ଦେବରଞ୍ଜନ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା(‘ଗାସ’)ର ଆମେ ଏକ ସାତ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ, ଅକ୍ଟୋବର ୩୧ ଓ ନଭେମ୍ବର ୦୧ ତାରିଖ ଦିନ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଓ ପଟାଙ୍ଗି ବ୍ଲକ ଅନ୍ତର୍ଗତ ପାଞ୍ଚୋଟି ପଞ୍ଚାୟତର ଆଠଟି ଗାଁକୁ ଗସ୍ତ କରିଥିଲୁ। ମାଳି ପର୍ବତର ପାଦଦେଶରେ ଥିବା ଚାରୋଟି ଗ୍ରାମ ପଞ୍ଚାୟତ ଯଥା ପାକଝୋଲା, ଦଳେଇ ଗୁଡ଼ା, ଖୁଡ଼ି ଓ ସୋରିଷ ପଦର ପଞ୍ଚାୟତର ପାକଝୋଲା, ରାଜନାଗୁଡ଼ା, ଆଲିଗାଁ, ରାଣୀକଣା, କେ. ମାଳିଗୁଡ଼ା ଓ ଡେକାପାରା ଗାଁକୁ ଯାଇଥିଲୁ। ଏହା ସହିତ ଆମେ ସେରୁବନ୍ଧ ପାହାଡ଼କୁ ଲାଗି ରହିଥିବା ପଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତର ମାଲକାରବନ୍ଧ ଓ ଏରାସାନ୍ତାଗୁଡ଼ା ଯାଇଥିଲୁ। ଆମେ ଗ୍ରାମବାସୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ତଥା ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲୁ।
ଉଦ୍ଦେଶ୍ୟ :
ଗତ ସେପ୍ଟେମ୍ବର ୨୨ ତାରିଖରେ କଙ୍କଡ଼ାଆମ୍ବ ଗାଁଠାରେ ହିଣ୍ଡାଲକୋର ପ୍ରସ୍ତାବିତ ମାଳି ପର୍ବତ ବକ୍ସାଇଟ ଖଣି ଖନନ ପ୍ରକଳ୍ପ ପାଇଁ ଜନ ଶୁଣାଣୀ ଓ ପରବର୍ତ୍ତୀ ଗିରଫଦାରୀ ସହିତ ଉଭୟ ପ୍ରକଳ୍ପକୁ (ହିଣ୍ଡାଳକୋ ଓ ନାଲକୋ) ନେଇ ଲୋକଙ୍କ ମତାମତ ଜାଣିବା ଏହି ତଥ୍ୟ ଅନୁସନ୍ଧାନ ଦଳର ଉଦ୍ଦେଶ୍ୟ ଥିଲା। ଏଠାରେ ସୂଚନା ଦେଉଛୁ ଯେ କୋରାପୁଟ ଜିଲ୍ଲା ଦେଓମାଳି ଅନ୍ତର୍ଗତ ମାଳିପର୍ବତରେ ହିଣ୍ଡାଲକୋ ଓ ଏହାର ସନ୍ନିକଟ ସେରୁବନ୍ଧ ପାହାଡ଼ରେ ନାଲକୋର ପ୍ରସ୍ତାବିତ ଖଣି ପ୍ରକଳ୍ପ ଲାଗି ଓଡ଼ିଶା ସରକାର ଚୁକ୍ତି କରିଛନ୍ତି। ଏହି ପ୍ରସ୍ତାବିତ ଖଣି ଖନନକୁ ସ୍ଥାନୀୟ ଗ୍ରାମବାସୀ ମୂଳରୁ ବିରୋଧ କରୁଥିବା ହେତୁ ଓଡ଼ିଶାର ସରକାରଙ୍କ ଦ୍ଵାରା ଦମନ ବଢ଼ିବାରେ ଲାଗିଛି।
ଆମ ତଥ୍ୟ ଅନୁସନ୍ଧାନର ସଂକ୍ଷିପ୍ତ ବିବରଣୀ ନିମ୍ନରେ ଉଲ୍ଲେଖ କରୁଅଛୁ।
କ) ମାଳି ପର୍ବତ ଅଞ୍ଚଳ :
୧. ଜନଶୁଣାଣୀର ଧାର୍ଯ୍ୟ ଦିନ (ସେପ୍ଟେମ୍ବର ୨୨, ୨୦୨୧) ପୂର୍ବରୁ ପୁଲିସ ଦ୍ଵାରା ପ୍ରତି ଗାଁକୁ ଯାଇ ଜନଶୁଣାଣୀର ସ୍ଥାନ, ତାରିଖ ଓ ସମୟ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଇଥିଲା। ଧାର୍ଯ୍ୟ ଦିନ ଅର୍ଥାତ ସେପ୍ଟେମ୍ବର ୨୨ ତାରିଖ ଦିନ ୧୧ଟା ସମୟରେ ଜନଶୁଣାଣୀ ଆରମ୍ଭ ହେବା କଥା। କିନ୍ତୁ ଲୋକେ କହିବା ଅନୁଯାୟୀ ସେହିଦିନ ସକାଳ ସାତଟା ସମୟରୁ ଜନଶୁଣାଣୀ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଆମେ ଉପଜିଲ୍ଲାପାଳ ଶ୍ରୀ ସୁଜିତ ମିଶ୍ରଙ୍କୁ ଭେଟି ପଚାରିଥିଲୁ। ସେ ନୀରବ ରହିଥିଲେ। ଜନଶୁଣାଣୀ ଦିନ ଏକ ମୋବାଇଲ ତାଙ୍କର ହଜି ଯାଇଥିବା ଓ ସେ ପୁଲିସ ରିପୋର୍ଟ କରିଥିବା କଥା କହିଲେ। କିନ୍ତୁ ଜିଲ୍ଲାପାଳ ଶ୍ରୀ ଅବଦଲ ଏମ ଅଖତାରଙ୍କୁ ସକାଳ ସାତଟା ସମୟରୁ ଜନଶୁଣାଣୀ ଆରମ୍ଭ ବିଷୟରେ ପଚାରିବାରେ ସେ ଏହାକୁ “ମିଥ୍ୟା ଆରୋପ” ଦର୍ଶାଇଥିଲେ। ଜିଲ୍ଲାପାଳ ମହୋଦୟଙ୍କ ବର୍ଣ୍ଣନା ଅନୁସାରେ ଏହି ଜନଶୁଣାଣୀ ଦିନ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ କେତେକ “ଦୁର୍ବୁତ୍ତ ପଶିଆସି ବାଧାଦେବାରୁ” ଉକ୍ତ ଜନଶୁଣାଣୀକୁ ବାତିଲ କରାଯାଇ ପୁନଃ ଆସନ୍ତା ନଭେମ୍ବର ୨୨ ତାରିଖରେ ଏହା କରାଯିବା ଲାଗି ସ୍ଥିରୀକୃତ ହୋଇଛି। ସାଧାରଣ ଗ୍ରାମବାସୀଙ୍କୁ ପୁଲିସ ଓ ଗୁଣ୍ଡାବାହିନୀ ରାସ୍ତାରେ ଅଟକାଇବା ଗ୍ରାମବାସୀଙ୍କ ଅଭିଯୋଗ “ମିଥ୍ୟା” ବୋଲି ଜିଲ୍ଲାପାଳ କହିଲେ।
୨. କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗ ବିଜ୍ଞପ୍ତି ଓ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ (ଉତ୍କର୍ଷ ମଣ୍ଡଳ ବନାମ ଯୁନିଅନ ଅଫ ଇଣ୍ଡିଆ) ଜନଶୁଣାଣୀର ଯଥେଷ୍ଟ ପୂର୍ବରୁ ଅଞ୍ଚଳବାସୀଙ୍କୁ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଇଦିଆଯିବା କଥା। ତଥ୍ୟ ପାଇଥିବା କ୍ଷତିଗ୍ରସ୍ତ ଗ୍ରାମବାସୀ ତଥା ଅନ୍ୟ ଲୋକ ଭାଗନେଇ ଜନଶୁଣାଣୀରେ ନିଜର ମତ ରଖିପାରିବେ। ଏଥିରେ ଆଇନ ଶୃଙ୍ଖଳାକୁ ଦେଖିବା ପୁଲିସର କାର୍ଯ୍ୟ। କିନ୍ତୁ ଆମେ ବୁଲିଥିବା କୌଣସି ବି ଗ୍ରାମରେ ପ୍ରକଳ୍ପ ସମ୍ପର୍କରେ କୌଣସି ଲିଖିତ ତଥ୍ୟ ଦିଆଯାଇନଥିବା ଜାଣିବାକୁ ପାଇଲୁ। କମ୍ପାନୀ କିମ୍ବା ରାଜ୍ୟ ସରକାରଙ୍କ ପ୍ରଦୂଷଣ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।
