Advertisment

ଆମ ଓଡ଼ିଶାରେ ନେତା ମରୁଡ଼ି

ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ ଗତମାସ ୨୭ ତାରିଖ ଦିନ ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ବିଶିଷ୍ଟ ସାହିତ୍ୟିକ ଓ ମୋର ଅନୁଜ ପ୍ରତିମ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ପ୍ରବନ୍ଧ ‘ଗଣତନ୍ତ୍ରରେ ସ୍ୱାଭାବିକ ନେତୃତ୍ୱ’ ସାମାନ୍ୟ ସ୍ପର୍ଶକାତର ଥିଲା, ଯାହା ମୋର ମନକୁ ଜର୍ମାନୀରେ ବିଶେଷ ଭାବରେ ଆନ୍ଦୋଳିତ, ଆଲୋଡ଼ିତ, ଉଦ୍‌ବେଳିତ ଓ ଏପରିକି ପୀଡ଼ିତ ବି କରିଥିଲା। ସେଇ ପ୍ରବନ୍ଧରୁ ‘ଆମ ଓଡ଼ିଶାରେ ନେତା ମରୁଡ଼ି’ର ଅନ୍ତର୍ଦୃଷ୍ଟି ମୋ ଭିତରେ ଖେଳିଗଲା। ମନେହେଲା ବନ୍ଧୁବର ସତେ ଯେପରି […]

ଅଦ୍ୟତନ ହୋଇଛି
ଆମ ଓଡ଼ିଶାରେ ନେତା ମରୁଡ଼ି

Leader

Advertisment
  • ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

ଗତମାସ ୨୭ ତାରିଖ ଦିନ ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ବିଶିଷ୍ଟ ସାହିତ୍ୟିକ ଓ ମୋର ଅନୁଜ ପ୍ରତିମ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ପ୍ରବନ୍ଧ ‘ଗଣତନ୍ତ୍ରରେ ସ୍ୱାଭାବିକ ନେତୃତ୍ୱ’ ସାମାନ୍ୟ ସ୍ପର୍ଶକାତର ଥିଲା, ଯାହା ମୋର ମନକୁ ଜର୍ମାନୀରେ ବିଶେଷ ଭାବରେ ଆନ୍ଦୋଳିତ, ଆଲୋଡ଼ିତ, ଉଦ୍‌ବେଳିତ ଓ ଏପରିକି ପୀଡ଼ିତ ବି କରିଥିଲା। ସେଇ ପ୍ରବନ୍ଧରୁ ‘ଆମ ଓଡ଼ିଶାରେ ନେତା ମରୁଡ଼ି’ର ଅନ୍ତର୍ଦୃଷ୍ଟି ମୋ ଭିତରେ ଖେଳିଗଲା। ମନେହେଲା ବନ୍ଧୁବର ସତେ ଯେପରି ତାଙ୍କ ‘ମନର କଥା’କୁ ସାର୍ବଜନିକ କରି ଶେଷ କରିବାକୁ ଯାଇ ସାମ୍ପ୍ରତିକ ଓଡ଼ିଶା ରାଜନୀତି ବିଷୟକୁ ପୂର୍ଣ୍ଣ ଗୁରୁତ୍ୱ ଦେବାକୁ ଜାଣିଶୁଣି ଇଚ୍ଛା କରିନାହାନ୍ତି। ଏଇ ପ୍ରବନ୍ଧଟି ତାର ଫଳଶ୍ରୁତି।

Advertisment

ପୁଣ୍ୟାତ୍ମା ଗୋପବନ୍ଧୁ ‘ବନ୍ଦୀର ଆତ୍ମକଥା’ରେ ଲେଖିଥିଲେ– “ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ”। ଆଜି ଉତ୍କଳକୁ ଦେଖିଲେ ପ୍ରଶ୍ନ ହୁଏ ସତରେ କ’ଣ ଉତ୍କଳର ନେତା ସ୍ୱୟଂ ନାରାୟଣ? ଆଜି ଜଗନ୍ନାଥଙ୍କୁ ନେଇ କେତେକେତେ ପ୍ରହସନ, କେତେକେତେ ରାଜନୀତି, କେତେ କ’ଣ ଘଟିଯାଉଛି ଓ ପ୍ରତ୍ୟେକ ଦିନ ଘଟି ଚାଲିଛି ମଧ୍ୟ। ଏସବୁ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଓ ଫେସ୍‌ବୁକ୍ ପଡୁଛି ଉଠୁଛି। ଏଇ ପ୍ରସଙ୍ଗରେ ଆମ ରାଜନେତାମାନେ ଏକପ୍ରକାର ‘ଜୋକର୍‌’ ପାଲଟି ଗଲେଣି। ସତରେ କ’ଣ ଜଗନ୍ନାଥ ନାହାନ୍ତି? ସେ କ’ଣ ସତରେ ନିରୁପାୟ?

ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା। କୁମ୍ଭୀର ମଝିନଈକୁ ଟାଣିନେଲା ପରେ ବି ବୁଢ଼ୀମା କହୁଛି ମୋ ବୁଢ଼ାପୁଅ ପହଁରା ଶିଖୁଛି। ଯେଉଁମାନେ ଅତୀତକୁ ମନେ ରଖନ୍ତି ନାହିଁ, ସେମାନେ ଅତୀତର ସବୁ ଭୁଲର ପୁନରାବୃତ୍ତି କରନ୍ତି। ସେଥିପାଇଁ ଇତିହାସର ପ୍ରଥମ କଡ଼ ଲେଉଟା ଦୁଃଖଦାୟକ ହୋଇଥିବା ସ୍ଥଳେ ଦ୍ୱିତୀୟ କଡ଼ ଲେଉଟା ଫାର୍ସର ରୂପ ନେଇଥାଏ। କଂଗ୍ରେସ ପାଇଁ ଏପରି ସମୟ ଏବେ ଉପଗତ ବୋଲି କାହିଁକି ମନେହୁଏ। ଆଜିର ପରିସ୍ଥିତିରେ ‘ପୁତ୍ରମୋହ ବା ପୁତ୍ରପ୍ରୀତି’ ନାମକ ରୋଗରେ ପୀଡ଼ିତା ମା’ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ଅଗ୍ନିପରୀକ୍ଷାର ସମୟ। ମହାନ୍ ଦେଶସେବକ ଭାବରେ ବରେଣ୍ୟ ପ୍ରଧାନମନ୍ତ୍ରୀ ପଦବୀରେ ଥାଇ ରାଜୀବ ଗାନ୍ଧୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁବରଣ ହେଲାପରେ ନୂଆ ଗାନ୍ଧୀ(ମାନଙ୍କ) ଆବିର୍ଭାବ ଘଟିଲା। ଏମାନେ କାଳକ୍ରମେ ପୁରୁଣା ଗାନ୍ଧୀଙ୍କ ଶେଷ ଇଚ୍ଛାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆମ ଉତ୍ତରପିଢ଼ି ନିଶ୍ଚିତ କଂଗ୍ରେସ କଥା ଇତିହାସ ବହିରେ ପଢ଼ିବେ। ବିଳମ୍ବ ହେଲାଣି। ଶୁଭସ୍ୟ ଶୀଘ୍ରମ୍। ଭାଜପା ବାଜପେୟୀ-ଆଡ଼ଭାନୀଙ୍କୁ ପଛରେ ଛାଡ଼ି ଆସିବା ସହଜ ହୋଇଥିବା ବେଳେ ଏବେ ବି କଂଗ୍ରେସ ନେହେରୁ ଯୁଗ ପାଖରେ ଅଟକି ରହିଛି। ଦଳର ନେତା ବା ଦେଶର ପ୍ରଧାନମନ୍ତ୍ରୀ ଭାବେ ଗାନ୍ଧୀ ପରିବାର ବେଟା ରାହୁଲ ଛଡ଼ା ଆଉ କାହାକୁ ଦେଖିପାରୁନାହିଁ, ଯାହାକି ଏହି ଦଳ ପାଇଁ ବଡ଼ ବିଡ଼ମ୍ବନା।

Advertisment

ଗତମାସ ୨୫ ତାରିଖ ଉପରବେଳା ମା’ ସୋନିଆ ଓଡ଼ିଶା କଂଗ୍ରେସର ନୂତନ ସଭାପତିଙ୍କ ନାମ ଘୋଷଣା କଲେ। ବହୁମାସ ଧରି ଅନେକ ପ୍ରକାର କଳ୍ପନାଜଳ୍ପନା ଗଣମାଧ୍ୟମରେ ପ୍ରକାଶ ପାଉଥିଲା। ‘ପୁନର୍ମୂଷିକ ଭବ’ ନ୍ୟାୟରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଗଲା। ପେସାଦାର ନିନ୍ଦୁକମାନେ ସୋସିଆଲ ମିଡ଼ିଆରେ ନୂଆ ସଭାପତିଙ୍କ ବିରୋଧରେ ଅନେକ କଟୁମନ୍ତବ୍ୟ ଦେଲେ। ଲୋକେ କହିଲେ, ‘ଆଲୋ ଢମଣା, ବୁଲିବୁଲି କରି ସେଇ ଅଗଣା’। କେତେ ସଭାପତି ଆସିଲେଣି, କେତେ ଗଲେଣି, ଯିବା ଆସିବାର ଥାଟପାଟର ଏ ଦୁନିଆଁ। ବର୍ତ୍ତମାନ ପରିସ୍ଥିତିରେ ଯିଏ ଭାବିବ ସେ ସବୁଦିନ ପାଇଁ ଏଠାରେ ଡେରା ପକାଇବ, ସିଏ ଜାଣ ମରିବା ପୂର୍ବରୁ ଶହେଥର ମରୁଥିବ।

