Advertisment

ଫକୀରମୋହନ ଓ ଓଡ଼ିଆ ଲୋକଧର୍ମ

ବିଜୟମୋହନ ମିଶ୍ର ଓଡ଼ିଆ ଲୋକଧର୍ମ ଯେ କୃଷିଭିତ୍ତିକ ତା’ର ପ୍ରଥମ ବିଶ୍ଲେଷଣ ଶାରଳା ଦାସଙ୍କର ସାହିତ୍ୟରେ ଦେଖିବାକୁ ମିଳେ। ଏ ଧର୍ମର ଅଧିଷ୍ଠାତ୍ରୀ ହେଲେ ଭୂମି, ବସୁନ୍ଧରା। ଶାରଳା ଦାସ ହେଲେ ଚାଷୀ ସିଦ୍ଧେସ୍ଵର ପରିଡ଼ା, ତାଙ୍କର ଠାକୁରାଣୀ ହେଲେ ମା’ ଶାରଳା। ଶାରଳା ଦାସଙ୍କ ସମୟରୁ କି ତା ଆଗରୁ ହୋଇପାରେ, ମା’ ଶାରଳା ହେଲେ ଓଡ଼ିଶାର ସଂସ୍କୃତିରଠାକୁରାଣୀ। ଆପଣା ସାଧନା ବା କଉଶଳରୁ ଯାହା କୃତି, ସବୁ ହେଲା ମା’ ଶାରଳାର ଆଶୀର୍ବାଦ। ମା’ ହେଲେ […]

ଫକୀରମୋହନ ଓ ଓଡ଼ିଆ ଲୋକଧର୍ମ

fakir-mohan-senapati

Advertisment

ବିଜୟମୋହନ ମିଶ୍ର

ଓଡ଼ିଆ ଲୋକଧର୍ମ ଯେ କୃଷିଭିତ୍ତିକ ତା’ର ପ୍ରଥମ ବିଶ୍ଲେଷଣ ଶାରଳା ଦାସଙ୍କର ସାହିତ୍ୟରେ ଦେଖିବାକୁ ମିଳେ। ଏ ଧର୍ମର ଅଧିଷ୍ଠାତ୍ରୀ ହେଲେ ଭୂମି, ବସୁନ୍ଧରା। ଶାରଳା ଦାସ ହେଲେ ଚାଷୀ ସିଦ୍ଧେସ୍ଵର ପରିଡ଼ା, ତାଙ୍କର ଠାକୁରାଣୀ ହେଲେ ମା’ ଶାରଳା। ଶାରଳା ଦାସଙ୍କ ସମୟରୁ କି ତା ଆଗରୁ ହୋଇପାରେ, ମା’ ଶାରଳା ହେଲେ ଓଡ଼ିଶାର ସଂସ୍କୃତିରଠାକୁରାଣୀ। ଆପଣା ସାଧନା ବା କଉଶଳରୁ ଯାହା କୃତି, ସବୁ ହେଲା ମା’ ଶାରଳାର ଆଶୀର୍ବାଦ। ମା’ ହେଲେ ରସର ଉତ୍ସ।  କୃତିର ରସ ମା’ ଶାରଳା।

Advertisment

ଏହି କୃଷିଭିତ୍ତିକ ସଂସ୍କୃତିରୁ ବସ୍ତୁର ଉତ୍ପତ୍ତି। ପ୍ରତ୍ୟେକ ବସ୍ତୁର ନିଜସ୍ଵ ଆକାର ଅଛି, ପ୍ରକାର ଅଛି, ନିଜସ୍ଵ ପ୍ରକୃତି ଅଛି। ଗୋଟିଏ ବସ୍ତୁର ପ୍ରକୃତି ଅନ୍ୟ ଉପରେ ନିର୍ଭର କରୁନାହିଁ, ପ୍ରତ୍ୟେକ ବସ୍ତୁର ବିଶ୍ଵରେ ସ୍ଥାନ ଅଛି। କୌଣସି ବସ୍ତୁ ଉଚ୍ଚ ନୁହେଁ, ବା କୌଣସି ବସ୍ତୁ ନୀଚ ନୁହେଁ। ସଂସାରରେ ସମସ୍ତଙ୍କର ଆବଶ୍ୟକତା ସମାନ। ପ୍ରତ୍ୟେକ ବସ୍ତୁର ଗୁଣ ସମାଜ ସଂରକ୍ଷଣ ପାଇଁ ଆବଶ୍ୟକ। ଗୁଣକୁ ପ୍ରୟୋଗ କରିବାରେ ବସ୍ତୁର କର୍ମ ଅଛି। ଆପଣାର କର୍ମକୁ ଠାକୁରାଣୀଙ୍କ ଠାରେ ସମର୍ପଣ କରି କାର୍ଯ୍ୟ କରିବା ହେଲା ସଂସ୍କୃତି। ଠାକୁରାଣୀସ୍ଵଚ୍ଛତା ଚାହେଁ, ଏ ସ୍ଵଚ୍ଛତା ହେଲା ମନର ନିର୍ମଳତା ଓ ବିବେକ ଜ୍ଞାନ। ଏହି ବିବେକ ଜ୍ଞାନ ହିଁ ସମାଜର ସତ୍ୟ।

ଏ ସଂସ୍କୃତିକୁ ଚଳାଇରଖିବା ନିମିତ୍ତ ଜଗୁଆଳି ଦରକାର, ସେ ଜଗୁଆଳି ହେଲେ ଶ୍ରୀ ଜଗନ୍ନାଥ। ଠାକୁରାଣୀ ବସ୍ତୁକୁ ଚେତନା ଦେଉଛି, ଶ୍ରୀ ଜଗନ୍ନାଥ ବିଶ୍ଵକୁ ଜଗି ରଖିଛି। ଭୋକିଲାକୁ ଖାଦ୍ୟ ଦେଉଛି, ଦୁଷ୍ଟକୁ ଦଣ୍ଡ ଦେଉଛି, ମଣିଷର କର୍ମର ପରିଣାମ ନିର୍ଣ୍ଣୟ କରୁଛି, ମଣିଷକୁ ସୁଧାରିବାର ଉପାୟ ଦେଉଛି। ଶ୍ରୀ ଜଗନ୍ନାଥ ହେଲେ ଶାସକ, ରାଜା, ରସର ଗ୍ରହୀତା। ମା’ ଚେତନା ହେଲେ ଶ୍ରୀ ଜଗନ୍ନାଥ ହେଲେ ବିଶ୍ଵାସ, ମଣିଷର ଇଚ୍ଛା, ମଣିଷର ଜୀବନର ମାନ। ଠାକୁରାଣୀ ସାଧନାର ବୀଜ ଦିଏ, ଶ୍ରୀ ଜଗନ୍ନାଥ ତାକୁ ଗଛରେ ପରିଣତ କରେ। ବଞ୍ଚି ରହିବା ପାଇଁ ପାଣି, ପବନ, ଖାଦ୍ୟ ଓ ଆୟୁ ଶ୍ରୀ ଜଗନ୍ନାଥର ଆଶୀର୍ବାଦ।

Advertisment

ଏ କଥା ହେଲା ଓଡ଼ିଆ ସମାଜର ନୀତିଜ୍ଞାନ, ଏହାର ବାହକ ହେଲା ଓଡିଆ ଚଳଣି ଓ ଓଡ଼ିଆ ସାହିତ୍ୟ। ସାହିତ୍ୟ ହେଲା ଲୋକଶିକ୍ଷା- ନୀତିଜ୍ଞାନର ପ୍ରଚାର, ସଂସ୍କୃତିକୁ ବଞ୍ଚାଇ ରଖିବାର ଉଦ୍ୟମ। ଏ ନୀତିଜ୍ଞାନ ସାର୍ବଜନୀନ କି ନୁହେଁ କହିହେବ ନାହିଁ, କିନ୍ତୁ ବହୁକାଳ ଏକାଠି ନ ରହିଲେ ଏହାକୁ ହୃଦବୋଧ କରିବା ସହଜ ନୁହେଁ। ଏହା ସାମାଜିକ ଧାରଣା ନୁହେଁ, ଏହା ହେଲା ସମାଜକୁ ଆଗେଇନେବାର ତତ୍ତ୍ଵ। ସମାଜର ସଫଳତା ହିଁ ଏ’ ତତ୍ତ୍ଵର ଅଧିକାରୀ।

