ରବି ଦାସ
ଓଡ଼ିଶାରେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଗଲାଣି। ଶାସକ ବିଜେଡି ପକ୍ଷରୁ ନିର୍ବାଚନ ଘୋଷଣା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ସବୁ ରେସନ କାର୍ଡଧାରୀଙ୍କୁ ଯେଉଁଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି ସେଥିରେ ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ଏହି ସ୍ୱାସ୍ଥ୍ୟ କାର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ପୁରୁଷମାନଙ୍କୁ ଜଣପିଛା ୫ ଲକ୍ଷ ଓ ମହିଳାମାନଙ୍କୁ ଜଣ ପିଛା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ତିନି ଚାରି ମାସ ହେଲା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଏଥିରେ ପ୍ରକୃତ ତ୍ରୁଟିସବୁ ବିଶେଷ ଭାବରେ ପଦାକୁ ଆସିନାହିଁ। କିନ୍ତୁ ଏହା ସତ୍ୟ ଏହି ସ୍କିମରେ ଯେଉଁ ୨୦୦ ଘରୋଇ ହସପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି ସେମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅର୍ଥ ଅନୁସାରେ ଚିକିତ୍ସା ଦେବା ସମ୍ଭବ ହେବ ନାହିଁ ବୋଲି ପରୋକ୍ଷରେ ମତ ପ୍ରକାଶ କରୁଛନ୍ତି। ଏପରିକି ଗତ ବିଜୁ କୃଷକ କାର୍ଡ ଜରିଆରେ ଯେଉଁ ସ୍ୱାସ୍ଥ୍ୟ ସୁବିଧା ବ୍ୟବସ୍ଥା ପୂର୍ବରୁ କରାଯାଇଥିଲା ସେଥିରେ ଏବେ ମଧ୍ୟ ବହୁ ଘରୋଇ ହସପିଟାଲର କୋଟି କୋଟି ଟଙ୍କା ସରକାର ଦେଇନାହାନ୍ତି ବୋଲି ଅଭିଯୋଗ ହେଉଛି।
ଏବେ ଯେଉଁ ହିସାବରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଛି ସେଥିରେ ଚିକିତ୍ସାର ୩୦ ଦିନ ଭିତରେ ରାଜ୍ୟ ସରକାର ଅର୍ଥ ପଇଠ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥିରେ ଯେଉଁ ଚିକିତ୍ସା ପାଇଁ ଯେତିକି ଅର୍ଥ ମଂଜୁର କରାଯାଇଛି ଯଦି କୌଣସି ରୋଗୀଙ୍କର ଏହାଠାରୁ ଅଧିକ ଖର୍ଚ୍ଚ ହୁଏ ବା ତାଙ୍କୁ ଅଧିକ ସମୟ ହସପିଟାଲରେ ରହିବାକୁ ପଡ଼େ ତେବେ ସେହି ରୋଗୀର ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚଠାରୁ ଅଧିକ ହୋଇଗଲେ ସେହି ରୋଗୀମାନଙ୍କୁ ବାକି ଅର୍ଥ ସେମାନଙ୍କ ପକେଟରୁ ଦେବାକୁ ପଡ଼ିବ। କିନ୍ତୁ ଏହି ଅସୁବିଧା ସବୁ ପରେ ଲୋକଲୋଚନକୁ ଆସିବ।