ଗୌରଚନ୍ଦ୍ରିକାରେ ମା’ ସୋନିଆ ଗାନ୍ଧୀଙ୍କ ପୁତ୍ରମୋହ ବିଷୟରେ ଏତେକଥା କହିବା ପରେ ବର୍ତ୍ତମାନ ଓଡ଼ିଶାର ରାଜନୀତିକ ବାତାବରଣ କଥା ସାମାନ୍ୟ ବିଚାରକୁ ନେବା।

ଓଡ଼ିଶାର ଚିତ୍ର ଟିକିଏ ଭିନ୍ନ। ମୁଖିଆଙ୍କ ସିଂହାସନ ଆରୋହଣ ଓ ଦୀର୍ଘ ୨୪ ବର୍ଷର ଅଧିକରଣ ମଧ୍ୟ ‘ପୁତ୍ର-ପ୍ରୀତି’ ଯୋଗୁଁ ସମ୍ଭବ ହୋଇଛି। ଫରକ ଏତିକି - ଏଠାରେ ପ୍ରୀତିଟା କୌଣସି ଜନ୍ମଦାତା ପିତାମାତାଙ୍କର ନୁହେଁ। ସେ ତ ପିତାଙ୍କ ଦ୍ୱାରା ଏକପ୍ରକାର ପ୍ରତ୍ୟାଖ୍ୟାତ ହୋଇ ଦିଲ୍ଲୀରେ ଆରାମରେ ସାଙ୍ଗମାନଙ୍କ ସାଙ୍ଗରେ ବୁଲୁଥିଲେ। କାହିଁକି କେଜାଣି ‘ନିୟତି’ ତାଙ୍କୁ ପୁଅ ହିସାବରେ ଆଦରି ନେଲା। ସାକ୍ଷାତ୍ ନିୟତିର ଯିଏ ପୋଷ୍ୟପୁତ୍ର, ତା’ ଭାଗ୍ୟକୁ କିଏ ନିୟନ୍ତ୍ରିତ କିଏ କରିବ? ମୁଖ୍ୟତଃ ସେମାନେ ହେଲେ– “ଏଇ ଟଙ୍କିକିଆ ଚାଉଳଖିଆ ଭୋଟଦାତା, ଆନୁଗତ୍ୟ ପ୍ରତିଯୋଗୀ ଶଙ୍ଖୁଆ ଓ ଟିକେଟ ଆଶାୟୀ ରାଜନେତା”। ମୁଖିଆ କିନ୍ତୁ ଏକ ପୁତ୍ରପ୍ରୀତିର ନୂଆ ଯୁଗ ଆରମ୍ଭ କରିଦେଇଛନ୍ତି।

ପିତାମାନଙ୍କର ରାଜନୀତିକ ହତ୍ୟା ପରେ ସେ ପିତାଙ୍କ ସମାଧି ଉପରେ ପୁତ୍ରମାନଙ୍କର ‘ସ୍ମୃତିସ୍ତମ୍ଭ’ ନିର୍ମାଣ କରି ଦେଇଛନ୍ତି। ଉଭୟ ପିତାପୁତ୍ର ଭାବୁଛନ୍ତି, ଏହା ସେମାନଙ୍କର ‘କୀର୍ତ୍ତିସ୍ତମ୍ଭ’। ବିଭିନ୍ନ କୀର୍ତ୍ତିସ୍ତମ୍ଭ ଦଣ୍ଡାୟମାନ ସ୍ତମ୍ଭ ହିସାବରେ ରୋପିତ ହେଉଛନ୍ତି। ଏସବୁ ‘ନାଟକ’, ‘ପ୍ରହସନ’ ଓ ‘ଭେଳିକି’ର ଅନ୍ୟନାମ ‘ବିକାଶ’ ବୋଲି ନୂତନ ଅଭିଧାନରେ ଲେଖାହେବାକୁ ଯାଉଛି ଯାହାକୁ କି ଉତ୍ତରପିଢ଼ି କଂଗ୍ରେସ କଥା ଭଳି ଇତିହାସ ବହିରେ ପଢ଼ିବେ। ବିଜୁ ଜନତା ଦଳରେ ପୁତ୍ର-ପ୍ରୀତିର ଉଦାହରଣର ତାଲିକା ବହୁତ ଲମ୍ବା। ସମ୍ପ୍ରତି ତାହା ପାରଦୀପଠାରୁ କଟକ ବାଟେ ପିପିଲି ପର୍ଯ୍ୟନ୍ତ ମାଡ଼ିଗଲାଣି।

