- ଭାଲଚନ୍ଦ୍ର ଷଡ଼ଙ୍ଗୀ
ଉତ୍ତର ପ୍ରଦେଶ ସମେତ ଦେଶର ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆମ ରାଜ୍ୟରେ ମଧ୍ୟ ଏହିକ୍ଷଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରକ୍ରିୟା ଚାଲିଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ପୌର ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ନିର୍ବାଚନର ଏହି ମଇଦାନରେ ବିଜେପି, କଂଗ୍ରେସ, ବିଜେଡିଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ପର୍ଯ୍ୟନ୍ତ ଦେଶର ଅନେକ ଶାସକ ଶ୍ରେଣୀର ପାର୍ଟି ସକ୍ରିୟ ଭାବେ ସାମିଲ ହୋଇଥିବା ଦେଖାଯାଇଛି। ବିଭିନ୍ନ ଲୋକ ଲୋଭାଣିଆ ପ୍ରତିଶ୍ରୁତି ଓ ଯୋଜନା ମାଧ୍ୟମରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସେମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଚାଲିଛି।
କେନ୍ଦ୍ରର ବିଜେପି ସରକାର ପାଞ୍ଚୋଟି ରାଜ୍ୟର ନିର୍ବାଚନକୁ ଆଖିରେ ରଖି ଗତ କିଛି ମାସ ଧରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ଦରବୃଦ୍ଧିକୁ ସ୍ଥଗିତ ରଖିଥିବା ବେଳେ କୋଭିଡ଼୍ ସମୟରେ ଦିଆଯାଉଥିବା ମାଗଣା ରାସନ ଯୋଜନାକୁ ଆସନ୍ତା ମାର୍ଚ୍ଚ ମାସ ଅର୍ଥାତ୍ ନିର୍ବାଚନର ସମାପ୍ତି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି। ଯେଉଁ ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି କେବଳ ପଞ୍ଜାବକୁ ଛାଡ଼ିଦେଲେ ବାକି ଚାରୋଟି ରାଜ୍ୟରେ ବର୍ତ୍ତମାନ ବିଜେପିର ସରକାର ରହିଛି। ଉପରୋକ୍ତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାଗଣା ରାସନ ଓ ମାଗଣା କୋଭିଡ଼୍ ଟୀକାକରଣ କାର୍ଯ୍ୟକ୍ରମକୁ ଏକ ବଡ଼ ଉପଲବ୍ଧି ଭାବେ ଜନଗଣଙ୍କ ମଧ୍ୟରେ ପ୍ରଚାର କରିବା ଦେଖାଯାଇଛି। ୨୦୨୪ରେ କେନ୍ଦ୍ର କ୍ଷମତାକୁ ଫେରିବାକୁ ହେଲେ ଉତ୍ତର ପ୍ରଦେଶ ନିର୍ବାଚନରେ ଜିତିବା ବିଜେପି ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନେ ସେଠାକାର ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି। ରାଜ୍ୟର ଯୋଗୀ ସରକାର ନିର୍ବାଚନର ଠିକ୍ ପୂର୍ବରୁ ସବୁ ଗରିବ ପରିବାରକୁ ରାସନରେ ଏକ ଲିଟର ଖାଇବା ତେଲ ମାଗଣାରେ ଦେବା ସହ ରାଜ୍ୟରେ ଇ-ଶ୍ରମ କାର୍ଡ଼ରେ ପଞ୍ଜିକୃତ ହୋଇଥିବା ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ବ୍ୟତିତ, କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ଼ କରିବାକୁ ସେଠାକାର ସମାଜବାଦୀ ପାର୍ଟିର ଘୋଷଣା ପରେ ବିଜେପି ମଧ୍ୟ ଉପଭୋକ୍ତାଙ୍କ ବିଜୁଳି ବିଲ୍କୁ ଅଧା କରିବାକୁ, କଲେଜ ପଢ଼ୁଆ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟାବ୍ଲେଟ୍ କିମ୍ବା ଲାପଟପ୍ ଦେବାକୁ ତଥା ପ୍ରତ୍ୟକ ହୋଲି ଓ ଦୀପାବଳୀ ବେଳେ ଗୃହିଣୀମାନଙ୍କୁ ଗୋଟିଏ ଲେଖାଏଁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଯୋଗାଇବାକୁ ଘୋଷଣା କରିଛି। ନିର୍ବାଚନ ହେବାକୁ ଯାଉଥିବା ମଣିପୁରରେ ମଧ୍ୟ ଏହି ଦଳ କ୍ଷମତାକୁ ଆସିଲେ କଲେଜ ଛାତ୍ରୀମାନଙ୍କୁ ସ୍କୁଟି ଓ ଗୃହିଣୀମାନଙ୍କୁ ବାର୍ଷିକ ଦୁଇଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି।
ଭାରତର ସର୍ବପୁରାତନ ଦଳ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନି। ଉତ୍ତର ପ୍ରଦେଶ ନିର୍ବାଚନରେ ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସେଠାରେ ‘ଲଡ଼କୀ ହୁଁ, ଲଢ଼ସକତି ହୁଁ’ର ସ୍ଳୋଗାନ ଦେଇ ବିଭିନ୍ନ ଲୋକ ଲୋଭାଣିଆ ଘୋଷଣା କରିବା ଦେଖାଯାଇଛି। କଂଗ୍ରେସ କ୍ଷମତାକୁ ଆସିଲେ ସବୁ ଯୁକ୍ତ ଦୁଇ ପାସ୍ କରୁଥିବା ଝିଅଙ୍କୁ ସ୍ମାର୍ଟଫୋନ୍ ଏବଂ ସ୍ନାତକ ପାସ୍ କରୁଥିବା ଝିଅମାନଙ୍କୁ ଗୋଟିଏ ସ୍କୁଟି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତିତ କୃଷକଙ୍କ ଋଣଛାଡ଼, କରୋନା କାଳରେ ଉପଭୋକ୍ତାମାନଙ୍କ ବକେୟା ବିଦ୍ୟୁତ୍ ବିଲ୍ ଛାଡ଼ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ବ୍ୟୟରେ ଚିକିତ୍ସା ବ୍ୟବସ୍ଥା ଆଦି ଅନେକ ଲୋକ ଲୋଭାଣିଆ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ହେବାକୁ ଥିବା ପଞ୍ଜାବରେ ମଧ୍ୟ ଏହି ଦଳ ଅନେକ ଲୋଭାଣିଆ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି। ରାଜ୍ୟ କଂଗ୍ରେସର ମୁଖ୍ୟ ନବଜ୍ୟୋତ୍ ସିଂ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି କ୍ଷମତାକୁ ଆସିଲେ ସେଠାକାର ଗୃହିଣୀମାନଙ୍କୁ ମାସିକ ୨୦୦୦ ଟଙ୍କା ସହ ବାର୍ଷିକ ୮ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ତଥା ପ୍ରତ୍ୟେକ ଯୁକ୍ତ ଦୁଇ, ମାଟ୍ରିକ୍ ଓ ପଞ୍ଚମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଯଥାକ୍ରମେ ୨୦,୦୦୦, ୧୫,୦୦୦ ଓ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।
ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଥିବା ସମାଜବାଦୀ ପାର୍ଟି ମଧ୍ୟ ଲୋକ ଲୋଭାଣିଆ ପ୍ରତିଶ୍ରୁତି ଦେବାରେ ସମସ୍ତଙ୍କଠାରୁ ଆଗରେ ରହିଛି। କୃଷକ ଆନ୍ଦୋଳନ ଯୋଗୁଁ ବିଜେପି ସରକାର ବିରୁଦ୍ଧରେ କୃଷକମାନେ ଅସନ୍ତୁଷ୍ଟ ଥିବା ବେଳେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସମାଜବାଦୀ ପାର୍ଟି ଅନେକ ଗୁଡ଼ିଏ ଘୋଷଣା କରିଛି। କ୍ଷମତାକୁ ଆସିଲେ କୃଷକଙ୍କ ଋଣଛାଡ଼, ମାଗଣାରେ ବିଜୁଳି ସହିତ କୃଷକ ଆନ୍ଦୋଳନରେ ଶହୀଦ୍ ହୋଇଥିବା କୃଷକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଆଦି ପ୍ରତିଶ୍ରୁତି ଦିଆଯାଇଛି। ଏହା ବ୍ୟତିତ ସମସ୍ତ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ଓ ୨୨ ଲକ୍ଷ ରୋଜଗାରର ମଧ୍ୟ ପ୍ରତିଶ୍ରୁତି ଦେଇଛି।
ଲୋକ ଲୋଭାଣିଆ ପ୍ରତିଶ୍ରୁତି ଦେବାର ଖେଳରେ ଆଉ ଜଣେ ବଡ଼ ଖେଳାଳୀ ହେଉଛି ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୨୦୧୧ରେ ଆନ୍ନା ହଜାରେଙ୍କ ଭ୍ରଷ୍ଟାଚାର ବିରୋଧି ଆନ୍ଦୋଳନରୁ ଜନ୍ମ ନେଇଥିବା ଏହି ପାର୍ଟିର ସବୁଠାରୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ଜନଲୋକପାଳ ବିଲ୍ ରହିଥିଲା। କିନ୍ତୁ ୨୦୧୩ ମସିହାରେ ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ଗତ ଆଠ ବର୍ଷ ପରେ କେଜ୍ରିୱାଲଙ୍କ ପାର୍ଟି ଜନଲୋକପାଳ ପ୍ରସଙ୍ଗକୁ ଆଉ ଉଠାଇ ନାହିଁ। ବରଂ ତା’ ବଦଳରେ ବିଜୁଳି, ପାଣି ଓ ଶିକ୍ଷା ପରି ଲୋକ ଲୋଭାଣିଆ ପ୍ରସଙ୍ଗକୁ ନିଜର ଏକମାତ୍ର ରାଜନୈତିକ ଅସ୍ତ୍ରରେ ପରିଣତ କରିଛନ୍ତି। କେବଳ ପଞ୍ଜାବ କି ଉତ୍ତର ପ୍ରଦେଶ ନୁହେଁ, ଦେଶସାରା ତାଙ୍କର ସମର୍ଥକମାନେ କେବଳ ଏହି ସ୍ଳୋଗାନ ଦେଇ ଭୋଟରଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିବା ଦେଖାଯାଇଛି। ନିକଟରେ ପଞ୍ଜାବରେ ସେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଗୁଡ଼ିଏ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ଜିତିଲେ ପଞ୍ଜାବର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଦିଲ୍ଲୀରେ ତାଙ୍କ ଦଳ ମହିଳାଙ୍କୁ ମାଗଣାରେ ସରକାରୀ ବସ୍ରେ ଯାତ୍ରା ଓ ବରିଷ୍ଠ ନାଗରିକମାନଙ୍କୁ ଅଯୋଧ୍ୟା ସମେତ ବିଭିନ୍ନ ତୀର୍ଥସ୍ଥଳକୁ ମାଗଣାରେ ତୀର୍ଥଯାତ୍ରା କରାଇବାର ପ୍ରତିଶ୍ରୁତି ଦେଇଥିଲା।
ଆମ ରାଜ୍ୟରେ ବି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ଦଳ ବାରମ୍ବାର ନିର୍ବାଚନୀ ସଫଳତା ହାସଲ କରିବା ପଛରେ ବିଭିନ୍ନ ଲୋକ ଲୋଭାଣିଆ ଯୋଜନା ଓ ପ୍ରତିଶ୍ରୁତିର ପ୍ରମୁଖ ଭୂମିକା ରହିଆସିଛି। ତାଙ୍କ ଦଳର ନେତା ଓ କର୍ମୀମାନେ ତାଙ୍କ ସରକାର ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଯୋଜନା କରିଥିବା କଥା ପ୍ରଚାର କରି ଆସିଛନ୍ତି। ମାଗଣାରେ ଛତା, ଯୋତା, କମ୍ବଳଠାରୁ ଆରମ୍ଭ କରି ପିଠା, କାଳିଆ, ବଳରାମ, ହରିଶ୍ଚନ୍ଦ୍ର ପର୍ଯ୍ୟନ୍ତ ରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକ ଲୋଭାଣିଆ ଯୋଜନାଗୁଡ଼ିକୁ ମିଶାଯିବ ତାହେଲେ ତାହା ଶହେରୁ ଅଧିକ ହେବ। ଉପରୋକ୍ତ ଯୋଜନାଗୁଡ଼ିକ ମଧ୍ୟରୁ ବିଜୁ ଯୁବ ବାହିନୀ ପରି ଅନେକ ଯୋଜନାର ଅପମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଏବେ ବି ଅବ୍ୟାହତ ରହିଛି। ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାର ଆରମ୍ଭ କରିବା ସହିତ କୋଭିଡ଼୍ ସହାୟତା ବାବଦରେ ସମସ୍ତ ରାସନ କାର୍ଡ଼ଧାରୀଙ୍କୁ ନଗଦ ୧୦୦୦ ଟଙ୍କା ତଥା ଘର ମରାମତି ସହାୟତା ବାବଦରେ ରାଜ୍ୟର ୩୧ ଲକ୍ଷ ପରିବାରକୁ ୧୪୪୦ କୋଟି ଟଙ୍କା ବିନିମୟରେ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିର୍ବାଚନର ଠିକ୍ ପୂର୍ବରୁ ଦିଆଯାଇଥିବା ଏହି ସରକାରୀ ପ୍ରଲୋଭନ ବା ଉତ୍କୋଚ କେବଳ ନିର୍ବାଚନକୁ ପ୍ରଭାବିତ କରିବାକୁ ଯେ ଉଦ୍ଦିଷ୍ଟ ଥିଲା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କାରଣ ମାତ୍ର ୩ ହଜାର ଟଙ୍କାରେ କି ପ୍ରକାର ଘର ମରାମତି ହେବ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଉପରୋକ୍ତ ସମସ୍ତ ଲୋକ ଲୋଭାଣିଆ ଯୋଜନାର ସର୍ବଶେଷ ଫଳଟି କ’ଣ ହୋଇଛି, ତାକୁ ଟିକିଏ ବିଚାର କରିବା ଦରକାର।
