ପରିମାର୍ଜିତ କୃଷି ଆଇନ ଆସିବା ଦରକାର

ଆନ୍ଦୋଳନରତ କୃଷକ ଓ ମୋଦି ବିରୋଧୀଙ୍କ ପାଇଁ କୃଷି ଆଇନ ପ୍ରତ୍ୟାହାର ଏକ ସାମୟିକ ସୁଖଦ ଅନୁଭବ ହୋଇଥିଲେ ହେଁ ଏଥିପାଇଁ ମିଠେଇ ଉତ୍ସବ ପାଳନର କିଛି ବି କାରଣ ନାହିଁ।

  • ଜାନକୀଶ ବଡ଼ପଣ୍ଡା

ସରକାର ଭବିଷ୍ୟତରେ ନୂତନ କୃଷି ଆଇନକୁ ନୂଆ ରୂପରେ ଆଣିବାକୁ ସଂକେତ ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ହେବାକୁ ଅନେକ ଚାଷୀ ଓ ସେମାନଙ୍କର ସଂଗଠନ ନୀରବରେ ବିରୋଧ ତଥା ନାପସନ୍ଦ କରୁଥିଲେ ହେଁ ଆଉ ଥରେ ପରିବର୍ତ୍ତିତ ଓ ସଂସ୍କାରମୂଳକ ଆଇନ ହେବା ସେମାନେ ଚାହାନ୍ତି। ଭାରତୀୟ କିଷାନ ସଂଘ ଉଦବେଗ ପ୍ରକାଶ କରିଛି ଯେ ଯେମିତି ଯାହା ଥିଲା, ସେମିତି ରହିଗଲା ଚାଷୀଙ୍କ ଦୁରବସ୍ଥା। କୃଷକଙ୍କ ବିଜୟ ବୋଲି ଯାହା କୁହI ଯାଉଛି, ତାହା ବାସ୍ତବରେ ବ୍ୟବସ୍ଥାଗତ ସଂସ୍କାର ଆଣିବାର ପ୍ରୟାସକୁ ଏକ ବାଧା। ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରି ଆଇନ ପ୍ରତ୍ୟାହାର କରିନେବା ଫଳରେ କେବଳ ମୋଦି ବିରୋଧୀ ଗୋଷ୍ଠୀଙ୍କର ବିଜୟ ହୋଇଛି, ଚାଷୀଙ୍କର ନୁହେଁ।

ଭାରତୀୟ କିଷାନ ସଂଘ ପକ୍ଷରୁ ଆଇନଗତ ପ୍ରସ୍ତାବ ଆଗତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କୃଷକଙ୍କୁ ଫସଲର ଯଥାର୍ଥ ତଥା ଲାଭଜନକ ପ୍ରାପ୍ୟ ଯେପରି ମିଳିବ, ସେଥିପାଇଁ ପ୍ରସ୍ତାବିତ ଆଇନରେ ସେମାନେ ଗୁରୁତ୍ୱ ଦେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ ଲାଭଜନକ ମୂଲ୍ୟ (ରେମୁନେରେଟିଭ ପ୍ରାଇସ) ବ୍ୟବସ୍ଥାକୁ ସେମାନେ ଗୁରୁତ୍ୱ ଦେଉଛନ୍ତି। ଏହା ଏକ ଉନ୍ନତ ବ୍ୟବସ୍ଥା ଓ ଏଥିରୁ ଚାଷୀଙ୍କର ବାସ୍ତବ ଉପକାର ହେବ ବୋଲି ସେମାନେ କହିଛନ୍ତି। ସ୍ୱତନ୍ତ୍ର ପୋର୍ଟାଲ ଓ କୃଷକ ଅଦାଲତ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏପରି ଚିଠା ବିଲ ଧରି ଜାନୁଆରୀ ଏକ ତାରିଖ ଠାରୁ ଦଶ ତାରିଖ ଯାଏଁ ଚାଷୀଙ୍କ ପାଖକୁ କୃଷକ ନେତାଏ ଯିବେ ଓ ପ୍ରତି ଗ୍ରାମରେ ସଭା କରି ସରକାରଙ୍କ ଉପରେ ସେମାନେ ଚାପ ପ୍ରୟୋଗ କରିବେ। ଜୟ କିଷାନ ସ୍ଲୋଗାନ ଦେଇଥିବା ସ୍ଵର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମହାପ୍ରୟାଣ ଦିବସ ଜାନୁଆରୀ ଏଗାର ତାରିଖଠାରୁ ଦେଶର ସମସ୍ତ ବ୍ଲକ ସଦର ମହକୁମାରେ ସେମାନେ ଧାରଣା ମଧ୍ୟ ଦେବେ। ଯେତେବେଳେ ଭାରତୀୟ କିଷାନ ସଂଘ ଏମିତି ଏକ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛି, ସେତେବେଳେ ପଞ୍ଜାବର କୃଷକ ନେତାମାନେ ବିଧାନସଭା ନିର୍ବାଚନରେ ଭାଗନେବାକୁ ପ୍ରସ୍ତୁତ ହେଉଛନ୍ତି ସିନା ଚାଷୀଙ୍କ କଲ୍ୟାଣ ପାଇଁ କିଛି ପ୍ରସ୍ତାବ ନଦେଇ ସରକାରଙ୍କୁ ବିରୋଧ କରିବାକୁ ଏକମାତ୍ର ଏଜେଣ୍ଡା କରିଛନ୍ତି। ଅନ୍ୟାନ୍ୟ କୃଷକ ସଂଘ ଓ ସଂଗଠନମାନେ ନିଜର କିଛି ଠୋସ ଚିଠାପ୍ରସ୍ତାବ ନଦେଇ  କେବଳ ସର୍ବନିମ୍ନ ସହାୟକ ମୂଲ୍ୟକୁ ଏଜେଣ୍ଡା କରିଛନ୍ତି।

