ସଙ୍କଟରେ ଦେଶର ଖାଦ୍ୟ ସୁରକ୍ଷା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ସମାଜର ସବୁ ମଣିଷକୁ ଜୀବିତ ରଖିବା ପାଇଁ ଖାଦ୍ୟ ଅଧିକାର ଏକ ମୌଳିକ ଓ ସାର୍ବଭୌମ ଅଧିକାର। ଆଜିର ଦିନରେ ଯେତିକି ସମ୍ବଳ ଓ ଜ୍ଞାନକୌଶଳ ରହିଛି ସରକାର ଚାହିଁଲେ ଏହି ଅଧିକାରକୁ ସହଜରେ ସୁନିଶ୍ଚିତ କରିପାରିବେ। କିନ୍ତୁ ସରକାରଙ୍କ ଭୁଲନୀତି ଯୋଗୁଁ ଦେଶରେ ଖାଦ୍ୟଶସ୍ୟର ରେକର୍ଡ଼ ଉତ୍ପାଦନ ସତ୍ତ୍ୱେ ଆମ ଜନସଂଖ୍ୟାର ଏକ ବଡ଼ଭାଗ ଆଜି ବି କ୍ଷୁଧା ଓ ଅନାହାରରେ ଷଢ଼ିବାକୁ ବାଧ୍ୟ ହେଉଛନ୍ତି। ଦେଶର ଅର୍ଦ୍ଧାଧିକ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକୀୟ ଖାଦ୍ୟ ନମିଳିବା କେବଳ ଲଜ୍ଜାଜନକ ନୁହେଁ ବରଂ ଆମ ବ୍ୟବସ୍ଥାର ଜନବିରୋଧୀ ଚରିତ୍ରକୁ ହିଁ ଉଜାଗର କରୁଛି।

ଖାଦ୍ୟ ସମସ୍ୟା କେବଳ ଆମ ଦେଶର ନୁହେଁ, ବରଂ ବିଶ୍ୱର ଏକ ପ୍ରମୁଖ ସମସ୍ୟା। ବିଶ୍ୱର ଏକ ଚତୁର୍ଥାଂଶ ଲୋକ ବିଶେଷ କରି ଏସିଆ ଓ ଆଫ୍ରିକାର ଜନସଂଖ୍ୟାର ଏକ ବଡ଼ ଭାଗ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକ ଖାଦ୍ୟରୁ ମଧ୍ୟ ବଞ୍ଚିତ ରହିଛନ୍ତି। ଦୁନିଆର କୁପୋଷିତ ଲୋକଙ୍କ ସବୁଠାରୁ ବଡ଼ ଭାଗଟି ଭାରତରେ ରୁହନ୍ତି। ଭାରତର ପ୍ରାୟ ୧୯ କୋଟି ଲୋକ ଅନାହାର ଓ ଅର୍ଦ୍ଧାହାରର ଶିକାର ହୋଇ ପ୍ରତିଦିନ ଗୋଟିଏ ଓଳା ଭୋକରେ ଶୋଇବାକୁ ବାଧ୍ୟ ହୁଅନ୍ତି। ପାଞ୍ଚ ବର୍ଷରୁ କମ୍ ବୟସର ଦେଶର ୧୫.୩% ଶିଶୁ କୁପୋଷିତ ହୋଇଥିବା ଯୋଗୁଁ ରୋଗବ୍ୟାଧିର ସହଜ ଶିକାର ହୋଇଥାନ୍ତି। ଭୟଙ୍କର କ୍ଷୁଧା ଓ କୁପୋଷଣର ଶିକାର ବିଶ୍ୱର ୧୧୯ଟି ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୨୦୧୪ରେ ଭାରତ ୫୫ତମ ସ୍ଥାନରେ ରହିଥିବା ବେଳେ ୨୦୨୦ ମସିହାରେ ୯୪ତମ ଏବଂ ଚଳିତ ବର୍ଷ ୧୦୧ତମ ସ୍ଥାନକୁ ଖସିଛି। ଏପରିକି ବାଂଲାଦେଶ, ମ୍ୟାନମାର୍, ପାକିସ୍ଥାନ ଓ ନେପାଳ ପରି ଆମର କ୍ଷୁଦ୍ର ପଡ଼ୋଶୀ ଦେଶମାନଙ୍କ ଠାରୁ ବି ତଳେ ରହିଛି। ବିଶ୍ୱରେ ସୋମାଲିଆ, ପପୁଆ ନିଉଗିନି, ଆଫଗାନିସ୍ଥାନ ପରି ମାତ୍ର ୧୫ଟି ଦେଶ ହିଁ ଏ କ୍ଷେତ୍ରରେ ଆମଠାରୁ ତଳେ ରହିଛନ୍ତି।