୩. ଆମେ ମାଳି ପର୍ବତ ସନ୍ନିକଟ ଛଟି ଗ୍ରାମରୁ ଗିରଫ ହୋଇଥିବା ୧୩ ଜଣ ପରିବାରଙ୍କ ଭେଟିଥିଲୁ। ଗିରଫ କରିବା ସମୟରେ ପୁଲିସ ଭକ୍ତ ପଟ୍ଟନାୟକ (ଆଲିଗାଁ), ଅଭିଜିତ ଜାନି ଓ ରମେଶ ହନ୍ତାଳ (ଡେକାପାର ଗାଁ) ଓ ରଘୁ ନାୟକ (ପାକଝୋଲା)ଙ୍କ ଘର ଭାଙ୍ଗି ଦେଇଥିଲେ ଓ ଏହା ସହିତ ଡେକାପାରୁରୁ ସ୍କୁଲ ଗୃହ କବାଟ ଭାଙ୍ଗି ଦେଇଥିବା କଥା ଗ୍ରାମବାସୀ ଆମର ଦଳକୁ ଦେଖାଇଥିଲେ। ଡି କେ ବସୁ ଜଜମେଣ୍ଟ ଅନୁସାରେ ଗିରଫ ବ୍ୟକ୍ତିର ନିକଟତମ ବ୍ୟକ୍ତିଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିୟମ ରହିଛି। କିନ୍ତୁ ଏଠାରେ ଗିରଫ ବ୍ୟକ୍ତିଙ୍କ ପରିବାର ସଦସ୍ୟ ପୁଲିସକୁ ପଚାରିବା ସତ୍ତ୍ୱେ ସେମାନେ ଦେଇନାହାନ୍ତି। ଦାଶିନନ୍ଦୀ ବାଲିଙ୍କ ପତ୍ନୀ ସୁନାମଣୀ (ପୂର୍ବ ସରପଞ୍ଚ ମଧ୍ୟ) ଓ ରବି ଖରାଙ୍କ ପତ୍ନୀ ସାବିତ୍ରୀ ଖରା (ପୂର୍ବ ସରପଞ୍ଚ) ତଥା ଗିରିଧର ଖିଲଙ୍କ ପତ୍ନୀ ମଞ୍ଜୁଳା ଦୁଇଦିନ ଧରି ସେମିଲିଗୁଡ଼ା ଥାନା, ସୁନାବେଡ଼ା ଥାନା ଓ କୋରାପୁଟ ଏସଡ଼ିପିଓଙ୍କ ପାଖକୁ ଯାଇ ନିରାଶ ହୋଇଥିବା କଥା କୁହନ୍ତି।
୪. ପୁଲିସ ଗିରଫଦାରୀ ଚାଲିବା ହେତୁ (ଇତି ମଧ୍ୟରେ ୨୮ ଜଣଙ୍କୁ ଗିରଫ କରାଯାଇଛି) ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏବେ ବି ପୁଲିସ ପଇଁତରା ମାରୁଥିବା ହେତୁ ଗାଁ ଗୁଡ଼ିକ ପୁରୁଷ ଶୂନ୍ୟ ହୋଇଯାଇଛି। ଆମର ଦଳ ଏହା ମଧ୍ୟ ଦେଖିଲା ଯେ ରାତିରେ ଉଜାଗର ରହି ମହିଳାମାନେ ନିଜ ଗାଁକୁ ଜଗୁଛନ୍ତି।
୫. ଆମର ଦଳ ଯାଇଥିବା ସମସ୍ତ ଛଟି ଗ୍ରାମର ସମସ୍ତ ପରିବାର ମାଳୀ ପର୍ବତ ଉପରେ ପ୍ରତ୍ୟକ୍ଷ ଭାବରେ ନିର୍ଭରଶୀଳ। ଚିରସ୍ରୋତା ଝରଣାରୁ ପାଣି ନେଇ ପନିପରିବା, ଧାନ, ମାଣ୍ଡିଆ, ଅଳସି, ଅଦା ଇତ୍ୟାଦି ଅନେକ ଜିନିଷ ଚାଷ କରି ସେମାନେ ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ଫସଲ ନିକଟସ୍ଥ କୋରାପୁଟ, ବିଶାଖାପାଟଣା ଓ ଭୁବନେଶ୍ଵର ସହରକୁ ମଧ୍ୟ ଆସୁଛି। ଡେକାପାରୁ, ଆଲି ଗାଁ ଓ କେ. ମାଲିଗୁଡା ଗ୍ରାମବାସୀ ନିଜର ପିଇବା ପାଣି ପାଇଁ ଝରଣାର ଜଳକୁ ବ୍ୟବସ୍ଥିତ କରିଛନ୍ତି।
ମାଳି ପର୍ବତରୁ ବାହାରି ଥିବା ଅନେକ ଝରଣାରୁ ପାଣି ଯାଇ କୋଲାବ ନଦୀରେ ପଡୁଛି ଓ ସେହି ହେତୁ ଜଳ ଭଣ୍ଡାର ଭରିଯାଉଛି। ପୁଣି ଉଦବୃତ୍ତ ଜଳ ଗୋଦାବରୀ ନଦୀରେ ମିଶୁଛି। ଲୋକଙ୍କ କହିବା ହେଲା, ନାଲକୋର ଦାମନଯୋଡ଼ି ଆଲୁମିନା ଫ୍ୟାକ୍ଟରୀ ଲାଗି ଏବେ ପଞ୍ଚପୁଟମାଳିରୁ ବକ୍ସାଇଟ ଖୋଳାହେବା ହେତୁ ଅନେକ ଗାଁ ନିକଟସ୍ଥ ଝରଣା ଶୁଖିଯାଇଛି। ସେହି ସମ୍ଭାବନା ମାଳୀ ପର୍ବତ ଓ ସେରୁବନ୍ଧ ଅଞ୍ଚଳରେ ମଧ୍ୟ ରହିଛି। ଯଦି ଜଳ ଶୁଖିଯିବ ତେବେ କୋଲାବ ନଦୀ ଓ ଏହାର ବିଦ୍ୟୁତ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହେବ। ତେବେ ଝରଣାରୁ ପାଣି ଶୁଖିଯିବାର ସମ୍ଭାବନା କାରଣରୁ ସ୍ଥାନୀୟ ଲୋକେ ୨୦୦୩ ମସିହାରୁ ହିଣ୍ଡାଲକୋକୁ ବିରୋଧ କରିଆସୁଛନ୍ତି।
୬. ଆମେ ସରକାରଙ୍କ କେବଳ ପୁଲିସ ବିଭାଗ ଯାଇ ଗିରଫ କାର୍ଯ୍ୟ କରୁଥିବା ଶୁଣିବାକୁ ପାଇଲୁ। ସରକାରଙ୍କ ଅନ୍ୟ କୌଣସି ବିଭାଗ ଯଥା ରାଜସ୍ୱ, ଜଙ୍ଗଲ, ଶିକ୍ଷା, ଲୋକ ସମ୍ପର୍କ ଓ ପଞ୍ଚାୟତିରାଜ ବିଭାଗ ଯାଇ ଲୋକଙ୍କ ବିଶ୍ୱାସ ଭାଜନ ହେବା ଲାଗି ଚେଷ୍ଟା କରିବା ଓ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ କୌଣସି ଆଲୋଚନା କରିଥିବା ଆମର ଦଳ ଦେଖିଲା ନାହିଁ। ଲାଗୁଛି ଯେମିତି କେବଳ ପୁଲିସ ହିଁ ସରକାରଙ୍କ ଏକ ମାତ୍ର ବିଭାଗ ଯାହା ଏ କ୍ଷେତ୍ରରେ ସଂପୂର୍ଣ୍ଣ ସକ୍ରିୟ ରହିଛି।
୭. ହିଣ୍ଡାଲକୋ ତରଫରୁ ଏସଏଚଜି (SHG) ଗୃପମାନଙ୍କୁ ଦଶ ହଜାର ଟଙ୍କା ଦେବା ଓ କେତେକ ଗ୍ରାମବାସୀଙ୍କୁ ନିୟମିତ ଅର୍ଥ ଦେଇ ଗାଁମାନଙ୍କରେ ବିଭାଜନ ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ମାଲିଗୁଡ଼ା ଗ୍ରାମବାସୀ ଲିଖିତ ଆକାରରେ ଜିଲ୍ଲାପାଳଙ୍କୁ ଜଣାଇଥିବା କୁହନ୍ତି।
ଖ) ସେରୁବନ୍ଧ ଅଞ୍ଚଳ :
ଆମର ଦଳ ପଟାଙ୍ଗି ବ୍ଲକ ମାଲିପୁଟ ପଞ୍ଚାୟତର ମାଲକାରବନ୍ଧ ଓ ଏରସନ୍ତାଗୁଡ଼ା ଗ୍ରାମର ଗ୍ରାମବାସୀ ତଥା ସେରୁବନ୍ଧ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ଭେଟିଥିଲା।
୧. ଜୁନ ୧୯, ୨୦୧୮ ତାରିଖ ଦିନ ଚାରୋଟି ଗ୍ରାମ ପଞ୍ଚାୟତ ଯଥା ମାଲିପୁଟ, ପଟାଙ୍ଗି, ନୂଆଗାଁ ଓ କୋଟିଆର ଗ୍ରାମସଭାରେ (ଗୋଟିଏ ଦିନରେ ଏକା ସମୟରେ) ନାଲକୋ ଲାଗି ପ୍ରସ୍ତାବିତ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଲାଗି ହୋଇଥିବା ଗ୍ରାମସଭାରେ ବିରୋଧ କରାଯାଇଥିଲା। ଅଥଚ ଏହି ନିଷ୍ପତ୍ତିକୁ ଅବମାନନା କରି କୋରାପୁଟ ଜିଲ୍ଲାପାଳ ପୁଣି ଥରେ ଆସନ୍ତା ନଭେମ୍ବର ୦୯ ତାରିଖ ଦିନ ପଲ୍ଲିସଭା କରିବା ଲାଗି ଯାଉଥିବା କଥା ଗ୍ରାମବାସୀ ଜଣାଇଥିଲେ। ପୂର୍ବ ଗ୍ରାମସଭା ବିପକ୍ଷରେ କୌଣସି ଗ୍ରାମବାସୀ କୌଣସି ଅଭିଯୋଗ କରିନଥିଲେ ମଧ୍ୟ ପୁନର୍ବାର ଏହା କରିବା ପଛରେ ଯୁକ୍ତି କ’ଣ? ଏ ସମ୍ପର୍କର ଆମର ଦଳ ଜିଲ୍ଲାପାଳଙ୍କୁ ପଚାରିବାରେ ସେ ପୂର୍ବ ଗ୍ରାମସଭା ପଟାଙ୍ଗି ବ୍ଲକ ଅଫିସରେ ହୋଇଥିଲା ଓ ଭୋଟର ଲିଷ୍ଟ ଆଧାରରେ ନହୋଇ ବାହାର ଲୋକଙ୍କ ଉପସ୍ଥିତିରେ ହୋଇଥିଲା ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ ନହୋଇ ପଞ୍ଚାୟତି ରାଜ ଆଇନ (ପେସା) ଅନୁସାରେ ହୋଇଥିବା କୁହନ୍ତି। କିନ୍ତୁ ଆମର ଦଳ ଉକ୍ତ ଗ୍ରାମସଭାର ବିବରଣୀରେ (୨୦୧୮ ମସିହାର) ଗ୍ରାମବାସୀ ବିରୋଧ କରିଥିବା କିନ୍ତୁ ଏହି ଗ୍ରାମସଭା କେଉଁଠାରେ ହୋଇଥିଲା ସେ ସମ୍ପର୍କରେ ଉଲ୍ଲେଖ ନଥିବା ଦେଖିଥିଲା। ଏହାର ସୁଯୋଗରେ ହୁଏତ ରାଜ୍ୟ ସରକାର ନାଲକୋ ଲାଗି ଜଙ୍ଗଲ କିସମ ପରିବର୍ତ୍ତନ ପାଇଁ ପୁଣି ଥରେ ଗ୍ରାମସଭା/ପଲ୍ଲିସଭା କରିବାକୁ ଯାଉଛନ୍ତି। କୋରାପୁଟ ଭଳି ଅନୁସୂଚିତ ଅଞ୍ଚଳରେ ‘ପେସା’ ହିଁ ସର୍ବମାନ୍ୟ। ତେଣୁ ଯଦି ପୁଣି ଗ୍ରାମସଭା/ପଲ୍ଲୀସଭା କରାଯାଏ ତେବେ ତାହା ସଂପୂର୍ଣ୍ଣ ବେଆଇନ ହେବ।
୨. ସେରୁବନ୍ଧ ଅଞ୍ଚଳର ଛଟି ଗ୍ରାମ ପଞ୍ଚାୟତର ପ୍ରାୟ ଷାଠିଏ ଖଣ୍ଡ ଗାଁ ଲୋକ ନାଲକୋ ପ୍ରସ୍ତାବିତ ଖଣି ଖନନକୁ ୨୦୧୦ ମସିହାରୁ ବିରୋଧ କରିଆସୁଛନ୍ତି। ମାଳୀ ପର୍ବତ ଅଞ୍ଚଳ ଭଳି ଉକ୍ତ ଅଞ୍ଚଳରେ ଶହେ ପ୍ରତିଶତ ଲୋକେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ସେରୁବନ୍ଧ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।
ଆମର ଦାବି :
ଏହି ପରିପ୍ରେକ୍ଷୀରେ ଆମେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ ଯେ;
୧. ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରସ୍ତାବିତ ହିଣ୍ଡାଲକୋ ଓ ନାଲକୋ ବକ୍ସାଇଟ ଖଣି ଖନନକୁ ବାତିଲ କରିଦିଆଯାଉ।
୨. ଉଭୟ ମାଳି ପର୍ବତ ଓ ସେରୁବନ୍ଧ ଅଞ୍ଚଳରୁ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିସର୍ତ୍ତ ଖଲାସ କରାଯାଉ ଓ ଅଞ୍ଚଳରେ ଅକାରଣ ଗିରଫଦାରୀ ବନ୍ଦ ହେଉ।
୩. ସରକାର ‘ପେସା’ ଆଇନକୁ ସମ୍ମାନ ଦିଅନ୍ତୁ , ଗ୍ରାମସଭା ଓ ପଲ୍ଲିସଭାର ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରନ୍ତୁ।
୪. ନିୟନ୍ତ୍ରିତ ବଜାର କମିଟି ଦ୍ଵାରା ସ୍ଥାନୀୟ କୃଷି ଉତ୍ପାଦନର ଉପଯୁକ୍ତ ମୂଲ୍ୟ ଦିଆଯାଉ।
ଆମେ ରାଜ୍ୟବାସୀ ଗଲା କୋଡ଼ିଏ ବର୍ଷ ଭିତରେ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଉପକୂଳରେ ଆଠ ଥର ବାତ୍ୟା ଓ ଛଅ ଥର ମରୁଡ଼ି ଭୋଗିସାରିଲୁଣି। ଅବିଚାରିତ ଖଣି ଖନନ, ପ୍ରଦୂଷଣ, କ୍ରମାଗତ ଜଙ୍ଗଲ କ୍ଷୟ ଇତ୍ୟାଦି ଲଗାତର ବାତ୍ୟା ଓ ମରୁଡ଼ି ହେବାର କାରଣ। ଏଥିରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ସମାଜର ନିମ୍ନବର୍ଗ ଅର୍ଥାତ ସତୁରୀ ପ୍ରତିଶତ ଚାଷୀ, ଆଦିବାସୀ ଓ ଦଳିତ ବର୍ଗ। ଅଥଚ ରାଜ୍ୟ ସରକାର ଖଣି ଓ ପ୍ଳାଣ୍ଟ ଲାଗି ଅତ୍ୟଧିକ ଆଗ୍ରହ ପ୍ରକାଶ କରି ପୁଲିସ ଶକ୍ତିର ପ୍ରୟୋଗ କରିଚାଲିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ। ଏ କ୍ଷେତ୍ରରେ ହିଣ୍ଡାଲକୋ, ନାଲକୋ ଭଳି ପ୍ରକଳ୍ପକୁ ବାତିଲ କରି ଜଙ୍ଗଲର ସୁରକ୍ଷା ଓ କୃଷିର ଉନ୍ନତି ଲାଗି ପଦକ୍ଷେପ ନେବା ଆବଶ୍ୟକ। ସମସ୍ତ ପ୍ରଗତିଶୀଳ ସଂଗଠନ, ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ଏଥିଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଆମର ନିବେଦନ।
ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟବୃନ୍ଦ :
ଦେବ ରଞ୍ଜନ, ଗୁପ୍ତେଶ୍ଵର ପାଣିଗ୍ରାହୀ (ବରିଷ୍ଠ ଓକିଲ/କୋରାପୁଟ), ରାଜୀବ ସଗରିଆ ( ସାମ୍ବାଦିକ/ ବଲାଙ୍ଗିର), ଦେବେନ୍ଦ୍ର ନାୟକ (ନବରଙ୍ଗପୁର), ବିଦେଶୀ ଗଉଡ (ମାଲକାନଗିରି), ଦେବୀ ପ୍ରସନ୍ନ ରଥ ଓ ଆଜାଦ ସ୍ଵାତି।
ଯୋଗାଯୋଗ: gassbhubaneswara@gmail.com