ବାତ୍ୟା ରୋକିବ ସବୁଜ ପ୍ରାଚୀର, ସରକାର ଜାଣନ୍ତି କି?

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ୩/୪ କି.ମି. ଚଉଡ଼ାର ପ୍ରାକୃତିକ ପ୍ରାଚୀର ନିର୍ମାଣ କଲେ ଅର୍ଥାତ୍ ସବୁଜ ପ୍ରାଚୀର ଛିଡ଼ା କରାଇଲେ ଅନେକ ଭାବରେ ସାମୁଦ୍ରିକ ବାତ୍ୟା ବା ଝଡ଼ର ପ୍ରକୋପ କମିବ ଓ ଲୁଣି ପାଣି ଜମିରେ ପ୍ରବେଶ କରିବ ନାହିଁ।

  • ପଞ୍ଚାନନ କାନୁନ୍‌ଗୋ

ଏବେ ରାଜ୍ୟରେ ମନ୍ଦିର ମିଶନ ଆରମ୍ଭ ହୋଇଛି। ଆଳୁ ମିଶନ ପ୍ରଭୃତି ଆଦୌ ସଫଳ ହୋଇ ନଥିବାବେଳେ ଏହି ମନ୍ଦିର ମିଶନ ଭଲଭାବେ କାର୍ଯ୍ୟକାରୀ ହେଉଥିବା ଲୋକେ ଲକ୍ଷ୍ୟ କରୁଛନ୍ତି। ତେବେ ରାଜ୍ୟର ସବୁଠାରୁ ବଡ଼ ଆବଶ୍ୟକତା ଉପରେ ନଜର ଦେବାର ପ୍ରାଥମିକତା ଥିବା ପରି ମନେହୁଏ ନାହିଁ। କେନ୍ଦ୍ର ସରକାରଙ୍କ ଅଦ୍‌ଭୁତ ଖିଆଲରେ ଦୁଇଟି ବିରାଟ ପରିକଳ୍ପନା ମୁଣ୍ଡଟେକି ଉଠିଛି। ଗୋଟିଏ ହେଉଛି ‘ଗଙ୍ଗା’ରୁ ‘ଗୋଦାବରୀ’ ନଦୀ ସଂଯୋଗିକରଣ ଓ ଅନ୍ୟଟି ହେଉଛି ‘ଦିଘା’ରୁ ଗୋପାଳପୁର ପର୍ଯ୍ୟନ୍ତ ସମୁଦ୍ରତଟ ଜାତୀୟ ରାଜପଥ। ଏହି ଦୁଇଟିରେ ପ୍ରଚୁର ଅର୍ଥବ୍ୟୟ ହେବ ଓ ଅନେକ ଚାଷଜମି ଉଜୁଡ଼ିବ। ପ୍ରକୃତିଦତ୍ତ ଜଙ୍ଗଲ ସମ୍ପଦ ନଷ୍ଟ ହେବ। ଏହା କେତେଦୂର ଲୋକଙ୍କର ଓ ରାଜ୍ୟର ସ୍ୱାର୍ଥରେ ଲାଗିବ ତାହା ସ୍ପଷ୍ଟ ହେବା ଦରକାର। ଦୁଇଟି ଯାକ ଯୋଜନାର ପରିକଳ୍ପନା ବହୁପୂର୍ବେ ହୋଇଥିଲା ଏବଂ ଏଥିରେ ଖର୍ଚ୍ଚ ବା ବ୍ୟୟଠାରୁ ଆୟ ବା ଏହାର ଉପକାରିତା ଖୁବ୍ କମ୍ ହେବ ବୋଲି ବିବେଚନା କରାଯାଇ ଅତୀତର ସରକାରମାନେ ଅଗ୍ରସର ହୋଇ ନଥିଲେ। ଏବେ ସେ ସବୁର ପୁନରାବୃତ୍ତି ଦେଖିବାକୁ ମିଳୁଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାଣିଛନ୍ତି ଯେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କହିଲେ ମୁଖ୍ୟତଃ ବନ୍ୟା, ମରୁଡ଼ି ଓ ବାତ୍ୟାକୁ ହିଁ ବୁଝେଇ ଥାଏ। ଅବଶ୍ୟ ସେଥିରେ ଏବେ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତି ଯୋଡ଼ି ହୋଇଯାଇଛି। ସବୁଠାରୁ ଭୟଙ୍କର ପରିସ୍ଥିତି ବାତ୍ୟା ବା ସାମୁଦ୍ରିକ ଝଡ଼ ହେତୁ ଘଟିଥାଏ। ରାଜ୍ୟ ସରକାର ବାତ୍ୟାର ମୁକାବିଲା କରିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାର ଦେଖାଯାଏ। ବାତ୍ୟା ସୂଚନା ପାଇବା ମାତ୍ରକେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆଣିବାରେ ଅନେକ ବ୍ୟୟ ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ ଥଇଥାନ, ରିଲିଫ୍ ବାବଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବାତ୍ୟା ବା ସମୁଦ୍ର ଜୁଆର ଜନିତ ପ୍ରଭୁତ କ୍ଷୟକ୍ଷତିରୁ ରକ୍ଷା କରିବାର ଅତ୍ୟାଧୁନିକ ବିଜ୍ଞାନୀ ପ୍ରଶାସକଗଣ ଏବେ ମଧ୍ୟ ଚିନ୍ତା କରୁଥିବାର ଦେଖାଯାଉ ନାହିଁ। ବାତ୍ୟା ପୂର୍ବରୁ ହୋହାଲା ଓ ବାତ୍ୟାପରେ ରାଜକୋଷର ବରବାଦି ନିତ୍ୟନୈମିତ୍ୟ କାର୍ଯ୍ୟରେ ପରିଣତ ହେଲାଣି। ଜଳବାୟୁ ପରିବର୍ତ୍ତନ ହେତୁ ସାମୁଦ୍ରିକ ଝଡ଼ର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିବର୍ଷ ବା ସମୟ ଅନ୍ତରରେ ସୁନାମି, ଫାଇଲିନ୍ ହୁଡ଼ୁହୁଡ଼ୁ ବା ୧୯୯୯ର ମହାବାତ୍ୟା ସମୁଦ୍ର ତଟବର୍ତ୍ତୀ ଜିଲ୍ଲାମାନଙ୍କରେ ଘଟୁଛି ଓ ତଟବର୍ତ୍ତୀ ଲୋକେ ଅନେକ ଭାବରେ କ୍ଷତିଗ୍ରସ୍ତ ହୋଇ ଚାଲିଛନ୍ତି। ଏଥିରୁ ସ୍ଥାୟୀ ଭାବେ ରକ୍ଷାପାଇବା ନିମନ୍ତେ ସୁଚିନ୍ତିତ ଯୋଜନା ନକରି ସାମୟିକ ବ୍ୟବସ୍ଥା କରିବା ଓ ପ୍ରକୃତିକୁ ଦୋଷ ଦେଇ ନିଜର ଅପରାଗତା ଘୋଡ଼ାଇବା କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରକୃତିଦତ୍ତ ସଂପଦ ତଥା ପ୍ରାକୃତିକ ସନ୍ତୁଳନ ନଷ୍ଟ କରିବା ଅବା ତା’ର ଅପବ୍ୟବହାର ହିଁ ଅନେକ ବିପତ୍ତିର କାରଣ ହୋଇଛି। ଏଥିପାଇଁ ପ୍ରକୃତି ଆଦୌଁ ଦାୟୀ ନୁହେଁ। ଅପରିଣାମଦର୍ଶୀ, ଅପାରଗ ଶାସକ, ପ୍ରଶାସକ ଓ ଲୋଭୀ ମଣିଷ ନିଜ ବିପତ୍ତିର କାରଣ ଭାବେ ନିଜେ ଛିଡ଼ା ହୋଇଛନ୍ତି।

ବାତ୍ୟା ଦାଉରୁ ରକ୍ଷା ନିମନ୍ତେ ଚିନ୍ତା କଲାବେଳେ ପ୍ରଥମେ ପବନର ବେଗ ବା ସମୁଦ୍ର ଢେଉର ପ୍ରବେଶ ସାମନାକୁ ଆସିଥାଏ। ପବନ ବେଗର ପ୍ରଖରତା କମିଥାଏ ଯଦି ଏହାକୁ ଗତିପଥରେ ଖଣ୍ଡବିଖଣ୍ଡିତ କରିବାର ପ୍ରକ୍ରିୟାଟିଏ ସୃ୍‌ଷ୍ଟି କରାଯାଏ। ମାଡ଼ି ଆସୁଥିବା ଜୁଆରକୁ ମଧ୍ୟ ଏଥିସହିତ ରୋକାଯାଇ ପାରିବ।

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଦୈର୍ଘ୍ୟ ୪୮୦ କି.ମି. ବୋଲି କୁହାଯାଇଛି। ଏଥିମଧ୍ୟରୁ ନଦୀମୁହାଁଣ ଓ କେତେକ ସହର ଛାଡ଼ିଦେଲେ ପାଖାପାଖି ୪୦୦ କି.ମି. ବ୍ୟାପୀ ପ୍ରଶସ୍ତ ଖୋଲା ସମୁଦ୍ରତଟ ଅଞ୍ଚଳ ରହିଛି। ଏ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ୩/୪ କି.ମି. ଚଉଡ଼ାର ପ୍ରାକୃତିକ ପ୍ରାଚୀର ନିର୍ମାଣ କଲେ ଅର୍ଥାତ୍ ସବୁଜ ପ୍ରାଚୀର ଛିଡ଼ା କରାଇଲେ ଅନେକ ଭାବରେ ସାମୁଦ୍ରିକ ବାତ୍ୟା ବା ଝଡ଼ର ପ୍ରକୋପ କମିବ ଓ ଲୁଣି ପାଣି ଜମିରେ ପ୍ରବେଶ କରିବ ନାହିଁ।

ଏହି ପ୍ରାଚୀର ନିର୍ମାଣର ପରିକଳ୍ପନା ଜଳବାୟୁ ଓ ଭୌଗୋଳିକ ସ୍ଥିତିକୁ ନେଇ ତିଆରି ହେବା ଦରକାର। ଯେଉଁ ବୃକ୍ଷ, ଗୁଳ୍ମ ବା ବୁଦା ଶହ ଶହ ବର୍ଷଧରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ତିଷ୍ଠି ରହିଆସିଛି ସେସବୁ ପ୍ରଥମେ ଚିହ୍ନଟ ହେବା ଦରକାର। ଲୁଣିପାଣି ଓ ମଧୁର ପାଣିରେ ବଞ୍ଚୁଥିବା ସମସ୍ତ ପ୍ରକାର ଘାସ, ଗୁଳ୍ମ, ବୃକ୍ଷ, ଲତା, ବୁଦାଗଛ, କୋଳିଗଛ ସବୁକୁ ସମୁଦ୍ରତଟ ସବୁଜ ପ୍ରାଚୀର ନିର୍ମାଣରେ ବ୍ୟବହାର କରାଯିବା ଅତ୍ୟନ୍ତ ବିଜ୍ଞାନ ସମ୍ମତ।

ସମୁଦ୍ର ତଟବର୍ତ୍ତୀ ସାମୁଦ୍ରିକ ଝଡ଼ ଓ ଉତ୍ତାଳ ତରଙ୍ଗ ନିରୋଧକ ସବୁଜ ପ୍ରାଚୀରର ପ୍ରଥମ ସ୍ତରଭାବେ ହେନ୍ତାଳ ଓ କିଆ(କେତକୀ) ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ୫୦୦ମି. ପର୍ଯ୍ୟନ୍ତ ବ୍ୟାପୀ ରହିବା ଦରକାର। ଲୁଣା ଜଙ୍ଗଲ (ହେନ୍ତାଳ ଜଙ୍ଗଲ) ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଦେବୀ ଓ ବାଲେଶ୍ୱରର ନଦୀ ମୁହାଣ ଅଞ୍ଚଳମାନଙ୍କରେ ଦେଖାଯାଇଥାଏ। ହେନ୍ତାଳ ଜଙ୍ଗଲ ମୁଖ୍ୟତଃ ବିଷୁବ ମଣ୍ଡଳୀରେ ଉଷ୍ମ ଓ ଜୁଆରିଆ ନଦୀ ଉପକୂଳରେ ଦେଖା ଯାଉଥିବା ବିସ୍ତୃତ ଘଞ୍ଚ, ଗୁଳ୍ମ, ବୁଦା ଓ ବଣୁଆ ଘାସର ମିଶାମିଶି ଆସ୍ତରଣ ସୃଷ୍ଟି କରିଥାଏ। ଦେବୀ ନଦୀର ଦକ୍ଷିଣ ଭାଗରୁ ଗୋପାଳପୁର ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ କିଆ ଜଙ୍ଗଲ ପ୍ରବଳଭାବେ ଦେଖାଯାଏ। କିଆ କେତକୀ ଉଚ୍ଚ ବାଲି ଢ଼ିପରେ ଭଲ ବଢ଼ିଥାଏ। ଆପେ ଆପେ ବିସ୍ତାରିତ ହୋଇଥାଏ। ଧାମରା ନଦୀ ମୁହାଣରୁ ବରୁଣେଇ ମୁହାଣଯାଏଁ ୬୭୨ ବର୍ଗ କି.ମି. ଭିତର କନିକାର ଅଭୟାରଣ୍ୟ ଭାବେ ରହିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ଦକ୍ଷିଣ ଭାଗରେ କିଆ ଓ କେତକୀର ଜଙ୍ଗଲ ମାଇଲି ମାଇଲି ବ୍ୟାପି ଚଉଡ଼ାରେ ଅଛି। ଅତିକମ୍‌ରେ ୫୦୦ ମିଟରରୁ ୧ କି.ମି. ପର୍ଯ୍ୟନ୍ତ ଏହି ଜଙ୍ଗଲ ପ୍ରସ୍ତୁତ ହେବା ଦରକାର। ସମୁଦ୍ର ଜୁଆରକୁ ରୋକିବା ଓ ପାଣିକୁ ଖେଳାଇ ଭିତର ଅଞ୍ଚଳକୁ ଛାଡ଼ିବା କାର୍ଯ୍ୟ ଏହି କିଆ, ହେନ୍ତାଳ ଆସ୍ତରଣ କରିଥାଏ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରୁ ବୋହିହୋଇ ଆସୁଥିବା ପଟୁମାଟି ରୋକିବାରେ ବଡ଼ ସାହାଯ୍ୟ କରିଥାଏ।

ପରବର୍ତ୍ତୀ ଆସ୍ତରଣ ଝାଉଁ ଜଙ୍ଗଲ। ସମୁଦ୍ର ଜୁଆର ବା ସାମୁଦ୍ରିକ ଝଡ଼ ରୋକିବାରେ ଝାଉଁ ଜଙ୍ଗଲ ବେଶ ଭଲ କାମ ଦେଇଥାଏ। ଟିକେ ଉଚ୍ଚ ବାଲି ଅଞ୍ଚଳରେ ଏହି ଜଙ୍ଗଲ ସୃଷ୍ଟି ହୋଇଥାଏ। କିଆ ବା ହେନ୍ତାଳ ପଛକୁ ଝାଉଁ ଜଙ୍ଗଲ ଅତିକମ୍‌ରେ ୫୦୦ ମିଟର ଚଉଡ଼ାର ରହିବା ଦରକାର। ଝାଉଁ ଜଙ୍ଗଲ ପବନର ଗତିରୋଧ କରିବାରେ ବେଶ ଭଲ ସହାୟକ ହୋଇଥାଏ।

ଏହା ପଛକୁ ତୃତୀୟ ପ୍ରାଚୀର ଭାବେ ପରବର୍ତ୍ତୀ ଆସ୍ତରଣ ଲଙ୍କା ଆମ୍ବ ଗଛର ବହଳିଆ ଜଙ୍ଗଲ ସୃଷ୍ଟି ହେଲେ ପାଣି ଓ ପବନ ରୋକି ହେବ। ଏହା ଏକ ଲାଭଜନକ ଫସଲ।  ଲଙ୍କା ଆମ୍ବ ଫୁଲ ଓ ଫଳ ଅନେକ ପଶୁପକ୍ଷୀଙ୍କୁ ଆକୃଷ୍ଟ କରିଥାଏ। ପରେ ପରେ କୋଳି ଜଙ୍ଗଲ ରହିବା ଦରକାର। ଅନେକ ପ୍ରଜାତିର କୋଳି ଯଥା ବେତ କୋଳି, ଭଇଁଚ କୋଳି, କଣ୍ଟେଇ କୋଳି, ଖିରିକୋଳି, ବରକୋଳି ପ୍ରାୟତଃ ଲୋପ ପାଇବାରେ ଲାଗିଛି। ଏହିସବୁ କୋଳି ଗଛର ୫୦୦ ମିଟର ଚଉଡ଼ାର ଗୋଟିଏ ଆସ୍ତରଣ ବା ଲଙ୍କା ଆମ୍ବ ଗଛ। ଅନ୍ୟ ଗଛ ଯଥା ଖଜୁରୀ, ତାଳ, ନଡ଼ିଆ ଭିତରେ ଲଗାଇବା ପ୍ରସ୍ତୁତ ହେଲେ ସମୁଦ୍ର ଜୁଆର ଚାରିଆଡ଼େ ଚତୁରେଇ ହୋଇ ବୋହିଯିବ। ପବନ ତଳଉପର ହୋଇ ପ୍ରକୋପ କମିବ। ପବନର ବେଗ ରୋକିବାରେ ସହାୟକ ହେବ।

ପଞ୍ଚମ ସ୍ତରରେ ଖଜୁରୀ ଗଛ ପ୍ରଚୁର ପରିମାଣରେ ଲଗାଯାଇ ୫୦୦ ମିଟର ଚଉଡ଼ାର ଖଜୁରୀ ଜଙ୍ଗଲ ତିଆରି ହେଲେ ପବନ ଓ ପାଣି ଏଠି ମାଡ଼ହେବ ଓ ପ୍ରଖରତା କମିବ। ତା’ ପରବର୍ତ୍ତୀ ଅଞ୍ଚଳରେ ଜାତୀୟ ଗଛ ବର, ଏକପ୍ରକାର ରବର ଗଛ, ଅଶ୍ୱତ୍‍ଥ ଆଦି ଗଛ ସବୁ ଲଗାଯାଇ ପାରନ୍ତା। ଯାହାକି ମଧୁର ଜଳପାଇଁ ଦୀର୍ଘସ୍ଥାୟୀ ତଥା ଦୀର୍ଘକାୟା ବିସ୍ତାର କରନ୍ତି। ଏହି ଗଛସବୁ ଉପକୂଳ ଅଞ୍ଚଳରେ ପୂର୍ବେ ପ୍ରଚୁର ଭାବେ ଦେଖା ଯାଉଥିଲା ଓ ଆୟକାରୀ ବୃକ୍ଷ ଭାବେ ଦୈନଦିନ ଜୀବିକା ନିର୍ବାହରେ ସହାୟତା ଦେଉଥିଲା। ଏବେ ତାହା କ୍ରମଶଃ ଲୋପ ପାଇବାରେ ଲାଗିଛି।

ପରବର୍ତ୍ତୀ ଅବସ୍ଥାରେ କେବଳ ଉଚ୍ଚ ତାଳଗଛର ପ୍ରାଚୀର ପ୍ରସ୍ତୁତ ହେବା ସହିତ ତା’ର ପଛକୁ ନଡ଼ିଆ ଜଙ୍ଗଲ(ବଗିଚା) ପ୍ରସ୍ତୁତ ରହିଲେ ପବନର ଗତି ଅନେକ ଭାବରେ ରୋକି ହୋଇଯିବ। ଏହି ୭ ଗୋଟି ସବୁଜ ଆସ୍ତରଣର ପ୍ରାଚୀର ନିର୍ମାଣ ପରେ ମଧୁର ପାଣି ସଂରକ୍ଷଣ ଓ ପ୍ରବାହ ନିମନ୍ତେ ଗୋଟିଏ ବଡ଼ ନାଳ ତିଆରି ହେଲେ ମଧୁରପାଣି ପ୍ରବାହ ସହିତ ଭୂତଳ ଲୁଣାପାଣିର ଆସ୍ତରଣ ନରମ ହୋଇଥାଏ। ନାଳଟି ମଧ୍ୟ ପୂର୍ବତଟର ନଦୀ ସଂଯୋଗୀକରଣ ଜଳଧାରା ଭାବେ କାର୍ଯ୍ୟ କରିବ। ଫଳତଃ ସମୁଦ୍ର ମଧ୍ୟକୁ ବୋହି ଯାଉଥିବା ନଦୀଜଳକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧୁରଜଳ ସଂରକ୍ଷଣର ଗୋଟିଏ ବଡ଼ ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ସୁଫଳ ମିଳିବ। ଯାତ୍ରୀମାନଙ୍କ ଯାତାୟତ, ପର୍ଯ୍ୟଟନ କେନ୍ଦ୍ରର ଶ୍ରୀବୃଦ୍ଧି କରଣ ଓ ଜିନିଷପତ୍ର ପରିବହନ ବ୍ୟବସ୍ଥା ହେବା ସହିତ ଭୂତଳ ମଧୁର ଜଳ ଆସ୍ତରଣ ଦୀର୍ଘସ୍ଥାୟୀ ହେବ। ଏହା ଏକ ନୂଆ ଏବଂ ବ୍ୟୟକାରୀ ଯୋଜନା ହୋଇଥିବା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହଭାଗୀତାରେ ବ୍ୟୟ ବରାଦ ହେବା ଦରକାର ତଟ ଜାତୀୟ ରାଜପଥ ନର୍ମାଣ ନିମନ୍ତେ ବ୍ୟୟବରାଦ କରା ନଯାଇ ତଟ କେନାଲରେ ପରିବହନ ବ୍ୟବସ୍ଥା କେବଳ ରାଜ୍ୟ ନୁହେଁ, ଦେଶ ପ୍ରତି ଲାଭଜନକ ହେବ। ରାଜ୍ୟ ବଜେଟ୍ ବିଶେଷ ପ୍ରଭାବିତ ହେବନାହିଁ। ବର୍ତ୍ତମାନ ବନୀକରଣ ନାମରେ ହେଉଥିବା ଅପବ୍ୟୟକୁ ରୋକାଯାଇ ଜଳ ହୀତକାରୀ ସ୍ଥାୟୀ ପ୍ରତିକାରରେ ଲଗାଯାଇ ପାରିବ।

ଇଂରେଜ ସରକାର ସମୟରେ କୋଷ୍ଟ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ କେନ୍ଦ୍ର ସରକାର ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନେବା କଥା କହିଛନ୍ତି। ନଦୀ ସଂଯୋଗୀକରଣ ବ୍ୟବସ୍ଥା ନଦୀର ଉପର ମୁଣ୍ଡରେ ନ ହୋଇ ସମୁଦ୍ର ତଟରୁ ୨୦/୨୫କି.ମି. ଦୂରରେ ନଦୀ ଭିତରେ ଛୋଟ ଆନିକଟ କରାଗଲେ ଓ ସମୁଦ୍ର ତଟ କେନାଲରେ ପାଣି ଛାଡ଼ିଲେ ବୋହି ଯାଉଥିବା ପାଣିର ପୁନଃ ବିନିଯୋଗ ହୋଇପାରିବ। ଏହି ଆନିକଟମାନଙ୍କରୁ କୋଷ୍ଟ କେନାଲରେ ପାଣି ପକାଇ ବନ୍ଦର ଭିତ୍ତିକ ସହର ବା ଶିଳ୍ପ ସମୂହକୁ ମଧୁର ଜଳ ଯୋଗାଣ କରାଯାଇପାରିବ। ଉପକୂଳରେ ଥିବା ବନ୍ଦର ଯଥା ପାରାଦ୍ୱୀପ, ଗୋପାଳପୁର, ଧାମରା ସମେତ ପ୍ରସ୍ତାବିତ ବନ୍ଦର ସବୁର ସଂଯୋଗୀକରଣ ହେବ। କେନାଲ ସହିତ ଏକ ବିସ୍ତୃତ ଉପକୁଳବର୍ତ୍ତୀ ସଂଯୋଗୀକରଣ ଭଲ ଜାତୀୟ ଜଳପଥଟିଏ ମଧ୍ୟ ସବୁ ଦୃଷ୍ଟିରୁ ବିକାଶରେ ସହାୟକ ହେବ। ପ୍ରାୟତଃ ସବୁ ବଡ଼ବଡ଼ ନଦୀରେ ପୋଲ ନିର୍ମାଣ ଓ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ସରିଛି। ନବନିର୍ମିତ କେନାଲ କଡ଼ ରାସ୍ତାରେ ଓହଳ ଥିବା ପ୍ରଜାତିର ବୃକ୍ଷ ଯଥା ବର, ଏକ ପ୍ରକାର ରବର ଜାତୀୟ ଓ ଅନ୍ୟାନ୍ୟ ଗଛ (ଓହଳଥିବା) ଲଗାଗଲେ ବଡ଼ ବାତ୍ୟା ହେଲେ ବି ଉପୁଡ଼ିବାର ସମ୍ଭାବନା ନାହିଁ। କେନାଲ ବନ୍ଧ ଉଚ୍ଚତା ସମୁଦ୍ର ପତନଠାରୁ ଅନ୍ତତଃ ୧୦ ମିଟର ଉଚ୍ଚ ରହିବ। ରାଜ୍ୟ ସରକାର ଅନେକ ଲୋକ ଦେଖାଣିଆ ଅପବ୍ୟୟ କରୁଥିବା ଦେଖାଯାଉଛି। କରଦାତାଙ୍କ ଧନ ବିନିଯୋଗ କରି କରଦାତାଙ୍କୁ ପ୍ରାକୃତିକ ବିପଦରୁ ରକ୍ଷା ସହିତ ଏହିସବୁ ଅଞ୍ଚଳରେ ବିଭିନ୍ନ ପ୍ରକାର କୋଳି, ବେତବୁଦା, ବାଉଁଶବୁଦା ଆଦି ରୋପଣ କରୁ, ଚାଷୀକୁଳ ପାଇଁ ବିପଦ ସୃଷ୍ଟିକରି ଆସୁଥିବା ମାଙ୍କଡ଼ମାନଙ୍କୁ ଏକ ଆକୃଷ୍ଟ କରି ରଖିବା ଉପଯୋଗୀ ବାସସ୍ଥାନ ସୃଷ୍ଟି ହୁଅନ୍ତା।

ସବୁଜ ପ୍ରାଚୀର ପାଇଁ ସରକାରୀ ବଜେଟରୁ ଆଦୌଁ ଖର୍ଚ୍ଚ କରିବାକୁ ପଡ଼ି ନପାରେ। ଏହାକୁ ସିଏସଆର କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଯାଇ ପାରେ । ସୃଷ୍ଟି ହୋଇଥିବା ସବୁଜ ଜଙ୍ଗଲରେ ଅନେକ ପଶୁପକ୍ଷୀ ବାସ କରିବେ। ପର୍ଯ୍ୟଟକଗଣ ରହଣି ସମୟରେ ବା ଯାତ୍ରା କଲାବେଳେ ଉଭୟ ସମୁଦ୍ର ଓ ସବୁଜ ପ୍ରାଚୀର ସହିତ, ସେଥିମଧ୍ୟରେ ଥିବା ବିବିଧ ରକମ ପଶୁପକ୍ଷୀକୁ ଦେଖିବାର ସୁଯୋଗ ପାଇବେ ଏବଂ ଜଙ୍ଗଲଟି ଅଭୟାରଣ୍ୟ ପରି କାର୍ଯ୍ୟ କରିବ। ପରିବେଶ ସୁରକ୍ଷା ଅଭାବରୁ ଅନେକ ପ୍ରଜାତିର ପକ୍ଷୀ ଲୋପ ପାଇ ଯାଉଥିବାର ଦେଖାଯାଉଛି। ଅନ୍ତତଃ ଏକ ସନ୍ତୋଳିତ ଅବସ୍ଥା ସୃଷ୍ଟିହେଲେ ଆଉ କିଛି ଉଦ୍‌ବେଗର କାରଣ ହୋଇ ରହିବ ନାହିଁ। ଜଙ୍ଗଲ ଅଞ୍ଚଳରେ କେବଳ ସୌର ବିଦ୍ୟୁତ୍ ଓ ପବନ ଚାଲିତ ବିଦ୍ୟୁତର (ଗ୍ରୀନ୍ ଏନର୍ଜୀ)ର ବ୍ୟବହାର ପଶୁପକ୍ଷୀଙ୍କ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରିଥାଏ। ପୁନଃ ବନୀକରଣ (କାମ୍ପା)ରେ ଗଚ୍ଛିତ ଥିବା ପାଖାପାଖି ୫୦୦୦କୋଟି ଟଙ୍କା ଓ ବିଭିନ୍ନ କମ୍ପାନୀମାନଙ୍କରୁ ପ୍ରତିବର୍ଷ ମିଳୁଥିବା ସୋସିୟାଲ ରେସ୍‌ପନ୍‌ସିବିଲିଟି କର୍ପୋରେଟ୍ ଫଣ୍ଡ ବ୍ୟବହାରରେ ପାଞ୍ଚବର୍ଷ ମଧ୍ୟରେ ଏପରି ଏକ ଯୋଜନା କାର୍ଯ୍ୟକାରୀ ହୋଇପାରିବ। ଏଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ରାଜ୍ୟ ଭିତରେ ଥିବା ବିଭିନ୍ନ ପାରା ମିଲିଟାରୀ ଫୋର୍ସକୁ ମଧ୍ୟ ଅଳ୍ପ ଖର୍ଚ୍ଚ ବା ବିନା ବ୍ୟୟରେ ନିୟୋଜିତ କରାଯାଇ ବୃକ୍ଷରୋପଣ ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ନ୍ୟସ୍ତହୋଇ ପାରିବ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷୀ ଓ ଚାଷର ବଡ଼ ଶତୃଭାବେ ପରିତ୍ୟକ୍ତ ଷଣ୍ଢପଲ ଦେଖାଯାଇଥାନ୍ତି। ଫସଲ ଉଜାଡ଼ି ଦେଉଛନ୍ତି। ଏମାନେ ଉପଯୁକ୍ତ ପରିବେଶ ପାଇଲେ ସମୁଦ୍ରତଟ ଜଙ୍ଗଲରେ ବସବାସ କରିବେ। ଅନେକ କୋଳି ଓ ଫଳମୂଳ ପାଇଲେ ମାଙ୍କଡ଼ପଲ ମଧ୍ୟ ଚାଷୀର ଫସଲ ଆଡ଼େ ମୁହାଁଇବେ ନାହିଁ। ବାହାରେ ବୁଲି ଫସଲ ନଷ୍ଟ କରୁଥିବା ଷଣ୍ଢମାନଙ୍କ ପାଇଁ ପ୍ରଶସ୍ତ କ୍ଷେତ୍ର ମିଳିବ। ପଶୁ ପକ୍ଷୀଙ୍କୁ ଗୋଟିଏ ନିର୍ଭୟ ଆଶ୍ରୟସ୍ଥଳୀ ମିଳିବ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ସମୟ ଉଜୁଡ଼ି ଗଲାଣି। ପ୍ରକୃତିକୁ ଦୋଷଦେଇ ସମସ୍ତେ ଖସିଯିବାର ଅପକୌଶଳ ତ୍ୟାଗକରି ଦାୟିତ୍ୱ ତୁଲାଇବାର ଉଦ୍ୟମ ଏବେଠାରୁ ଆରମ୍ଭ କରିବାର ସମୟ ଆସିଛି। ରାଜ୍ୟ ସରକାର ଲୋକଙ୍କୁ ସାମୟିକ ଭାବେ ଆକୃଷ୍ଟ କରି ଭୋଟ ଦେବାର କୌଶଳ ଅବଲମ୍ବନ କରୁଛନ୍ତି। ହେଲେ ସେମାନଙ୍କ ପାଇଁ ଉପୁଜୁଥିବା ବଡ଼ ବଡ଼ ସମସ୍ୟାର ସ୍ଥାୟୀ ପ୍ରତିକାର ନ କରିବା ଅତ୍ୟନ୍ତ ଦୁଃଖର କାରଣ ହୋଇଛି। ଯୋଜନା ଘୋଷଣା କରିଦେଇ ସ୍ୱପ୍ନ ବାଣ୍ଟିବା ଅବା ଯୋଜନା ପ୍ରସ୍ତୁତ ନାଁରେ କାଳକ୍ଷେପଣ ନୀତିର ଶଠତା ମଧ୍ୟ ତ୍ୟାଗ କରିବା ଦରକାର।

ଫୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।