- ଡକ୍ଟର ରିନା ରାଉତରାୟ
ଡାଏରୀରେ ଜୀବନ ଥାଏ। ମୋ ଜୀବନର ପ୍ରତିଟି ମୂହୁର୍ତ୍ତ ଏ ଯାଏଁ ଲିପିବଦ୍ଧ କରିବାର ଚେଷ୍ଟା କେତେ ସଫଳ କେତେ ବିଫଳ ଜାଣିନି।
ତନ୍ମଧ୍ୟରୁ କିଛି ଦୁଃଖସୁଖ ଆପଣଙ୍କ ସହିତ ବାଣ୍ଟିବାର ପ୍ରୟାସ।
ତା....../......../..........
:- ଏ ମାଆ...ଏ ମାଆ... ତୁମ ଘର କେଉଁଠି?
ଭୋଗ ଲାଗିବ? ଏ ପଟେ ଆସ ଠାକୁରଙ୍କ ପାଖକୁ ନେଇଯିବି।
କିଛି ନ ଶୁଣି ଚାଲିବାକୁ ଆରମ୍ଭ କଲି।
:- ଏ ମାଆ ବ୍ରାହ୍ମଣକୁ କିଛି ଦକ୍ଷିଣା ଦେଇକି ଯାଆ।..
ସମୟ କମ ଥିଲା ମୋ ପାଖରେ ତେଣୁ ହାତକୁ ଯୋଡ଼ି ଆଗକୁ ବଢ଼ିଲି।
ଏମିତିରେ କେବେ ବି କୌଣସି ପର୍ବ ପର୍ବାଣୀରେ ମୁଁ ମନ୍ଦିର ଯାଏ ନାହିଁ। ଗହଳି ଓ ଠେଲାପେଲାରେ ଅଣନିଃଶ୍ୱାସୀ ଲାଗେ। ଖାଲି ସମୟରେ ନିରୋଳା ବେଳେ ଯାଇ ବୁଲି ଆସେ। ମନ ଭରି ଠାକୁରଙ୍କୁ ଦେଖେ। ଭଲ ଲାଗେ।
ଓଡ଼ିଶାର ଅନେକ ସୁନ୍ଦର ଐତିହାସିକ ସ୍ଥାନ, ମନ୍ଦିର,ପର୍ଯ୍ୟଟନ ସ୍ଥଳୀ ବାପା ଆମକୁ ବୁଲେଇ ଦେଖେଇଛନ୍ତି ଏବଂ ବିବାହ ପରେ ଆମ ରାଜ୍ୟର ସୁନ୍ଦର ସୁନ୍ଦର ସ୍ଥାନକୁ ଜାଣିବାରେ ଆମ ଦୁହିଁଙ୍କ ଆଗ୍ରହ ଯୋଗୁଁ ଛୁଟିରେ ପ୍ରାୟ ଛୋଟ ବଡ଼ ଅଜଣା ଐତିହ୍ୟକୁ ବୁଲିବାକୁ ଯାଉ ଓ ନିଜ ରାଜ୍ୟକୁ ଖୁବ ନିବିଡ଼ ଭାବରେ ଜାଣିବାର ଚେଷ୍ଟା କରୁ।
ମୁଁ ଝିଅ ଥିଲା ବେଳେ ଆମ ଘରେ ଠାକୁରଙ୍କ ପାଖରେ ବାରମାସରେ ଯେତେ ପୂଜାପର୍ଵ ଥାଏ ବୋଉ ନିଜେ କରେ ଓ କେବେକେବେ ନନା ଆସି ସଂକ୍ରାନ୍ତି ହୋମ ଯଜ୍ଞ ମଧ୍ୟ ଘରେ କରନ୍ତି। କିନ୍ତୁ ଆମକୁ କୌଣସି ଓଷା ବାର ବ୍ରତ କରିବାକୁ ବୋଉ କେବେ ବି ବାଧ୍ୟ କରେ ନାହିଁ।
:- ମୁଁ ତ ମୋ ଛୁଆମାନଙ୍କ ପାଇଁ ପୂଜା କରୁଛି। ତୁମେମାନେ ବଡ଼ ହେଲେ ତୁମ ପିଲାମାନଙ୍କ ପାଇଁ କରିବ। ଏବେ ଏ ସବୁ କିଛି କରିବା ଜରୁରୀ ନୁହେଁ।