ଗତ ୨୨ ବର୍ଷ ଧରି ଚାଲିଥିବା ଉପରୋକ୍ତ ମାଳ ମାଳ ଯୋଜନା ସତ୍ତ୍ୱେ ଓଡ଼ିଶାର ସଂଖ୍ୟାଧିକ ଲୋକଙ୍କ ନା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇ ଦାରିଦ୍ର୍ୟ ଦୂର ହୋଇଛି ନା ସେମାନଙ୍କୁ କୌଣସି ରୋଜଗାର ମିଳିଛି? ବରଂ ଉତ୍ତର ପ୍ରଦେଶ ଓ ବିହାର ପରେ ଆମେ ସବୁଠାରୁ ଦାରିଦ୍ର୍ୟ ଓ ଦାଦନ ଶ୍ରମିକ ଯୋଗାଉଥିବା ରାଜ୍ୟ ରୂପେ ପରିଗଣିତ ହୋଇଆସିଛେ। ଭୂମିହୀନ ଓ ଗୃହହୀନ ଲୋକଙ୍କ ହାରରେ ଆମେ ସବୁଠାରୁ ଉପରେ ରହିଛୁ। ରାଜ୍ୟର ଅଧିକାଂଶ ଜନତା ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ରାଜ୍ୟର ଅଧିକାଂଶ ଜମି ଜଳସେଚନରୁ ବଂଚିତ ରହିଛି। ରୋଜଗାର କଥା ଦେଖିଲେ, ରାଜ୍ୟର ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବା ବେଳେ ରାଜ୍ୟର ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ନିୟମିତ ଓ ସମ୍ମାନଜନକ ଚାକିରୀ ପରିବର୍ତ୍ତେ ଠିକା ଓ ଆଉଟସୋର୍ସିଂରେ ଅତ୍ୟନ୍ତ କମ୍ ଦରମାରେ କାମ କରିବାକୁ ବାଧ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ଶାସକ ଦଳ ଦ୍ୱାରା ଘୋଷିତ ଲୋକ ଲୋଭାଣିଆ ଯୋଜନା ଓ ପ୍ରତିଶୃତିଗୁଡ଼ିକ ଯେ ରାଜ୍ୟବାସୀଙ୍କୁ ହୁଏତ କିଛି ମାତ୍ରାରେ ରିଲିଫ୍ ଦେଇଛି କିନ୍ତୁ ସେମାନଙ୍କ ଦାରିଦ୍ର୍ୟ ଓ ବେରୋଜଗାରୀକୁ ଦୂର କରିବାରେ କୌଣସି ସାର୍ଥକ ଭୂମିକା ଗ୍ରହଣ କରିପାରନି। ଲୋକଙ୍କ ଆର୍ଥିକ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ କୌଣସି ଦୀର୍ଘମିଆଦି ଯୋଜନା ବଦଳରେ ଏପରି କରି ସରକାର କେବଳ ଲୋକଙ୍କୁ ଭିକ୍ଷା ଦେଉଛନ୍ତି ବୋଲି କୁହାଯିବ।
ତେବେ କେବଳ ବିଜେଡି ନୁହେଁ, ନିର୍ବାଚନରେ ଭାଗ ନେଇ କ୍ଷମତାକୁ ଯିବାର ସ୍ୱପ୍ନ ଦେଖୁଥିବା ଦେଶର ସମସ୍ତ ଛୋଟବଡ଼ ରାଜନୈତିକ ଦଳ ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସ୍ଥାୟୀ ବିକାଶ କରିବାକୁ ଆଗ୍ରହୀ ହେବା ପରିବର୍ତ୍ତେ କେବଳ ଲୋକ ଲୋଭାଣିଆ ଯୋଜନା ଜରିଆରେ ନିଜର ଶାସନ କରିବା ଦେଖାଯାଇଛି। ବର୍ଷକୁ ଗୋଟିଏ ଚାଷୀ ପରିବାରକୁ ମାତ୍ର ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଥିବା ପିଏମ୍ କିଷାନ୍ ଯୋଜନା ଯେପରି ଭୟଙ୍କର ସଙ୍କଟର ସମ୍ମୁଖୀନ ହେଉଥିବା ଚାଷୀର ଚାଷ ସଙ୍କଟର ସମାଧାନ କରିବାକୁ ଅସମର୍ଥ, ରାଜ୍ୟ ସରକାରଙ୍କ କାଳିଆ କିମ୍ବା ବଳରାମ ଯୋଜନା ବି ରାଜ୍ୟର ଗରିବ ଚାଷୀର ଆର୍ଥିକ ସ୍ଥିତିରେ କୌଣସି ସ୍ଥାୟୀ ପରିବର୍ତ୍ତନ ଆଣିବାକୁ ଅସମର୍ଥ ହୋଇଛି। ରାଜନୈତିକ ଦଳମାନେ ଏଭଳି ଲୋକ ଲୋଭାଣିଆ ଯୋଜନା ଜରିଆରେ ଲୋକଙ୍କୁ କିଛି କିଛି ଭିକ ଦେଇ ଭିକାରୀ କରି ରଖିବାକୁ ତ ଚାହିଁଛନ୍ତି କିନ୍ତୁ ସେମାନଙ୍କ ଦାରିଦ୍ର୍ୟକୁ ଦୂର କରିବାକୁ ଆନ୍ତରିକତା ଦେଖାଇ ନାହାଁନ୍ତି। ଖାଦ୍ୟ, ବାସଗୃହ, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା, ରୋଜଗାର, ବୃଦ୍ଧାବସ୍ଥାରେ ପେନସେନ୍ ଆଦିକୁ ଅଧିକାର ଭାବେ ଲୋକଙ୍କୁ ଯୋଗାଇବା ପରିବର୍ତ୍ତେ ସେସବୁକୁ ସରକାରଙ୍କ ଦୟାର ପାତ୍ର କରି ଦିଆଯାଇଛି। ମାତ୍ର କମ୍ ଖର୍ଚ୍ଚରେ ଲୋକ ଲୋଭାଣିଆ ଯୋଜନା ଜରିଆରେ ନିର୍ବାଚନ ଜିତିବା ସମ୍ଭବ ହେଉଥିବାରୁ ସେମାନେ ଆଉ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୌଣସି ଦୀର୍ଘକାଳୀନ ଯୋଜନାରେ ବିପୁଳ ପୁଞ୍ଜିନିବେଶ କରିବା ଦେଖାଯାଉନି। ବଜେଟ୍ରେ ସରକାର କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ କରୁଥିବା କ୍ରମ ହ୍ରାସମାନ ବ୍ୟୟବରାଦ ଉପରୋକ୍ତ କଥାକୁ ହିଁ ପ୍ରମାଣିତ କରୁଛି।
ରାଜନୈତିକ ଦଳମାନଙ୍କ ଦ୍ୱାରା ଘୋଷିତ ଲୋକ ଲୋଭଣିଆ ଯୋଜନା ଗୁଡ଼ିକ ନା ଲୋକଙ୍କୁ ସ୍ଥାୟୀ ରୋଜଗାର ଦେବାରେ ସହାୟକ ହେଉଛି ନା ଲୋକଙ୍କ ଦାରିଦ୍ର୍ୟକୁ ଦୂର କରିବାରେ ସକ୍ଷମ ହେଉଛି। ଏଭଳି ଶସ୍ତା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରି କଳେ ବଳେ କୌଶଳେ ସେମାନଙ୍କ ଭୋଟ ନେବା ଦେଶର ଗଣତନ୍ତ୍ର ପାଇଁ ବିପଦ। ଏଭଳି ପ୍ରତିଶ୍ରୁତି ଦେଉଥିବା ଦଳମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିକଟରେ ଦେଶର ସର୍ବୋଚ୍ଚ ନ୍ୟୟାଳୟରେ ଏକ ଜନସ୍ୱାର୍ଥ ମାମଲା ବି ଦାୟର ହୋଇଛି। ମୁଖ୍ୟବିଚାରପତି ଏନ୍ ଭି ରାମନ୍ନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଏହା ଉପରେ ଜବାବ ରଖିବାକୁ ଉଭୟ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରୀ କରିଛନ୍ତି। ଏଭଳି ସ୍ଥିତିରେ ଆମକୁ ଶସ୍ତା ତଥା ଲୋକ ଲୋଭାଣିଆ ପ୍ରତିଶ୍ରୁତି ଓ ଯୋଜନା ବଦଳରେ ଅଧିକାର ଭିତ୍ତିକ ତଥା ଆର୍ଥିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ଥିବା ଯୋଜନା ପାଇଁ ଦାବି କରିବା ଜରୁରୀ ହୋଇପଡ଼ିଛି।
ଫୋନ ନଂ - ୯୪୩୭୧୬୬୩୯୧