ମୋଟା ସମ୍ବିଧାନ, ଛୋଟା ଗଣତନ୍ତ୍ର!

  • ମାୟାଧର ନାୟକ

ଆମ ସମ୍ବିଧାନରେ ଲେଖାଅଛି – ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର। ଆମ ରାଜନେତାମାନେ କେହି ସମ୍ବିଧାନକୁ ମାନୁ ନାହାଁନ୍ତି – ସେମାନେ ଜାତି ନାଁରେ ଧର୍ମ ନାଁରେ ବର୍ଣ୍ଣ, ଆଂଚଳିକତା ନାଁରେ ରାଜନୀତି କରୁଛନ୍ତି। ଆମ ସମ୍ବିଧାନ ଯେତେ ଚାଲିଛି ମୋଟା ହୋଇ – ଗଣତନ୍ତ୍ର ସେତେ ଗଡୁଛି ଛୋଟା ହୋଇ।

ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁମାନେ ଏକ ସୁନ୍ଦର ସମୃଦ୍ଧ ଭାରତବର୍ଷର ସ୍ୱର୍ଣ୍ଣାଭ ସ୍ୱପ୍ନ ଦେଖିଥିଲେ, ଏକ ଅନନ୍ୟ ଭବିଷ୍ୟତର ରଙ୍ଗୀନ ଆଲେଖ୍ୟ ଆଙ୍କିଥିଲେ, କଳ୍ପନା କରିଥିଲେ, ଏକ ମୁକ୍ତ ମହାନ ରାଷ୍ଟ୍ରଭୂମିର – ସେମାନଙ୍କର ସେ ଆଶା ମିଳେଇ ଯାଇଛି ପାଣି ଫୋଟକା ପରି। ଭାଙ୍ଗିଯାଇଛି ଭରସାର ବତୀଘର ସବୁ। ଆଜି ଦୁର୍ନୀତିର ଦଂଶନରେ ଭାରତବର୍ଷ ଜର୍ଜରିତ – ଜାଲିଆତିର ଜାଲରେ ଜନଗଣ ଛଟପଟ – ସମ୍ପୁର୍ଣ୍ଣ ଅଣନିଶ୍ୱାସୀ।

କିନ୍ତୁ….. ଭାରତବର୍ଷ ନୁହେଁ, ଗୋଟାଏ ବିକଳ ଭଗ୍ନସ୍ତୁପ – ଏ ଦେଶ! ପାଣି ପବନରେ ବିଷ। ପରିବେଶରେ ପାଉଁଶ। ସବୁଠି ଅଙ୍ଗାର। ସବୁଠି ଅନ୍ଧାର। ଅତୀତକୁ ନେଇ ଅନ୍ତହୀନ ଆସ୍ଫାଳନ, ଅଥଚ ଏ ଦେଶର ବର୍ତ୍ତମାନଟା କି ବିକୃତ, କି ବୀଭତ୍ସ କି ବିକଳାଙ୍ଗ! ବିଶାଳ ବିରୋଧାଭାସଟାଏ ଏ ଦେଶ… ଯାହାକୁ ଆମେ ଭାରତବର୍ଷ କହିଲେ ଉପହାସ କରିବ ଇତିହାସ – ଲଜ୍ଜା ଆଉ ସଂକୋଚରେ ମୁହଁ ଘୋଡ଼େଇବେ ଆମ ପୂର୍ବପୁରୁଷ।

ଆଜିର ନାୟକହୀନ ରାଜନୀତି ଉତ୍କଟ ଉପଦଂଶ ପରି ଆକ୍ରାନ୍ତ କରିସାରିଛି ଆମର ଏ ଦୁର୍ଭାଗା ଦେଶକୁ। ନେତୃତ୍ୱର ସଂକଟ ସହିତ ମୂଲ୍ୟବୋଧର ମୃତ୍ୟୁ ଆଜି ଭାରତୀୟ ରାଜନୀତିକୁ ପରିଣତ କରିଛି କେବଳ କଂସେଇମାନଙ୍କ କାରଖାନାରେ। ସେଥିପାଇଁ ବର୍ତ୍ତମାନର ରାଜନୀତି କ୍ଷେତ୍ରରେ ଶୋଷକବର୍ଗ ହିଁ ସାଜିଛନ୍ତି ଶାସକଶ୍ରେଣୀ! ଦୁର୍ବୃତ୍ତମାନେ ହିଁ ପାଲଟିଛନ୍ତି ଦ୍ୱାରପାଳ! ମାଫିଆ ହୋଇଛି ମୁଖିଆ। ଗୁଣ୍ଡା ବନିଛି ପଣ୍ଡା, ମେଣ୍ଢା ପାଲିଟିଛି ଭେଣ୍ଡା, ଜିରୋ ହୋଇଛି ହିରୋ।

ଘାତକମାନଙ୍କ ଆଖିରେ ଲୋତକ ଦେଖି ଭୂଆଁ ବୁଲୁଚି ଭାରତୀୟ ଜନତା। ସ୍ୱର୍ଣ୍ଣ କଙ୍କଣଧାରୀ ବୃଦ୍ଧ ବ୍ୟାଘ୍ରର ବିଜ୍ଞପ୍ତି ବୈରାଗ୍ୟରେ ପ୍ରତାରିତ ହେଉଛି ଆଜିର ପ୍ରଲୁବ୍ଧ ଯୁବପିଢି। ଚଂଚକ ରାଜନୈତିକ ଚରିତ୍ର ଚଳୁ କରିବାକୁ ବସିଛି ତମାମ ଦେଶକୁ। ରାଜନୈତିକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଅର୍ଥନୈତିକ ଶୋଷଣର ଗଢ଼ିଉଠିଛି ଗୋଟାଏ ଗୋପନ ସମ୍ପର୍କ। ଭିନ୍ନ ଭିନ୍ନ ନାମ ଓ ଦଳର ଗୋଟାଏ ଦୋକାନଦାରୀ ପାଲଟି ଯାଇଛି ସାମ୍ପ୍ରତିକ ଭ୍ରଷ୍ଟ ରାଜନୀତି। ଏକ ନାଉର ମଞ୍ଜି ସବୁ ନିଜ ନିଜ ପାଇଁ ଦଖଲ କରି ନେଇଛନ୍ତି ଭିନ୍ନ ଭିନ୍ନ କିଆରି! ଜନସ୍ୱାର୍ଥ ନୁହେଁ ଆତ୍ମସ୍ୱାର୍ଥ ଓ ନ୍ୟସ୍ତସ୍ୱାର୍ଥ ହୋଇଉଠିଛି ସେମାନଙ୍କର ଏକମାତ୍ର ଆଭିମୁଖ୍ୟ। ସେଥିପାଇଁ ଆଜି ନେତାମୁଣ୍ଡରେ ଟୋପି, ଜନତାମଥାରେ ଥୋପି। ନେତାର ଚାଲିଛି ବିଧାନସଭା, ରାଜ୍ୟସଭା ଓ ଲୋକସଭା, ଜନତାର କେବଳ ଶୋକସଭା। ମୁଖପାତ୍ର ସାଜିଥିବା ମହାପାତ୍ରମାନେ ଦିନ ଦ୍ୱିପହରରେ ସବୁକିଛି ଲୁଟି ଚୁରିମାରି ନେଉଥିବା ବେଳେ ଶୂନ୍ୟ ଦୃଷ୍ଟିରେ ଆଁ କରି ଅନେଇଛି ଜଳକା ଜନତା।

ଆଜି ମନ୍ଦିର-ମସଜିଦକୁ ନେଇ ଝଗଡ଼ା! ଧର୍ମ-ବିଧର୍ମକୁ ନେଇ ବିବାଦ। ସୀମା-ସନ୍ତ୍ରାସକୁ ନେଇ ତୁମ୍ବି ତୋଫାନ୍। ରାଷ୍ଟ୍ର, ଧର୍ମ, ପତାକା, ଜାତୀୟତା ଇତ୍ୟାଦିକୁ ଆଳ କରି ସାରା ପୃଥିବୀରେ ସମ୍ପ୍ରତି ପୁଞ୍ଜିବାଦ ତା’ର ଚକ୍ରାନ୍ତରେ ଚମତ୍କାରିତା ପ୍ରଦର୍ଶନ କରିଚାଲିଛି। ମାଟିଠୁ ମଣିଷକୁ ଅଲଗା କରି ଦିଆଯାଉଛି। ଲକ୍ଷ୍ୟଠୁ ଲୋଚନାକୁ ଦୂରେଇ ରଖାଯାଉଛି, ସ୍ୱପ୍ନକୁ ସଂକଳ୍ପକୁ ହଟାଇ ନିଆଯାଉଛି। ସବୁ ସ୍ତରରେ ଲେଲିହାନ୍ ଲୋଳଜିହ୍ୱା ବିସ୍ତାର କରି ଚାଲିଛି ଅତି  ଅସନ୍ତୋଷର ଅଗ୍ନିଶିଖା। ଅଥଚ ଗଦିରେ ଘୁମେଇ ଗାଦିରେ ବସିଥିବା ଆଜିର ଶାସକଶ୍ରେଣୀ, ଖଟରେ ଶୋଇ ମଠରେ ମାମଲାତି କରୁଥିବା ଯାଜକବୃନ୍ଦ, କୁର୍ସିରେ ବସି ଆର୍ସି ଆଗରେ ଚେହେରା ସଜଉଥିବା ପ୍ରଶାସକ ବର୍ଗ ସମକାଳୀନ ସମାଜର ଏ ଉତ୍କଟ ଅସୁସ୍ଥତା ପ୍ରତି ଏକାନ୍ତ ଉଦାସୀନ।

ଆମେ ଲୁଟେରାମାନଙ୍କ ହାତମୁଠାରେ ଲଟେରୀ ଟିକେଟ୍ଟାଏ କରି ବଢ଼େଇ ଦେଇଛୁ ଆମର ଏ ପ୍ରିୟ ଭାରତବର୍ଷକୁ। କଂସେଇମାନଙ୍କୁ କରିଛୁ କର୍ଣ୍ଣଧାର। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କ୍ଷୁଧିତ ରାଜନୀତି ବିସ୍ତାର କରି ସାରିଛି ତାର ଭୟଙ୍କର ଫଣା। ଜଘନ୍ୟ ଜନଜହ୍ଲାଦମାନଙ୍କ ପ୍ରଚଣ୍ଡ ଫୁତ୍କାର ଭିତରେ ମିଳେଇ ଯାଉଛି ପ୍ରବଂଚିତ ଜନଗଣଙ୍କ ଛିନ୍ନଭିନ୍ନ ଚିତ୍କାର! ବାପ ଯାଉଛି ଦାଦନକୁ, ମା’ ଗୋଟୋଉଛି ଗୋବର, ପିଲାବିକ୍ରି ହେଉଛି ବିଚ୍ ବଜାରରେ! ଅଥଚ ମୋଟା ସମ୍ବିଧାନର ବୋଝ ମୁଣ୍ଡେଇ ଛୋଟା ଗଣତନ୍ତ୍ର ବାଟସାରା କେବଳ ବାଣ୍ଟିଚାଲିଛି ଫମ୍ପା ପ୍ରତିଶ୍ରୁତିର ପାମ୍ପରା ପାମ୍ପଲେଟ୍।

ଏ ଦେଶର କିଏ କଲା ଏଭଳି ଦଶା? ଏ ଦେଶକୁ କିଏ କଲା ଏଭଳି ଦୁର୍ଭାଗା? ଋକ୍ତବିନ୍ଦୁର ବିନିମୟରେ ଆମେ ହାସଲ କରିଥିଲୁ ଯେଉଁ ହକ୍, ସ୍ୱାଧୀନତା, ତା’ର ପରିଣତି କଣ ଏଇ? ଦୁଇଶ’ ବର୍ଷ ବିଦେଶୀ ପାଖରେ ଗୋଲାମୀ କଲୁ, ୭୫ ବର୍ଷ ଦେଶୀ ଶୋଷକ-ଶାସକ ପାଖରେ ବନ୍ଧା ପକାଇଲୁ ଆପଣାର, ଭାଗ୍ୟ ଭବିତବ୍ୟ। ଦୁଇଶ’ ବର୍ଷର ଦାସତ୍ୱକୁ କିନ୍ତୁ ବଳିଗଲା ଏଇ ୭୫ ବର୍ଷର ପ୍ରତାରଣା। ନକଲି ନେତୃତ୍ୱ ଏବଂ ଶଠ ଶେଠମାନଙ୍କର ଚତୁର ଚକ୍ରବ୍ୟୁହ ମଧ୍ୟରେ ବଂଚିବାର ବାଟ ଭୁଲିଗଲା ଭାରତର ଜନତା।

ହାଣ ମୁହଁକୁ ମୁହାଇଁ ଚାଲିଥିବା ଆମର ଏ ଯୁଗ ଯୁଗର ଐତିହ୍ୟମୟ ଦେଶ ଓ ସମାଜ ଜୀବନକୁ କ’ଣ ଧ୍ୱଂସ ହେବାପାଇଁ ଆମେ ଛାଡ଼ିଦେବା? ଗୋଟାଏ କୁରୁକ୍ଷେତ୍ରରେ ଦିନେ ନିଶ୍ଚିହ୍ନ ହୋଇଯାଇଥିଲା ମହାଭାରତ! ଆଜି ଆମ ସାମ୍ନାରେ ଶହ ଶହ କୁରୁକ୍ଷେତ୍ର… ଆମର ଏ ମହାନ୍ ଭାରତକୁ କ’ଣ ଆମେ ଆଜି ବଳି ପକାଇ ଦେବା ତା’ ଭିତରେ?

ବର୍ତ୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ। ଭସ୍ମସ୍ତୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଭଗ୍ନସ୍ତୂପ ମଧ୍ୟରୁ ଜନଜୀନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମର ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ।

ଆଜି ସମୟ ଆସିଛି, ଆମକୁ ବାଛି ନେବାକୁ ପଡ଼ିବ ଆମର ଗତି କେଉଁ ଦିଗକୁ – ପଛକୁ ନା ଆଗକୁ। ଏବେ ଆରମ୍ଭ ହେଉ ଆଉ ଏକ ଆଜାଦୀର ଅଭିଯାନ, ଆଉ ଏକ ଅଦମ୍ୟ ସଂଗ୍ରାମର ଅତନ୍ଦ୍ର ଅଭିଯାତ୍ରା ପ୍ରବଚିଂତ ଭାରତବର୍ଷର ଚିର ଉପେକ୍ଷିତ ଭୂମି ଏହି ଦୁଃଖିନୀ ଓଡ଼ିଶା ବୁକୁରେ ହିଁ ସୁରୁହେଉ ଏହି ଗୁରୁଦାୟିତ୍ୱ ନିର୍ବାହର ଆଦ୍ୟ ଅଙ୍ଗିକାର। ଭବିଷ୍ୟତର ମହାମୁକ୍ତି ସଂଗ୍ରାମର ପ୍ରକୃତ କୁରୁକ୍ଷେତ୍ର ହେଉ ଆମର ଏ ଅବହେଳିତ ଭୂମି। ଦାରିଦ୍ର୍ୟ, ଦୁଃସ୍ଥିତି, ଦୁର୍ନୀତି, ଭ୍ରଷ୍ଟାଚାର, ଅପସଂସ୍କୃତି, ଗୁଣ୍ଡାଗର୍ଦ୍ଦୀ – ସବୁକିଛି ବିଡ଼ମ୍ବନା ବିରୋଧରେ ଯୁଦ୍ଧ ଘୋଷଣା କରୁ ଓଡ଼ିଶାର ତପ୍ତ ତାରୁଣ୍ୟ! ବାର୍ଦ୍ଧକ୍ୟ, ବୈରାଗ୍ୟ ଓ ବ୍ୟାଧିମୁକ୍ତ ଭାରତବର୍ଷ ପାଇଁ ଏଇଠୁ ହିଁ ଆରମ୍ଭ ହେଉ ତରୁଣ ଓଡ଼ିଶାର ଉତ୍ସର୍ଗୀକୃତ ଅଗ୍ନିତପସ୍ୟା। ଆମକୁ ଆଜି ଶୀରସ୍ତ୍ରାଣ ପିନ୍ଧି ହାତରେ ଧରିବାକୁ ପଡ଼ିବ ଗଣସଂଗ୍ରାମର ଅମୋଘ ଅସ୍ତ୍ର। ସତ୍ ମନର ସ୍ୱପ୍ନ ଯଦି ସଂକଳ୍ପରେ ପରିଣତ ହୁଏ, ତେବେ ନିଶ୍ଚିତ ଭାବରେ ସାର୍ଥକ ହେବ ଆମର ଆଗାମୀ ସମାଜର ସର୍ଜନା ଓ ସଂରଚନା।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।