ଆନ୍ଦୋଳନରତ କୃଷକ ଓ ମୋଦି ବିରୋଧୀଙ୍କ ପାଇଁ କୃଷି ଆଇନ ପ୍ରତ୍ୟାହାର ଏକ ସାମୟିକ ସୁଖଦ ଅନୁଭବ ହୋଇଥିଲେ ହେଁ ଏଥିପାଇଁ ମିଠେଇ ଉତ୍ସବ ପାଳନର କିଛି ବି କାରଣ ନାହିଁ। ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ ନକଲେ ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର ହେବନାହିଁ।

ଅର୍ଥନୈତିକ ସହଭାଗୀତା ଏବଂ ଉନ୍ନୟନ ସଂଗଠନ (ଓଇସିଡି)ର ତଥ୍ୟ ଅନୁଧ୍ୟାନ କଲେ ଜଣାଯିବ ଯେ ୟୁରୋପ ମହାଦେଶର ବିଭିନ୍ନ ଦେଶର ଚାଷୀଙ୍କୁ ବହୁ ଅଧିକ ସହାୟତା ମିଳେ, ଯାହା ଭାରତୀୟ ଚାଷୀଙ୍କୁ ମିଳୁଥିବା ସହାୟତାର ପ୍ରାୟ ଅଢ଼େଇଗୁଣ।

ଏବେ ଦେଶର ଶସ୍ୟ ଭଣ୍ଡାରମାନଙ୍କରେ ଆଉ ଖାଲି ସ୍ଥାନ ନାହିଁ। ଗୋଦାମ ବାହାରେ ପାଲତଳେ ବସ୍ତା ବସ୍ତା ଧାନ ଓ ଗହମ ସାଇତା  ହେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସରକାର ଯେତିକି ଖାଦ୍ୟଶସ୍ୟ କିଣୁଛନ୍ତି, ତାହା ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ପରିମାଣ ଠାରୁ ବହୁତ ଅଧିକ। ସରକାର ଧାନ ଓ ଗହମ କିଣି ନେଉଥିବାରୁ ଚାଷୀମାନେ ଡାଲି ଓ ତୈଳବୀଜ ଫସଲ ଚାଷ କରିବାକୁ ଅନାଗ୍ରହୀ। ଏଥିରେ ରୋଗ ଓ ପୋକ ପ୍ରାଦୁର୍ଭାବ ବଢୁଛି, ମୃତ୍ତିକାର ଭୌତିକ ଓ ରାସାୟନିକ ଗୁଣ କମିଚାଲିଛି। ମକା, ଡାଲି ଓ ତୈଳବୀଜ ଫସଲ ବଦଳରେ ପ୍ରଚୁର ଜଳ ଆବଶ୍ୟକ କରୁଥିବା ଡାଳୁଅ ଧାନ ଫସଲ ରବି ଋତୁରେ ବ୍ୟାପକ ଭାବେ ଚାଷ କରାଯାଉଥିବାରୁ ଭୂତଳ ଜଳସ୍ତର କମି ଚାଲିଛି। ହିସାବରୁ ଜଣାଯାଏ ଯେ, ଦେଶର ମାତ୍ର ୬ ପ୍ରତିଶତ କୃଷକ ବହୁଳ ପ୍ରଚାରିତ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରୁ ଲାଭାନ୍ଵିତ ହେଉଛନ୍ତି। ଅନ୍ୟମାନେ ବଜାର ଦରରେ ଫସଲ ବିକ୍ରି କରୁଛନ୍ତି। ଆଇନ ପ୍ରଣୟନ କରି ଏହାକୁ ନିଶ୍ଚିତ କଲେ ଯେ ସମସ୍ତ ଚାଷୀ ଏଥିରୁ ଲାଭ ପାଇବେ, ତାହା ଅନିଶ୍ଚିତ। ଗୋଟିଏ ଉଦାହରଣ ନେବା। ଆମେ କାନାଡ଼Iରୁ ହରଡ଼ ଡାଲି ଆମଦାନୀ କରୁଛେ ଓ ଭାରତର ଖାଉଟି କୁଇଣ୍ଟାଲ ପିଛା ୮,୯୦୦ ଟଙ୍କାରେ ତାହା କିଣୁଛନ୍ତି। ଗୋଟା ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୬,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଓ ସେଥିରୁ ୯୦ କେଜି ଡାଲି ମିଳୁଥିବାରୁ କେଜି ପିଛା କ୍ରୟ ମୂଲ୍ୟ ପ୍ରାୟ ୬୭ ଟଙ୍କା ପଡୁଛି। ଯଦି କାନାଡ଼ାରେ ହରଡ଼ ମୂଲ୍ୟକୁ ବଢ଼େଇ ଦିଆଯିବ, ହୁଏତ ଆମେ କାନାଡ଼ରୁ ହରଡ଼ ଡାଲି ଆମଦାନୀ ନକରି ଯେଉଁଠି ଶସ୍ତାରେ ମିଳିବ, ସେଠାରୁ କିଣିବା। ଫଳରେ କାନାଡ଼ାର ହରଡ଼ ଚାଷୀ କ୍ଷତି ସହିବ ଓ କାନାଡ଼ାର କୃଷି ରପ୍ତାନୀ କମିଯିବ। ସେଇଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କଲାବେଳେ ବିଶ୍ୱ ବଜାର ପରିସ୍ଥିତିକୁ ଧ୍ୟାନ  ଦେଇଥାଆନ୍ତି। ଏହାକୁ ଆଇନ ଅନ୍ତର୍ଗତ କରି ସରକାର ନିଶ୍ଚିତ ଭାବେ କ୍ରୟ କରିବା ଅସମ୍ଭବ ବ୍ୟାପାର। ଆମ ରାଜ୍ୟର ଚାଷୀମାନେ କୁଇଣ୍ଟାଲ ପିଛା ୯,୦୦୦ ଟଙ୍କା ଦରରେ ‘ମୁଗ’ ଫସଲ ବିକ୍ରି କରିଛନ୍ତି, ଯେତେବେଲେକି ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୬,୦୦୦ ଟଙ୍କା।

କେବଳ ସେତିକି ନୁହେଁ, ଅଧିକ ଦରରେ ଖାଦ୍ୟଶସ୍ୟ ବିକ୍ରିହେଲେ, କୃଷକ ନିଜ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇବ ସତ, ମାତ୍ର ସେ ନିଜେ ବଜାରରୁ ଯାହାବି କିଣିବ ସେଥିପାଇଁ ଅଧିକ ମୂଲ୍ୟ ଦେବ ନାହିଁ କି? ଉଦାହରଣ ସ୍ୱରୂପ, ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩,୦୦୦ ଟଙ୍କା ଚାଷୀ ପାଇଲେ ସେଥିରୁ ୬୦ ପ୍ରତିଶତ ଚାଉଳ ମିଳିବ, ଯାହାର କେଜି ପ୍ରତି ମୂଳ ମୂଲ୍ୟ ୫୦ ଟଙ୍କା ହୋଇଯିବ ଓ ଖାଉଟିମାନେ ୬୦-୭୦ ଟଙ୍କା ଦେଇ କେଜିଏ ଚାଉଳ କିଣିବେ। ଧାନ ଦର ବଢ଼ିଲେ ଅନ୍ୟ ସମସ୍ତ ଫସଲ ବଜାର ଦର ଆନୁପାତିକ ଭାବେ ବଢ଼ିବା ନିଶ୍ଚିତ ଏବଂ ନିଜେ ଚାଷୀ ଜଣେ ଖାଉଟୀ ହୋଇଥିବାରୁ ଉଚ୍ଚାଦର ଦେଇ ସୁଜି, ବିସ୍କୁଟ, ତେଲଠାରୁ ପନିପରିବା ସବୁ କିଣିବାକୁ ବାଧ୍ୟ ହେବେ। ଏକ ଅହେତୁକ ମୁଦ୍ରାସ୍ଫୀତି ସୃଷ୍ଟି ହେବା ନିଶ୍ଚିତ।

ଏଣୁ କୃଷି ଉତ୍ପାଦଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଦେଲେ ଯେ କୃଷକର ଦୁଃଖ ଦୂର ହୋଇଯିବ, ତାହା ଏକ ଭ୍ରମ। ବରଂ ତାହା ଅନ୍ତତଃ ପାଞ୍ଚ ବର୍ଷ ପାଇଁ ସ୍ଥିର ହୋଇ ରହିବା ଉଚିତ ଏବଂ ମଦ୍ରାସ୍ଫୀତି ବୃଦ୍ଧିହାର ୪ ପ୍ରତିଶତକୁ କମିଯିବା ଦରକାର। ଅର୍ଥନୈତିକ ସହଭାଗୀତା ଏବଂ ଉନ୍ନୟନ ସଂଗଠନ (ଓଇସିଡି)ର ତଥ୍ୟ ଅନୁଧ୍ୟାନ କଲେ ଜଣାଯିବ ଯେ ୟୁରୋପ ମହାଦେଶର ବିଭିନ୍ନ ଦେଶର ଚାଷୀଙ୍କୁ ବହୁ ଅଧିକ ସହାୟତା ମିଳେ, ଯାହା ଭାରତୀୟ ଚାଷୀଙ୍କୁ ମିଳୁଥିବା ସହାୟତାର ପ୍ରାୟ ଅଢ଼େଇଗୁଣ। ୟୁରୋପରେ କୃଷକ ଆବଶ୍ୟକ କରୁଥିବା ସାମଗ୍ରୀ କିଣିବାକୁ ଚାଷୀଙ୍କୁ ଫସଲ ମୂଲ୍ୟର ୨୦ ପ୍ରତିଶତ ଅଂଶକୁ ରିହାତି ଆକାରରେ ଦିଆଯାଉଥିଲାବେଳେ ଭାରତରେ ଏହା ମାତ୍ର ୮.୨୦ ପ୍ରତିଶତ। ଆମର ଚାଷୀଙ୍କୁ ରିହାତି ଦରରେ ବିହନ, ସାର, ଜଳ, ଟ୍ରାକଟର ଓ କୀଟନାଶକ ମିଳିଲେ, ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ହୁଏତ ଅଡ଼ି ବସନ୍ତେ ନାହିଁ। ଉତ୍ପାଦନ ଖର୍ଚ୍ଚ ଯେତେ ଅଧିକ କମିବ ଏହାର ସେତେ ଅଧିକ ଫାଇଦା ପାଇବେ ଉତ୍ପାଦନକାରୀ – ସେ କୃଷକ ହୁଅନ୍ତୁ ଅବା ଶିଳ୍ପୋଦ୍ୟୋଗୀ। କୃଷକମାନଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ, ଏଇଥିପାଇଁ ଯେ, ଆମର କୃଷକ ମୁଖ୍ୟତଃ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ।

ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ ୨୩ଟି ଫସଲ ଅନ୍ତର୍ଭୁକ୍ତ ହୋଇଥିଲେ ହେଁ କେବଳ ଧାନ ଓ ଗହମ ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି ତାହା ବିଚାର କରିବାର କଥା। ଆଳୁ, ପିଆଜ, ଡାଲି, ତୈଳବୀଜ, ଆଖୁ, କପା ଓ ନଡ଼ିଆ ସମେତ ଫସଲ ପାଇଁ ପ୍ରକୃତରେ କଣ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ନା ଚାଷୀନେତାଏ ମୁହଁ ଖୋଲନ୍ତି? ଆମ ଦେଶରେ ୯୦-୯୫ ନିୟୁତ କୃଷକଙ୍କ ମଧ୍ୟରୁ ନାମମାତ୍ର ଚାଷୀଙ୍କ ସଂଖ୍ୟା ୬୦-୬୫ ନିୟୁତ, ଯେଉଁ ପରିବାରଙ୍କ ହାରାହାରି ମାସିକ ରୋଜଗାର ୮,୫୭୧ ଟଙ୍କା। ଏହି ଆୟ ଭିତରେ ଫସଲ ଚାଷ ଓ ଗୋପାଳନ, ଛେଳି-ମେଣ୍ଢା ପାଳନ ଇତ୍ୟାଦି ଆନୁସଙ୍ଗିକ କାର୍ଯ୍ୟରୁ ଆୟ ପରିମାଣ ୪,୬୬୫ ଟଙ୍କା ହେଲାବେଳେ ମୂଲ ମଜୁରୀ ଖଟଣି ଆୟ ୩,୯୦୬ ଟଙ୍କା। ଏମାନେ ମଜୁରୀ ଖଟୁନଥିଲେ କୃଷିର ଆୟରୁ ଚଳିପାରୁ ନଥାନ୍ତେ। ଆମେ ଏମାନଙ୍କୁ ଚାଷୀ କହିଲେ ବି ଏମାନେ ବାସ୍ତବରେ କୃଷି ଶ୍ରମିକ। ଭାଗଚାଷୀମାନେ ବି ସେହି ପର୍ଯ୍ୟାୟରେ ଯିବେ। ଚାଷର ମୂଳ ଆବଶ୍ୟକତା ହେଲା ଚାଷ ଉପଯୋଗୀ ଜମି, ଯାହା ହିଁ ତାର ମୂଳ ପୁଞ୍ଜି। ସେଥିରେ ସେ ଜଳସେଚନ ଭଳି ଭିତ୍ତିଭୂମି ହେଉ ଅବା ନୂଆ କୃଷି ପ୍ରଣାଳୀ ପାଇଁ ନିବେଶ କରିବା କଥା। କଲେ ଯାଇ ସେ ଉତ୍ପାଦନ କରିବା ସମ୍ଭବ। ଏମିତି ହିସାବ କରିବସିଲେ ସମୁଦାୟ ଚାଷୀ ସଂଖ୍ୟାର ଏକ ତୃତୀୟାଂଶ ହିଁ ଚାଷୀ। ଆଉତକ କୃଷି ଶ୍ରମିକ। ଏଣୁ ଉଭୟ ଚାଷୀକୂଳ ଓ ସରକାର ଭାବପ୍ରବଣତା ତ୍ୟାଗ କରି ଯାନ୍ତ୍ରିକ କୃଷି ଯୁଗର କୃଷିଶ୍ରମିକଙ୍କ ପାଇଁ ବିକଳ୍ପ ରୋଜଗାର ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ହେବ। ବିରୋଧୀ ରାଜନେତା ଓ ଚାଷୀନେତାମାନେ ଏହି ପ୍ରସଙ୍ଗରେ ଗଭୀର ଅଧ୍ୟୟନ ଓ ସହଭାଗୀତା ପ୍ରଦର୍ଶନ କରିବାକୁ ଆଗେଇ ନଆସିଲେ, ଆମ ଦେଶର କୃଷି ଓ କୃଷକର ସମୃଦ୍ଧି ଅସମ୍ଭବ।

କୃଷି ସଂସ୍କାର ଅତ୍ୟାବଶ୍ୟକ ବୋଲି ଭାବୁଥିବା ବୁଦ୍ଧିଜୀବୀମାନେ ଏବେ ‘ସରକାର ଅକଳରେ ପଡ଼ିଛନ୍ତି’ର ମଜା ନନେଇ ବିରୋଧୀ ଦଳର ରାଜନେତା, ଚାଷୀ ନେତା, କୃଷି ଅର୍ଥନୀତିଜ୍ଞ, କୃଷି ପରିଚାଳନା ବିଶେଷଜ୍ଞ କେରଳ-ବିହାର-ଗୁଜୁରାଟ-ଆସାମ ଓ ପଞ୍ଜାବର ପୋଖତ ଚାଷୀ ତଥା ସମବାୟବିତଙ୍କ ସହ ବିଚାର ଆଲୋଚନା ଓ ପରାମର୍ଶ ନେଇ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରନ୍ତୁ।

କେବଳ ସରକାର କିଣି ନେଉଥିବା ଧାନ ଓ ଗହମ ପରି ଫସଲ ଚାଷ ନକରି ମୃତ୍ତିକା, ଜଳବାୟୁ, ଦେଶର ଆବଶ୍ୟକତା ଅନୁଯାୟୀ ଫସଲ ପର୍ଯ୍ୟାୟ ଓ ସାରଣୀ ଅନୁସାରେ ଚାଷୀମାନେ ଚାଷ କରିବା ବ୍ୟବସ୍ଥା ହେବ ଉଚିତ।

ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଚାଷୀନେତା, ରାଜନେତା, ରାଜନୈତିକ ଦଳ ଓ ଚାଷୀ ସଂଗଠନ ତଥା ଆନ୍ଦୋଳନଜୀଵୀ କେହି ବି ଏମିତି ଏକ ଘରୋଇ ବିଲ୍ ପରିକଳ୍ପନା ଓ ଚିଠା ପ୍ରସ୍ତୁତ କରି ଦେଶ ସମ୍ମୁଖରେ ରଖନ୍ତୁ ଯାହା ଆଇନରେ ପରିଣତ ହୋଇଗଲେ ଚାଷୀଙ୍କ ମଙ୍ଗଳ ହେବ, ଚାଷୀ-ଆତ୍ମହତ୍ୟା ହେବନି, ଖାଉଟୀମାନେ ଶସ୍ତାରେ ଖାଦ୍ୟଦ୍ରବ୍ୟ ସମେତ ସବୁ ବ୍ୟବହାର୍ଯ୍ୟ ପଦାର୍ଥ କିଣି ପାରିବେ, ଖାଦ୍ୟ ଉତ୍ପାଦନ ବଢ଼ିବ, ଚାଷୀ ଦିନକୁ ଦିନ ଧନୀ ହେବେ। ଆମଦେଶର ଏତେ ନୋବେଲ ପୁରସ୍କାର ପାଇଥିବା ଅର୍ଥନୀତିଜ୍ଞ ଓ ମୋଦି ବିରୋଧୀ ଜ୍ଞାନୀ ଅଛନ୍ତି ସମସ୍ତେ ଚୁପ୍ ରହିଛନ୍ତି କାହିଁକି? କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରିବର୍ତ୍ତିତ ଓ ସଂଶୋଧିତ କୃଷି ଆଇନ୍‌କୁ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଦେଲା ପରେ ଏହାର ବିରୋଧ କରିବା ସହିତ ସମାନ୍ତରାଳ ଭାବେ ନିଜ ଆଡୁ ପ୍ରସ୍ତାବ ଆଣୁନାହାନ୍ତି କାହିଁକି?

ମନେରଖିବାକୁ ହେବ ଯେ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶୃତିବଦ୍ଧ ଓ ସେମାନେ ବିଶ୍ୱାସ କରନ୍ତି ଯେ ଆଇନ ପ୍ରଣୟନ କଲେ କୃଷିକ୍ଷେତ୍ରକୁ ଅଧିକ ଘରୋଇ ପୁଞ୍ଜି ଆକର୍ଷିତ କରାଯାଇ ପାରିବ, କୃଷକମାନେ ଇ-ନାମ ପୋର୍ଟାଲ ମାଧ୍ୟମରେ ଚଢ଼ା ଦରରେ କୃଷୀସମାଗ୍ରୀ ବିକ୍ରିକରି ଅଧିକ ରୋଜଗାର କରିପାରିବେ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପସଂସ୍ଥା ପାଇଁ ପର୍ଯ୍ୟାପ୍ତ କଞ୍ଚାମାଲ ବର୍ଷସାରା ମିଳିପାରିବI ସଂସଦରେ ସରକାର ଆଇନ ପ୍ରଣୟନ କରିବା ପୂର୍ବରୁ ଦେଶବାସୀ ଏହା ଉପରେ ବିତର୍କ କରିବା ଆବଶ୍ୟକ ଓ ବିରୋଧୀ ସାଂସଦମାନେ ସେମାନଙ୍କୁ ଆଲୋଚନା କରିବାର ସୁଯୋଗ ଦିଆଗଲା ନାହିଁ ବୋଲି ଅଭିଯୋଗ କରିବା ଅନାବଶ୍ୟକ। ବିଗତ ବର୍ଷ ଏଗାର ଥର ଆଲୋଚନା ବେଳେ ଯେଉଁସବୁ ସଂଶୋଧନ ଆଣିବାକୁ ସରକାର ପକ୍ଷରୁ ସହମତି ପ୍ରକାଶ ପାଇଥିଲା, ତାହା ଯଦି ପ୍ରସ୍ତାବିତ କୃଷିବିଲରେ ସ୍ଥାନିତ ହୁଏ, ଏଥିରେ କ’ଣ ସବୁ ଅସୁବିଧା ହେବ ଓ ଯଦି ବେସରକାରୀ କୃଷି ବିଲ୍‌ ଆସେ, ତାହା କିପରି କୃଷକଙ୍କୁ ସାହାଯ୍ୟ କରିବ ତାହା ସମଗ୍ର ଦେଶ ଜାଣିବା ଅତ୍ୟାବଶ୍ୟକ। ନହେଲେ, ଆନ୍ଦୋଳନଜୀବୀ ଓ ଦେଶ ବିରୋଧୀ ଶକ୍ତିଙ୍କୁ ଅରାଜକତା ସୃଷ୍ଟି କରିବାକୁ ସୁଯୋଗ ମିଳିଯିବI ସମଗ୍ର ଦେଶ ଏହା ଜାଣିରଖିବା ଦରକାର।

ସଂକ୍ଷେପରେ କହିଲେ, ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ବରଂ ବିହନ, ସାର, ରସାୟନ, ଋଣ, ବୀମା କିସ୍ତି ଇତ୍ୟାଦିରେ ଅଧିକ ସବସିଡି ଦରକାର। କେବଳ ସରକାର କିଣି ନେଉଥିବା ଧାନ ଓ ଗହମ ପରି ଫସଲ ଚାଷ ନକରି ମୃତ୍ତିକା, ଜଳବାୟୁ, ଦେଶର ଆବଶ୍ୟକତା ଅନୁଯାୟୀ ଫସଲ ପର୍ଯ୍ୟାୟ ଓ ସାରଣୀ ଅନୁସାରେ ଚାଷୀମାନେ ଚାଷ କରିବା ବ୍ୟବସ୍ଥା ହେବ ଉଚିତ। ଠିକା ଚାଷ ମାଧ୍ୟମରେ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଓ ଏଥିପାଇଁ ଉଭୟ ପ୍ରଶାସନିକ ଓ ନ୍ୟାୟିକ ବ୍ୟବସ୍ଥା ରହିବା ଦରକାର। ସୀମାହୀନ ଖାଦ୍ୟଶସ୍ୟ ମହଜୁଦ ରଖୁଥିବା ଗୋଦାମ ମାଲିକଙ୍କ ଉପରେ ସରକାର ତଥା ଅଦାଲତୀ ନିୟନ୍ତ୍ରଣ ବ୍ୟବସ୍ଥା ଓ ସ୍ୱଛତା ରହିବାର ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ୱସ୍ତ କରିବ।

ମୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।