ଦେଶରେ କୋଭିଡ଼ ମହାମାରୀ ଓ ଲକ୍ଡ଼ାଉନ୍ ସତ୍ତ୍ୱେ ଖାଦ୍ୟଶସ୍ୟର ରେକର୍ଡ଼ ଉତ୍ପାଦନ ହୋଇଛି। ସରକାରଙ୍କ ଖାଦ୍ୟ ନିଗମର ଗୋଦାମମାନଙ୍କରେ ଏତେ ବିପୁଳ ପରିମାଣର ଖାଦ୍ୟଶସ୍ୟକୁ ରଖିବାକୁ ଜାଗା ନାହିଁ। ଅନ୍ୟପଟେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମୂଷା, ପୋକ ଆଦି ଦ୍ୱାରା ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ଖାଦ୍ୟଶସ୍ୟ ନଷ୍ଟ ହେଉଛି। ଅଥଚ ଦେଶର ଅଧିକାଂଶ ଜନତା ଖାଦ୍ୟ ଅଭାବରୁ କ୍ଷୁଧା ଓ କୁପୋଷଣ ମଧ୍ୟରେ ରହିଛନ୍ତି। ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ଲଗାତାର ବଢ଼ୁଥିଲେ ବି ମୁଣ୍ଡପିଛା ଉପଲବ୍ଧତା ହ୍ରାସ ପାଇବାରେ ଲାଗିଛି। ଦେଶର ୮୦ କୋଟିରୁ ଅଧିକ ଜନତା ସରକାରଙ୍କ ଶସ୍ତା ରାସନ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଦେଶର ଖାଦ୍ୟ ସୁରକ୍ଷା ପରିସ୍ଥିତିରେ ଏଭଳି ବିରୋଧାଭାସଟି ଶାସକ ଶ୍ରେଣୀର ଜନବିରୋଧୀ ନୀତିର ହିଁ ପରିଣାମ।

ଦେଶବାସୀଙ୍କ ଖାଦ୍ୟସୁରକ୍ଷାକୁ କଦାପି ବଜାରର ଦୟାରେ ଛଡ଼ାଯାଇ ନପାରେ। କାରଣ ଖାଦ୍ୟଶସ୍ୟର ବ୍ୟବସାୟୀମାନେ ସାଧାରଣତଃ ଅମଳ ସମୟରେ ଚାଷୀଙ୍କଠାରୁ ଶସ୍ତାରେ ଖାଦ୍ୟଶସ୍ୟ କିଣି ପରେ ତାକୁ ଚଢ଼ା ଦରରେ ବିକ୍ରୀ କରିଥାନ୍ତି। ଏଭଳି ପରିସ୍ଥିତିରେ ଜନଗଣଙ୍କ ଖାଦ୍ୟସୁରକ୍ଷା ପାଇଁ ସରକାରଙ୍କ ଭୂମିକା ଜରୁରୀ। ଏହିକ୍ରମରେ ହିଁ ୧୯୬୫ ମସିହାରେ ଜାତୀୟ ଖାଦ୍ୟନୀତିର ପ୍ରଣୟନ କରାଯାଇଥିଲା। ସମାଜର ସବୁ ଲୋକଙ୍କୁ ଗଣ ବଣ୍ଟନ ଜରିଆରେ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଇ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସରକାର ଗୋଟିଏ ପଟେ ଭାରତୀୟ ଖାଦ୍ୟ ନିଗମ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଧାନ, ଗହମ ଆଦି ଖାଦ୍ୟଶସ୍ୟ କିଣିବା ସହ ତାକୁ ଗଣବଣ୍ଟନ ଜରିଆରେ ସାଧାରଣ ଲୋକଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇଲେ।

କିନ୍ତୁ ୧୯୯୧ରେ ଦେଶରେ ଆର୍ଥିକ ସଂସ୍କାରର ଆରମ୍ଭ ପରେ, ବିଶେଷ କରି ଭାରତ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ସଭ୍ୟଭୁକ୍ତ ହେବା ପରେ ସରକାର ଖାଦ୍ୟ ସୁରକ୍ଷା ପାଇଁ ନିଜର ଦାୟିତ୍ୱରୁ ଓହରିବାକୁ ଲାଗିଲେ। ଖାଦ୍ୟ ସୁରକ୍ଷା ପାଇଁ ଦିଆଯାଉଥିବା ସବ୍‌ସିଡ଼ିକୁ କମାଇବା ସହ ଦେଶରେ ଖାଦ୍ୟଶସ୍ୟର ବ୍ୟବସାୟ କରିବାକୁ ବଡ଼ କମ୍ପାନୀମାନଙ୍କ ପାଇଁ ଦ୍ୱାରକୁ ଖୋଲିଦେଲେ। ରାସନ ବ୍ୟବସ୍ଥାକୁ ସଙ୍କୁଚିତ କରି ୧୯୯୭ରେ ଏପିଏଲ୍ ଓ ବିପିଏଲ୍ ନାଁରେ ବିଭାଜିତ କରାଯିବା ସହ କେବଳ ବିପିଏଲ୍ ତାଲିକାଭୁକ୍ତ ଲୋକଙ୍କୁ ହିଁ ରିହାତିରେ ଖାଦ୍ୟଶସ୍ୟ ଯୋଗାଗଲା। ଦେଶର ଏକ ବଡ଼ ଭାଗ ଜନତା ସରକାରଙ୍କ ଏହି ଜନବିରୋଧୀ ନୀତି ଲାଗି ଶସ୍ତା ଖାଦ୍ୟଶସ୍ୟ ପାଇବାରୁ ବଂଚିତ ହେଲେ। ତେବେ ସରକାରଙ୍କ ବଡ଼ ବଡ଼ ଘୋଷଣା ସତ୍ତ୍ୱେ ଦେଶର ବିଭିନ୍ନ ସ୍ଥାନରୁ ଦାରିଦ୍ର୍ୟ ଓ ଅନାହାରର ଭୟଙ୍କର ଚିତ୍ର ସାମନାକୁ ଆସିବାକୁ ଲାଗିଲା। ଏସବୁ ଘଟଣା ସରକାରଙ୍କ ତଥାକଥିତ ବିକାଶର ମୁଖାକୁ ଖୋଲିଦେବା ସହିତ ଖାଦ୍ୟସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବାଧ୍ୟକଲା।

ଦେଶର ଗ୍ରାମଂଚଳର ୭୫% ଏବଂ ସହରାଂଚଳର ୫୦% ଭାଗ ଜନତାଙ୍କ ଖାଦ୍ୟ ସୁରକ୍ଷାର ସମସ୍ୟା ରହିଛି ବୋଲି ସ୍ୱୀକାର କରି ୨୦୧୩ ମସିହାରେ ତତ୍କାଳୀନ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏକ ଶକ୍ତିଶାଳୀ ଗଣ ବଂଟନ ବ୍ୟବସ୍ଥାର ଅନୁପସ୍ଥିତି ଭୋକର ସ୍ଥିତିକୁ ଅଧିକ ଖରାପ କରୁଥିବାରୁ ସରକାର ଖାଦ୍ୟ ସୁରକ୍ଷାର ସଙ୍କଟକୁ ଦୂର କରିବା ପାଇଁ ସାର୍ବଜନିନ ଗଣବଂଟନ ଯୋଜନା କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ପରିତାପର ବିଷୟ ହେଲା, ଖାଦ୍ୟ ସୁରକ୍ଷା ଆଇନ ଅର୍ନ୍ତଗତ ସରକାର ଦେଶରେ ଭୋକିଲା ଜନତାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଂଟନ କରୁଛନ୍ତି ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ। ଖୋଦ୍ କେନ୍ଦ୍ର ସରକାରଙ୍କ ଆଇସିଏମ୍ଆର୍ ସଂସ୍ଥା ଜଣେ ବ୍ୟକ୍ତି ପାଇଁ ମାସିକ ସର୍ବନିମ୍ନ ୧୫ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ଖାଦ୍ୟ ସୁରକ୍ଷା ଆଇନରେ ମାତ୍ର ପାଂଚ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରୁଛନ୍ତି। ଏପରିକି ଶରୀର ପୁଷ୍ଟିହୀନତା ଦୂର ପାଇଁ ଡାଲି ଏବଂ ଖାଇବା ତେଲର ଆବଶ୍ୟକତା ରହିଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କେବଳ ଚାଉଳ ବା ଗହମରେ ହିଁ ସିମୀତ ରହିଛି। ଖାଦ୍ୟସୁରକ୍ଷା ଆଇନ ଜରିଆରେ ସରକାର ପୂର୍ବରୁ ଦିଆଯାଉଥିବା ଖାଦ୍ୟଶସ୍ୟର ପରିମାଣକୁ ବି ହ୍ରାସ କରିଛନ୍ତି। ପୂର୍ବରୁ ପରିବାର ପିଛା ୩୫ କିଲୋ ଚାଉଳ ଦେଉଥିବା ବଦଳରେ ବର୍ତ୍ତମାନ ତାକୁ ବ୍ୟକ୍ତି ପିଛା ପାଞ୍ଚ କିଲୋକୁ ହ୍ରାସ କରିବା ଫଳରେ ସାତ ଜଣରୁ କମ୍ ଥିବା (ଦେଶର ୮୬% ପରିବାର) ପୂର୍ବାପେକ୍ଷା କମ୍ ଚାଉଳ ପାଉଛନ୍ତି।

ଦେଶର ଗରିବ ଲୋକଙ୍କ ଖାଦ୍ୟସୁରକ୍ଷା ଉପରେ ଏବେ ସବୁଠାରୁ ବଡ଼ ଆକ୍ରମଣ କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ ହୋଇଛି। ଆମ ଦେଶର ଖାଦ୍ୟଶସ୍ୟ ବଜାରରେ ଆମେରିକା ଓ ୟୁରୋପର ବଡ଼ ବଡ଼ କମ୍ପାନୀମାନେ ପଶିବାକୁ ଚାହୁଁଛନ୍ତି। ତେବେ ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଲୋକଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଇବାକୁ ମୁଖ୍ୟ ପ୍ରତିବନ୍ଧକ ବୋଲି ଭାବୁଛନ୍ତି। ଯଦିଓ ଆମେରିକା ଓ ୟୁରୋପର ସାମ୍ରାଜ୍ୟବାଦୀ ଦେଶମାନେ ନିଜ ଦେଶରେ କୃଷି ଓ ଖାଦ୍ୟଶସ୍ୟ ବାବଦରେ ଆମଠାରୁ ବହୁଗୁଣ ଅଧିକ ସବ୍ସିଡ଼ି ଦେଉଛନ୍ତି କିନ୍ତୁ ସେମାନେ ଭାରତ ପରି ବିଶ୍ୱର ସର୍ବାଧିକ ଭୋକିଲା ଲୋକ ରହୁଥିବା ଦେଶରେ ରାସନ ଜରିଆରେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ସବ୍‌ସିଡ଼ିକୁ ବନ୍ଦ କରିବାକୁ ଚାପ ପକାଉଛନ୍ତି। ସେମାନଙ୍କ ଚାପରେ ସରକାର ଦେଶରେ ଖାଦ୍ୟ ସବସିଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଥିଲେ ମଧ୍ୟ ଜନ ଅସନ୍ତୋଷ ଭୟରେ ସିଧାସଳଖ ବନ୍ଦ କରିବାକୁ ସାହସ କରୁନାହାନ୍ତି। ସେଇଥିପାଇଁ ରନ୍ଧନ ଗ୍ୟାସ ଢାଞ୍ଚାରେ ଦେଶରେ ଖାଦ୍ୟ ସବସିଡ଼ି ବନ୍ଦ କରିବାକୁ ନଗଦ ହସ୍ତାନ୍ତରର ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି। ରନ୍ଧନ ଗ୍ୟାସ୍ ପରି ଟଙ୍କାକିଆ ଚାଉଳ ଓ ଗହମ ବଦଳରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ସବ୍‌ସିଡ଼ି ବାଦରେ ନଗଦ ଜମା କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ପୁଡ଼ୁଚେରୀ, ଚଣ୍ଡୀଗଡ ଓ ଝାଡ଼ଖଣ୍ଡରେ ଚାଉଳ ବଦଳରେ ନଗଦ ସବ୍‌ସିଡ଼ି ଲୋକଙ୍କ ବ୍ୟାଙ୍କ୍ ଖାତାରେ ଜମା କରୁଛନ୍ତି। ତେବେ ରନ୍ଧନ ଗ୍ୟାସରେ ନଗଦ ସବ୍‌ସିଡ଼ିର ପରିଣାମ କ’ଣ ହେଲା, ଆମେ ସମସ୍ତେ ଜାଣନ୍ତି। ଦେଶରେ ନଗଦ ସବସିଡ଼ି ନାଁରେ ଖାଦ୍ୟଶସ୍ୟ ବଣ୍ଟନକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବନ୍ଦ କରି ଲୋକଙ୍କୁ ବଜାରର ଦୟାରେ ଛାଡ଼ିଦେବାକୁ ସରକାରଙ୍କ ଷଡ଼ଯନ୍ତ୍ରଟି ଜନଗଣଙ୍କ ଖାଦ୍ୟସୁରକ୍ଷାକୁ ବିପନ୍ନ କରିଦେବ।

ଦେଶୀ ବିଦେଶୀ ବୃହତ୍ତ କର୍ପୋରେଟଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଇତି ମଧ୍ୟରେ ତିନୋଟି କୃଷି ଆଇନ ଆଣିଛନ୍ତି, ଯାହାକୁ ଦେଶର କୃଷକମାନେ କଳା ଆଇନ ବୋଲି ବିରୋଧ କରୁଛନ୍ତି। ଏସବୁ ଆଇନ ଫଳରେ ଜମି, ଚାଷ, ଫସଲର ଦର, ସଂଗ୍ରହ, ସାଇତି ଓ ପ୍ରକ୍ରୀୟାକରଣ ପରି କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ କର୍ପୋରେଟଙ୍କ ନିୟନ୍ତ୍ରଣ ସ୍ଥାପିତ ହେବ। ଘରୋଇ କମ୍ପାନୀଙ୍କ ସ୍ୱାର୍ଥରେ ଦେଶରେ ମଣ୍ଡି ଜରିଆରେ ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ବ୍ୟବସ୍ଥାଟି ବନ୍ଦ ହୋଇଯିବ। ସରକାର ଯଦି ଚାଷୀଠାରୁ ମଣ୍ଡି ଜରିଆରେ ଖାଦ୍ୟଶସ୍ୟ କିଣିବେ ନାହିଁ, ତାହେଲେ ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାରେ ଶସ୍ତା ଖାଦ୍ୟଶସ୍ୟ ବାଣ୍ଟିବା ବି ବନ୍ଦ କରିଦେବେ। ଏଭଳି ନୀତି ଦେଶର କୃଷକମାନଙ୍କୁ ନିଜର ଉତ୍ପାଦିତ ଫସଲକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ କରିବ। ଗଣବଣ୍ଟନ ବନ୍ଦ ହେବା ଫଳରେ ଦେଶର କୋଟି କୋଟି ଅନାହାର ଓ ଅର୍ଦ୍ଧାହାର ଲୋକଙ୍କୁ ଶସ୍ତା ଖାଦ୍ୟରୁ ବଞ୍ଚିତ କରି ସେମାନଙ୍କ ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିବ। କର୍ପୋରେଟଙ୍କ ସ୍ୱାର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସରକାର କରିଥିବା ସଂଶୋଧନ ଫଳରେ ବଜାରରେ ବଡ଼ କମ୍ପାନୀ ଓ ବେପାରୀମାନେ ବିପୁଳ ପରିମାଣର ଖାଦ୍ୟସାମଗ୍ରୀକୁ ଶସ୍ତାରେ କିଣି ଗୋଦାମରେ ମନଇଛା ଜମା କରିବାକୁ ତଥା ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ାଦରରେ ବିକ୍ରି କରିବାକୁ ସୁଯୋଗ ପାଇବେ। ଏହାଫଳରେ ଖାଦ୍ୟଶସ୍ୟ ମହଙ୍ଗା ହେବା ସହ ସାଧାରଣ ଲୋକଙ୍କ ପହଞ୍ଚରୁ ବାହାରକୁ ଚାଲିଯିବ।

ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଳୋକଙ୍କ କ୍ରୟଶକ୍ତିରେ ହ୍ରାସ ଯୋଗୁଁ ବଜାରରୁ ଖାଦ୍ୟ କିଣିବାରେ ଲୋକଙ୍କ ଅସମର୍ଥତା। ବିଶ୍ୱ ଖାଦ୍ୟ ଓ କୃଷି ସଙ୍ଗଠନର ହିସାବ ଅନୁଯାୟୀ ଚାଉଳ ଓ ଗହମ ପରି ଶକ୍ତିବର୍ଦ୍ଧକ ଖାଦ୍ୟ ବାବଦରେ ବ୍ୟକ୍ତି ପିଛା ଦୈନିକ ୦.୭୯ ଡ଼ଲାର ଦରକାର ପଡ଼ୁଥିବା ବେଳେ ପୁଷ୍ଟିସାର ଜନିତ ଖାଦ୍ୟ ବାବଦରେ ୧.୯ ଡଲାର ଏବଂ ସ୍ୱାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ବାବଦରେ ଦୈନିକ ୩.୪୧ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। ଖାଦ୍ୟ ଓ କୃଷି ସଙ୍ଗଠନର ରିପୋର୍ଟ ଅନୁଯାୟୀ ଦେଶରେ ଭାତ ଓ ରୁଟି ପରି ଶକ୍ତି ବର୍ଦ୍ଧକ ଖାଦ୍ୟ ପାଇବାରେ ଅସମର୍ଥ ଜନତାଙ୍କ ସଂଖ୍ୟାରେ ମାତ୍ର ୦.୯% ହ୍ରାସ ପାଇଥିବା ବେଳେ ୩୯.୧% ଲୋକ ପୁଷ୍ଟିସାର ଖାଦ୍ୟରୁ ବଂଚିତ ଅଟନ୍ତି ଏବଂ ୭୭.୯% ଲୋକ ସ୍ୱାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ପାଇବାକୁ ବଂଚିତ ଅଟନ୍ତି।

ବିଶ୍ୱ ଖାଦ୍ୟ ଦିବସରେ ଆଜି ସମାଜର ସବୁ ଲୋକଙ୍କ ଯେପରି ପର୍ଯ୍ୟାପ୍ତ ଓ ନିରାପଦ ଖାଦ୍ୟ ଉପଲବ୍ଧ ହୋଇ ପାରିବ ସେକଥା ଚିନ୍ତା କରିବାର ବେଳ ଆସିଛି। ସରକାର ଖାଦ୍ୟଶସ୍ୟ ବିକ୍ରୀ କରୁଥିବା ବଡ଼ ବଡ଼ କମ୍ପାନୀର ମୁନାଫା ପରିବର୍ତ୍ତେ ନିଜର ନାଗରିକମାନଙ୍କ ଖାଦ୍ୟର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସାର୍ବଜନିନ ବଣ୍ଟନ ଯୋଜନାକୁ ଶକ୍ତିଶାଳୀ ଓ ବ୍ୟାପକ କରି ଖାଦ୍ୟ ଆବଶ୍ୟକ କରୁଥିବା ସମାଜର ପ୍ରତିଟି ଲୋକକୁ କମସେ କମ୍ ରିହାତି ମୂଲ୍ୟରେ ଖାଦ୍ୟ ଯୋଗାଇବା ଅତ୍ୟନ୍ତ ଜରୁରୀ।

ଫୋନ ନଂ – ୯୪୩୭୧୬୬୩୯୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।