ମୋ ଜେଜେବାପା ବି ପୂଜାପର୍ବ ଦିନରେ ଆମ ନାଗୁଆ ମାଛ ବାଲାକୁ କହିବେ, ଆରେ ଶୁଣୁ କାଲି ଆମ ଛୁଆଙ୍କର ପୂଜା ଅଛି। ତେଣୁ ଭଲ ଅରୁଆ ଚିଙ୍ଗୁଡ଼ି ଆଣିବୁ।
ଆମେ ବି ସତରେ ଭାବୁ ପୂଜା ପର୍ବରେ ଅରୁଆ ଚିଙ୍ଗୁଡ଼ି ଖାଆନ୍ତି। ଜେଜେ ମାଆ ଗାରୁଗାରୁ ହେଉଥାଏ।
ସତକୁ ସତ ଖୁଦୁରୁକୁଣୀ ପୂଜା ସାରି ପୁଷ୍ପାଞ୍ଜଳି ଦେଇ ସାରିଲେ ବାପା କୁହନ୍ତି ଏଥର ପୂଜା ସରିଲା। ଏବେ ତୁମେ ଆଇଁସ ଖାଇ ପାରିବ।
ଆମେ ସବୁ ମଧ୍ୟ ବଡ଼ ଖୁସିରେ ବାପା ଓ ଜେଜେଙ୍କ ସହିତ ବସି ଚକା ପକେଇ ମାଛ ମାଂସ ଯାହା ବି ହୋଇଥାଏ ଖାଉ। ଏବେ ଏ ସବୁ ଭାବିଲେ କେତେ ଖୁସି ଆଉ ହସ ଲାଗେ ମଧ୍ୟ।
ଜେଜେମାଆ ବେଳେବେଳେ ବୋଉକୁ କହେ, ଆଲୋ ଝିଅ ପିଲା ଗୁଡ଼ାକ .. ପୂଜା ପାଠ, ରୋଷେଇ ଆଉ ଘର କାମ ଟିକେ ଶିଖାଉନୁ।
ମନେ ଅଛି ମୋ ବୋଉ ଜେଜେ ମାଆକୁ କହେ, ହଁ ମ ବୋଉ..ପାଠ ପରି ଅସାଧ୍ୟ ଜିନିଷକୁ ମୋ ଝିଅ ସାଧ୍ୟ କରିପାରୁଛି। ରୋଷେଇ ଆଉ ଏମିତି କେତେ ବଡ଼ କାମ କି ସିଏ କରି ପାରିବନି? ଶିଖିବା କଣ ଦରକାର? ଦରକାର ପଡ଼ିଲେ ସବୁ କାମ କରି ପାରିବେ।
ସତକୁ ସତ ବାପାବୋଉ ଆମକୁ କେମିତି ବଢ଼େଇ ଥିଲେ କେଜାଣି ପ୍ରାଚୁର୍ଯ୍ୟ ମଧ୍ୟରେ ବଢ଼ି ମଧ୍ୟ ଆମେ ସବୁ ଭାଇ ଭଉଣୀମାନେ ଜୋତା ସିଲେଇଠାରୁ ଆରମ୍ଭ କରି ଚଣ୍ଡୀ ପାଠ ଯାଏ ଯେ କୌଣସି କାମକୁ କେବେ ଆସେନି ବୋଲି କହିନୁ।
ରକ୍ଷଣଶୀଳ ପରିବାରରେ ମଧ୍ୟ ସ୍ୱାଧୀନଚେତା ଭାବରେ ବଢ଼ିବାର ଏକ ପରିବେଶ ଥିଲା ଆମ ଘରେ। ଯୌଥ ପରିବାରର ଏ ଏକ ମହନୀୟ ଦିଗ।
ସେଦିନ କାହିଁକି ମନ ହେଲା ଯାଏ ଟିକେ ଠାକୁରଙ୍କ ଦର୍ଶନ କରି ଦେଇ ଆସେ।
ମନ୍ଦିର ଭିତରକୁ ପଶିଲା ବେଳଠାରୁ ଆଗରେ ପଛରେ ନନାମାନେ ଏମିତି ଘେରିକି ରହୁଥାଆନ୍ତି ଯେ ନା ଟିକେ ଭଲ କି ଦର୍ଶନ କରି ହେଲା ନା କିଛି ମନ୍ତ୍ର ଉଚ୍ଚାରଣ କରିବାକୁ ମନେ ପଡ଼ିଲା।
ଏ ଭିତରେ ଠାକୁର ଦର୍ଶନ କରିବାର ସାତ୍ତ୍ଵିକ ମନଟି ମୋର ବିରକ୍ତିରେ ପରିଣତ ହୋଇ ସାରିଥିଲା। କେମିତି ମନ୍ଦିର ଭିତରୁ ବାହାରିବି ସେଇଆ ଭାବୁଥିଲି।
ନନା ଜଣକ ମଧ୍ୟ ମୋ ଚାରିପଟେ ବୁଲି ବୁଲି ହତାଶ ହୋଇ ପଡ଼ିଲେଣି ବୋଧେ।
ବିରକ୍ତ ଲାଗୁଥିଲେ ମଧ୍ୟ ପର୍ସରୁ କୋଡ଼ିଏଟି ଟଙ୍କା ବାହାର କରି ତାଙ୍କ ହାତକୁ ବଢ଼ାଇ ଦେଇ କହିଲି, ନନା ଯିଏ ଭକ୍ତ ଆସିବେ ତାଙ୍କୁ ଟିକେ ଆଗ ଶାନ୍ତିରେ ଦର୍ଶନ କରିବାକୁ ଦିଅନ୍ତୁ। ପରେ ଭକ୍ତମାନେ ଖୁସିରେ ଆପଣଙ୍କୁ ଯାହା ଦକ୍ଷିଣା ଦେବେ। ଆପଣ ତ ଟିକେ ଭଲରେ ଦର୍ଶନ ବି କରେଇ ଦେଉ ନାହାନ୍ତି।
ସେ ନନା କିଛି ନ କହି ପଇସା ନେଇ ଚାଲିଗଲେ।
ମନ୍ଦିର ବାହାରକୁ ଆସୁ ଆସୁ ଆଉ ଜଣେ ନନା ବଡ଼ ପାଟି କରି କହୁଥିଲେ, ଏ ମାଆ..ଏ ମାଆ ..ମୋତେ ବି ଦକ୍ଷିଣା ଦେଇକି ଯାଅ।
ମୁଁ କିଛି ନ କହି ଆଗକୁ ବଢିଲି।
ପଛ ଆଡୁ ଶୁଭିଲା, ହଉ ହଉ ଯାଉ ଥା, ଘରେ ପହଞ୍ଚିଲା ବେଳକୁ ତୋ ହାତରେ ଶଙ୍ଖା ନା ମୁଣ୍ଡରେ ସିନ୍ଦୂର ଥିବ...
ପାଦ ତଳୁ ମାଟି ଖସି ଗଲା ପରି ଲାଗିଲା.. ହସିବି ନା କାନ୍ଦିବି ଜାଣି ପାରିଲିନି। ଦେହଟା ଭୟ କି ରାଗରେ ଥରୁଥାଏ ଜାଣି ପାରୁ ନ ଥାଏ।
ବୁଲି ପଡ଼ି ଅନେଇ କହିଲି, ହଉ ନନା ତୁମେ ତ ଠାକୁରଙ୍କ ପୂଜକ ନା ତେଣୁ ତୁମ କଥା ବି ଠାକୁର ବୁଝିବେ ଯେ..
ଏକା ନିଃଶ୍ୱାସରେ ମନ୍ଦିରରୁ ବାହାରି ଆସି ଗାଡ଼ିରେ ବସି ପଡ଼ିଲି। ଦେହଟା ସମ୍ପୂର୍ଣ୍ଣ ଝାଳରେ ଜୁଡୁ ବୁଡୁ। ମୁଣ୍ଡ କାନ ସବୁ ଭାଁ ଭାଁ କରୁଥାଏ।
ନିଜକୁ ବୁଝେଇ ପାରୁ ନ ଥାଏ। ନନାକୁ ଦୋଷ ନ ଦେଇ ଭାବୁଥାଏ ମୋର ଭୁଲ କେଉଁଠି ରହିଲା ଯେ ସେ ନନାଟା ଏତେବଡ଼ କଥାଟା କହିଦେଲା?
କେଉଁ କାମରେ ଯାଇଥିଲି କେମିତି ସେ କାମ ଠିକରେ ସାରିଛି କି ନାହିଁ ମନେ ନାହିଁ। ଘରକୁ କେମିତି ଫେରିବି ବାଟ ପାଇଲିନି। ଘରେ ପହଁଚି ଠାକୁର ଘରେ ପଶି ମୋ ଠାକୁରଙ୍କୁ ଅନେଇ ଚୁପଚାପ ବହୁତ ସମୟ ବସି ରହିଲି।
ସ୍ୱାମୀ ଅଫିସରୁ ଫେରିଲା ପରେ ସବୁ ଘଟଣା କହିଲି।
ଅଜୟ ଏକଦମ ହାଲକାରେ ହସି ଦେଇ କହିଲେ, ତୁମେ ତାକୁ କହିଲନି ତୁମର ସବୁକଥା ଯଦି ଏମିତି ସତ ହେଇ ଯାଉଛି ତେବେ ପ୍ରଥମେ ତୁମେ ତୁମ ପାଇଁ ଠାକୁରଙ୍କୁ କିଛି ମାଗ!
ଜାଣିନି କେତେ ଦିନ ସେ ଯନ୍ତ୍ରଣା ମୋ ମନ ଭିତରେ ରହିଥିଲା କେଜାଣି!
ଆଜିକାଲି ମନ୍ଦିର ଭିତରେ ନାବାଳିକାକୁ ଯୌନ ନିର୍ଯ୍ୟାତନା, ଧର୍ମ ନାମରେ ଶୋଷଣ ପରି ଘଟଣା ସବୁ ଘଟି ଚାଲିଛି।
କେତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି ତଥାପି ଏମିତି ଘଟଣା ଘଟି ଚାଲିଛି।
ଏବେର ସକ୍ରିୟ ଗଣମାଧ୍ୟମ ଜରିଆରେ ଅନେକ ଲୋକଲୋଚନକୁ ଆସୁଛି ଆଉ କିଛି ଆସି ପାରୁ ନାହିଁ। ତେବେ ଏ ସବୁର ଅନ୍ତ କେବେ? ନା ଏହାର ଅନ୍ତ ନାହିଁ?
ଅଶ୍ଳୀଳତା ମନୁଷ୍ୟର ଏକ ମାନସିକତା ଏବଂ କୁସଂସ୍କାରର ପରିଣାମ। ମାନସିକତାର ପରିବର୍ତ୍ତନ ଏତେ ସହଜ ନୁହେଁ। କୁତ୍ସିତ ମାନସିକତାର ପରିବର୍ତ୍ତନ ପାଇଁ ଲୋଡ଼ା ଦୃଢ଼, କଠୋର ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ।
ଏ ସବୁ ପାଇଁ ନୀତି ନିର୍ଦ୍ଧାରଣରେ ଏବଂ ଆଇନର ଗଳା ବାଟକୁ ବନ୍ଦ କରିବା ପାଇଁ ଗବେଷଣାତ୍ମକ ସଂଶୋଧନ ନିତ୍ୟାନ୍ତ ଆବଶ୍ୟକ।
ପୋଲିସ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ପ୍ରଶିକ୍ଷଣ, ସଚେତନତା ସୃଷ୍ଟି ହେବା ଜରୁରୀ ହୋଇ ପଡ଼ିଛି।
ପରସ୍ପରକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଦୋଷାରୋପ କରିବାରୁ ନିବୃତ୍ତ ରହି ପ୍ରତ୍ୟେକ ବ୍ୟକ୍ତି ନିଜର ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟକୁ ସୂଚାରୁରୂପେ ପାଳନ କରିବା ଆଜି ସମୟର ଆହ୍ୱାନ ହୋଇଛି।
ପ୍ରତିବାଦର ସ୍ୱର ଆହୁରି ଶାଣିତ ଓ ସ୍ପଷ୍ଟ ହେବା ଦରକାର। ପ୍ରତିବାଦର ଅର୍ଥ ନୁହେଁ ଅନ୍ୟକୁ ଆକ୍ଷେପ କରିବା।
ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା।
ଆବଶ୍ୟକ ସ୍ଥଳେ ଅନ୍ୟାୟକୁ ବିରୋଧ କରିବା ଏବଂ ପୀଡ଼ିତକୁ ମାନସିକ ଶକ୍ତି ସାହସ ଯୋଗାଇବା ସହିତ ଉପଯୁକ୍ତ ପରାମର୍ଶ ଦେବା ଏ ସବୁ ପ୍ରତ୍ୟେକ ନାଗରିକରେ କର୍ତ୍ତବ୍ୟ ଓ ଦାୟିତ୍ୱ ହେବା ଉଚିତ।
ଆମର ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ସୁରକ୍ଷିତ ସମାଜ ଗଢ଼ିବାର ଦାୟିତ୍ୱ ମୋର, ଆପଣଙ୍କର ଏବଂ ଆମ ସମସ୍ତଙ୍କର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।