ଫକୀରମୋହନଙ୍କ ଜନ୍ମଦିବସରେ ମୁଁ ଏହି ଟୀକା ଲେଖୁଛି। ବଂଶଗତ ବ୍ୟବସାୟ ଉପରେ ବିଦେଶୀ ସରକାରର ଅବରୋଧ ଫକୀରମୋହନଙ୍କୁ ଶିକ୍ଷା ଛାଡି ଜୀବିକାକୁ ଟାଣିହେବାକୁ ବାଧ୍ୟ କରିଥିଲା। ଓଡ଼ିଆ କ’ଣ ବୁଝିବାକୁ ସେ ସାହିତ୍ୟ ସୃଷ୍ଟି କରୁଥିଲେ। ଦୁର୍ଭିକ୍ଷରେ ଓଡ଼ିଆର ଅସହାୟତାରେ ସେ ବିଦୀର୍ଣ୍ଣ ହୋଇଥିଲେ ଓ ଓଡ଼ିଆର ସ୍ଵାଭିମାନ ଖୋଜି ବୁଲିଥିଲେ। ମରହଟ୍ଟା, ମୁସଲମାନ ଓ ଇଂରେଜ୍ - ତିନିହେଁ ଓଡ଼ିଶାକୁ ଲୁଟିବାକୁ ଆସିଥିଲେ। ମରହଟ୍ଟା ଓ ମୁସଲମାନଙ୍କଠାରୁ ରକ୍ଷା କରି ଓଡ଼ିଶା ଇଂରେଜ୍ କବଳରେ ପଡ଼ିଗଲା ଓ ବଙ୍ଗାଳୀ ଜମି ନିଲାମ କରି ଚାଲିଲେ।

ଏ ହେଲା ୧୮୭୦ ମସୀହା କଥା। ଏ ନୀତିଜ୍ଞାନରେ ପ୍ରତ୍ୟେକ ଲୋକ ହେଲେ ଉତ୍ପାଦକ, ସମାଜ ହେଲା ଗୋଟିଏ ସମବାୟ। ତନ୍ତୀ, କମାର, ବଢେଇ, ମାଳୀ, ପାଇକ, ଜ୍ୟୋତିଷ, ଶାସ୍ତ୍ରଜ୍ଞ- ସମସ୍ତେ ସମାଜର ଅଙ୍ଗ। କେହି ବଡ଼ ବା ସାନ ନାହିଁ। ସମସ୍ତଙ୍କର ଜୀବିକାରେ ଶ୍ରୀ ଜଗନ୍ନାଥ, ଜୀବିକାକୁ ଚଳାଇ ରଖିବା ହେଲା ସମାଜର ଲକ୍ଷ୍ୟ। ଜୀବିକାରୁ ହିଁ ପ୍ରଗତି। ଆଳସ୍ୟରୁ ଶୋଷଣ, ଶଠତା ଓ ନୃଶଂସତା। ଏମାନେ ହେଲେ ସାମନ୍ତବାଦର ମଞ୍ଜି, ବିଦେଶରୁ ଅଣା ହୋଇ ଓଡିଆ ସମାଜରେ ବୁଣା ହୋଇଛି। ଓଡ଼ିଆକୁ ଏ ବିଷୟରେ ଅବଗତ କରାଇବା ଫକୀରମୋହନଙ୍କର ସାହିତ୍ୟସାଧନା।

ଏ ବିଷୟରେ ଆହୁରି ଅନେକ କଥା ବିଶ୍ଳେଷଣ କରି ଫକୀରମୋହନଙ୍କ ନୂଆ ଓଡ଼ିଶା ନିର୍ମାଣରେ ବ୍ରତୀ ହେବାକୁ ଏହି ଜନ୍ମଦିବସରେ ମୁଁ ଆହ୍ଵାନ କରୁଛି। ସମାଜ ଆମଠାରୁ ବହୁତ ଉର୍ଦ୍ଧ୍ଵରେ। ସମାଜର ମୂଳଦୁଆ ହେଲା ଭାଷା। ଭାଷା ରକ୍ଷାରୁ ସମାଜ ରକ୍ଷା। ସମସ୍ତେ ଭାଷାକୁ ପରଖି ପ୍ରତ୍ୟେକ ବର୍ଣ୍ଣରେ ମା’ ଶାରଳାକୁ ଦେଖିବାକୁ ଅନୁରୋଧ କରୁଛି।

ଯୁକ୍ତରାଷ୍ଟ୍ର ଆମେରିକା

ମକର ସଙ୍କ୍ରାନ୍ତି , ଜାନୁଆରି ୧୪, ୨୦୨୨

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe