- ଜାନକୀଶ ବଡ଼ପଣ୍ଡା
୨୦୨୨ ମେ ମାସ ୨୯ ତାରିଖ। ସେଦିନ ୧୮୧ ଜଣ ଯୁବ ଶିକ୍ଷାନବୀଶ ଭାରତୀୟ ପ୍ରଶାସନିକ ଅଧିକାରୀ ଆମ ରାଜ୍ୟର ଶ୍ରୀଜଗନ୍ନାଥ ଧାମକୁ ପର୍ଯ୍ୟଟନରେ ଆସିଥିଲେ। ମେଧାବୀ ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀମାନେ ଏହି ସର୍ବୋଚ୍ଚ, ମର୍ଯ୍ୟାଦାସମ୍ପନ୍ନ ତଥା ଗୁରୁତ୍ୱପୂର୍ଣ ପଦବୀ ପାଇଁ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲାପରେ ତାଲିମ କାଳରେ ଭାରତ ଦର୍ଶନ କରିବାକୁ ଯିବା ଏକ ପାରମ୍ପରିକ ଆବଶ୍ୟକତା। ସେହି କ୍ରମରେ, ଏମାନେ ଓଡ଼ିଶା ଆସିଥିଲେ। ସେମାନଙ୍କ ଶ୍ରୀମନ୍ଦିର ଦର୍ଶନ ସହ ଶ୍ରୀକ୍ଷେତ୍ର ଭ୍ରମଣ ପାଇଁ ସେମାନଙ୍କ ବିରାଦରୀର ସ୍ଥାନୀୟ ବରିଷ୍ଠ ହାକିମମାନେ ତତ୍ପର ହୋଇ ଉଠିଲେ। ସେଦିନ ସକାଳୁ ପୁରୀର ସମସ୍ତ ବ୍ୟାଟେରୀ ଚଳିତ ଗାଡ଼ିଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ତିଆର କରି ନିଆଗଲା। ଏହି ନିଶୁଳ୍କ ଗାଡ଼ିଗୁଡ଼ିକୁ ବିକଳାଙ୍ଗ ଓ ବୟସ୍କମାନଙ୍କୁ ଶ୍ରୀମନ୍ଦିର ଯାଏଁ ନିଆଅଣା କରିବା ପାଇଁ ବ୍ୟବହାର କରା ଯାଉଥିଲେ ବି ସେଦିନ ତାହାକୁ ଅଚାନକ ବନ୍ଦ କରି ଦିଆଗଲା। ସେମାନଙ୍କ ପାଇଁ କିଛି ବି ବିକଳ୍ପ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ କିମ୍ବା ଜିଲ୍ଲାପାଳ ଉଚିତ ମଣିଲେ ନାହିଁ। ହିତାଧିକାରୀଙ୍କୁ ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେବାକୁ ପଡ଼ିଲା।
ବ୍ୟାଟେରୀ ଚାଳିତ ଗାଡ଼ିରେ ବସି ଶିକ୍ଷାନବୀଶ ବାବୁମାନେ ରାଜକୀୟ, ସୁଖଦ ଓ ନିଶବ୍ଦ ଭ୍ରମଣ କଲେ। ହୁଏତ ସେମାନେ ପ୍ରକୃତ ହିତାଧିକାରୀଙ୍କ ଅଧିକାର ଛଡ଼ାଇନେଇ ଏ ପ୍ରକାର ବ୍ୟବସ୍ଥା ସେମାନଙ୍କୁ ଯୋଗାଇ ଦେଇଥିବା କଥା ତତ୍କାଳ ଜାଣି ନଥିବେ, କିନ୍ତୁ ସେମାନଙ୍କ ଭଳି ବିଚକ୍ଷଣ ଯୁବମାନସଙ୍କର କାହାକୁ ପ୍ରଶ୍ନ କରିବାର ଇଚ୍ଛାଟିଏ ହେଲାନାହିଁ ଯେ ଏତେଗୁଡିଏ ବ୍ୟାଟେରୀ ଚାଳିତ ଯାନ ପୁରୀ ସହରରେ କିପରି କେଉଁଠୁ ଆସିଲା? ଯେହେତୁ ସେତେବେଳେ ଏ ପ୍ରଶ୍ନ ଆସିନଥିଲା, ପରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ଅଧିକାର ହନନ କରି ସେମାନଙ୍କୁ ସୁଖସୁବିଧା ଖଞ୍ଜି ଦେଇଥିବା ତାଙ୍କରି ବିରାଦରୀର ବରିଷ୍ଠ ସଦସ୍ୟ ସେମାନଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କରିଥିବା କଥାକୁ ସେମାନେ ତାଲିମର ଏକ ଅଙ୍ଗଭାବେ ନିଶ୍ଚୟ ନେଇଥିବେ, ଏଥିରେ ସନ୍ଦେହ ନାହିଁ। ଏହି ଶିକ୍ଷାନବୀଶ ଅଧିକାରୀମାନେ ଚାକିରୀ ଆରମ୍ଭ ନ କରୁଣୁ ନିଜକୁ ଭିଆଇପି ସଂସ୍କୃତିର ଶ୍ରେଷ୍ଠ ଭାବେ ମନେ କରିବାକୁ ତାଲିମ ପାଇଗଲେ। ଏ ପ୍ରକାର ତାଲିମ ପରାଧୀନ ଭାରତର ଆଇସିଏସ ଅଧିକାରୀଙ୍କୁ ମଧ୍ୟ ଦିଆଯାଉ ନଥିବ।
ଆଉ ଗୋଟିଏ ଉଦାହରଣ ନେବା। ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜିବ ଖିରୱାରଙ୍କୁ ଲଦାଖ ଓ ତାଙ୍କର ଆଇଏଏସ ପତ୍ନୀ ରୀଙ୍କୁ ଡୁଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରିଦେଇଛନ୍ତି କେନ୍ଦ୍ର ସରକାର। ଏହି ଦମ୍ପତ୍ତି ଦିଲ୍ଲୀରେ ଏକାଠି ରହୁଥିଲେ ହେଁ ଏବେ ପରସ୍ପରଠାରୁ ପ୍ରାୟ ତିନି ହଜାର କିଲୋମିଟର ଦୂରରେ ରହିବେ। ଏ ଦୁହେଁ ଥିଲେ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ର ଶାସନାଞ୍ଚଳ କ୍ୟାଡର ଆଇଏଏସ ଅଧିକାରୀ। ଏହି ଦମ୍ପତ୍ତିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ଦଣ୍ଡ ଦେବାର କାରଣଟି ଥିଲା ଉଦବେଗଜନକ। ଦିଲ୍ଲୀରାଜ୍ୟ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଖିରୱାର ନିଜ କ୍ଷମତା ଓ ପଦବୀର ଦୁରୁପଯୋଗ କରି ନିଜକୁ ବଡ଼ ଓ ଭିଆଇପି ଦେଖାଇ ହେବାକୁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଉଭୟ ଖେଳାଳୀ ଓ ପ୍ରଶିକ୍ଷକମାନଙ୍କୁ ସନ୍ଧ୍ୟା ସାତଟା ସୁଦ୍ଧା ଷ୍ଟାଡିୟମ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗରୁ ରାତି ଆଠଟାରୁ ସଢ଼େ ଆଠଟା ଯାଏଁ ଖେଳାଳୀମାନେ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରୁଥିଲେ ମଧ୍ୟ ଏପରି ଆଦେଶ କାରଣରୁ ଷ୍ଟାଡିୟମରୁ ସମସ୍ତଙ୍କୁ ବାହାର କରିଦେଇ ସାତଟାବେଳେ ତାଲା ପକାଇ ଦିଆଗଲା। ତେବେ, ନିଜ କୁକୁରକୁ ଧରି ଆଇଏଏସ ଦମ୍ପତ୍ତିଙ୍କୁ ସେଦିନ ବିଳମ୍ବିତ ସନ୍ଧ୍ୟାରେ ଦେଖିବାକୁ ମିଳିଲା ସେହି ଷ୍ଟାଡିୟମର ନିର୍ଜନ ପଡ଼ିଆରେ। ଖବରକାଗଜରେ ସଚିତ୍ର ଖବର ପ୍ରକାଶ ପାଇଲା ପରେ, ସାମାଜିକ ଗଣମାଧ୍ୟମରେ ଝଡ଼ ଉଠିଲା। ସେଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଦଳି ଆଦେଶ ଦେଲା ପରେ ବି ସାମାଜିକ ଗଣମାଧ୍ୟମରେ ଦେଶବାସୀ ଥଟ୍ଟାମଜା କରି ପ୍ରଶ୍ନ କଲେ, ‘‘ଏବେ କୁକୁରଟି ରହିବ କେଉଁଠି?’’ କୁକୁର କୋଉଠି ରହିବ, ତାହା ହୁଏତ ଏକ ଗମାତିଆ ତାତ୍ସଲ୍ୟଭରା ପ୍ରଶ୍ନ, କିନ୍ତୁ ଏଭଳି ଅନେକ ଉଚ୍ଚ ପଦସ୍ଥ ଅମଲା ନିଜ କ୍ଷମତା ଓ ପଦବୀର ଦୁରୁପଯୋଗ କରି ନିଜକୁ ବଡ଼ ଓ ଭିଆଇପି ପ୍ରତିପାଦିତ କରିବାକୁ ଅତି ସାଧାରଣ ଘଟଣା ଭାବିନେବା ନିଶ୍ଚୟ ଉଦବେଗଜନକ।
କିଛିମାସ ତଳେ ପଶ୍ଚିମ ବଙ୍ଗ ଓ ପଞ୍ଜାବ ରାଜ୍ୟକୁ ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ବେଳେ ଘଟିଯାଇଥିବା ଅଭାବନୀୟ ଘଟଣା ସବୁକୁ ସମସ୍ତେ ହୁଏତ ଭୁଲିନଥିବେ। ଦେଶର ପ୍ରଧାନମନ୍ତ୍ରୀ କୌଣସି ରାଜ୍ୟକୁ ଗସ୍ତ କରିବା ପୂର୍ବରୁ ତାଙ୍କର ଗସ୍ତର କାରଣ ଓ କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୋଦି ବିରୋଧୀ ଆଭିମୁଖ୍ୟକୁ ପ୍ରାୟତଃ ସମର୍ଥନ କଲା ଭଳି ଆଚରଣ କରିଥିଲେ ସେଠାକାର ମୁଖ୍ୟ ଶାସନ ସଚିବ। ବାତ୍ୟାଜନିତ କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ବୈଠକରେ କିଛି ସମୟ ରହି ସେ ପ୍ରଧାନମନ୍ତ୍ରୀ ଥାଉଥାଉ ବୈଠକ ଛାଡ଼ି ଚାଲିଯିବା ଜଣେ ସର୍ବୋଚ୍ଚ ସର୍ବଭାରତୀୟ ଅଧିକାରୀଙ୍କଠାରୁ ଆଶା କରାଯାଉ ନଥିଲେ ବି ସେ ସେହିପରି କରିଥିଲେ। ପଞ୍ଜାବ ଗସ୍ତବେଳେ, ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତିତ ଗସ୍ତସୂଚୀକୁ ଅବହେଳା କରିଥିଲେ ମୁଖ୍ୟ ଶାସନ ସଚିବ। ଏପରିକି, ନିଜର ମୋବାଇଲ ଫୋନକୁ ସେ ବନ୍ଦ କରି ରଖିଥିଲେ। ରାଜ୍ୟରେ ସରକାର ଗଠନ କରିଥିବା ଦଳମୁଖ୍ୟ ରାଜନୈତିକ କାରଣରୁ ହୁଏତ ମୋଦିଙ୍କୁ ଅସହଯୋଗ କରିପାରନ୍ତି, ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚୀକୁ ଅବହେଳା କରିକରି ପାରିବେନି ଓ ଜଣେ ଆଇଏଏସ ଅଧିକାରୀ ତ ସ୍ୱପ୍ନରେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କୁ ଅବମାନନା କଲାଭଳି କିଛି ବି କରି ପାରିବେନି। ତଥାପି ଆମକୁ ଏସବୁ ଦେଖିବାକୁ ହେଲା। ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବଞ୍ଚିଥିଲେ ତାଙ୍କର ଇସ୍ପାତ ଛାଞ୍ଚରେ ଯେ କଳଙ୍କି ଲାଗି ସାରିଲାଣି ତାହା ଦେଖି ନିଶ୍ଚୟ ଦୁଃଖ କରୁଥାଆନ୍ତେ।
ସର୍ଦ୍ଦାର ପଟେଲ ୨୧ ଏପ୍ରିଲ, ୧୯୪୭ରେ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀଶଙ୍କୁ ଏକ ପ୍ରେରଣାଦାୟୀ ଭାଷଣ ପ୍ରଦାନ କରିଥିଲେ। ସେମାନଙ୍କୁ ବ୍ରିଟିଶ ଶାସନବେଳର ଔପନିବେଶିକ ମାନସିକତା ଛାଡ଼ି ସାଧାରଣ ଲୋକ ଓ ଦେଶର ସେବକ ଭୂମିକା ଗ୍ରହଣ କରିବାକୁ ସର୍ଦ୍ଦାର ପଟେଲ ଆହ୍ୱାନ ଦେଇଥିଲେ। ସେ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ‘ଭାରତର ଷ୍ଟିଲ୍ ଫ୍ରେମ୍’ ଭାବେ ଅବିହିତ କରି କହିଥିଲେ ଯେ, “ଆପଣମାନେ ଅମଲାତନ୍ତ୍ରର ଶୀର୍ଷସ୍ଥାନୀୟ ଅଧିକାରୀ। ଏହାର ଭବିଷ୍ୟତ ରୂପରେଖ ଆପଣମାନେ ପକାଉଥିବା ମୂଳଦୁଆ ଏବଂ ପ୍ରତିଷ୍ଠା କରୁଥିବା ପରମ୍ପରା ଉପରେ ଠିଆ ହେବ। ସେଥିପାଇଁ ଆପଣଙ୍କ ଚରିତ୍ର, ଦକ୍ଷତା ଏବଂ ସେବା ମନୋଭାବ ଆଦର୍ଶ ସ୍ଥାନୀୟ ହେବା ଆବଶ୍ୟକ।” ସର୍ଦ୍ଦାର ପଟେଲ, ଶିକ୍ଷାନବୀଶମାନଙ୍କୁ ନିଜର ଆଚରଣ ଓ ଉଚ୍ଚାରଣରେ ଉଚ୍ଚ ପଦାଧିକାରୀଙ୍କ ପାଞ୍ଚଟି ବୈଶିଷ୍ଟ୍ୟ - ନିରପେକ୍ଷ ଓ ଦୁର୍ନୀତିମୁକ୍ତ, ସାଧୁତାପ୍ରତି ଅନୁରକ୍ତ, ଗର୍ବ ଓ ଅହଙ୍କାର ବିବର୍ଜିତ ଭାବନା ଏବଂ ପାରସ୍ପରିକ ବିଶ୍ୱସ୍ତତା ସହ ପୁରସ୍କାର ଆଶା ନରଖି କର୍ମ, ସାର୍ବଭୌମତ୍ୱ ଏବଂ ସେବା ଭାବନା ଉପରେ ଜୋର ଦେଇଥିଲେ। ତତ୍କାଳୀନ ବାବୁମାନେ ସ୍ଵାଧୀନୋତ୍ତର ଭାରତର ଦାରିଦ୍ର୍ୟ ଓ ସାମାଜିକ-ଅର୍ଥନୈତିକ ଅସମାନତା, ଭିତ୍ତିଭୂମି ଅଭାବ ଏବଂ ସାମ୍ପ୍ରଦାୟିକ କଳହ ସତ୍ତ୍ୱେ ସର୍ଦ୍ଦାର ପଟେଲଙ୍କ ପଞ୍ଚସୁତ୍ରୀ ଆଚରଣ ଆଧାରରେ ଦେଶକୁ ଆଗକୁ ବଢ଼ିବାରେ ସଫଳ ହୋଇଥିଲେ ଓ ପରପିଢ଼ି ବାବୁଙ୍କ ପାଇଁ ସଶକ୍ତ ମୂଳଦୁଆ ସ୍ଥାପନ କରିଥିଲେ। ଦୁର୍ଭାଗ୍ୟବଶତଃ ଆଜିର ଭାରତୀୟ ପ୍ରଶାସନିକ ସେବାର ବାବୁମାନେ ପକ୍ଷଧର ଏବଂ ନିରପେକ୍ଷତାର ସଂକଳ୍ପ କ୍ରମଶଃ ଇତିହାସରେ ପରିଣତ ହେଉଛି। ଆଜି ପ୍ରଶାସନରେ ମୂଲ୍ୟବୋଧର ପତନ ହେତୁ ପୂର୍ବ ପିଢ଼ିର ପ୍ରଶାସନିକ ଅଧିକାରୀ ନିଶ୍ଚୟ ନିରାଶ ବୋଧ କରୁଥିବେ।
‘ଭାରତର ଇସ୍ପାତ ଛାଞ୍ଚ’ ଅବକ୍ଷୟିତ ହୋଇଯାଉଥିବାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି। ବର୍ତ୍ତମାନ ଜନସାଧାରଣଙ୍କ ଧାରଣା ଜନ୍ମୁଛି ଯେ କ୍ଷମତାର ନଗ୍ନ ଅପବ୍ୟବହାର, ଅହଂକାର, ରାଜନୀତିକରଣ ଏବଂ ଅନୁଗ୍ରହ ଲାଳସା ଅମଲାତନ୍ତ୍ରରେ ବଢ଼ି ଚାଲିଛି। ଆଜି ଅନେକ ବାବୁ ସର୍ଦ୍ଦାର ପଟେଲଙ୍କ ‘ଦୁର୍ନୀତିର ଛାଇ ପଡ଼ୁ ନଥିବା’ ଭଳି ଯୋଗ୍ୟ ପ୍ରଶାସକ ନୁହଁନ୍ତି। ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଦେଶର ଜୀବନଶୈଳୀକୁ ଧ୍ୱଂସ କରୁଥିବାରୁ ପ୍ରଶାସକମାନଙ୍କଠାରୁ ପରିପକ୍ୱତା ତଥା ନିରପେକ୍ଷତା ଆଶା କରାଯାଏ ଯାହା ଫଳରେ ଆମେ ସାଧାରଣ ନାଗରିକମାନେ କେବେ ବି ଯେପରି ଅନୁଭବ କରିବା ନାହିଁ ଯେ ବହୁ ପ୍ରତୀକ୍ଷିତ ‘ଷ୍ଟିଲ୍ ଫ୍ରେମ୍’ କଳଙ୍କି ଖାଇ ଯାଇଛି କିମ୍ବା ବଙ୍କାତେଢ଼ା ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ବିଶ୍ୱାସନୀୟତା ଉପରେ ଜନସାଧାରଣ ସନ୍ଦେହ ବଢ଼ି ଚାଲିଥିବା ନିଶ୍ଚୟ ଉଦବେଗଜନକ। ପ୍ରତ୍ୟେକ ବୃତ୍ତିରେ କିଛି 'କଳା ମେଣ୍ଢା’ କିମ୍ବା ‘ବ୍ୟତିକ୍ରମ' ରହିଥିବା କଥା କହି ଏହାକୁ ହାଲୁକା ଭାବେ ନିଆଯାଇ ନପାରେ।
କ୍ରମଶଃ ଜନସାଧାରଣଙ୍କ ଧାରଣା ଦୃଢ଼ୀଭୂତ ହେଉଛି ଯେ ଆଇଏଏସ ଅଧିକାରୀମାନେ ଆଭିଜାତ୍ୟପୂର୍ଣ୍ଣ, ଆତ୍ମ-ସେବାମଗ୍ନ ଏବଂ ନିଜେ ନିରାପଦ ସ୍ଥିତିରେ ରହିବା ବ୍ୟକ୍ତି ଯେଉଁମାନେ ବାସ୍ତବ ଦୁନିଆଠୁ ଦୂରରେ ଓ ସତ୍ୟ ସପକ୍ଷରେ ଠିଆ ହେବା ପାଇଁ ଦୃଢ଼ତା ଓ ସାହସ ହରାଇ ବସିଛନ୍ତି। ନିର୍ବାଚିତ ସରକାରଙ୍କ ବୋଲକରା ବିବେଚନା କରାଯାଉଥିବାରୁ ଏମାନେ ବିଶ୍ୱସନୀୟତା ହରାଇ ବସୁଛନ୍ତି। ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ଅଧିକାରୀଙ୍କୁ ଲୋକମାନେ 'ଆଇ ଆମ ସେଫ' ବା 'ମୁଁ ନିରାପଦ' କହିବା ଉଚିତ ମଣୁଛନ୍ତି। ଯଦିଓ, ଆଜି ବି ଦେଶର ମେଧାବୀ ଯୁବବର୍ଗ ସମ୍ମାନଜନକ ସର୍ବଭାରତୀୟ ସେବାରେ ନିଯୁକ୍ତି ପାଇବାକୁ କଠୋର ପରିଶ୍ରମ କରୁଛନ୍ତି, ତଥାପି ଏହା ପଛର ଉଦ୍ଦେଶ୍ୟ ଯେ କେବଳ ଜନସେବା ନୁହେଁ, ବରଂ ଅଧିକ ପରିମାଣରେ ଆତ୍ମସେବା, ଏହା ଖୋଲାଖୋଲି କୁହାନଗଲେ ବି ବି ସ୍ପଷ୍ଟ।
ଆପଣମାନେ ପାର୍ଟି ଗେଟ କଥା ଅଳ୍ପବହୁତ ଶୁଣିଥିବେ। ଗତ ୨୦୨୦ ମସିହା ଡିସେମ୍ବରର କଥା। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ତାଙ୍କ କ୍ୟାବିନେଟ୍ ପାହ୍ୟା ଅର୍ଥମନ୍ତ୍ରୀ ଋଷୀ ସୁନକଙ୍କ ସମେତ ପ୍ରାୟ ୮୩ ଜଣ ଉଚ୍ଚପଦସ୍ଥ ବ୍ୟକ୍ତି କୋଭିଡ କଟକଣା ନମାନି ୨୦୨୦ ମସିହାର ବିଭିନ୍ନ ଦିନରେ ଏକତ୍ର ହୋଇଥିଲେ ଓ ପାନୀୟ ସହ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କୋଭିଡ ସଂକ୍ରମଣ ଅଟକେଇବାକୁ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ୱ, ତାଲାବନ୍ଦ କଟକଣା ଲାଗୁ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଟକଣାକୁ ବେଖାତିର କରିବାର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେବାପରେ ବିରୋଧୀ ଏପରିକି ଶାସକ ରକ୍ଷଣଶୀଳ ଦଳର ସାଂସଦମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ। ଏହାକୁ କୁହାଗଲା ପାର୍ଟିଗେଟ କେଳେଙ୍କାରୀ ଓ ଏହାକୁ ପ୍ରଧାନମନ୍ତ୍ରୀଙ୍କ 'ନେତୃତ୍ୱ ବିଫଳତା' ଭାବେ ଚିତ୍ରଣ କରାଗଲା। ଏହାର ତଦନ୍ତ କରିବାକୁ ଇଂଲଣ୍ଡର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ନିଯୁକ୍ତି ନଦେଇ ଅନିନ୍ଦ୍ୟ ଦୃଢ଼ତା ଓ ନିରପେକ୍ଷତା ରକ୍ଷା କରି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଜିଣିଥିବା ଅମଲାତନ୍ତ୍ରର ଜଣେ ସଦସ୍ୟା 'ସୁଈ ଗ୍ରେ'ଙ୍କୁ ନିଯୁକ୍ତି ଦିଆଗଲା। ଗ୍ରେ ମାତ୍ର ପାଞ୍ଚ ମାସରେ ତଦନ୍ତ ସମାପ୍ତ ସାରିଦେଲେ ଓ ଅପରାଧିକ ତଦନ୍ତ କରୁଥିବା ସ୍କଟଲ୍ୟାଣ୍ଡ ୟାର୍ଡ଼ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟମାନଙ୍କଠାରୁ ଫାଇନ ଆଦାୟ କଲାପରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କଲେ। ପ୍ରଧାନମନ୍ତ୍ରୀ ଜନସନ ୨୦୨୦ ଜୁନ ମାସରେ କଟକଣା ନମାନି ଜନ୍ମଦିନ ବନ୍ଧୁମିଳନ ପାଳନ କରିଥିବାରୁ କ୍ଷମା ମାଗିବା ସତ୍ତ୍ୱେ ଆଜି ବି ତାଙ୍କ ମୁଣ୍ଡ ଉପରେ ଡେମୋକ୍ଲିସଙ୍କ ଖଣ୍ଡା ଝୁଲି ରହିଛି। ଏହି ଉଦାହରଣରୁ ଆପଣମାନଙ୍କର ଦୃଷ୍ଟି ମୁଁ ଆକର୍ଷିତ କରିବାକୁ ଚାହୁଁଛି ଇଂଲଣ୍ଡର ଅମଲାତନ୍ତ୍ର ଉପରେ ସମସ୍ତ ରାଜନୈତିକ ଦଳର ଓ ଜନସାଧାରଙ୍କର ରହିଥିବା ଆସ୍ଥା ଓ ବିଶ୍ୱାସ ପ୍ରସଙ୍ଗକୁ। ଆମ ଦେଶ ହୋଇଥିଲେ କେହି ବି ଜଣେ ବ୍ୟକ୍ତି ଛାତିରେ ହାତ ରଖି ଅମଲାଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି କହି ନଥାନ୍ତେ। ଆମେ ଯାହାଙ୍କୁ 'ଷ୍ଟିଲ ଫ୍ରେମ' କହୁଛେ ଓ ବ୍ରିଟିଶ ଶାସନ କାଳରୁ ନିଯୁକ୍ତି ଦେଇ ଏତେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଛେ, ସେମାନଙ୍କୁ ନିରପେକ୍ଷ ନଭାବିବା ପାଇଁ କାହାକୁ ଦାୟୀ କରିବା?
ଜଣେ ଯଶସ୍ୱୀ ଓଡ଼ିଆ ତଥା ପୂର୍ବତନ ପ୍ରଶାସକଙ୍କ ତୀକ୍ଷ୍ଣ ମତାମତ ଯେ, ''ଭାରତୀୟ ଅମଲାତନ୍ତ୍ର ଲୋକମାନଙ୍କ ପାଇଁ କେବେ ବି ଇସ୍ପାତ ଫ୍ରେମ୍ ନଥିଲା। ବ୍ରିଟିଶ୍ ଶାସନ କାଳରେ ସେମାନେ ବିଦେଶୀ ଅନୁପ୍ରବେଶକାରୀଙ୍କ ସେବକ ରୂପେ ଭାରତୀୟଙ୍କୁ ଶାସନ କରିଥିଲେ। ଆଜି ସେମାନଙ୍କ ଉତ୍ତରସୂରୀ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କୁ ସମର୍ଥନ କରୁଛନ୍ତି। ନିଷ୍କଳଙ୍କ ଅଧିକାରୀଙ୍କ ଏକ ଉଦାହରଣ ପାଇବା ପାଇଁ ଆମେ ବ୍ରିଟେନର ପାର୍ଟୀଗେଟ କଥା ଉଲ୍ଲେଖ କରୁଛେ। ଭାରତରେ ଆଜି ସମ୍ଭବତଃ ସେପରି ଉଦାହରଣ ପାଉନାହେଁ। ଅମଲାତନ୍ତ୍ର ଏବେବି ରାଜନୈତିକ ପ୍ରଭୁମାନଙ୍କୁ ସେବା ଯୋଗାଇ ଆସୁଛି। ସେମାନଙ୍କ ମଧ୍ୟରେ ନିରପେକ୍ଷତା ଆଶା କରିବା ଭୁଲ। ଆମେ ସ୍ୱାଧୀନତା ଲାଭ କରି ଗଣତନ୍ତ୍ର ଶାସନ ପଦ୍ଧତି ଆପଣେଇବା ସତ୍ତ୍ୱେ ଆଧୁନିକ ଭାରତରେ ଅମଲାତନ୍ତ୍ରର ଔପନିବେଶିକ ତାଲିମ ବଳବତ୍ତର ରହିଛି। ପ୍ରକୃତରେ, ଇସ୍ପାତର ନିଶୁଣିକୁ ଆମେ ଇସ୍ପାତ ଛାଞ୍ଚ ଭାବି ନେଇଛେ କେବଳI’’
ରାଜନେତାଏ ରାଷ୍ଟ୍ରନୀତିଜ୍ଞ ହେବାର ମାନସିକତା ଓ ବିଜ୍ଞତାକୁ କେବେଠୁ ବିସର୍ଜନ ଦେଇଥିଲା ବେଳେ ମେଧାବୀ ଓ ବୁଦ୍ଧିମତ୍ତା ସମ୍ପନ୍ନ ପ୍ରଶାସକମାନଙ୍କ ଉପରେ ଦେଶବାସୀଙ୍କ ନିର୍ଭରଶୀଳତା ବଢ଼ିଯାଇଛି। ଏହି ପରିସ୍ଥିତିକୁ ଏକ ସୁଯୋଗ ଭାବେ କିଛି ବାବୁ ଗ୍ରହଣ କରି ଦୁଧିଆଳୀ ବିଭାଗ, ବିଦେଶ ନିଯୁକ୍ତି ଓ ଅବସର ପରେ ପୁନର୍ନିଯୁକ୍ତି ହାତେଇ ନେବାରେ ଲାଗିଛନ୍ତି। ନୀତିନିଷ୍ଠ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ବାବୁ ହତାଦର ହେଉଛନ୍ତି। ଏବେ ସମ୍ବିଧାନର ଧାରା ୩୧୧ରେ ଉଲ୍ଲିଖିତ ନିରପେକ୍ଷତା ଗଲାଣି ଚୁଲୀକୁ। ସ୍ୱାଧୀନ ଚିନ୍ତା ଓ କାର୍ଯ୍ୟ, ନିଷ୍ଠା ଓ ସାଧୁତା, ଉଚ୍ଚ ମାନବିକ ମୂଲ୍ୟବୋଧ ସହ ପଦବୀର ଗାରିମା ରକ୍ଷା ହିଁ ପ୍ରଶାସକୀୟ ନିରପେକ୍ଷତା ଯାହା ଉଭୟ ବ୍ୟକ୍ତି ଓ ସମାଜ ପାଇଁ ହିତକର। ଏଥିରେ ସ୍ଖଳନ ଘଟିଲେ ଦେଶର ଅମାପ କ୍ଷତି ହେବା ସ୍ୱାଭାବିକ। ଆଜିକାଲି ସମସ୍ତେ ନ୍ୟାୟ ପାଇବାକୁ ଅଦାଲତ ଯିବାକୁ ବାଧ୍ୟ ହେଉଛନ୍ତି, ଯଦିଓ ଆଇନଶୃଙ୍ଖଳାଠାରୁ ପ୍ରଶାସନିକ ସ୍ୱଚ୍ଛତା ରକ୍ଷା କାମଟି ପ୍ରଶାସନିକ ଓ ପୋଲିସବାବୁମାନଙ୍କର, ଅଦାଲତର ନୁହେଁ। ଦାୟିତ୍ଵବାନ ଓ ଆତ୍ମସମ୍ମାନ ସମ୍ପନ୍ନ ବାବୁମାନେ ସାଧୁତା ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଜନସାଧାରଣଙ୍କୁ ଅଦାଲତ ଦୌଡ଼ିବାକୁ ପଡ଼ନ୍ତା ନାହିଁ।
କୋକିଳା ଏନକ୍ଳେଭ-୨, ପୋଖରୀପୁଟ, ଭୁବନେଶ୍ୱର
ଫୋ-୯୪୩୮୨୯୯୦୩୭