ଆଜିର ନେତା ଓ ନେତୃତ୍ୱକୁ ବିଚାରକୁ ନେଲେ “ରାଜନୀତି ଆଉ ତ୍ୟାଗ ନୁହେଁ, ସେବା ନୁହେଁ, ତିତିକ୍ଷା ନୁହେଁ, ଦେଶ ଗଠନରେ ମୁଖ୍ୟ ଅଂଶୀଦାର ହେବାର ମାର୍ଗ ନୁହେଁ, ସମାଜସେବାର ଏକ ବଳିଷ୍ଠ ମାଧ୍ୟମ ନୁହେଁ, ଏହା ଭୋଗବିଳାସ, ବେପାର, ସରକାରୀ ଅର୍ଥ ହଡ଼ପ, ବ୍ରୋକରୀ ବା ଦଲାଲି ଆଦିର ଏକ ପ୍ରକୃଷ୍ଟ ତଥା ନିରାପଦ କ୍ଷେତ୍ର ରୂପେ ପ୍ରତିଷ୍ଠିତ ହୋଇଯାଇଛି” (ଫେସ୍‌ବୁକ୍ ପୋଷ୍ଟିଙ୍ଗ୍‌, ୨୩.୦୫.୨୦୨୨, ପ୍ରେରକ: ଆଶିଷ ରଞ୍ଜନ ମହାପାତ୍ର)। ଆଜିକାଲି କୌଣସି ଦଳର ‘ଦଳଗତ ଆଦର୍ଶ’ ବୋଲି କିଛି ନାହିଁ। ବାମପନ୍ଥୀ, ଦକ୍ଷିଣପନ୍ଥୀ ଓ ମଧ୍ୟମପନ୍ଥୀ ସଭିଏଁ ସମାନ। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଯେନତେନ ପ୍ରକାରଣେ କ୍ଷମତା ହାସଲ। ରାଜ୍ୟ ଭାସିଗଲେ ସତେ ଯେପରି କାହାର ନିଘା ନାହିଁ।

ଆମ ଓଡ଼ିଶାରେ ବଡ଼ମାନେ ପଛକଥା ଲାଗି ପଶ୍ଚାତ୍ତାପ ଓ ଭବିଷ୍ୟତ ନେଇ ଆଶଙ୍କା ଯୋଗୁଁ ସର୍ବଦା ଉଦ୍‌ବେଗ ଭିତରେ ବଂଚିଛନ୍ତି। ସାନପିଲାମାନେ ପଛକଥା ଭାବନ୍ତି ନା ଭବିଷ୍ୟତ ନେଇ ଅଯଥା ଚିନ୍ତା କରନ୍ତି। ମୋ କଥା ଦେଖନ୍ତୁ, ଭବିଷ୍ୟତରେ ଓଡ଼ିଶାରେ କେବେ ଭଲ ଦିନ ଆସିବ ଭାବିଭାବି ମୁଁ ୬୧ ବର୍ଷ ହେଲା ଜର୍ମାନୀରେ କେବଳ ଦୌଡ଼ିଚାଲିଛି। ସେ ଭଲ ଦିନ କାହିଁ? ଦୌଡ଼ି ଦୌଡ଼ି ବୟାଅଶୀ ପାରି ହୋଇଗଲିଣି ଯେ! ଆଉ ଭଲ ଦିନ ଦେଖିବାର ସ୍ୱପ୍ନ ଦେଖିବା ପାଇଁ ମୋ ପାଖରେ ବେଶି ରାତି ନାହିଁ। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବରେ ଆମ ରାଜ୍ୟ କଥା ଭାବିଲା ବେଳକୁ ଆଖି ଛଳଛଳ ହୋଇଯାଉଛି। ବିଶ୍ୱକବିଙ୍କ ଭାଷାରେ– “ପାଗଲ୍ ହୋଇଆ ବନେବନେ ଫିରି ଆପନା ଗନ୍ଧେ ମମ, କସ୍ତୁରୀ ମୃଗସମ।”

ଗିଲ୍‌ବାଖ୍ ଷ୍ଟ୍ରାସେ ୯୫ଇ, ୪୧୪୬୬ ନଏସ୍‌, ଜର୍ମାନୀ

drrajendradas.germany@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe