ଜେପି ଓ ଆନ୍ନାଙ୍କ ପରି ହୋଇପାରେ ବେକାରୀ ବିରୋଧୀ ଆନ୍ଦୋଳନ

ରବି ଦାସ ରେଳ ଚାକିରି ପାଇଁ ଆଶା ବାନ୍ଧିଥିବା ଛାତ୍ରଛାତ୍ରୀ ବା ଯୁବକଯୁବତୀମାନେ ରେଳବାଇର ନନ୍‌ ଟେକ୍‌ନିକାଲ୍‌ ପପୁଲାର୍‌ କ୍ୟାଟେଗୋରିଜ୍‌ (ଏନ୍‌ଟିପିସି) ପ୍ରଥମ ପରୀକ୍ଷା ଫଳାଫଳ ପରେ ଯେଉଁ ଧରଣର ଅସନ୍ତୋଷ ବ୍ୟକ୍ତ କରି କେତେକ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି ତାହା ଭାରତରେ ବେକାରୀ ବିରୋଧୀ ଏକ ଆନ୍ଦୋଳନ ପାଇଁ ପୃଷ୍ଠଭୂମି ଗଢ଼ି ତୋଳିବାର ସମ୍ଭାବନା ଦେଖାଦେଇଛି। ଏହା ଯେକେହି ସ୍ୱୀକାର କରିବେ ଯେ, ଗତ କେତେବର୍ଷ ହେଲା ଭାରତରେ ବେକାରୀ ସ୍ତର ଦ୍ରୁତଗତିରେ ବୃଦ୍ଧି […]

Protest

Protest

Debendra Prusty
  • Published: Friday, 28 January 2022
  • Updated: 28 January 2022, 03:00 PM IST
  • ରବି ଦାସ

ରେଳ ଚାକିରି ପାଇଁ ଆଶା ବାନ୍ଧିଥିବା ଛାତ୍ରଛାତ୍ରୀ ବା ଯୁବକଯୁବତୀମାନେ ରେଳବାଇର ନନ୍‌ ଟେକ୍‌ନିକାଲ୍‌ ପପୁଲାର୍‌ କ୍ୟାଟେଗୋରିଜ୍‌ (ଏନ୍‌ଟିପିସି) ପ୍ରଥମ ପରୀକ୍ଷା ଫଳାଫଳ ପରେ ଯେଉଁ ଧରଣର ଅସନ୍ତୋଷ ବ୍ୟକ୍ତ କରି କେତେକ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି ତାହା ଭାରତରେ ବେକାରୀ ବିରୋଧୀ ଏକ ଆନ୍ଦୋଳନ ପାଇଁ ପୃଷ୍ଠଭୂମି ଗଢ଼ି ତୋଳିବାର ସମ୍ଭାବନା ଦେଖାଦେଇଛି। ଏହା ଯେକେହି ସ୍ୱୀକାର କରିବେ ଯେ, ଗତ କେତେବର୍ଷ ହେଲା ଭାରତରେ ବେକାରୀ ସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସାମୂହିକ ଭାବରେ ବେକାରୀ ହାର ୬.୭୩ ଥିଲା ବେଳେ ସହରାଂଚଳରେ ଶତକଡ଼ା ୮.୨୬ ଭାଗ ରହିଛି। କିନ୍ତୁ ଏହି ବେକାରୀ ହାର ତୁଳନାରେ ଶିକ୍ଷିତ ଯୁବକ ଯୁବତୀମାନଙ୍କର ଦରମାପ୍ରାପ୍ତ ଚାକିରି ପାଇଁ ଯେଉଁ ଆଗ୍ରହ ରହିଛି ତାହା ଅଧିକ ଉତ୍କଟ ହୋଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ର ପ୍ରଥମ କ୍ୱାର୍ଟରରେ ପ୍ରକାଶିତ ତଥ୍ୟ ଅନୁସାରେ ପୂର୍ବବର୍ଷର ସେହି ସମୟରେ ପ୍ରକାଶିତ ଦରମା ଭିତ୍ତିକ ଚାକିରି ହାର ଶତକଡ଼ା ୨.୪ ଭାଗ କମିଯାଇ ଶତକଡ଼ା ୪୮.୧ ଭାଗରେ ପହଁଚିଛି। ଅର୍ଥାତ୍ ଏହି ବର୍ଗର ଶତକଡ଼ା ୫୨ ଭାଗ ପିଲାଙ୍କ ହାତରେ କୌଣସି ଦରମାଭିତ୍ତିକ ଚାକିରି ନାହିଁ। ବିଶେଷ ଭାବରେ ୨୯ ବର୍ଷ ବୟସ ମଧ୍ୟରେ ଥିବା ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ଚାକିରି ଶତକଡ଼ା ୩୮.୪ ଭାଗକୁ କମିଯାଇଛି। ଅର୍ଥାତ୍ ଏହି ବର୍ଗରେ ପ୍ରାୟ ୬୨.୬ ଭାଗ ପିଲାଙ୍କ ପାଖରେ କୌଣସି ଦରମା ଭିତ୍ତିକ ଚାକିରି ନାହିଁ। ଏହି ହାର ମଧ୍ୟ ପୂର୍ବବର୍ଷ ତୁଳନାରେ ଶତକଡ଼ା ୧.୧ଭାଗ କମ୍। ଭାରତର ଅଧିକାଂଶ ରାଜ୍ୟରେ ଏହି ଅବସ୍ଥା ଥିବା ସମୟରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରେ ଏହି ସମସ୍ୟା ଅଧିକ ଉତ୍କଟ। ବିହାରରେ ୪ ଜଣ ଶିକ୍ଷିତ ଯୁବକଯୁବତୀ ଭିତରେ ମାତ୍ର ଜଣେ ଦରମାପ୍ରାପ୍ତ ଚାକିରି ପାଇପାରୁଛନ୍ତି।