ବିଜୁ ସ୍ୱାସ୍ଥ୍ୟ କାର୍ଡ ଛଡ଼ା ରାଜ୍ୟ ସରକାର କୋଭିଡ୍ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ ସାହାଯ୍ୟ ସ୍ୱରୂପ ପ୍ରତ୍ୟେକ ରେସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କା ଘର ଯୋଜନାରେ ଯେଉଁମାନେ ଅର୍ଥ ପାଇ ଗୃହ ନିର୍ମାଣ କରିଛନ୍ତି ଗତ ବାତ୍ୟା ଯୋଗୁ ଘର ମରାମତି ପାଇଁ ସେହି ପରିବାରମାନଙ୍କୁ ପରିବାର ପିଛା ୩୦୦୦ ଟଙ୍କା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତାହା ପଠାଯାଉଛି। ତା’ ଛଡ଼ା ଯେଉଁ ଲୋକମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବା ବିଜୁ ପକ୍କା ଘର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ପାଇଁ ଅର୍ଥ ଦିଆଯାଇନାହିଁ ଓ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇଥିଲା ସେହି ପରିବାରମାନଙ୍କୁ ଘର ସଜାଡ଼ିବା ପାଇଁ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଦୁଇ କାର୍ଯ୍ୟକ୍ରମକୁ ନେଇ ଜୋରଦାର ବିଜ୍ଞାପନ ମଧ୍ୟ ଦିଆଯାଉଛି।
ଅପରପକ୍ଷରେ ଉଭୟ ବିରୋଧୀ ପକ୍ଷରେ ଥିବା ବିଜେପି ଓ କଂଗ୍ରେସ ଗତ କିଛିମାସ ହେଲା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଘଟଣାଗୁଡ଼ିକ ନୟାଗଡ଼ର ପରୀ ମୃତ୍ୟୁ, ମାହାଙ୍ଗା ଟ୍ରିପଲ ମର୍ଡର, ମମିତା ମେହେର ହତ୍ୟାକାଣ୍ଡ, ବ୍ରହ୍ମଗିରି ଚିତ୍ତରଂଜନ ପଲେଇର ହତ୍ୟାକାଣ୍ଡ ଏବଂ ସର୍ବୋପରି ଏସିଏଫ୍ଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିଲେ ମଧ୍ୟ ଏହିସବୁ ଘଟଣାକୁ ନେଇ ରାଜ୍ୟରେ ସରକାର ବିରୋଧୀ ଏକ ନ୍ୟାରେଟିଭ୍ ବା ପ୍ରଚାର ପଂଚାୟତ ନିର୍ବାଚନକୁ କେତେଦୂର ପ୍ରଭାବିତ କରିବ ଜଣାନାହିଁ। ସବୁଠାରୁ ବଡ଼କଥା ଯେ, ବିରୋଧୀ ବିଜେପି ସାଂଗଠନିକ ଭାବେ ଅନ୍ୟତମ ବିରୋଧୀ କଂଗ୍ରେସଠାରୁ ଦୃଢ଼ଥିବା ଜଣାପଡ଼ୁଥିଲେ ମଧ୍ୟ ଉଭୟ ଦଳରେ ସଂଗଠିତ ନେତୃତ୍ୱର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହିସବୁ କାରଣକୁ ଦେଖି ରାଜ୍ୟରେ ଅନେକ ଲୋକ ଏପରିକି ନବୀନ ପଟ୍ଟନାୟକଙ୍କର ସମାଲୋଚକମାନେ ମଧ୍ୟ କୌଣସି ବିକଳ୍ପ ନଥିବାରୁ ବିଜେଡି ସହଜରେ ପରାଜିତ ହେବନାହିଁ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଥିବା ପର୍ଯ୍ୟନ୍ତ ବିଜେଡି ଦୁର୍ବଳ ହେବନାହିଁ ବୋଲି ଧରିନେଇଛନ୍ତି। ଯଦିଓ ମନରେଗାଠାରୁ ଆରମ୍ଭ କରି ଆବାସ ଯୋଜନା, ବିଭିନ୍ନ ପ୍ରକାର ବିକାଶ ପ୍ରକଳ୍ପଗୁଡ଼ିକ ସହିତ ଖଣି କାରବାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଥିବା ସମସ୍ତେ ସ୍ୱୀକାର କରୁଛନ୍ତି। କିନ୍ତୁ ଏହିସବୁ ଦୁର୍ନୀତିକୁ ନେଇ ରାଜ୍ୟରେ ଗୋଟିଏ ପ୍ରଚାର ଭିତ୍ତିଭୂମି ଓ ସବୁ ଅଂଚଳର ତଥ୍ୟକୁ ଏକାଠି କରି ସରକାର ବିରୋଧୀ ବାତାବରଣ ପାଇଁ ରାଜନୈତିକ ଦଳମାନେ ଯାହା କରିବା କଥା ତାହା କରିପାରୁନାହାନ୍ତି। ବାସ୍ତବରେ ଦେଖିବାକୁ ଗଲେ ସମୁଦାୟ ବିଜେଡି ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ହିଁ ସେମାନଙ୍କର ଏକମାତ୍ର ଚାବିକାଠି ହୋଇ ରହିଛି।
ଏହି ପୃଷ୍ଠଭୂମିରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ଗର୍ବ କରିଛନ୍ତି ଯେ, ନବୀନଙ୍କୁ କେହି ପରାଜିତ କରିପାରିବେ ନାହିଁ। ସେହିପରି ନବୀନ ପଟ୍ଟନାୟକ ଘୋଷଣା କରିଦେଇଛନ୍ତି ଯେ, ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସେବାକରି ଚାଲିବ। ଦିଲ୍ଲୀରେ ଆମର କେହି ମାଲିକ ନାହାନ୍ତି ଏବଂ ଓଡ଼ିଶାବାସୀ ହେଉଛନ୍ତି ଆମର ପ୍ରକୃତ ମାଲିକ। ଓଡ଼ିଶାରେ ଗରିବୀ ଦ୍ରୁତଗତିରେ ହ୍ରାସ ପାଇ ଏବେ ଶତକଡ଼ା ୨୯ ଭାଗ ହୋଇଛି ଏବଂ ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାରେ ଗରିବୀ ୧୦ ପ୍ରତିଶତ କମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ଏହାର ଭୂମିକା ଆଦୌ ଆକର୍ଷଣୀୟ ନୁହେଁ। ୨୫ ବର୍ଷ ଭିତରେ ବିଜୁ ଜନତା ଦଳ ସଂପୂର୍ଣ୍ଣ ଭାବରେ ଜଣେ ବ୍ୟକ୍ତିର ଦଳରେ ପରିଣତ ହୋଇଛି ଓ ସେହି ବ୍ୟକ୍ତିଙ୍କର ଆଶୀର୍ବାଦ ପାଉଥିବା ବ୍ୟକ୍ତି ନିଜକୁ ନେତା ବୋଲି ଦାବି କରୁଛନ୍ତି।
ବାସ୍ତବରେ ଗତ କିଛିବର୍ଷ ହେଲା ଓ ବିଶେଷ ଭାବରେ କରୋନା ସମୟ ପରଠାରୁ ବିଜୁ ଜନତା ଦଳର କୌଣସି ମନ୍ତ୍ରୀ ବା ବିଧାୟକ ସିଧାସଳଖ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା କରିବା ବା ଆଲୋଚନା କରିବା ପୂରାପୂରି ଅସମ୍ଭବ ହୋଇପଡ଼ିଛି। ନବୀନ ପଟ୍ଟନାୟକ ଏହି ସମୟ ଭିତରେ ହୋଇଥିବା ବିଧାନସଭା ଅଧିବେଶନଗୁଡ଼ିକରେ ଆଦୌ ଯୋଗଦେଇନାହାନ୍ତି। ଯେତେଗୁଡ଼ିଏ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଆବାସୀ (ଭର୍ଚୁଆଲ) ଜରିଆରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ବା ଶିଳାନ୍ୟାସ କରୁଛନ୍ତି ସେଗୁଡ଼ିକର ଭିଡିଓ ବାର୍ତ୍ତା ହିଁ ଲୋକମାନେ ଦେଖୁଛନ୍ତି। ଯେଉଁ କେତୋଟି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କର ଆବିର୍ଭାବ ଘଟିଛି ସେଠାରେ ସେ ବ୍ୟକ୍ତିଗତ ଭାବରେ କୌଣସି ଭାଷଣ ବା ମନ୍ତବ୍ୟ ଖୋଲାଖୋଲି ପ୍ରଦାନ ନକରି ସେ ବସିଥିବା ଅବସ୍ଥାରେ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓ ବାର୍ତାକୁ ତାଙ୍କର ଭାଷଣ ଭାବରେ ଉପସ୍ଥାପିତ କରାଯାଉଛି। ଗଣମାଧ୍ୟମମାନେ ଏ ସଂପର୍କରେ କୌଣସି ପ୍ରଶ୍ନ ନପଚାରି ତାଙ୍କର ଭିଡିଓ ବାର୍ତ୍ତାଗୁଡ଼ିକୁ ପ୍ରସାର କରୁଛନ୍ତି। ଯେଉଁ ଦଳ ପାଇଁ ତାଙ୍କର ନେତୃତ୍ୱ ପ୍ରତିଷ୍ଠିତ ହୋଇଛି ଓ ଯାହାର ସଭାପତି ଭାବରେ ଦଳ ଗଠନ ହେବା ଦିନଠାରୁ ସେ ସଭାପତି ଅଛନ୍ତି ସେହି ଦଳର ପ୍ରତିଷ୍ଠା ଦିବସରେ ମଧ୍ୟ ବ୍ୟକ୍ତିଗତ ଭାବରେ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟକୁ ଆସି ଉଦବୋଧନ ଦେଇନାହାନ୍ତି। ରେକର୍ଡରେ ପ୍ରସ୍ତୁତ କରାଯାଇଥିବା ତାଙ୍କର ଭାଷଣକୁ ଭର୍ଚୁଆଲ ପ୍ଳାଟଫର୍ମରେ ସ୍କ୍ରିନରେ ପ୍ରଦାନ କରାଗଲା। ଏହି ଭାଷଣଟିକୁ ସାମାନ୍ୟ ଅନୁଧ୍ୟାନ କଲେ ଯେକେହି ସହଜରେ କହିପାରିବ ଯେ, ଭାଷଣଟିକୁ ବିଭିନ୍ନ ସ୍ଥାନରେ ଏଡିଟ୍ କରାଯାଇ ପୂର୍ଣ୍ଣାଙ୍ଗ କରାଯାଇଛି।
ଏଥିରୁ ଗୋଟିଏ କଥା ସୂଚନା ମିଳୁଛି ଯେ, ଶାରୀରିକ ଭାବେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି। କେବଳ କରୋନାକୁ ଭୟକରି ସେ ଏହି ପଦକ୍ଷେପ ନେଉଛନ୍ତି ବୋଲି କହିଦେଲେ ମଧ୍ୟ ପ୍ରକୃତ କଥାକୁ ଲୁଚାଇବା କଷ୍ଟକର। ତାଙ୍କର ନେତୃତ୍ୱ ଉପରେ ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ଶାସକ ଦଳ ସଂପୂର୍ଣ୍ଣ ଭାବେ ନିର୍ଭର କରୁଥିବାରୁ ତାଙ୍କର ସୁସ୍ଥତା ରାଜ୍ୟବାସୀ କାମନା କରିବା ସ୍ୱାଭାବିକ। କିନ୍ତୁ ଯେଉଁ ଅବସ୍ଥାରେ ବିଜୁ ଜନତା ଦଳ ରହିଛି, ଯେଉଁଠାରେ ବାସ୍ତବରେ ଦଳୀୟ ସାଂଗଠନିକ ବ୍ୟବସ୍ଥା ଓ ନେତୃତ୍ୱ କ୍ରମାନ୍ୱୟତା ସ୍ପଷ୍ଟ ନୁହେଁ ସେଥିରେ ନବୀନଙ୍କ ଅସୁସ୍ଥତା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟିକରିବ। ନବୀନ ପଟ୍ଟନାୟକଙ୍କୁ ଯେତେବେଳେ ପରବର୍ତ୍ତୀ ନେତୃତ୍ୱ ନେଇ ପ୍ରଶ୍ନ କରାଯାଇଛି ସେତେବେଳେ ସେ ଗୋଟିଏ କଥା କହିଛନ୍ତି ଯେ, ଓଡ଼ିଶାର ଜନସାଧାରଣ ତାହା ନିଷ୍ପତି କରିବେ। ଏହାର ଅର୍ଥ ବିଜୁ ଜନତା ଦଳ ଏହାର ନେତା ବାଛିପାରିବ ନାହିଁ ଓ ଜନସାଧାରଣ ଏହା ସ୍ଥିର କରିବେ। ବାସ୍ତବରେ କୌଣସି ରାଜନୈତିକ ଗଣିତରେ ଶାସକ ଦଳରେ ଥିବା ଗୋଟିଏ ଦଳର ନେତା ଜନସାଧାରଣ ସ୍ଥିର କରିବେ ବୋଲି କହିବାର ଅର୍ଥ ହେଉଛି ଦଳର ଭବିଷ୍ୟତ ପାଇଁ ଏକ ବଡ଼ ବିପଦ ରହିଛି।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