ସିନ୍ଧୁଜ୍ୟୋତି ତ୍ରିପାଠୀ
ବିଶ୍ୱ କ୍ଷୁଧା ସୂଚକାଙ୍କ (ଗ୍ଲୋବାଲ୍ ହଙ୍ଗର୍ ରିପୋର୍ଟ୍)ରେ ଭାରତର ଦୁର୍ବଳ ରାଙ୍କିଙ୍ଗ୍ ସଂପ୍ରତି ଚର୍ଚ୍ଚାରେ ଅଛି। ସଦ୍ୟ ପ୍ରକାଶିତ ରିପୋର୍ଟ୍ ଅନୁଯାୟୀ ୧୧୬ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଭାରତ ୧୦୧ ସ୍ଥାନରେ ଅଛି। ବିଶେଷତଃ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ କଦର୍ଥ କରାଯାଇ, ‘ଭାରତୀୟମାନେ ଖାଇବାକୁ ପାଉ ନାହାନ୍ତି’ ବୋଲି ଅପପ୍ରଚାର କରାଯାଉଛି, ଯାହା ଆଦୌ ସତ୍ୟ ନୁହେଁ। ତେଣୁ, କେନ୍ଦ୍ର ସରକାର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଏହି ରିପୋର୍ଟ୍ ଗ୍ରହଣଯୋଗ୍ୟ ନୁହେଁ ବୋଲି ଜଣାଇସାରିଲେଣି। ସରକାରୀ ପ୍ରେସ୍ ଇସ୍ତାହାର ଅନୁଯାୟୀ, ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ଦୁର୍ବଳ ସ୍ଥିତି ଜନିତ ରିପୋର୍ଟ୍ ଅବାସ୍ତବ ଓ ତ୍ରୁଟିପୂର୍ଣ୍ଣ। ଏ ଭଳି ରିପୋର୍ଟ୍ ଅବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି।
ତାହା ହେଲେ ସତ୍ୟ କ’ଣ? କିଏ ସତ କହୁଛି? ଭାରତ ସରକାର ନା ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ୍? ଆସନ୍ତୁ ପ୍ରଥମେ ଜାଣିବା ବିଶ୍ୱ କ୍ଷୁଧା ସୂଚକାଙ୍କ କିପରି ପ୍ରସ୍ତୁତ କରାଯାଏ। ଏହା ଚାରିଟି ସୂଚକ ଆଧାରରେ ପ୍ରସ୍ତୁତ କରାଯାଏ। ୧. ମୋଟ ଜନସ˚ଖ୍ୟାରେ ଅପପୁଷ୍ଟି ଭୋଗୁଥିବା ଲୋକଙ୍କ ସଂଖ୍ୟା (ପ୍ରତିଶତରେ); ୨. ପାଞ୍ଚ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କ ସଂଖ୍ୟା ଯେଉଁମାନଙ୍କ ଉଚ୍ଚତା ଅନୁପାତରେ ଓଜନ କମ୍; ୩. ପାଞ୍ଚ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କ ସଂଖ୍ୟା ଯେଉଁମାନଙ୍କ ବୟସ ଅନୁପାତରେ ଉଚ୍ଚତା କମ୍; ୪. ପାଞ୍ଚ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କ ମୃତ୍ୟୁହାର।
ଚୂଡ଼ାନ୍ତ ରିପୋର୍ଟ୍ ପ୍ରସ୍ତୁତିରେ ଉପରବର୍ଣ୍ଣିତ ପ୍ରଥମ ଓ ଶେଷ ସୂଚକକୁ ଏକ-ତୃତୀୟାଂଶ ଏବଂ ଆର ଦୁଇଟିକୁ ଏକ-ଷଷ୍ଠାଂଶ ଗୁରୁତ୍ୱ ଦିଆଯାଏ। ଆମ ଦେଶରେ ଅପପୁଷ୍ଟି ଭୋଗୁଥିବା ତଥା ଉଚ୍ଚତା ଅନୁପାତରେ ଓଜନ କମ୍ ଥିବା ପାଞ୍ଚ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ସଂଖ୍ୟା ଉଦ୍ବେଗଜନକ ଥିବାରୁ ସୂଚକାଙ୍କରେ ଭାରତ ନିମ୍ନ ସ୍ଥାନରେ ଅଛି। ତେବେ, ଭାରତ ସରକାର, ଲୋକେ ଅପପୁଷ୍ଟି ଭୋଗୁଥିବା ସୂଚକକୁ ଗ୍ରହଣ କରୁନାହାନ୍ତି।
ଭାରତ ସରକାରଙ୍କ ଯୁକ୍ତି ହେଉଛି, ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତକାରୀମାନେ ଟେଲିଫୋନ୍ ମାଧ୍ୟମରେ ଚାରିଟି ପ୍ରଶ୍ନ ପଚାରି ଲୋକମତ ଆଧାରରେ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି, ଯାହା ଅବାସ୍ତବ ଏବଂ ଯାହାକୁ ତଥ୍ୟ କୁହାଯାଇପାରିବନାହିଁ। ‘ଗାଲପ୍’ ନାମକ ମାର୍କିନ୍ ଘରୋଇ ବିଶ୍ଳେଷଣକାରୀ ସ˚ସ୍ଥା ଲୋକମତ ନେଇଥିଲା। ଉକ୍ତ ସ˚ସ୍ଥା ମଧ୍ୟ ନିରପେକ୍ଷ ନୁହେଁ।
ତେବେ, ଭାରତ ସରକାର ମାନନ୍ତୁ ବା ନ ମାନନ୍ତୁ, କେବଳ ‘ଗାଲପ୍’ର ଲୋକମତ ଆଧାରରେ ରିପୋର୍ଟ୍ ପ୍ରସ୍ତୁତ କରାଯାଇନାହିଁ। ଏହି ରିପୋର୍ଟ୍ରେ ଜାତି ସଂଘର ‘ଖାଦ୍ୟ ଓ କୃଷି ସଂଗଠନ’ ନିକଟରେ ଗଚ୍ଛିତ ଥିବା ବିଭିନ୍ନ ରାଷ୍ଟ୍ରର ସରକାର ପ୍ରଦତ୍ତ ତଥ୍ୟକୁ ହିଁ ମୁଖ୍ୟତଃ ଭାବେ ବ୍ୟବହାର କରାଯାଇଛି। ଏହି ସଂଗଠନ ନିୟମିତ ବିଭିନ୍ନ ଦେଶର ଖାଦ୍ୟ ପଦାର୍ଥ ଉତ୍ପାଦନ ଓ ବ୍ୟବହାର, ଲୋକଙ୍କ ଖାଦ୍ୟାଭ୍ୟାସ, ରୋଜଗାର, ଜୀବନ ଶୈଳୀ, ଜନସଂଖ୍ୟାର ଢାଞ୍ଚା ଆଦି ଉପରେ ସରକାରୀ ଭାବେ ତଥ୍ୟ ସଂଗ୍ରହ କରିଥାଏ। ଏହା ନିରପେକ୍ଷ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ। ଏହି ସଂଗଠନ ପାଖରେ ଗଚ୍ଛିତ ଥିବା ତଥ୍ୟ ଆଧାରରେ ବିଶ୍ଳେଷଣ କରାଗଲେ, ଫଳାଫଳ ତ୍ରୁଟିପୂର୍ଣ୍ଣ ହେବାର ଆଶଙ୍କା ନଗଣ୍ୟ। ତେଣୁ, ଭାରତ ସରକାର ରିପୋର୍ଟ୍କୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିଦେବା, ବିଶେଷଜ୍ଞମାନଙ୍କ ପାଇଁ ଗ୍ରହଣୀୟ ନୁହେଁ।
ଆମ ଦେଶର ଅର୍ଥନୀତି କିଛି ବର୍ଷ ହେଲା ଅସ୍ଥିର; ବେକାରି ବଢ଼ିଚାଲିଛି; ଉତ୍ପାଦନ ବଢ଼ୁଥିଲେ ହେଁ ଭଣ୍ତାରୀକରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଖାଦ୍ୟ ପଦାର୍ଥ ନଷ୍ଟ ହେଉଛି। ୨୦୦୬-୧୨ ତୁଳନାରେ ୨୦୧୨-୨୧ ମଧ୍ୟରେ ସ୍ଥିତି ଯଥେଷ୍ଟ ବିଗିଡ଼ିଛି। ୨୦୧୬-୧୮ ପର୍ଯ୍ୟନ୍ତ ଅପପୁଷ୍ଟି ନିୟନ୍ତ୍ରଣରେ ଥିଲା; ତାହା ପରେ କ୍ରମଶଃ ବଢ଼ିଚାଲିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ୍ରୁ ଏହା ଜଣାପଡ଼େ। କେତେକ ରାଜ୍ୟରେ ପାଞ୍ଚ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କ ଉଚ୍ଚତା ଅନୁପାତରେ ଓଜନ କମ୍ ଥିବା ଏହି ରିପୋର୍ଟ୍ରେ ସ୍ପଷ୍ଟ ଉଲ୍ଲେଖିତ। ଗ୍ରାମାଞ୍ଚଳରେ ଲୋକଙ୍କର ଖାଦ୍ୟ ଦ୍ରବ୍ୟର କ୍ରୟ ଓ ବ୍ୟବହାର କମୁଛି। ମହାମାରୀ କବଳରେ ସାରା ଦେଶ ଆକ୍ରାନ୍ତ ହେବା ପରେ ଲୋକେ ଅପେକ୍ଷାକୃତ କମ୍ ଖାଦ୍ୟ ଖାଉଥିବା ଏକାଧିକ ଗବେଷଣା ଅନୁଷ୍ଠାନ, ଗବେଷକ ଓ ନାଗରିକ ସମାଜର ସର୍ବେକ୍ଷଣ ସୂତ୍ରରୁ ପ୍ରକାଶ। ଏପରିକି ବିଦ୍ୟାଳୟମାନଙ୍କରେ ଚାଲିଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛି। ବିଦ୍ୟାଳୟ ଦିନ ଦିନ ଧରି ବନ୍ଦ ରହିବା କାରଣରୁ ପିଲାମାନେ ଗୋଟିଏ ପୁଷ୍ଟିକର ଭୋଜନରୁ ବଞ୍ଚିତ ହୋଇଛନ୍ତି। ତେଣୁ, ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ୍ର ସତ୍ୟତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଏ କ୍ଷେତ୍ରରେ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଯେ ଚୁପ୍ ବସିଛନ୍ତି, ସେ କଥା ମଧ୍ୟ ନୁହେଁ। ସାର୍ବଜନୀନ ଯୋଗାଣ ବ୍ୟବସ୍ଥାରେ ଅତିରିକ୍ତ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ତେବେ, ଦେଶର ୪୦% ଲୋକଙ୍କ ପାଖରେ ଏହା ପହଞ୍ଚିପାରୁ ନ ଥିବା ଅଭିଯୋଗ ବି ହେଉଛି। ସବୁଠାରୁ ବଡ଼ ସତ୍ୟ ହେଉଛି, କେବଳ ଖାଦ୍ୟ ଶସ୍ୟ ମାଗଣା ମିଳିଗଲେ ଅପପୁଷ୍ଟି ଦୂରହୋଇଯିବ ନାହିଁ। ଲୋକଙ୍କ ପେଟ ପୂରୁଛି। କିନ୍ତୁ, ପୁଷ୍ଟି ପାଇଁ ଲୋଡ଼ା ସୁଷମ ଖାଦ୍ୟ, ଯାହା ଅର୍ଦ୍ଧାଧିକ ଜନତା ପାଇପାରୁନାହାନ୍ତି। ଏହାର ମୁଖ୍ୟ କାରଣ ଦରଦାମ୍ରେ ଅତ୍ୟଧିକ ବୃଦ୍ଧି ଏବଂ ସେହି ଅନୁପାତରେ ଆୟ ହ୍ରାସ। ତେଣୁ, କ୍ଷୁଧା ସଂପର୍କିତ ରିପୋର୍ଟ୍ର ଏକ ମାତ୍ର ଅର୍ଥ ଖାଦ୍ୟାଭାବ ନୁହେଁ; ବରଂ, ପୁଷ୍ଟିକର ଖାଦ୍ୟର ଅଭାବ, ଯାହା ଅନେକ ଉପାଦାନ ଉପରେ ନିର୍ଭରଶୀଳ। ସରକାର ଏହି ବାସ୍ତବତାକୁ ଗ୍ରହଣ କରି ଲୋକଙ୍କୁ କର୍ମ ଓ ରୋଜଗାର ଯୋଗାଇବା, ଦରଦାମ୍ ନିୟନ୍ତ୍ରଣରେ ରଖିଲେ ହିଁ ଭାରତ ବିଶ୍ୱ ଦରବାରରେ ଳାଞ୍ଛିତ ହେବାରୁ ରକ୍ଷା ପାଇପାରିବ।