Advertisment

ବୋରୱେଲରେ ଯମଦୂତ

ରୁଦ୍ର ପ୍ରସନ୍ନ ରଥ ଦୀର୍ଘ ୧୦୫ ଘଣ୍ଟାର ପରିଶ୍ରମ ପରେ ଛତିଶଗଡ଼ର ଜଂଜଗୀର ଚମ୍ପା ଜିଲ୍ଲାର ଏଗାର ବର୍ଷର ବାଳକ ରାହୁଲ ସାହୁ  ମାଟିର ଛାତିରୁ ଚିରି ମା’ କୋଳକୁ ଫେରି ଆସିଛି। ବଂଚିବାର ତୀବ୍ର ଲାଳସା ଆଉ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସୁସଂଯୋଜିତ ଅକ୍ଲାନ୍ତ ପରିଶ୍ରମ ମଧ୍ୟରେ ହାରିଯାଇଛି ମୃତ୍ୟୁ। ଜିତିଯାଇଛି ଜୀବନ। ରାହୁଲ ଏବେ ଡାକ୍ତରଖାନାରେ ଚିକିତ୍ସିତ। ସୁସ୍ଥ ହୋଇ ଘରକୁ ଫେରିବା ଅପେକ୍ଷାରେ। ଜଣେ ମାନସିକ ଭିନ୍ନକ୍ଷମ ବାଳକ ସମଗ୍ର ଦେଶକୁ […]

ବୋରୱେଲରେ ଯମଦୂତ

Stone

Advertisment
  • ରୁଦ୍ର ପ୍ରସନ୍ନ ରଥ

ଦୀର୍ଘ ୧୦୫ ଘଣ୍ଟାର ପରିଶ୍ରମ ପରେ ଛତିଶଗଡ଼ର ଜଂଜଗୀର ଚମ୍ପା ଜିଲ୍ଲାର ଏଗାର ବର୍ଷର ବାଳକ ରାହୁଲ ସାହୁ  ମାଟିର ଛାତିରୁ ଚିରି ମା’ କୋଳକୁ ଫେରି ଆସିଛି। ବଂଚିବାର ତୀବ୍ର ଲାଳସା ଆଉ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସୁସଂଯୋଜିତ ଅକ୍ଲାନ୍ତ ପରିଶ୍ରମ ମଧ୍ୟରେ ହାରିଯାଇଛି ମୃତ୍ୟୁ। ଜିତିଯାଇଛି ଜୀବନ। ରାହୁଲ ଏବେ ଡାକ୍ତରଖାନାରେ ଚିକିତ୍ସିତ। ସୁସ୍ଥ ହୋଇ ଘରକୁ ଫେରିବା ଅପେକ୍ଷାରେ। ଜଣେ ମାନସିକ ଭିନ୍ନକ୍ଷମ ବାଳକ ସମଗ୍ର ଦେଶକୁ କିଛି ସମୟ ପାଇଁ ହେଉ ପଛେ ଏକାଠି କରିପାରିଛି ନିଜର ପ୍ରାର୍ଥନା ଆଉ ଦୁଆ ମାଧ୍ୟମରେ। ମୃତ୍ୟୁର ଯମଦୂତ ହାତରୁ ରାହୁଲଙ୍କୁ ଛଡ଼ାଇ ଆଣିଛି  ଜିଲ୍ଲା ପ୍ରଶାସନ ଏବଂ ଯୋଜନା।

Advertisment

ରାହୁଲ ଫେରି ଆସିବା ପରେ ଏହି ଅପରେସନ ଶେଷ ହୋଇଛି ସତ ହେଲେ ବୋରୱେଲରେ ଖସି ପଡ଼ି ଆଉ କେହି ଆହତ କିମ୍ବା ମୃତ୍ୟୁବରଣ କରିବାର ଦୁର୍ଯୋଗକୁ ଏଡ଼ାଯାଇପାରି ନାହିଁ ଏ ଯାଏ। ଦେଶରେ ପ୍ରତିବର୍ଷ ଏହିପରି ଏକାଧିକ ଘଟଣା ଘଟୁଛି ଏବଂ ଏହା କ୍ରମେ କ୍ରମେ ଏକ ରାଷ୍ଟ୍ରୀୟ ବିପଦ ରୁପେ ବିବେଚିତ ହେବାକୁ ଲାଗିଲାଣି। ଏନଡିଆରଏଫ ତଥ୍ୟ ଅନୁସାରେ ଏବେ ଦେଶରେ ଏହି ଅଘଟଣ ବଢ଼ି ବଢ଼ି ଚାଲିଛି ଏବଂ ଏହାକୁ ରୋକିବା ବେଶ୍ କାଠିକର ପାଠ ହୋଇ ପଡୁଛି। ଏହା ରାଷ୍ଟ୍ରୀୟ ବିପଦ ବୋଲି ଘୋଷଣା ହୋଇନଥିବା ବେଳେ ଯେହେତୁ ଏଥିରେ ପିଲାଙ୍କର ଜୀବନ ଜଡ଼ିତଥାଏ ତେଣୁ ଏନଡିଆରଏଫ ଏଥିରେ ନିଜକୁ ସାମିଲ କରିଥାଏ।

୨୦୧୯ରେ ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୦୯ରୁ ୨୦୧୯ ମଧ୍ୟରେ ବୋରୱେଲରେ ଖସିପଡ଼ି ପାଖାପାଖି ୪୦ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ଏବଂ ଏହି ଶିଶୁମାନଙ୍କ ଉଦ୍ଧାର ପାଇଁ କରାଯାଉଥିବା ରେସକ୍ୟୁ ଅପରେସନ ମଧ୍ୟରୁ ଶତକଡା ୭୦% ବିଫଳ ହୋଇଛି। ଅନେକ ସମୟରେ ଏହି ଅପରେସନ ସବୁ ଟିଭିରେ ସିଧାସଳଖ ପ୍ରସାରଣ କରାଯାଉଥିଲେ ବି ଏହାର ସଫଳତା ହାର କମ୍ ଥାଏ। ଅନେକ ଶିଶୁଙ୍କ ଭାଗ୍ୟ ରାହୁଲଙ୍କ ପରି ହୋଇ ନଥାଏ। ବରଂ ଅନେକ କ୍ଷେତ୍ରରେ ଶିଶୁକୁ ଜୀବନ୍ତ ଉଦ୍ଧାର କରିବା ତ ଦୂରର କଥା ମୃତ ଶିଶୁର ଗଳିତ ଶବକୁ ବି ବାହାର କରିବା କଷ୍ଟକର ହୋଇଥାଏ।

