଂ ଇଣ୍ଡୋନେସିଆ ଆଦି କଥା ମନେ ପକାଇ ଉତ୍ଫୁଲ୍ଲିତ ହେବା। ଦେଶ ବିଦେଶରେ ବଣିଜ ପାଇଁ ନାଁ କମାଇଥିବା ଓଡ଼ିଆଏ ଏବେ କେଉଁ ବଣିଜରେ ଖ୍ୟାତି କମାଇଛନ୍ତି? ଯଦିଓ ଗତ କିଛି ଦିନ ହେଲା ଆମ ଓଡ଼ିଆ ପ୍ରତିଭା ବଡ଼ ବଡ଼ ପଦବୀରେ ଅବସ୍ଥାପିତ, ସାମଗ୍ରୀକ ଭାବେ ଦେଖିବାକୁ ଗଲେ ଅନ୍ୟ ରାଜ୍ୟରେ ଆମ ସଂସ୍କୃତି ଏତେଟା ପ୍ରଭାବ ପକାଇ ପାରିନାହିଁ। ଆମ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଓଡ଼ିଆ ଅଛନ୍ତି ସତ ସେମାନେ ନିଜେ ଭାଷା ଓ ସଂସ୍କୃତି ବଞ୍ଚାଇବା ପାଇଁ ଯାହା ପ୍ରୟାସ କରିଛନ୍ତି ସେଥିପ୍ରତି ଆମର ନିଘା ନାଇଁ। ଅବଶ୍ୟ ଏହା ମଧ୍ୟ ସ୍ୱୀକାର କରିବାକୁ ହେବ ଆମ ସରକାର ଓଡ଼ିଶା ସୀମା ଏପଟେ ଥିବା ଓଡ଼ିଆଙ୍କ କଥା କେତେ ବୁଝନ୍ତି ତାହା ସୀମାନ୍ତ ଜିଲ୍ଲାମାନଙ୍କ ଖବରରୁ ପାଠକେ ଜାଣିପାରୁଥିବେ। ଆଉ ସୀମା ସେପଟ ଓଡ଼ିଆଙ୍କ କଥା ନକହିବା ଭଲ। ଷଢ଼େଇକଳା-ଖରସୁଆଁର ଓଡ଼ିଆ ଭାଇମାନେ ଗୁହରୀ କରି କରି ଥକିଯିବା ପରେ ବାଧ୍ୟ ହୋଇ ହିନ୍ଦୀ ଓ ଅନ୍ୟ ସଂସ୍କୃତି ଆଦରି ନନେବେ କିଏ କହିବ। ଗତ କିଛି ଦିନ ତଳେ ସୀମାରେ ପାଦ ଚଲା ଦୂରରେ ଥିବା ଦୁଇଟି ଗାଁର ବିକାଶର ସ୍ତର କେମିତି ଅଲଗା ତାହା ଆମେ ସମସ୍ତେ ଦେଖିସାରିଛେ।
ତେବେ ଏସବୁର ସମାଧାନ କ’ଣ ‘କ’ଣ କରିବା’ ନାମକ ମନ୍ତ୍ରଟି ଜପିବା? ନା ଆଦୌ ନୁହେଁ। ସମୟ ଆସିଛି ନିଜକୁ ନିଜେ ଦମ୍ଭ କରିବାର। ନିଜକୁ ନିଜେ କହିବାର, ଯଦି ମୁଁ କହିବିନି କହିବ କିଏ? ଯଦି ମୁଁ ପାଳିବିନି ପାଳିବ କିଏ? ଯଦି ମୁଁ ମୋ ଭାଷା, ସଂସ୍କୃତି ଏବଂ ପରମ୍ପରାକୁ ଭଲ ପାଇବିନି ଆଉ କ’ଣ ଏଥିପାଇଁ ମଧ୍ୟ ଅନ୍ୟ ରାଜ୍ୟରୁ ଲୋକ ମଗାଇବା? ଥରେ ଭାବନ୍ତୁ ଅନ୍ୟ ରାଜ୍ୟର ଫିଲ୍ମ, ସାହିତ୍ୟ ଓ ମନୋରଞ୍ଜନରେ ସ୍ଥାନୀୟ ସଂସ୍କୃତି କିପରି ଉକୁଟି ଉଠୁଛି। ଇଂରାଜୀରେ କହିଲେ ‘ପପ୍ କଲଚର୍’ରେ ପରମ୍ପରାକୁ ସେମାନେ ସ୍ଥାନ ଦେଇଛନ୍ତି, କାରଣ ସେମାନେ ଏସବୁକୁ ଅନ୍ତରରୁ ଭଲ ପାଇଛନ୍ତି। ସବୁଠାରୁ ଅଧିକ ରାଜ୍ୟରେ ହିନ୍ଦୀ ଭାଷାଭାଷୀ ରହୁଥିଲେ ହେଁ ବଲିଉଡ୍ ଫିଲ୍ମର କାହାଣୀ ଓ କଳାକାର ଅଣହିନ୍ଦୀ କ୍ଷେତ୍ର ଦକ୍ଷିଣରୁ ଯାଉଛନ୍ତି। ଫିଲ୍ମ ବଜାରରେ ବଙ୍ଗଳା, ପଞ୍ଜାବ ଏବଂ ମରାଠୀ ପ୍ରଭାବ ଆମେ ଦେଖିସାରିଛେ। ଆମେ କିନ୍ତୁ ଅତୀତରେ ସେସବୁକୁ ଛାଡ଼ିଦେଇଛେ। ଲାଗୁଛି ସତେ ଯେପରି ଓଡ଼ିଆ ଭାଷାରେ ହେଉଥିବା ସିନେମା ଅନ୍ୟ କେଉଁ ଏକ ଓଡ଼ିଶା କଥା କହୁଛନ୍ତି, ଯେଉଁଠି ଚାଳ ଘର, ଓଷା, ଯାତ ଏବଂ ପିଠାପଣା ନଥିବ। ଯେଉଁଠି ସବୁ ଘର ଚକାଚକ୍ ଏବଂ ସମସ୍ତେ ହିନ୍ଦୀ-ଇଂରାଜୀ କୁହା ଲୋକ।
ସତରେ ଯେଉଁ ପର ପିଢ଼ି ଓଷା, ପୂଜା ଏବଂ ପରମ୍ପରାକୁ ନିଜ ଆଖ ପାଖରେ ଦେଖିବନି ସେ କାହୁଁ ବୁଝିବ ଯେ ଏସବୁ ମୋ ପ୍ରାଣର ସ୍ପନ୍ଦନ ଏବଂ ଆତ୍ମା ପରି ଅଭିନ୍ନ ଅଙ୍ଗ ବୋଲି। ଆଉ ମୌଳିକତା ନଥିଲେ କୌଣସି କାର୍ଯ୍ୟ ଶ୍ରେଷ୍ଠତ୍ୱ ହାସଲ କରିବ କେମିତି? ତେବେ ଏହାର ସମାଧାନ କ’ଣ କେବଳ ନିୟମ ବା ଆଇନରେ ହୋଇଯିବ ବୋଲି ପ୍ରଶ୍ନ ଉଠେ। ଏଇ ଯେମିତି ଗୁଟ୍କା ଏବଂ ପଲିଥିନ୍ ବ୍ୟାନ୍ର ସଫଳତା ତା’ର ବଡ଼ ଉତ୍ତର। ବରଂ ବ୍ୟକ୍ତିଗତ ସ୍ତରରେ ଆପଣାର ସଂସ୍କୃତି ପ୍ରତି ଆଦର, ଭାଷା ପ୍ରତି ଶ୍ରଦ୍ଧା ଏବଂ ଅନ୍ୟମାନଙ୍କ ସଫଳତାର ମାର୍ଗ ଅନୁକରଣୀୟ ହୋଇପାରିଲେ ତାହା ଉତ୍କଳ ଭୂଖଣ୍ଡକୁ ଉତ୍କର୍ଷ ସ୍ତରକୁ ନେଇପାରିବ।