- ରବି ଦାସ
ଗୋଟିଏ ଦିନରେ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ପରିବାରର ତିନି ଜଣଙ୍କ ସମେତ ୫ ଜଣ ଲୋକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହେବା ଘଟଣାକୁ ସହଜରେ ଏକ ଦୁର୍ଘଟଣା ବୋଲି କୁହାଯିବ। କିନ୍ତୁ ମୃତ୍ୟୁବରଣ କରିଥିବା ପରିବାର ଓ ବ୍ୟକ୍ତିମାନେ ବିଦ୍ୟୁତ ସଂପର୍କରେ ଅଜ୍ଞ ନଥିଲେ। ଯେଉଁ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି ସେମାନେ କୁକୁଡ଼ା ଫାର୍ମ ଓ ଚାଷବାସ କରି ଜୀବନ କାଟୁଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୋବାଇଲ୍ ଷ୍ଟୋର ଥିଲା। ପଂଚମ ବ୍ୟକ୍ତି ମାଙ୍କଡ଼ ପାଇଁ ତାର ବାଡ଼ରେ ବିଦ୍ୟୁତ ସଂଯୋଗ କରୁଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଯେଉଁ ପରିବାରର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଲେ ସେମାନେ ବର୍ଷା ପରେ ପଡ଼ିଯାଇଥିବା ବିଦ୍ୟୁତ ତାରକୁ ଟେକିବାକୁ ଉଦ୍ୟମ କରି ଜଣେ ପରେ ଜଣେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ମୋବାଇଲ୍ ଷ୍ଟୋର ଥିବା ଯୁବକଙ୍କର ପିତାମାତା ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଅର୍ଥାତ୍ ଏମାନେ ସମସ୍ତେ ବିଦ୍ୟୁତ ସଂପର୍କରେ ଅଜ୍ଞ ବୋଲି ଆଦୌ କୁହାଯାଇପାରିବ ନାହିଁ। ମୋବାଇଲ୍ ଷ୍ଟୋର ଥିବା ତୁଷାର ସକାଳେ ଘର ଇନ୍ଭର୍ଟରରୁ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କଲେ।
ଏମାନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଦର୍ଶାଇ ବିଦ୍ୟୁତ ସେବା ଯୋଗାଉଥିବା ଟାଟା କମ୍ପାନୀ ବା ରାଜ୍ୟ ସରକାର କେହି ବି ଏଥିପାଇଁ ଦାୟିତ୍ୱ ନେଲେନାହାନ୍ତି। ସମ୍ଭବତଃ ସେହି କାରଣରୁ ରାଜ୍ୟ ସରକାର ଏହି ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି। ଓଡ଼ିଶାରେ ବିଦ୍ୟୁତ ସଂସ୍କାର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହେଲାଣି। ବିଦ୍ୟୁତ ଉତ୍ପାଦନ, ବିଦ୍ୟୁତ ବଣ୍ଟନ ଓ ବିଦ୍ୟୁତ ସେବାର ଦାୟିତ୍ୱ ରାଜ୍ୟ ସରକାର ନିଜ କାନ୍ଧରୁ ବୋଝ ଓହ୍ଲାଇ କମ୍ପାନୀମାନଙ୍କୁ ଦେଇଦେଇଛନ୍ତି। ଏହି କମ୍ପାନୀମାନେ ପ୍ରକୃତରେ କିପରି କାର୍ଯ୍ୟ କରୁଛନ୍ତି ଓ ବିଦ୍ୟୁତ ଗ୍ରାହକମାନଙ୍କୁ ଠିକଣା ଭାବରେ ସେବା ଦିଆଯାଉଛି କି ନାହିଁ ଓ ବିଦ୍ୟୁତ ମୂଲ୍ୟ କେତେ ହେବ ତାହା ବିଦ୍ୟୁତ ନିୟାମକ ଆୟୋଗ ସ୍ଥିର କରୁଛି। ଏହି ବିଦ୍ୟୁତ ନିୟାମକ ଆୟୋଗ ଏକ ଅର୍ଦ୍ଧନ୍ୟାୟପାଳିକା ସଂସ୍ଥା। ଏହାର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି ଓ ବିଦ୍ୟୁତ ନିୟାମକର ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା ପାଇଁ ଆଇନ ଥାଇ ମଧ୍ୟ ସରକାରଙ୍କର ସବୁବେଳେ ଯୁକ୍ତି ହେଲା ଯେ, ବିଦ୍ୟୁତ ସେବା ଓ ମୂଲ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ। ଓଡ଼ିଶାରେ କୋଇଲାଭିତ୍ତିକ ବିଦ୍ୟୁତ ଉତ୍ପାଦନ ସହିତ କମ୍ ମୂଲ୍ୟରେ ଉତ୍ପାଦିତ ହେଉଥିବା ଜଳ ବିଦ୍ୟୁତ ବ୍ୟବସ୍ଥା ରହିଛି। ରାଜ୍ୟରେ ବିଦ୍ୟୁତ ସଂସ୍କାର ପରେ ବଣ୍ଟନ କମ୍ପାନୀଗୁଡ଼ିକୁ ସଂପୂର୍ଣ୍ଣ ଘରୋଇକରଣ କରାଯାଇଛି। ଏବେ ରାଜ୍ୟର ଚାରୋଟି ଯାକ ବଣ୍ଟନ କମ୍ପାନୀ ଦାୟିତ୍ୱ ଟାଟା ପାୱାରକୁ ଦିଆଯାଇଛି। ଟାଟା କମ୍ପାନୀ ଏକଚାଟିଆ ଭାବରେ ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିଲେ ମଧ୍ୟ ସେମାନେ ବିଦ୍ୟୁତ ସେବାରେ କୌଣସି ଉନ୍ନତି କରିନାହାନ୍ତି। କିନ୍ତୁ ଟାଟା କମ୍ପାନୀ ଦାୟିତ୍ୱ ନେଲାପରେ ଦୁଇଥର ବିଦ୍ୟୁତ ଦର ବଢ଼ିଛି।
ଓଡ଼ିଶା ହେଉଛି ସମ୍ଭବତଃ ସାରା ଦେଶରେ ଏକମାତ୍ର ରାଜ୍ୟ, ଯେଉଁ ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ସରକାରଙ୍କର ସବ୍ସିଡ଼ି ବ୍ୟବସ୍ଥା ନାହିଁ। କାରଣ ଓଡ଼ିଶାରେ କୃଷି କ୍ଷେତ୍ରରେ ଅତି କମ୍ ପରିମାଣର ବିଦ୍ୟୁତ ବ୍ୟବହାର ହେଉଛି ଓ ଏ କ୍ଷେତ୍ରରେ ଯାହା କ୍ଷତି ଘଟୁଛି ତାହା ଘରୋଇ ବ୍ୟବହାରକାରୀ, ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପ ସଂସ୍ଥା ଭରଣା କରୁଛନ୍ତି। ଭାରତର ବହୁ ରାଜ୍ୟରେ ଏବଂ ବିଶେଷ ଭାବରେ ଦିଲ୍ଲୀ ଓ ଛତିଶଗଡ଼ରେ ବିଦ୍ୟୁତ ମୂଲ୍ୟରେ ସରକାର ସବ୍ସିଡ଼ି ବ୍ୟବସ୍ଥା କରିଥିବାରୁ ସେହିସବୁ ରାଜ୍ୟମାନଙ୍କରେ ଘରୋଇ ବ୍ୟବହାର ବିଦ୍ୟୁତ ମୂଲ୍ୟ ଓଡ଼ିଶାଠାରୁ କମ୍ ରହିଛି। ପଞ୍ଜାବ, ଆନ୍ଧ୍ର, ଉତ୍ତର ପ୍ରଦେଶ, ତାମିଲନାଡ଼ୁ ଓ ଅନ୍ୟାନ୍ୟ ବହୁ ରାଜ୍ୟରେ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର ଯେଉଁଠାରେ ଅଧିକ ରହିଛି ସେଠାରେ ରାଜ୍ୟ ସରକାର ଏହାର ଏକ ବଡ଼ ଭାଗ ସବ୍ସିଡ଼ି ଆକାରରେ ଖାଉଟିମାନଙ୍କୁ ପ୍ରଦାନ କରୁଛନ୍ତି। ଦିଲ୍ଳୀରେ ବିଦ୍ୟୁତ ସେବା ଓ ବିଦ୍ୟୁତ ମୂଲ୍ୟରେ ଚମତ୍କାରିତା ଫଳରେ ସେଠାରେ ଶାସନ କ୍ଷମତାରେ ଥିବା ‘ଆପ୍’ ଯେଉଁ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ସେଠାରେ ସେମାନେ କ୍ଷମତାକୁ ଆସିଲେ ବିଦ୍ୟୁତ ମୂଲ୍ୟ କେତେ କମାଇଦେବେ ଓ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ଲୋକମାନଙ୍କୁ କିପରି ବିଦ୍ୟୁତ ମୂଲ୍ୟ ଛାଡ଼ କରିଦେବେ ତାହାର ପ୍ରତିଶ୍ରୁତି ଦେଉଛନ୍ତି। ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ କୌଣସି ମୁଖ୍ୟ ଦଳମାନେ ବିଦ୍ୟୁତ ବ୍ୟବହାର, ବିଦ୍ୟୁତ ସେବା ଓ ବିଦ୍ୟୁତ ମୂଲ୍ୟ ନେଇ କୌଣସି ପ୍ରତିଶ୍ରୁତି ପ୍ରଦାନ କରୁନାହାନ୍ତି। ଏହା ରାଜ୍ୟର ନିର୍ବାଚନ ରଣନୀତିରେ ଏକ ପ୍ରମୁଖ ବିଷୟ ହୋଇପାରୁନାହିଁ।
ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ମୂଲ୍ୟ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ଦୁଇଗୁଣ ମୂଲ୍ୟ ବଢ଼ିଥିବା ସମୟରେ ଏହାର ପ୍ରଭାବ ପରିବହନ ଜନିତ ଖର୍ଚ୍ଚ ବୃଦ୍ଧି ଯୋଗୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉପରେ ପଡ଼ିଛି। ଫଳରେ ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଏପରି ସମୟରେ ଓଡ଼ିଶାରେ ସବୁ ଘରେ ଓ ଶିଳ୍ପ ସଂସ୍ଥାରେ ଏପରି କୁଟୀର ଶିଳ୍ପରେ ଆବଶ୍ୟକ କରୁଥିବା ବିଦ୍ୟୁତ ମୂଲ୍ୟ ଅହରହ ବୃଦ୍ଧି ପାଇଚାଲିଛି। ସବୁଘରକୁ ବିଦ୍ୟୁତ ଯୋଗାଣ ଏକ ରାଜନୈତିକ ଲକ୍ଷ୍ୟ ଭାବରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବିଦ୍ୟୁତ ମୂଲ୍ୟ ନେଇ ପ୍ରମୁଖ ଦଳମାନେ ଯେଉଁଭଳି ଭାବରେ ପ୍ରଶ୍ନ ଉଠାଇବା କଥା ତାହା କରୁନାହାନ୍ତି। ଯେହେତୁ ବିଦ୍ୟୁତ ସଂସ୍କାର ହୋଇଯାଇଛି ଓ କମ୍ପାନୀମାନେ ବିଦ୍ୟୁତ ଦାୟିତ୍ୱ ବହନ କରିନେଇଛନ୍ତି ତେଣୁ ରାଜ୍ୟ ସରକାରଙ୍କର ଏଥିରେ କୌଣସି ଭୂମିକା ନାହିଁ ବୋଲି କୁହାଯାଉଛି। କିନ୍ତୁ ଜନସାଧାରଣ ଯେଉଁ ସରକାରକୁ ନିର୍ବାଚିତ କରିଛନ୍ତି ସେ ସରକାର ବିଦ୍ୟୁତ ନେଇ ସେମାନଙ୍କର କୌଣସି ଭୂମିକା ନାହିଁ ଓ ଜନସାଧାରଣଙ୍କ ପ୍ରତି ଦାୟିତ୍ୱ ନାହିଁ ବୋଲି କହିବା ଆଦୌ ଗ୍ରହଣୀୟ ନୁହେଁ। ବିଦ୍ୟୁତ ଏପରି ଏକ ସେବା ଯାହା ବିନା ରାଜ୍ୟର ସାଧାରଣ ଜୀବନ, ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ସଂପୂର୍ଣ୍ଣ ଅଚଳ ହୋଇଯିବ। ବିଦ୍ୟୁତ ବିନା କୌଣସି ପରିବାର ଗୋଟିଏ ମୁହୂର୍ତ୍ତ ଚାଲିବା, ବ୍ୟବସାୟ ବାଣିଜ୍ୟ କାର୍ଯ୍ୟ କରିବା ଓ ସର୍ବୋପରି ସାଧାରଣ ଜୀବନ ସ୍ୱାଭାବିକ ହେବା ଅସମ୍ଭବ।
ଆଶ୍ଚର୍ଯ୍ୟର କଥା ବିଦ୍ୟୁତ ସେବା ଓ ବିଦ୍ୟୁତ ମୂଲ୍ୟ ନେଇ ଯେତେବେଳେ ସାଧାରଣ ଲୋକମାନେ, ଶିଳ୍ପସଂସ୍ଥା, କୃଷକ ଓ ବ୍ୟବସାୟ ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଅସନ୍ତୋଷ ପ୍ରକାଶ କରୁଛନ୍ତି ସେତେବେଳେ ରାଜ୍ୟ ବିଧାନସଭାର ଷ୍ଟାଣ୍ଡିଂ କମିଟି ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେଇଥିବା ଘରୋଇ କମ୍ପାନୀ କିପରି ବିଦ୍ୟୁତ ମୂଲ୍ୟ ପଇଠ ପାଇବ ସେଥିପାଇଁ ଅଗ୍ରାଧିକାର ଦେଇଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁସାରେ ଲୋକମାନେ ବିଦ୍ୟୁତ ବ୍ୟବହାର ପୂର୍ବରୁ ବିଦ୍ୟୁତ ମୂଲ୍ୟ ପଇଠ କରିବେ। ଯେପରି ମୋବାଇଲରେ ବ୍ୟବହାର ପୂର୍ବରୁ ରିଚାର୍ଜ କରାଯାଉଛି ଠିକ୍ ସେହିପରି ବିଦ୍ୟୁତ ବ୍ୟବହାର ପୂର୍ବରୁ ପ୍ରତ୍ୟେକ ଖାଉଟି ସ୍ମାର୍ଟକାର୍ଡ ଜରିଆରେ ପ୍ରଥମେ ବିଦ୍ୟୁତ ମୂଲ୍ୟ ପଇଠ କରିବେ ଓ ଚାର୍ଜ ସରିଯିବା ପୂର୍ବରୁ ପୁଣି ଆଉଥରେ ରିଚାର୍ଜ କରିବେ। ବାସ୍ତବରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଏହା ଶେଷ ପର୍ଯ୍ୟାୟ। ରାଜ୍ୟ ସରକାର ବିଦ୍ୟୁତ ମୂଲ୍ୟ ଓ ବିଦ୍ୟୁତ ସେବା କ୍ଷେତ୍ରରେ ସଂସ୍କାର ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି ଓ ବିଦ୍ୟୁତ ମୂଲ୍ୟ ବୃଦ୍ଧି ଫଳରେ ପ୍ରତ୍ୟେକ ପରିବାର ଭିତରେ କେତେ ମାସିକ ବୋଝ ପଡ଼ୁଛି ତାହା ହିସାବ କରିନାହାନ୍ତି। କରୋନା ସମୟରେ ରାଜ୍ୟର ବହୁ ଶିଳ୍ପସଂସ୍ଥା ଓ ବିଶେଷ ଭାବରେ କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପଗୁଡ଼ିକ ବନ୍ଦ ହୋଇଗଲା। ସେମାନଙ୍କ ଉପରେ ବିଦ୍ୟୁତ ମୂଲ୍ୟର ବୋଝ ଯେପରି ବଢ଼ିଗଲା ସେଥିରୁ ସେମାନଙ୍କୁ ରିହାତି ଦେବା ପାଇଁ କିଛି ବ୍ୟବସ୍ଥା ନହେବା ଫଳରେ ଅନେକ ଶିଳ୍ପସଂସ୍ଥା ଚାଲିପାରୁନାହିଁ। କରୋନା ସମୟରେ ବେକାରୀକୁ ଏହି ଅବସ୍ଥା ଆହୁରି ସଂଗୀନ କରିଛି। ରାଜ୍ୟ ସରକାର ବିଦ୍ୟୁତ କ୍ଷେତ୍ରରେ ସଂପୂର୍ଣ୍ଣ ଦାୟିତ୍ୱମୁକ୍ତ ହୋଇଯାଇଛନ୍ତି ବୋଲି ଚିନ୍ତା କରି ଯେପରି କାର୍ଯ୍ୟ କରୁଛନ୍ତି ସେଥିରେ ସାଧାରଣ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଦ୍ୟୁତ ସେବା ଜନିତ ତ୍ରୁଟି ଯୋଗୁ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କର ଦାୟିତ୍ୱ ସରକାର କିମ୍ବା କମ୍ପାନୀ ବହନ ନକରିବା ଫଳରେ ଏହାକୁ ଦୁର୍ଘଟଣା ଭାବି ଭାଗ୍ୟକୁ ଆଦରି ଲୋକମାନେ ସବୁ ସହିଯାଉଛନ୍ତି। କିନ୍ତୁ ଏକ ଗଣତନ୍ତ୍ରରେ ଏହା ଗ୍ରହଣୀୟ କି?
ବରିଷ୍ଠ ସାମ୍ବାଦିକ
ମୋ: ୯୪୩୭୪୦୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।