ବେକାରୀ ହାର ବୃଦ୍ଧି ପ୍ରତିବର୍ଷ ବଢ଼ୁଥିବା ଦୃଷ୍ଟିରୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବକଯୁବତୀମାନଙ୍କ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ଭାବରେ ବିଚାର କରାଯାଇ ସରକାରୀ ବିରୋଧୀ ବାତାବରଣ ଯେପରି ନଘଟେ ସେଥିପାଇଁ ଭାରତ ବର୍ଷର ସବୁଠାରୁ ଅଧିକ ନିଯୁକ୍ତିଦାତା ଭାବେ ବିବେଚିତ ରେଳ ବିଭାଗରେ ୪ ଲକ୍ଷ ଯୁବକଯୁବତୀଙ୍କୁ ଚାକିରି ଦିଆଯିବ ବୋଲି ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଥିଲେ। ସେହି ଅନୁସାରେ ଦୁଇଟି ନିଯୁକ୍ତି ବିଜ୍ଞାପନ ୨୦୧୯ ମସିହାରେ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିଲା। ଗୋଟିଏ ବିଜ୍ଞାପନରେ ୩୫ ହଜାର ୨୮୧ ଲୋକଙ୍କ ନିଯୁକ୍ତି ପାଇଁ ଏନ୍‌ଟିପିସି ଅର୍ଥାତ୍ ନନ୍‌ଟେକ୍‌ନିକାଲ ପପୁଲାର କ୍ୟାଟେଗୋରୀରେ ଚାକିରି ନିମନ୍ତେ ବିଜ୍ଞାପନରେ ଉଲ୍ଲେଖ ଥିଲା। ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ବର୍ଗରେ ଆଉ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ଦୁଇ କ୍ୟାଟେଗୋରୀରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଚାକିରି ପାଇଁ ଆବେଦନ କରିଥିଲେ। ଏହି ବର୍ଗରେ ଏନ୍‌ଟିପିସି ନିମନ୍ତେ ସର୍ବନିମ୍ନ ଗ୍ରାଜୁଏଟ୍ ପାସ କରିଥିବା ଯୁବକଯୁବତୀମାନେ ଆବେଦନ କରିଥିଲେ।

ଏହି ପରୀକ୍ଷା ପାଇଁ କୋଚିଂ ଦେବା ଉଦ୍ଦେଶ୍ୟରେ ବେକାରୀ ଉତ୍କଟ ଆକାର ଧାରଣ କରିଥିବା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପ୍ରଭୃତି ରାଜ୍ୟରେ ଶିକ୍ଷିତ ଯୁବକଯୁବତୀମାନେ ଘରୁ ଜମିବାଡ଼ି ବିକ୍ରି କରି କୋଚିଂ ସେଂଟରରେ ଆସି ନିଜକୁ ପ୍ରସ୍ତୁତ କରୁଥିଲେ। କିନ୍ତୁ ଏହି ପରୀକ୍ଷା ମଧ୍ୟ ଦୁଇବର୍ଷ ପରେ ନହେବାରୁ ଗତ ଅକ୍ଟୋବର ମାସରେ ଆଶାୟୀ ଯୁବକଯୁବତୀମାନେ କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କଲାପରେ ଏହି ପରୀକ୍ଷା କରାଯାଇଥିଲା। କରୋନା କାଳ ଯୋଗୁ ସଂପୂର୍ଣ୍ଣ ପରୀକ୍ଷା କମ୍ପ୍ୟୁଟର ଆଧାରିତ ବ୍ୟବସ୍ଥାରେ କରାଯାଇଥିଲା। ଏହି ପରୀକ୍ଷାର ଫଳାଫଳ ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ପ୍ରକାଶିତ ହେଲାପରେ ସେଥିରେ ଯେତିକି ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା ତାହାର ୯ ଗୁଣ ପିଲା ଏଥିରେ ପାସ୍ କରିଥିବା ପ୍ରକାଶ ପାଇଲା। ତାହା ସହିତ କୁହାଗଲା ଯେ, ପ୍ରଥମ ପରୀକ୍ଷାରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଫେବୃଆରୀ ମାସରେ ଦ୍ୱିତୀୟ ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ଆହୁରି ମଧ୍ୟ ଜଣାପଡ଼ିଲା ଯେ, ଜଣେ ଜଣେ ଯୋଗ୍ୟ ଛାତ୍ର ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ଅଲଗା  ଅଲଗା ଭାବରେ ଚିହ୍ନଟ ନକରି ଦ୍ୱିତୀୟ ପରୀକ୍ଷା ହେବ ବୋଲି ପ୍ରକାଶ କରିଦିଆଗଲା।

ଯେଉଁ ଆବେଦନ ପାଇଁ ଛାତ୍ରଛାତ୍ରୀ ୨୦୧୯ରେ ଆବେଦନ କରିଥିଲେ ତାହାର ପରୀକ୍ଷା ଫଳ ୨୦୨୨ରେ ପ୍ରକାଶ ପରେ ପୁଣି ଦ୍ୱିତୀୟ ପରୀକ୍ଷା କରାଯିବ ବୋଲି କୁହାଯିବାରୁ ଛାତ୍ରଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ସେମାନଙ୍କର ପ୍ରତିବାଦ ଟ୍ୱିଟର ମାଧ୍ୟମରେ ରେଳ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ତାହାର କୌଣସି ସମାଧାନ ନହେବାରୁ ଗତ ୨୫ ତାରିଖ ଦିନ ବିହାରର ପାଟନାରେ ଛାତ୍ରଛାତ୍ରୀମାନେ ଷ୍ଟେସନ ନିକଟରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟ୍ରେନ୍ ସବୁ ଅଟକାଇଥିଲେ। ସ୍ୱାଭାବିକ ଭାବରେ ପୋଲିସ ଲାଠି ଚାର୍ଜ କରି ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇ ଦେଲା ପରେ ମଧ୍ୟ ବିହାରର ଅନ୍ୟ ସ୍ଥାନମାନଙ୍କରେ ଆଶାୟୀ ଛାତ୍ରଛାତ୍ରୀମାନେ ରେଳ ଷ୍ଟେସନଗୁଡ଼ିକରେ ଓ ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୟାରେ ଏହି ଛାତ୍ରଛାତ୍ରୀମାନେ ବା ସେମାନଙ୍କ ସହିତ ମିଶି କେତେକ ଦୁର୍ବୃତ୍ତ ରେଳ ବଗିରେ ନିଆଁ ଲଗାଇଦେବା ଓ ରେଳ ଲାଇନ୍ ତାଡ଼ିଦେବା ପ୍ରଭୃତି କାର୍ଯ୍ୟ ଯେପରି କଲେ ତାହା ସଂପୂର୍ଣ୍ଣ ଭାବରେ ଏକ ହିଂସାତ୍ମକ ଆନ୍ଦୋଳନରେ ପରିଣତ କରିଦେଲା। ଏହି ଆନ୍ଦୋଳନର ପ୍ରଭାବ ଉତ୍ତରପ୍ରଦେଶର ପ୍ରୟାଗରାଜ ବା ଆହ୍ଲାବାଦରେ ମଧ୍ୟ ଜୋରଦାର ଅନୁଭୂତ ହେଲା। କାରଣ ଉତ୍ତରପ୍ରଦେଶର ଓ ବିଶେଷ ଭାବରେ ପୂର୍ବାଂଚଳରେ ଛାତ୍ରଛାତ୍ରୀମାନେ ଏହିସବୁ ପରୀକ୍ଷା ଦେବା ପାଇଁ ଆହ୍ଲାବାଦରେ ଆସି କୋଚିଂ ସେଂଟରରେ ଅଧ୍ୟୟନ କରନ୍ତି। କିନ୍ତୁ ସେମାନେ ଆନ୍ଦୋଳନକୁ ଆସିଯିବା ପରେ ସେଠାରେ ଏବେ ବିଧାନସଭା ନିର୍ବାଚନ ଚାଲିଥିବାରୁ ପୋଲିସ ଅତ୍ୟନ୍ତ ନିଷ୍ଠୁର ଭାବରେ ଏହି ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରିଥିଲା। ଏପରିକି ଏହି ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ ବା ଲଜିଂ ସେଂଟରରେ ପୋଲିସ ପଶି ଛାତ୍ରଛାତ୍ରୀମାନଙ୍କୁ କବାଟ ଭାଙ୍ଗି ବାଡ଼ଉଥିବାର ଭିଡିଓ ସାଧାରଣତନ୍ତ୍ର ଦିବସରେ ପ୍ରକାଶିତ ହେବାରୁ ପରିସ୍ଥିତି ଭୟାନକ ହୋଇଛି।

ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ହିଂସାତ୍ମକ କରିବାରୁ କେନ୍ଦ୍ର ରେଳମନ୍ତ୍ରୀ ପରୀକ୍ଷା ଜନିତ ତ୍ରୁଟିର ସମାଧାନ ପାଇଁ ଏକ କମିଟି ଗଠନ କରିବା ସହିତ ଆସନ୍ତା ମାସରେ ହେବାକୁ ଥିବା ଦ୍ୱିତୀୟ ପରୀକ୍ଷାକୁ ବନ୍ଦ କରିଦେଇଛନ୍ତି। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ହିଂସାତ୍ମକ ଆଚରଣରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କର ଭିଡିଓ ସବୁ ସଂଗ୍ରହ କରାଯାଇ ସେହି ଛାତ୍ରଛାତ୍ରୀମାନଙ୍କୁ କେବେବି ରେଲୱେରେ ଚାକିରି ଦିଆଯିବ ନାହିଁ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କର ଏହି ବକ୍ତବ୍ୟ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଉତ୍ତେଜିତ କରିଛି। ଯଦିଓ ହିଂସାତ୍ମକ ଆନ୍ଦୋଳନ ଦୁଇଦିନ ଭିତରେ ବନ୍ଦ ହୋଇଯାଇଛି କିନ୍ତୁ ଏହି ଆନ୍ଦୋଳନରେ ଲିପ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଶହ ଶହ ଛାତ୍ରଛାତ୍ରୀଙ୍କ ବିରୋଧରେ ହୋଇଥିବା ମାମଲାରେ ନିର୍ଦ୍ଦିଷ୍ଟ ଭାବରେ ନାମ ମଧ୍ୟ ନାହିଁ। କିନ୍ତୁ ଛାତ୍ରମାନଙ୍କୁ କୋଚିଂ ଦେଉଥିବା ୬ଟି କୋଚିଂ ସେଂଟରର ଶିକ୍ଷକମାନଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରାଯାଇଛି। ଏହି ଶିକ୍ଷକମାନଙ୍କ ବିରୋଧରେ ଅଭିଯୋଗ ହେଲା ଯେ, ସେମାନେ ଛାତ୍ରଛାତ୍ରୀମାନଙ୍କୁ ବିକ୍ଷୋଭ କରିବା ପାଇଁ ଉତ୍ସାହିତ କରିଛନ୍ତି। ଯଦିଓ ଏହି ଶିକ୍ଷକମାନେ କହୁଛନ୍ତି ଯେ, ସାଧାରଣ ସଂପତ୍ତି ନଷ୍ଟ ନକରିବା ପାଇଁ ସେମାନେ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ଶିକ୍ଷକମାନଙ୍କ ବିରୋଧରେ ମାମଲା ହୋଇଛି ସେମାନେ ସମସ୍ତେ ଛାତ୍ରଛାତ୍ରୀଙ୍କ ଭିତରେ ବେଶ୍ ଲୋକପ୍ରିୟ। ଛାତ୍ରଛାତ୍ରୀମାନଙ୍କର ସେମାନଙ୍କ ପ୍ରତି ଯଥେଷ୍ଟ ଆସ୍ଥା ଓ ବିଶ୍ୱାସ ରହିଛି। ବିହାରର ବିଭିନ୍ନ ସ୍ଥାନରେ ଏହି ବିକ୍ଷୋଭ ହୋଇଥିବାରୁ ପାଟନା, ନୱାଡ଼ା, ଭୋଜପୁର, ସୀତାମାଢ଼ି, ବକ୍ସର, ମୁଜାଫରପୁର ପ୍ରଭୃତି ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏହି ପରିସ୍ଥିତିକୁ ଦେଖି ବିହାରରେ ସକ୍ରିୟ ଥିବା ସିପିଆଇ(ଏମ୍ଏଲ୍)ର ଛାତ୍ର ସଂଗଠନ ‘ଆୟିସା’ ପକ୍ଷରୁ ୨୮ ତାରିଖରେ ଯେଉଁ ବିହାର ବନ୍ଦ ଆହ୍ୱାନ ଦିଆଯାଇଥିଲା ତାହାକୁ ବିହାରର ସବୁ ଦଳ ସମର୍ଥନ କରିଥିବାରୁ ତାହା ସଫଳ ମଧ୍ୟ ହୋଇଛି।

ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ପିଲା ଏନ୍‌ଟିପିସି ନିମନ୍ତେ ଆବେଦନ କରିଥିଲେ ମଧ୍ୟ ବାସ୍ତବରେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କ୍ରମରେ ଯେଉଁ ୩୫ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ପ୍ରାର୍ଥୀ ମନୋନୀତ ହେବା କଥା ସେମାନଙ୍କର ଦରମା ୧୯,୯୦୦ ଟଙ୍କାରୁ ୩୫,୪୦୦ ଟଙ୍କା। ଏଥିରେ ଷ୍ଟେସନ ମାଷ୍ଟରଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ବିଭିନ୍ନ ଚାକିରି ପାଇଁ ବ୍ୟବସ୍ଥା ରହିଛି। ଯେହେତୁ ଦରମାପ୍ରାପ୍ତ ଚାକିରି ପାଇଁ ଶିକ୍ଷିତ ଯୁବକଯୁବତୀମାନଙ୍କ ଭିତରେ ଆଗ୍ରହ ଅଧିକ ଓ କ୍ରମାଗତ ଭାବରେ ସରକାରୀ ଉଦ୍ୟୋଗ ସବୁ ଘରୋଇକରଣ କରାଯାଉଛି ସେହେତୁ ଯେଉଁ ଚାକିରିର ଯେଉଁଠାରେ ସରକାରୀ ବିଜ୍ଞାପନ ପ୍ରକାଶ ପାଉଛି ସେଠାରେ ଯେତିକି ଆବଶ୍ୟକ ତା’ର ଶହେଗୁଣ ପିଲା ଆବେଦନ କରୁଛନ୍ତି। ସରକାରୀ ଓ ସରକାରୀ ଉଦ୍ୟୋଗ ଚାକିରି କମୁଥିବା ସମୟରେ ଅଧିକାଂଶ ଶିକ୍ଷିତ ଯୁବକଯୁବତୀ କାଜୁଆଲ ଶ୍ରମିକ ଭାବେ ବା ନିଜ ଉଦ୍ୟମରେ ଦୋକାନ ବଜାର ଦେଇ ଚଳିବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କ ଭିତରେ କ୍ରମାଗତ ଅସନ୍ତୋଷ ସୃଷ୍ଟି କରୁଛି।

ଏହି ଅସନ୍ତୋଷ କିପରି ଉତ୍କଟ ହୋଇଛି ତାହା ରେଲୱେ ରିକ୍ରୁ୍ଟମେଂଟ ପରୀକ୍ଷା ଫଳାଫଳ ଜନିତ ପ୍ରତକ୍ରିୟାରୁ ଜଣାପଡ଼ିବା ପରେ ଏହାକୁ ଆଧାର କରି ଭାରତରେ ଏକ ବେକାରୀ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିବାର ପୂର୍ଣ୍ଣ ସମ୍ଭାବନା ରହିଛି। ଯେପରି ଅତୀତରେ ରାଜନୈତିକ ଭ୍ରଷ୍ଟାଚାର ବିରୋଧରେ ଜୟପ୍ରକାଶଙ୍କ ଆନ୍ଦୋଳନ ହୋଇଥିଲା ଓ ଯେପରି ଆନ୍ନାଙ୍କ ନେତୃତ୍ୱରେ ପ୍ରଶାସନିକ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା ସେହିପରି ଏକ ପରିବେଶ ଦେଶରେ ଦେଖାଦେଇଛି। ଗତ କିଛି ବର୍ଷ ଭିତରେ ଓ ବିଶେଷ ଭାବରେ କରୋନା କାଳରେ ଭାରତରେ ଅରବପତିମାନଙ୍କର ସଂଖ୍ୟା ବଢ଼ିଛି ଓ ଗରିବ ଦରିଦ୍ର ଶ୍ରେଣୀର ଆୟ କମିଯାଇ ଆର୍ଥିକ ଅସମାନତାର ଯେଉଁ ବିରାଟ ପାଚେରୀ ଛିଡ଼ା ହୋଇଛି ତାହାର ସମାଧାନ ପାଇଁ ଫେବୃଆରୀ ୧ରେ ଆଗତ ହେବାକୁ ଥିବା ବଜେଟରେ କି ବ୍ୟବସ୍ଥା କରାଯାଉଛି ତାହା ଉପରେ ବହୁତ କିଛି ନିର୍ଭର କରିବ। ଅକ୍ସଫାମ୍ ରିପୋର୍ଟରେ ଅସମାନତାର ଏହି ଚିତ୍ର ଅତ୍ୟନ୍ତ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos