ରୁଦ୍ର ପ୍ରସନ୍ନ ରଥ
ପୁରୀ ଅବକାରୀ ଅଧିକାରୀ ସଂଜୟ ପଣ୍ଡା ଏବେ ଚର୍ଚ୍ଚାରେ। ପ୍ରଥମେ ସେ ପୁରୀରେ ଚାଲିଥିବା ବ୍ୟାପକ ନିଶାଦ୍ରବ୍ୟ କାରବାରରେ ପୋଲିସର ପ୍ରଚ୍ଛନ୍ନ ହାତ ଅଛି ବୋଲି କହିଲେ। ଖାଲି ସେତିକି ନୁହେଁ ନିଶା ବେପାରୀଙ୍କ ଉପରେ ଧରପଗଡ଼ ପୂର୍ବରୁ ପୋଲିସ୍ ସେମାନଙ୍କଠାରୁ ବଟି ନେଇ ଆଗୁଆ ସୂଚନା ଦେଇଦିଏ ବୋଲି ବି କହିଥିଲେ। ଅବକାରୀ ବିଭାଗରେ କମ୍ ଦରମା, ଷ୍ଟାଫ ଅଭାବ ଏବଂ କ୍ୱାର୍ଟର ଆଦିର ସୁବିଧା ନଥିବାରୁ ସେ କାମ କରିବାକୁ ହତୋତ୍ସାହିତ ହେଉଛନ୍ତି ବୋଲି ମଧ୍ୟ ପ୍ରକାଶ କଲେ। ଏପରି କ୍ଷେତ୍ରରେ ତାଙ୍କୁ ତାଙ୍କ ବରିଷ୍ଠ ଅଧିକାରୀମାନେ ସହାୟତା ପ୍ରଦାନ କରୁନାହାନ୍ତି ବୋଲି ବି ସେ କହିଥିଲେ। ସଂଜୟଙ୍କ ଏପରି ସତ ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା। ସୋସିଆଲ ମିଡିଆରେ ତାଙ୍କ ସାହାସକୁ ତାରିଫ୍ କରାଗଲା। ବିଭିନ୍ନ ଘଟଣାରେ ପୋଲିସର ଊତ୍କୋଚ ନେବାର ପୂର୍ବରୁ ଅନେକ ଉଦାହରଣ ଥିବାରୁ ଲୋକ ସଂଜୟଙ୍କର ଏହି କଥାକୁ ସତ ବୋଲି ସ୍ୱୀକାର କଲେ। ଲାଗିଲା ସଂଜୟଙ୍କ ଏହି ସତ ଆଜି ନହେଲେ ଆସନ୍ତାକାଲି ଅନେକ ପରିବର୍ତ୍ତନର ମୂଳପିଣ୍ଡ ପକାଇବ। ବ୍ୟବସ୍ଥା ବଦଳିବ। ନ ବଦଳିଲେ ବି ସଜାଡ଼ି ହୋଇଯିବ ନିଶ୍ଚୟ।
ବ୍ୟବସ୍ଥାକୁ ଖୁବ୍ ପାଖରୁ ଦେଖୁଥିବା ଲୋକମାନେ କିନ୍ତୁ ଜାଣିସାରିଥିଲେ ଯେ ସଂଜୟ ଭୁଲ୍ କରିସାରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଗୁମର ଗଣମାଧ୍ୟମ ଆଗରେ ଖୋଲିଥିବାରୁ ତାଙ୍କୁ ଦଣ୍ଡ ନିଶ୍ଚିତ ମିଳିବ। ଅବଶ୍ୟ ଦଣ୍ଡ ମିଳିବାକୁ ସମୟ ଲାଗିବ। କାରଣ ଏହା ପୂର୍ବରୁ ସତ୍ୟ ଅନୁସନ୍ଧାନ କମିଟି ବସିବ ଆଉ ସଂଜୟଙ୍କୁ ତାଙ୍କ ପକ୍ଷ ରଖିବାର କାଗଜୀୟ ସୁବିଧାଟି ନିଶ୍ଚିତ ଦିଆଯିବ। ତେବେ ଏହି ଘଟଣା ଘଟିବା ପରେ ପରେ ହିଁ ସଂଜୟଙ୍କ ଉପରେ ବିଭିନ୍ନ ସ୍ତରରୁ ଚାପ ପଡ଼ିବା ଆରମ୍ଭ ହୋଇଯିବା ସହ ତାଙ୍କ ଉପରେ ଅବିଳମ୍ବେ ଯେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ନିଶ୍ଚିତ।
ଶେଷରେ ସେଇଆ ହେଲା। ସଂଜୟ କଥା ବଦଳାଇଲେ। ସଂଜୟଙ୍କ ସ୍ତ୍ରୀଙ୍କ ମତରେ ସଂଜୟ ଦୀର୍ଘଦିନ ଧରି ମାନସିକ ଅସନ୍ତୁଳନତା ପାଇଁ ଔଷଧ ଖାଉଥିଲେ। ଔଷଧ ଅଭାବରୁ ସେ ନିଜର ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି କହିଲେ। ମାତ୍ର ଚବିଶ ଘଣ୍ଟା ମଧ୍ୟରେ ସଂଜୟ ମଧ୍ୟ ନିଜର ଆଉ ଏକ ଭିଡିଓ ଜାରୀ କରି ତାଙ୍କର ଏପରି କହିବାର ନଥିଲା ବୋଲି କହିଲେ। ପୋଲିସ୍ ବହୁତ ଭଲକାମ କରୁଛି ଏବଂ ତାଙ୍କର ମାନସିକ ଅସନ୍ତୁଳନତା ଯୋଗୁଁ ସେ ଏପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି କହିଲେ। ମାତ୍ର ୨୪ ଘଣ୍ଟା ଭିତରେ ସଂଜୟ ଯେପରି ସତ୍ୟବାଦିତା ପାଇଁ ପ୍ରସିଦ୍ଧି ପାଇଥିଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ଲୋକହସା ହେଲେ। ସାମାଜିକ ଗଣମାଧ୍ୟମରେ କିନ୍ତୁ ଲୋକ ବୁଝିପାରିଛନ୍ତି ଯେ ସଂଜୟ ଚାପଗ୍ରସ୍ତ। ଚାପ ଯୋଗୁଁ ହିଁ ସଂଜୟ ବାକ୍ୟ ବଦଳାଇଛନ୍ତି। ତେବେ ଏ ଚାପ କିଏ ଆଉ କାହିଁକି ପକାଇଛି ତାହା ଖୋଲି କହିବା ଆବଶ୍ୟକ ନାହିଁ।
ଆମ ବ୍ୟବସ୍ଥାଟି ଏପରି ପଚମାନ ଏବଂ ଘୃଣ୍ୟ ଯେ ଏହାକୁ ପରିଚାଳନା କରୁଥିବା ବଡ଼ପଣ୍ଡାମାନେ ଏଥିରେ ସହଜେ ପରିବର୍ତ୍ତନ ଚାହାନ୍ତି ନାହିଁ। ନିଜ ନିଜ ଖୁସିରେ ନିଜ ନିଜ ଇଚ୍ଛାରେ ଏହି ବ୍ୟବସ୍ଥାକୁ ଆହୁରି ଗୋଳିଆ ଏବଂ ପୂତିଗନ୍ଧମୟ କରି ରଖିଥାଆନ୍ତି ଯେପରି ଏଥିରୁ ସୁବିଧାରେ ମାଛ ମାରିହେବ। ଏହି ବ୍ୟବସ୍ଥାକୁ ସବୁବେଳେ ସମସ୍ତେ ସମର୍ଥନ କରନ୍ତୁ, ଏଥିପାଇଁ ବ୍ୟବସ୍ଥା ବି କରିଥାଆନ୍ତି। ଗୁଡ଼ାଏ ଚାଟୁକାରଙ୍କୁ ନିଜ ଚାରି ପାଖେ ଏମିତି ସଜାଇ ରଖିଥାଆନ୍ତି ଯେ ସେମାନେ ସବୁବେଳେ ସ୍ଥିତାବସ୍ଥାକୁ ହିଁ ସମର୍ଥନ କରିବା ଜାରୀ ରଖିଥାଆନ୍ତି। ଏହି ବ୍ୟବସ୍ଥା କ୍ରମାନ୍ୱୟନରେ ପିଢ଼ିପରେ ପିଢ଼ି ଚାଲିଥାଏ।
ଏହି ବ୍ୟବସ୍ଥାରେ ସତ କହୁଥିବା ସଂଜୟଙ୍କ ସଂଖ୍ୟା ବହୁତ କମ୍। ଏକ ବିଶାଳ ବ୍ୟବସ୍ଥା ବିରୋଧରେ ନିଜ ସୁଖ ସଂଭୋଗକୁ ଛାଡ଼ି କିଏବା ସଂଜୟ ହେବାକୁ ଚାହିଁବ? ତଥାପି ବେଳେବେଳେ କିଛି ସଂଜୟ ସତ କହିବାକୁ ସାହସ ଦେଖାନ୍ତି। ସେମାନଙ୍କ ସତ ବଳରେ ଯେ ବ୍ୟବସ୍ଥାରେ ପରିବର୍ତ୍ନ ଦେଖାଦେବ ତାହା ସେମାନେ ନିଜର ମାନସ ଚକ୍ଷୁରେ ଦେଖିପାରନ୍ତି। ସେମାନେ ଆଗକୁ ଆସନ୍ତି। ସତକୁ ଓଗାଳି ଦିଅନ୍ତି। ସତ ବି ନଦୀ ପରି ଅନବରତ ବୋହିଯାଏ। ଲୋକ ଭାବନ୍ତି ଯେ ବୋଧହୁଏ ଏବେ ସତ୍ୟ ନଈର ଧାର ଧରି ବିକାଶର ଗଂଗା ବହିବ। ଅବ୍ୟବସ୍ଥାର ମିଛ ଉପତ୍ୟାକାରେ ଗଢ଼ି ଉଠିଥିବା ବ୍ୟବସ୍ଥାର ସେ ଘୁଣଖିଆ ମିନାର ସବୁ ଭୁଷୁଡି ପଡ଼ିବ। କିନ୍ତୁ ହାୟ ଏତେ ସପନକୁ ରାତି ନଥାଏ।
ସତ କହିଥିବା ସେ ସଂଜୟକୁ ବ୍ୟବସ୍ଥାର ଯୂପକାଠି ଭିତରକୁ ବାରବାର ଟଣାଯାଏ। ସେ କ’ଣ କହିଲା ଅପେକ୍ଷା କାହିଁକି କହିଲା ବେଶୀ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ସେ ଅଭିଯୋଗ ଆଣିଥିବା ଲୋକ ହିଁ ତା ଅଭିଯୋଗର ବିଚାରକାରୀ ହୁଏ। ତାକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଯାବତ ହଇରାଣ ହରକତ କରାଯାଏ। ଏମିତି ଉଦାହରଣ ବହୁତ କମ୍ ଥିବ ଯେଉଁଠି ପାଟି ଖୋଲିଥିବା ଅଭିଯୋଗକାରୀର ଅଭିଯୋଗର ବିଚାର ତୁରନ୍ତ ହୋଇ ତାକୁ ନ୍ୟାୟ ମିଳିଥିବ। ତାର ସମସ୍ୟାର ସମାଧାନ ହୋଇଥିବ। ବରଂ ସରକାରୀ କଳର ଚାପରେ ଅଭିଯୋଗ ଆଣିଥିବା ବ୍ୟକ୍ତିର ମେରୁଦଣ୍ଡ ଭାଙ୍ଗିଯାଏ। ତାକୁ ମାଡ଼ି ମକଚି ହୋଇ ରହିବାକୁ ବାଧ୍ୟ କରାଯାଏ। ତାର ସ୍ୱାଭିମାନକୁ ଭୂଲୁଣ୍ଠିତ କରାଯାଏ। ଏହି କାରଣରୁ ସମସ୍ୟାକୁ ବେଶ୍ ପାଖରୁ ଦେଖୁଥିଲେ ବି ଏ ନେଇ କେହି ମୁହଁ ଖୋଲିବାକୁ ସାହସ କରନ୍ତି ନାହିଁ। ଏଣୁ ବିଭାଗର ସମସ୍ୟାଟି ବ୍ୟକ୍ତିଗତ ଏବଂ ବିଭାଗକୁ ବ୍ୟାପକ ଭାବେ ପ୍ରଭାବିତ କରେ। ଧୀରେ ଧୀରେ ଏହା ବ୍ୟବସ୍ଥାକୁ ରୁଗ୍ଣ ଓ ପଚମାନ କରିଦିଏ। ଥରେ ବ୍ୟବସ୍ଥା ରୁଗ୍ଣ ହେଲେ ସାଧାରଣ ଲୋକ ଏହି ବ୍ୟବସ୍ଥାରୁ ନିଜର ଭରସା ଉଠାଇ ଦିଅନ୍ତି। ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ଜମାଇବାକୁ ସରକାର ଏବଂ ଏହାର କଳକୁ ଦୋହରା ପରିଶ୍ରମ କରିବାକୁ ପଡ଼େ। ଭାରତୀୟ ପ୍ରଶାସନର ଚରିତ୍ର ଏପରି ଯେ ଏଠି ପ୍ରଶାସକମାନେ ସମସ୍ୟାର ତୀବ୍ର ଗନ୍ଧକୁ ସ୍ୱୀକାର କରି ଏହାର ଦୀର୍ଘସ୍ଥାୟୀ ସମାଧାନ କରିବା ବଦଳରେ ଏହାକୁ ଲାଲ କାର୍ପେଟ ତଳେ ଲୁଚାଇ ଏହା ଉପରେ ଅତର ଛିଞ୍ଚି ଏହାକୁ ସଫଳତାର ସହ ମୁକାବିଲା କରାଯାଇଛି ବୋଲି ପ୍ରଚାର ପ୍ରସାର କରି ପୁରସ୍କାର ଗୋଟାଇବାକୁ ଭଲ ପାଆନ୍ତି।
ସଂଜୟଙ୍କ ସତକୁ ସ୍ୱୀକାର ନକରିବା ପଛରେ ଯେଉଁ ସରକାରୀ ବୁଦ୍ଧିଟି କାମ କରେ ତାହା ହେଲା ଏଇଆ ଯେ ସରକାର କେବେ ଭୁଲ୍ କରନ୍ତି ନାହିଁ। ସରକାର ସବୁବେଳେ ଏବଂ ସବୁଠାରେ ଠିକ୍ ଏବଂ ଆଦର୍ଶ ସ୍ଥାନୀୟ। ସରକାର ନିଜ ଭୁଲକୁ ସ୍ୱୀକାର କରିବାର ଅର୍ଥ ନିଜର ଲୋକପ୍ରିୟତା ହରାଇବା ଏବଂ ନିଜକୁ ଲୋକହସା କରିବା। ସରକାର ଏବଂ ଏହାର ନେତୃତ୍ୱ ନେଉଥିବା ଲୋକ ବୁଝିପାରନ୍ତି ନାହିଁ ରାଜ୍ୟ କିମ୍ବା ଦେଶକୁ ଚଳାଇବା ଏକ ଘରକୁ ଚଳାଇବା ପରି। ବାପା ଘର ଚଳାଇବା ପରି ସରକାର ମଧ୍ୟ ଘର ଚଳାଇଥାଆନ୍ତି। ଘର ଚଳାଇଲାବେଳେ ବାପା ଯେମିତି କିଛି କିଛି ଭୁଲ୍ କରି ବସନ୍ତି ସେପରି ସରକାର ମଧ୍ୟ ଭୁଲ କରିବା ସ୍ୱଭାବିକ। ଏହି ଭୁଲକୁ ସ୍ୱୀକାର କଲେ ନା ବାପା ଘରେ ଛୋଟ ହୋଇଯାନ୍ତି ନା ସରକାର ରାଜ୍ୟରେ ଛୋଟ ହୋଇଯିବେ। ବରଂ ଏହି ଭୁଲକୁ ସ୍ୱୀକାର କଲେ ସରକାର ଆହୁରି ପ୍ରଭାବଶାଳୀ ଏବଂ ଲୋକଭିମୁଖୀ ହୋଇପାରିବ। ତେବେ ସରକାର ଉଦାର ନ ହେବା କାରଣରୁ ସଂଜୟମାନଙ୍କ ସତ ପାଗଳାମୀ ବୋଲି ବିବେଚିତ ହେଉଛି। ସଂଜୟମାନଙ୍କୁ ଚାପଗ୍ରସ୍ତ କରାଇ ସେମାନଙ୍କର କଳାଧଳା ସତ୍ୟକୁ ରଂଗୀନ ମିଛର ଆବରଣରେ ଘୋଡ଼ାଇ ଦିଆଯାଉଛି।
ଏକଥା ସତ ଯେ କେବେ ବି ସରକାର ସଂଜୟମାନଙ୍କ ସତକୁ ବେଶୀ ସମୟ ଲୁଚାଇ ରଖିପାରିବେ ନାହିଁ। ଏପରି କରିବା ନିଜ ଅଣ୍ଟିରେ ନିଆଁକୁ ପୂରାଇ ରଖିବା ସହ ସମାନ ହେବ। ସରକାର ସଂଜୟମାନଙ୍କ ସତକୁ ସ୍ୱୀକାର କରନ୍ତୁ। ଏହା ବ୍ୟବସ୍ଥା ଭିତରେ ଥିବା ଶହଶହ ସଂଜୟମାନଙ୍କୁ ସତ କହିବାକୁ ପ୍ରେରଣା ଯୋଗାଇବ। ଏହା ଦ୍ୱାରା ବ୍ୟବସ୍ଥା ଶକ୍ତିଶାଳୀ ହେବ ଏବଂ ଏକ ଶକ୍ତିଶାଳୀ ବ୍ୟବସ୍ଥାର ହିତାଧିକାରୀ ଉଭୟ ସରକାର ଏବଂ ଜନସାଧାରଣ ସମାନଭାବରେ ହୋଇ ପାରିବେ।
ଏବେ ସମୟ ଆସିଛି ସରକାର ନିଜର ଆଖି ଖୋଲନ୍ତୁ। ସଂଜୟଙ୍କ ସତକୁ ସ୍ୱୀକାର କରିବେ ନା ତାକୁ ପାଗଳ ଗାରଦ ଭିତରେ ଠିଆ କରାଇ ନିଜର ପ୍ରତିଛବିକୁ ଅଳ୍ପ ସମୟ ପାଇଁ ସୁଧାରି ଭବିଷ୍ୟତ ପାଇଁ ଅଧିକ ସମସ୍ୟା ଡାକିବେ ତାହା ସରକାର ନିର୍ଣ୍ଣୟ କରନ୍ତୁ।
ଧବଳଗିରି, ଯାଜପୁର ରୋଡ଼