Advertisment

ବୋରୱେଲ କହିଲେ ଏକ ପତଳା ଗଭୀର ଗାତରେ ପାଇପ୍ ଦେଇ ଜଳ ଊଠାଣ ବ୍ୟବସ୍ଥାକୁ ବୁଝାଏ ଯାହା ଏକ ମଟର ଦ୍ୱାରା ପରିଚାଳିତ ହୋଇଥାଏ। ସାଧାରଣତଃ ଏହି ପାଇପ୍ ସବୁର ଗୋଲେଇର ବ୍ୟାସ୍ ୪.୫ ଇଂଚରୁ ୧୨ ଇଂଚ ଯାଏ ହୋଇଥାଏ। ଏହି ବୋରୱେଲର ଗଭୀରତା ୨୦୦ ଫୁଟ୍‌ରୁ ୧୫୦୦ ଫୁଟ୍‌ ଯାଏ ହୋଇପାରେ। ଅଗଭୀର ଭୂତଳ ଜଳକୁ ଭୂପୃଷ୍ଠକୁ ଟାଣି ଆଣି ଜଳ ସେଚନ, କୃଷିକାର୍ଯ୍ୟ ଏବଂ ଅନ୍ୟାନ୍ୟ ଘରୋଇ ଆବଶ୍ୟକତା ମେଂଟାଇବା ଉଦ୍ଦେଶ୍ୟରେ ଏହି ବୋର ୱେଲ୍ ସହାୟକ ହୋଇଥାଏ। ଏହା ଭାରତରେ ବେଶ୍ ଲୋକପ୍ରିୟ। ବେଳେ ବେଳେ ସେଥିରୁ ପାଣି ବାହାରିବା ସରିଗଲେ କିମ୍ବା ଖରାପ ପାଣି ବାହାରିଲେ ସେହି ବୋରୱେଲକୁ ଅଧା ଖୋଳି ଛାଡ଼ି ଦିଆଯାଏ କିମ୍ବା ଏହା ମଧ୍ୟରୁ ସବୁ ପାଇପ୍‌କୁ ବାହାର କରି ଏହାକୁ ବିପଦଜ୍ଜନକ ଭାବେ ଖୋଲା ଛାଡ଼ି ଦିଆଯାଇଥାଏ। ପାଖରେ ପିଲା ଖେଳାବୁଲା କରୁଥିଲେ ଏହା ଭିତରକୁ ଖସି ପଡ଼ନ୍ତି। ବେଳେ ବେଳେ ସେମାନେ ଏତେ ତଳକୁ ଚାଲି ଯାଆନ୍ତି ଯେ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼େ। ସଂକୀର୍ଣ୍ଣ ସ୍ଥାନରେ ଫସି ରହିବା, ଖାଦ୍ୟ, ଆଲୁଅ ଏବଂ ଅକ୍ସିଜେନ୍‌ର ଅଭାବ ଯୋଗୁଁ ବୋରୱେଲରେ ଖସିପଡ଼ିଥିବା ଜୀବନଟି ବେଶ୍ କିଛି ସମୟ ସଂଘର୍ଷ କରି ଜୀବନ ହାରି ଦେଇଥାଏ। ‌ଅଧିକାଂଶ ସମୟରେ ଶିଶୁମାନେ ଏହାର ଶିକାର ହୁଅନ୍ତି, କାରଣ ସେମାନେ ଏପରି ପରିସ୍ଥିତିରେ କୌଣସି ନିର୍ଦ୍ଦେଶର ଅନୁପାଳନ କରି ପାରନ୍ତି ନାହିଁ। ପୂର୍ବରୁ ପ୍ରତିବର୍ଷ ଏହି ପରି କିଛି ନା କିଛି ଶିଶୁ ମୃତ୍ୟୁବରଣ କରୁଥିଲେ। ମାତ୍ର ଏହା ଲୋକ ଲୋଚନକୁ ଆସିଲା ୨୦୦୬ ମସିହାରେ ଯେତେବେଳେ ହରିୟାଣାର ଚାରି ବର୍ଷର ଶିଶୁ ପ୍ରିନ୍ସ କୁମାର ଏକ ଷାଠିଏ ଫୁଟ ଗଭୀର ବୋରୱେଲରେ ପଡ଼ି ପୂରା ଦେଶର ଧ୍ୟାନ ଆକର୍ଷଣ କଲେ। ପାଖାପାଖି ଦୁଇ ଦିନ କାଳ ଚାଲିଥିବା ଅପରେସନ୍ ପରେ ପ୍ରିନ୍ସକୁ ବଂଚାଯାଇ ପାରିଲା ଏବଂ ଏହାକୁ ସେତେବେଳେ ଅନେକ ଚ୍ୟାନେଲ୍ ସିଧା ପ୍ରସାରଣ କରିଥିଲେ।

ଏହି ସ୍ଥିତିରେ ପିଲାମାନଙ୍କୁ ବୋରୱେଲ ଭିତରୁ ବାହାର କରିବା କଷ୍ଟକର ହୁଏ। ଏହାର ଅନେକ କାରଣ ରହିଛି। ଅଂଚଳର ମାଟିର ପ୍ରକାର, ବୋରୱେଲର ସ୍ଥାନ ଏବଂ ପିଲାଟି ଅଟକି ଯାଇଥିବା ସ୍ଥାନର ସ୍ଥିତି ଉପରେ ଏହି ବୋରୱେଲରେ କିପ୍ରକାର ରେସକ୍ୟୁ ଅପରେସନ କରାଯିବ ତାହା ନିର୍ଣ୍ଣୟ କରାଯାଏ। ପଂଜାବ କିମ୍ବା ହରିୟାଣାର କୋମଳ ମାଟି ଧସି ଯାଉଥିବା ବେଳେ ତାମିଲନାଡୁ କିମ୍ବା ଛତିଶଗଡ଼ର ପାହାଡ଼ିଆ ଅଂଚଳରେ ବଡ଼ ବଡ଼ ଚଟାଣକୁ ଖୋଳି ପିଲାକୁ ବାହାର କରିବା କାଠିକର ପାଠ ହୁଏ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ ସୁଦ୍ଧା ଦେଶରେ ପ୍ରାୟ ଦୁଇ କୋଟି ସତୁରୀ ଲକ୍ଷ ବୋରୱେଲ ଥିବାର ଆକଳନ କରାଯାଇଥିବା ବେଳେ ଏଥି ମଧ୍ୟରୁ କେତେ ବିପଦ ସଂକୁଳ ଭାବେ ଖୋଲା ପଡ଼ିଛି ତାହା ଜଣାପଡ଼ିନାହିଁ। ସାଧାରଣତଃ ଏହି ବୋରୱେଲ ଖୋଲିବା କାମ ଉଭୟ ଜନ ସାଧାରଣ ଏବଂ ସରକାରୀ ସ୍ତରରେ ବିନା କୌଣସି ଅନୁମତିରେ କରାଯାଇଥାଏ। ଏଣୁ କିଏ କେଉଁଠାରେ ଏହି ବୋରୱେଲ ଖୋଳିଲା ଏବଂ ଏହାର ରକ୍ଷଣାବେକ୍ଷଣ କିପରି ହେଉଛି ଏହା ଜଣାପଡୁ ନାହିଁ। ଏହିପରି ବୋରୱେଲ୍‌ରେ ପଡ଼ି ଶିଶୁମାନଙ୍କର ନିୟମିତ ମୃତ୍ୟୁ ହେବା କାରଣରୁ ସୁପ୍ରିମ୍ କୋର୍ଟ ୨୦୧୦ ମସିହାରେ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଥିଲେ। ଅବ୍ୟବହୃତ ହୋଇ ପଡ଼ି ରହିଥିବା ବୋରୱେଲମାନଙ୍କର ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ କରିବା ସହ ଏହାକୁ ସିଲ୍ କରିବା ଉପରେ ଜୋର ଦିଆଯାଇଥିଲେ ମଧ୍ୟ ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ଏଯାଏ ସଂଭବ ହୋଇ ନାହିଁ। ଏବେ ବି ଦେଶରେ କେତୋଟି ବୋରୱେଲ ଅବ୍ୟବହୃତ ହୋଇ ପଡ଼ି ରହି ଜୀବନ ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ତାହାର ତଥ୍ୟ କାହା ପାଖରେ ନାହିଁ।

ଭାରତରେ ଜଳ ରାଜ୍ୟର ବିଷୟ ହୋଇଥିବାରୁ ରାଜ୍ୟମାନେ ଏ ନେଇ ତଥ୍ୟ ରଖିବା ଆବଶ୍ୟକ। ତୃଣମୂଳ ସ୍ତରରେ କେତେ ବୋରୱେଲ ଏହି ପରି ଅବ୍ୟବହୃତ ଭାବେ ପଡ଼ିଛି ତାହାର ସର୍ଭେ ଗ୍ରାମ୍ୟ ସ୍ତରରେ ହୋଇ ପାରିବ। ଗାଁ କଲ୍ୟାଣ ସମିତି, ପଂଚାୟତ ପ୍ରତିନିଧି ଆଦିଙ୍କ ଦ୍ୱାରା ଏହି ସର୍ଭେ ହୋଇ ଅବ୍ୟବହୃତ ବୋରୱେଲଗୁଡ଼ିକୁ ତୁରନ୍ତ ବନ୍ଦ କରିବା ଏବଂ ଏହାକୁ ବାଡ଼ ବୁଲାଇ ବନ୍ଦ କରିବା ଆବଶ୍ୟକ। ଏପରି ହେଲେ ଆମେ ସହଜରେ ଅନେକ ଶିଶୁଙ୍କ ଜୀବନ ସହଜରେ ରକ୍ଷା କରି ପାରିବା।

ଫୋ- ୭୯୭୮୬୭୧୭୭୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe